୨୦୧୮ ବିଶ୍ବ କପ୍ ହକି ପୂର୍ବରୁ ଭୁବନେଶ୍ବରରେ ପରିବହନ ସେବାର ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୩-୧ (ଓଡ଼ିଆ ପୁଅ) ୨୦୧୮ ନଭେମ୍ବରରେ ହେବାକୁ ଥିବା ବିଶ୍ବ କପ୍ ହକି ପୂର୍ବରୁ ଭୁବନେଶ୍ବରରେ ସରକାରୀ ପରିବହନ ସେବାର ସଂପୂର୍ଣ୍ଣ ଆଧୁନିକୀକରଣ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ କଟକ ଓ ପୁରୀ ସହିତ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସହ ଭୁବନେଶ୍ବରରେ ପରିବେଶ ଅନୁକୂଳ ଅତ୍ୟାଧୁନିକ ଇଲେକ୍‌ଟ୍ରିକ ବସ୍ ଚଳାଚଳର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ।

ବର୍ତ୍ତମାନ ଭୁବନେଶ୍ବରର ବିଭିନ୍ନ ରୁଟ୍ ରେ ୧୧୦ଟି ବସ୍, ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଚଳାଚଳ କରୁଛି ଏବଂ ମୋଟ ଯାତ୍ରୀ ପରିବହନର ମାତ୍ର ୬ ପ୍ରତିଶତ ଏହି ବସ୍ ସେବାର ସୁବିଧା ନେଉଛନ୍ତି। ଦିଲ୍ଲୀରେ ମେଟ୍ରୋ ରେଳ ସୁବିଧା ସତ୍ତେ ବସ୍ ୩୩ ପ୍ରତିଶତ ଯାତ୍ରୀ ବସ୍ ସେବା ବ୍ୟବହାର କରୁଛନ୍ତି। ସହର ମଧ୍ୟରେ ବସ୍‌ରେ ଅଧିକ ଯାତ୍ରୀ ଯିବାଆସିବା କଲେ, ସଡକରେ ଅନ୍ୟ ଗାଡି ଗୁଡିକର ଚଳାଚଳ କମ୍ ରହିବ, ଭିଡ କମିବ, ଦୁର୍ଘଟଣା କମିବ, ଇନ୍ଧନ ଖର୍ଚ୍ଚ କମ୍ ହେବ ଏବଂ ପ୍ରଦୁଷଣ ମଧ୍ୟ ରୋକାଯାଇ ପାରିବ।

ତେଣୁ ଭୁବନେଶ୍ବରରେ ଯେପରି ନାଗରିକମାନେ ଅଧିକରୁ ଅଧିକ ସାଧାରଣ ପରିବହନ ସେବାର ସୁବିଧା ନେବେ, ସେଥିପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଭବିଷ୍ୟତରେ ୧୬ ପ୍ରତିଶତ ଯାତ୍ରୀ ଯେପରି ସାଧାରଣ ପରିବହନ ସେବା ବ୍ୟବହାର କରିବେ, ତାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଭୁବନେଶ୍ବରରେ ବି.ଏମ୍.ସି ପକ୍ଷରୁ ଏଥିପାଇଁ ଗ୍ରହଣ କରିଥିବା କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଆଉ ୨୦୦ଟି ଅତ୍ୟାଧୁନିକ ବସ୍‌କୁ ସାମିଲ କରାଯିବ। ଏହାଦ୍ବାରା ଭୁବନେଶ୍ବରରେ ନଗର ନିଗମର ବସ୍ ସଂଖ୍ୟା ୩୧୦ କୁ ବୃଦ୍ଧି ପାଇବ। ବର୍ତ୍ତମାନ ପ୍ରଚଳିତ ୧୧୦ଟି ବସ୍‌କୁ ମଧ୍ୟ ନବୀକରଣ କରାଯିବ। ଏଥିପାଇଁ ଆବଶ୍ୟକ ଦୁଇଟି ଡିପୋ ମଧ୍ୟ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୧୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ସହରର ଗୁରୁତ୍ବପୂର୍ଣ୍ଣ ୩୦ କିଲୋମିଟର ରାସ୍ତାରେ ୯୨ଟି ଇଲେକ୍‌ଟ୍ରିକ ଏ.ସି ବସ୍ ଯାତ୍ରୀ ପରିବହନରେ ସାମିଲ ହେବ। ଏତଦ୍‌ବ୍ୟତୀତ ଯାତ୍ରୀମାନେ ଯେପରି ସୁବିଧାରେ ପରିବହନ ସେବା ପାଇପାରିବେ, ପରିବହନ ବ୍ୟବସ୍ଥାକୁ ଆଇ.ଟି.ଏସ୍ ସହିତ ସଂଯୁକ୍ତ କରାଯିବ, ଯାହାଦ୍ବାରା ଏକ ନିର୍ଦ୍ଦିଷ୍ଟ ଆଫ୍ ବ୍ୟବହାର କରି ଯାତ୍ରୀମାନେ vehicle Tracking ଠାରୁ ଆରମ୍ଭ କରି Passenger Information System & Route plan ଆଦି ସମ୍ପର୍କରେ ସବିଶେଷ ତଥ୍ୟ ପାଇପାରିବେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ପରିବହନ ବିଭାଗର ପ୍ରମୁଖ ସଚିବ, ନଗର ଉନ୍ନୟନ ବିଭାଗର ସଚିବ, ଭୁବନେଶ୍ବର ମହାନଗର ନିଗମର କମିଶନର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *