ଓଡ଼ିଶା

ଡିସେମ୍ବର ୨୦୧୮ ସୁଦ୍ଧା ୨୦ ଲକ୍ଷ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୨-୧ (ଓଡ଼ିଆ ପୁଅ) ଆସନ୍ତା ଡିସେମ୍ବର ୨୦୧୮ ସୁଦ୍ଧା ଗ୍ରାମାଞ୍ଚଳରେ ୨୦ ଲକ୍ଷ ପକ୍‌କା ଘର ନିର୍ମାଣ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୪-୧୫, ଆର୍ଥିକ ବର୍ଷରୁ ଆରମ୍ଭ କରାଯାଇଥିବା ଏହି ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମରେ ରାଜ୍ୟର ସବୁ କଚା ଘରକୁ ପକ୍‌କା ଘର କରିବା ପାଇଁ ରାଜ୍ୟ ସରକାର ତାଙ୍କ ନିଜସ୍ବ ପାଣ୍ଠିରୁ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୧୧ ହଜାର ୨୮ଠଟି ପକ୍‌କା ଘର ସଂପୂର୍ଣ୍ଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟାରେ ସଚିବାଳୟରେ ଅନୁଷ୍ଠିତ ବୈଠକରୁ ଜଣାଯାଇଛି।

ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ସଠିକ୍। ହିତାଧିକାରୀ ଯେପରି ଘର ପାଇପାରିବ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ସହିତ ଦୁନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏହି ପକ୍‌କା ଘର ନିର୍ମାଣ କାର୍ଯ୍ୟକ୍ରମ ସାରା ଦେଶର ଦୃଷ୍ଟି ଆକର୍ଷଣ କରିପାରିଛି ଏବଂ ଏ କ୍ଷେତ୍ରରେ ଓଡିଶା ଏକ ମଡେଲ ରାଜ୍ୟ ହୋଇପାରିଛି। ବର୍ତ୍ତମାନ ରାଜ୍ୟରେ ପ୍ରତ୍ୟେକ ଦିନ ୧୦୦୦ରୁ ଅଧିକ ପକ୍‌କା ଘର ନିର୍ମାଣ କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଆଗାମୀ ଦିନରେ ଆହୁରି ଅଧିକ ଗୃହ ନିର୍ମାଣ କରି ଲକ୍ଷ ପୂରଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ପକ୍‌କା ଘର ନିର୍ମାଣ ସହିତ ହିତାଧିକାରୀର ଜୀବିକା ଉପରେ ମଧ୍ୟ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଛି। ତଦନୁଯାୟୀ ପ୍ରତ୍ୟେକ ହିତାଧିକାରୀଙ୍କୁ ଛେଳି ଚାଷ, କୁକୁଡା ଚାଷ, ଜିଆ ଖତ, ଗୋପାଳନ ଆଦି ବିଭିନ୍ନ ରୋଜଗାରକ୍ଷମ କାର୍ଯ୍ୟକ୍ରମରେ ସାମିଲ କରାଯାଉଛି। ସ୍ଥାନୀୟ ଭାବରେ ଉପଲବ୍ଧ ନିର୍ମାଣ ସାମଗ୍ରୀର ଉପଯୋଗ କରି ଶୀଘ୍ର ଗୃହ ନିର୍ମାଣ କରିବାପାଇଁ ରୁର୍କୀ ସ୍ଥିତ ସି.ବି.ଆର.ଆଇ ସଂସ୍ଥାର ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଏହି ଗ୍ରାମ୍ୟ ନିର୍ମାଣ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସ୍ଵଚ୍ଛ ଭାବରେ ପରିଚାଳନା କରିବା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କ ନାମ ଏବଂ ସେମାନଙ୍କୁ ଦିଆଯାଇଥିବା ଘରର ଫଟୋଚିତ୍ର ଯେପରି ସର୍ବସାଧାରଣ ପୋର୍ଟାଲରେ ତୁରନ୍ତ ଉପଲବ୍ଧ ହୋଇପାରିବ, ସେଥିପାଇଁ ଏକ ସ୍ଵତନ୍ତ୍ର ଆପ୍ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଘର ପାଇଥିବା ଏବଂ ପାଇବାକୁ ଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ସଂପୃକ୍ତ ପଞ୍ଚାୟତ ଅଫିସରେ ଉପଲବ୍ଧ ହେଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ରାଜେଶ ବର୍ମା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଶ୍ରୀ ଦେଓ ରଂଜନ ସିଂ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top