ଆମ ସଂସ୍କୃତି, କଳା ଓ ଐତିହ୍ୟ

ସ୍ୱଭାବସୁନ୍ଦରୀ ପଶ୍ଚିମୋତ୍କଳ

– ଦେବପ୍ରସାଦ ମିଶ୍ର
ଉତ୍କଳ ଭୂଖଣ୍ଡ ବା ଆମ ରାଜ୍ୟ ଓଡିଶା ବହୁ ପ୍ରାଚୀନ କାଳରୁ ସମଗ୍ର ବିଶ୍ୱ ଦରବାରରେ ତାର ପରିଚିତ ସୃଷ୍ଟି କରି ଆସିଛି। କାଳ ଚକ୍ରରେ ସମୟର ପରିବର୍ତ୍ତନରେ ବର୍ତ୍ତମାନ ପର୍ଯ୍ୟନ୍ତ ଭଗବାନ ଆମକୁ ଯେତିକି ସଂପଦ ଦେଇଛନ୍ତି ତହିଁରେ ପ୍ରାକୃତିକ ବିଭବ ଅନେକ ଦେଇଛନ୍ତି, ଏ ପର୍ଯ୍ୟନ୍ତ ଆମେ ଏହାର ସଦ୍ ଉପଯୋଗ କରି ପାରି ନାହୁଁ। ବର୍ତ୍ତମାନ ଏକବିଂଶ ଶତାଦ୍ଧୀରେ ପାଦ ଦେବାକୁ ଯାଉଥିବା ବେଳେ ଏହି ସବୁ ପ୍ରାକୃତିକ ବିଭବର ସଦ୍ ଉପଯୋଗ ଅର୍ଥାତ ଶିଳ୍ପ, କଳା, ସଂସ୍କୃତି, ସାହିତ୍ୟ କ୍ଷେତ୍ରରେ ଏହାକୁ କିପରି ବିନିଯୋଗ କରାଯାଇ ପାରିବ ସେ ସଂପର୍କରେ ଚିନ୍ତା କରିବାର ସମୟ ଆସିଛି ଓଡିଶା ପ୍ରଦେଶର ଆମେ ଯାହାକୁ ପଶ୍ଚିମୋତ୍କଳ କହୁଛେ ଭୌଗଳିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବହୁ ଦିନ ପରେ ଆମ ଭାଷା ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। କିନ୍ତୁ ସର୍ବଭାରତୀୟ ସାହିତ୍ୟ କ୍ଷେତ୍ରରେ ଓଡିଶାର ଭୌଗଳିକ ଗୁରୁତ୍ୱ କେତେ ରହିଛି ତାକୁ ଆମ ରାଜ୍ୟର ଚିନ୍ତାଶୀଳ ବ୍ୟକ୍ତିମାନେ ଗମ୍ଭୀରତାର ସହ ବିଚାର କରିବା ଆବଶ୍ୟକ। ଆମ ରାଜ୍ୟର ସୌନ୍ଦର୍ଯ୍ୟ ଗାରିମା ଆଦି ରାଜ୍ୟ ବାହାରେ କୋଣାର୍କ, ପୁରୀ, ଭୁବନେଶ୍ୱର ଧାମର ମହିମା ପୌରାଣିକ ଯୁଗରୁ କାବ୍ୟ କବିତା, ଉପନ୍ୟାସ, ନାଟକ ଆଦିରେ ପ୍ରକଟିତ ହୋଇଛି, କିନ୍ତୁ ଏଥିରେ ପଶ୍ଚିମ ଓଡିଶାର ଭୌଗଳିକ ଗୁରୁତ୍ୱ କେତେ ! କେବଳ ପଶ୍ଚିମ ଓଡିଶାର ବରପୁତ୍ର ସ୍ୱଭାବ କବି ଗଙ୍ଗାଧର ମେହେର ପଶ୍ଚିମ ଓଡିଶାର ସୌନ୍ଦର୍ଯ୍ୟକୁ ତାଙ୍କ ରସମୟୀ ଲେଖନୀ ଦ୍ୱାରା ଅମରତ୍ୱ ପ୍ରଦାନ କରିଛନ୍ତି। ଈବ, ଅଙ୍ଗ, ତେଲ, ସୁକତେଲ, ନିବୃତି ଆଦି ନଦୀ ବେଦବ୍ୟାସ ପାପକ୍ଷୟ ଘାଟ ଆଦି ତୀର୍ଥ ସ୍ଥାନମାନ ବୁଢାରାଜା ପ୍ରଧାନପାଟ ଆଦି ଦର୍ଶନୀୟ ସ୍ଥାନମାନଙ୍କର ନିସର୍ଗ ସୁନ୍ଦର ଚିତ୍ର ସେ ଅର୍ଘ୍ୟଥାଳୀ, ଉତ୍କଳଲକ୍ଷ୍ମୀ, ତପସ୍ୱୀନୀ ଆଦି କାବ୍ୟ କବିତାରେ ଦେଇଛନ୍ତି, ସେ ସବିକୁ ପଢି ଆମେ ଗୌରାବାନ୍ୱିତ ହେଉଛୁ। ସ୍ୱଭାବ କବି ଗଙ୍ଗାଧର ମେହେର ପଶ୍ଚିମ ଓଡିଶାର କବି। ପଶ୍ଚିମ ଓଡିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ତାଙ୍କର ହୃଦୟକୁ ମୁଗଧ କରିଥିଲା। ତାଙ୍କର କାବ୍ୟ ପ୍ରତିଭାକୁ ବିକଶିତ କରିଥିଲା। ସେ ପ୍ରକୃତିଠାରୁ ଯେଉଁ ପ୍ରେରଣା ପାଇଥିଲେ ତହିଁରେ ପ୍ରତିଦିନ ସ୍ୱରୂପ ସ୍ୱଭାବ ସୁନ୍ଦରୀ ପଶ୍ଚିମୋତ୍କଳ ପ୍ରକୃତିକୁ ଭାଷା ଓ ଭାବର ଶ୍ରେଷ୍ଠ ଅଳଙ୍କାରରେ ମଣ୍ଡିତ କଲେ ଏହା ସ୍ୱଭାବ କବିଙ୍କ ପକ୍ଷରେ ସ୍ୱାଭାବିକ ଥିଲା।

ଠିକ ମେହେରଙ୍କ ପରି ଆଉ ଜଣେ ପ୍ରକୃତି ପ୍ରେମୀ ସ୍ୱଭାବ କବି ସାହିତ୍ୟ କାର ହେଉଛନ୍ତି ସମ୍ବଲପୁର ଠାରୁ ପ୍ରାୟ ପାଞ୍ଚଶହ ମାଇଲଦୂର ଆସାମର ବାସିନ୍ଦା ଲକ୍ଷ୍ମୀନାଥ ବେଜବରୁଆ। ଏ ଦୁଇ ସ୍ଥାନ ମଧ୍ୟରେ ଅଛି ବହୁ ପ୍ରାକୃତିକ ମନୋହର ଦୃଶ୍ୟ ଆଜି ଓ ଓଡିଶା ଓ ଛୋଟନାଗପୁରର ବଣ, ପାହାଡ, ପର୍ବତ, ପ୍ରପାତ, ବଙ୍ଗ ପ୍ରଦେଶର ସୁଜଳା ସୁଫଳା ପ୍ରକୃତି ଆସାମର ବ୍ରହ୍ମପୁତ୍ର, ହିମାଳୟର ପାଦଦେଶ। ଆସାମର ସୌନ୍ଦର୍ଯ୍ୟ ଯୋଗୁଁ ସେ ରାଜ୍ୟର ଏକ ଅଂଶ କାମରୂପ ନାମରେ ବିଖ୍ୟାତ। ସେ ରାଜ୍ୟରୁ କେଉଁ କବି ବା ସାହିତ୍ୟକାର ଆସିବ ସମ୍ବଲପୁରକୁ ସାହିତ୍ୟର ଉପାଦାନ ସଂଗ୍ରହ କରିବାକୁ। ବର୍ତ୍ତମାନ ସମୟରେ ସେହି ସମ୍ବଲପୁରର ସାହିତ୍ୟ ପ୍ରେମୀ, କବି ଓ ସାହିତ୍ୟ ରସିକମାନଙ୍କୁ ଜିଲ୍ଲାର ଘିଚାମୁରା ମେଘପାଲବା ଜମଡା ପ୍ରଭୃତି ନାଆଁ ଶୁଣିଛନ୍ତି ? ତେବେ ସେମାନେ ସରକାରୀ ନକ୍ସା ଆଡେଇବା। କିନ୍ତୁ ସେହି ସାହିତ୍ୟକାର ଲକ୍ଷ୍ମୀନାଥ ତାଙ୍କ ସାହିତ୍ୟରେ ଡେବ୍ରିଗଡ ପ୍ରଧାନପାଟ, ବଡରମା ବା ନରସିଂହ ନାଥଙ୍କୁ ନିଜର ସାହିତ୍ୟାକୃତିରେ ପୃଷ୍ଠଭୂମି ରୂପେ ସ୍ଥାନ ଦେଇଛନ୍ତି, ଜଣେ ସାଧାରଣ ଲେଖକ ଆମ ଓଡିଶାର ଯାହାକୁ ବା ଯେଉଁ ଚରିତ୍ରକୁ ନିତାନ୍ତ ହେୟ ମନେକରି ଫିଙ୍ଗି ଦେବ ଲକ୍ଷ୍ମୀନାଥ ସେହି ସ୍ତରର ଚରିତ୍ରକୁ ନେଇ ତାଙ୍କ ରମ୍ୟ ରଚନାର ନାୟକ ନାୟିକାରେ ସ୍ଥାନ ଦେଇଛନ୍ତି। ଓଡ଼ିଆ ସାହିତ୍ୟରେ କବିବର ରାଧାନାଥ ରାୟ ଯେପରି ଆଧୁନିକ କାବ୍ୟର ଯୁଗପ୍ରବର୍ତ୍ତକ ରୂପେ ନମସ୍ୟ ହୋଇ ରହିବେ, ଅସମୀୟ ସାହିତ୍ୟରେ ଲକ୍ଷ୍ମୀନାଥ, ବେଜବରୁଆ ମଧ୍ୟ ସେହିପରି ଆଧୁନିକ ସାହିତ୍ୟର ଯୁଗପ୍ରବର୍ତ୍ତକ ଥିଲେ। ଅସମୀୟ ସାହିତ୍ୟର ଇତିହାସକାର ଡଃ ମହେଶ୍ୱର ନେଓଗଙ୍କ ମତରେ ୧୮୯୦ ଖ୍ରୀଷ୍ଟାବ୍ଦରୁ ଆରମ୍ଭ କରି ୧୯୩୦ ମସିହା ପର୍ଯ୍ୟନ୍ତ ଅସମୀୟ ସାହିତ୍ୟର ଯୁଗକୁ ବେଜବରୁଆ ଯୁଗ ବୋଲି କୁହାଯାଇପାରେ। ଲକ୍ଷ୍ମୀନାଥଙ୍କର ଆତ୍ମଜୀବନୀ ଓ ରମ୍ୟରଚନାମାନଙ୍କରେ ସମ୍ବଲପୁରର ବହୁ ସ୍ଥାନର ସୁନ୍ଦର ଚିତ୍ର ଆମେ ଦେଖିବାକୁ ପାଉ। ଏସବୁ ସ୍ଥାନ ଓଡ଼ିଶା ବା ସମ୍ବଲପୁରରେ ଅଜ୍ଞାତପ୍ରାୟ ହୋଇଥିଲେ ସୁଦ୍ଧା ଅସମୀୟ ସାହିତ୍ୟରେ ଚିରସ୍ଥାୟୀ ଆସନ ଲାଭ କରିଛି।

ଲକ୍ଷ୍ମୀନାଥଙ୍କର ଲେଖନୀରୁ ଅମୃତ ଝରୁଥିଲା। କିନ୍ତୁ ସେ ଥିଲେ ଜଣେ ଶୁଷ୍କ-କାଷ୍ଠ-ବ୍ୟବସାୟୀ। ୧୮୯୯ ମସିହାରୁ ସେ କାଠ ବ୍ୟବସାୟ ପାଇଁ କଲିକତାରୁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବିଳାସପୁର ଆଦି ଅଞ୍ଚଳକୁ ଯିବା ଆସିବା କରୁଥିଲେ। ୧୯୧୭ ମସିହାରେ ସୁପ୍ରସିଦ୍ଧ ବାର୍ଡÿ କମ୍ପାନୀ ସମ୍ବଲପୁର ଜିଲାରେ ପାଞ୍ଚବର୍ଷ ପାଇଁ କେତେ ଜଙ୍ଗଲ ଠିକା ନେଲେ। ବାର୍ଡ଼ କମ୍ପାନୀ ଜଙ୍ଗଲର ମ୍ୟାନେଜର ରୂପେ ବେଜବରୁଆଙ୍କୁ ସମ୍ବଲପୁର ପଠାଇଲେ। ସେହି ବର୍ଷ ସେପ୍ ଟେମ୍ବର ମାସରୁ ଲକ୍ଷ୍ମୀନାଥ ସମ୍ବଲପୁର ସହରରେ ପ୍ରାୟ ଅଠର ବର୍ଷ କାଳ ସପରିବାର ରହିଲେ। ସେ ତôଲେ ଏକାଧାରରେ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ଲେଖକ। ଆସାମର ବିଖ୍ୟାତ କବି ଶଙ୍କରଦେବ ଓ ମାଧବଦେବଙ୍କର ଜୀବନଚରିତ ରଚୟିତା ରୂପେ ଲକ୍ଷ୍ମୀନାଥ ବୈଷ୍ଣବ ଦର୍ଶନରେ ନିଜର ପାଣ୍ଡିତ୍ୟର ପରିଚୟ ଦେଇଛନ୍ତି।

ଲକ୍ଷ୍ମୀନାଥ ସମ୍ବଲପୁରର ନାଗରିକ ଜୀବନ ସହିତ ଘନିଷ୍ଠଭାବେ ସଂପୃକ୍ତ ଥିଲେ ଓ ଦୁଇ ଥର ସମ୍ବଲପୁର ମ୍ୟୁନିସିପାଲିଟିକୁ ସଭ୍ୟ ରୂପେ ମନୋନୀତ ହୋଇଥିଲେ। ତାଙ୍କ ସାହିତ୍ୟ-ପ୍ରତିଭା ସମ୍ବଲପୁରରେ ଅଜ୍ଞାତ ଥିଲା। ସେ ଜଣେ ଦେଶୀ ସାହେବ ରୂପେ ପରିଚିତ ଥିଲେ। ଲକ୍ଷ୍ମୀନାଥଙ୍କୁ କାର୍ଯ୍ୟ ଉପଲକ୍ଷେ ବହୁ ସମୟ ଜଙ୍ଗଲମାନଙ୍କରେ ରହିବାକୁ ପଡ଼ୁଥିଲା। ସେଥିପାଇଁ ସେ ସାଧାରଣ ଲୋକଙ୍କର ଅପରିଚିତ ଘିଚାମୁରା, ଛାମୁଣ୍ଡା, ମେଘପାଲ ଆସି ଜଙ୍ଗଲ ବିଷୟରେ ତାଙ୍କ ସାହିତ୍ୟରେ ବର୍ଣ୍ଣନା କରିଛନ୍ତି।

ଲକ୍ଷ୍ମୀନାଥଙ୍କର ରଚିତ ‘ମୋର ମୃଗୟା’ ତାଙ୍କର ଆତ୍ମଜୀବନୀର ଏକ ଅଙ୍ଗ। ଏହି ପୁସ୍ତିକାରେ ସେ ସମ୍ବଲପୁର ଜିଲାର ବିଭିନ୍ନ ଜଙ୍ଗଲରେ ନିଜର ଶିକାର କାହାଣୀ ଓ ବଣଭୋଜିର ବର୍ଣ୍ଣନା କରିଛନ୍ତି। ଲକ୍ଷ୍ମୀନାଥ କିନ୍ତୁ ଜିମ୍ କୋର୍ବେଟ ନୁହନ୍ତି। ତାଙ୍କର ଶିକାର କାହାଣୀ ଏକ ପ୍ରବୀଣ କଥାକାରଙ୍କ ଚିତ୍ର। ତେଣୁ କବି କାଳିଦାସଙ୍କ ଭାଷାରେ ବନ୍ୟଜନ୍ତୁମାନଙ୍କର ଭୟ ଓ କ୍ରୋଧର ବିକୃତିମୟ ଚିତ୍ତ ବର୍ଣ୍ଣନାରେ ଲକ୍ଷ୍ମୀନାଥଙ୍କର ଲକ୍ଷ୍ୟ ଯେତେ ଥିଲା, ତହିଁରୁ ଅଧିକ ଆକର୍ଷକ ହେଉଛି ସାଙ୍ଗ ମୃଗୟୁମାନଙ୍କର ବର୍ଣ୍ଣନା। ଉଦାହରଣ ସ୍ୱରୂପ, ଜାମଡ଼ା ଜଙ୍ଗଲରେ ତାଙ୍କ ଶିକାର ବିବରଣୀ ଧରାଯାଉ। ସେ ଶିକାରରେ ବେଜବରୁଆ ଗୋଟିଏ ବରାହକୁ ମାଇଲେ ଓ ତାଙ୍କ ସାଙ୍ଗମାନେ କେହି କୌଣସି ଜନ୍ତୁ ପାଇଲେ ନାହିଁ। ଫଳରେ ତାଙ୍କର ସାଙ୍ଗ ଜଣେ ହାକିମଙ୍କ ଗୃହିଣୀ ସମସ୍ତଙ୍କ ଉପସ୍ଥିତିରେ କିପରି ନିଜ ସ୍ୱାମୀ ସହିତ ସତ୍ୟାଗ୍ରହ ଆରମ୍ଭ କରି ଏକ ଅଶୋଭନୀୟ ପରିସ୍ଥିତି ସୃଷ୍ଟି କଲେ ଓ ଶିକାରର ପରବର୍ତ୍ତୀ ଦିନ ବେଜବରୁଆଙ୍କ ଘରୁ ପଠାଯାଇଥିବା ମାଂସ ଭର୍ତ୍ସନାର ସହିତ ଫେରାଇ ଦେଇଥିଲେ, ସେ ବିଷେୟରେ ବେଜବରୁଆ ଏକ ଅତି କୌତୁକିଆ ବିବରଣୀ ଦେଇଛନ୍ତି।

ବେଜବରୁଆ ତାଙ୍କର ଉପନ୍ୟାସ, ଗଳ୍ପ, ନାଟକ ଆଦିରେ ଚରିତ୍ର ଚିତ୍ରଣ ଅତି ନିପୁଣତାର ସହିତ କରିଛନ୍ତି। ସେ ଲେଖିଛନ୍ତି – “ପୂର୍ବେ ମୋଦ୍ୱାରା ଭଲ ଭାବରେହେଉ ବା ଖରାପ ଭାବରେ ହେଉ, ମୋର ବିରଚିତ ନାଟମାନଙ୍କରେ ମୁଁ ରଜାଙ୍କୁ ପୂରାଇଛି, ପ୍ରଜା ପୂରାଇଛି, ରାଜକୁମାର, ଓକିଲ, ବାରିଷ୍ଟର, ସହରିଆ, ଗାଉଁଲୀ, ଚାକର, ଡାହାଣୀ ବୁଢ଼ୀ, କୁକୁର, ମାଙ୍କଡ଼କୁ ମଧ୍ୟ ପୂରାଇଛି। କିନ୍ତୁ ମୋ ପାଇଁ ବର୍ଷ ବର୍ଷ ଯେଉଁ ମାଳୀମାନେ ହାଡ଼ଭଙ୍ଗା ପରିଶ୍ରମ କରିଛନ୍ତି, ସେମାନଙ୍କୁ ପୂରାଇବି ନାହିଁ କାହିଁକି ? ସେଥିପାଇଁ ପାଠକ-ପାଠିକାମାନଙ୍କର ଅନୁମତି ନେଇ ସେହି ଦୁଇ ଦୁଃଖୀ ପ୍ରାଣୀ ବିଷୟରେ ମୋ ଗଳ୍ପରେ ସ୍ଥାନ ଦେଇଛି ଓ ସେ ସମ୍ବଲପୁରର ବଙ୍ଗଳାର ଦୁଇ ଜଣ ଗଣ୍ଡା ଜାତୀୟ ମାଳୀ ବିଷୟରେ ଚିତ୍ତାକର୍ଷକ ବର୍ଣ୍ଣନା ଦେଇଛନ୍ତି। ବେଜବରୁଆଙ୍କ ଅସାମାନ୍ୟ ସମ୍ବେଦନଶୀଳତା ଯୋଗୁଁ ଅତି ସାଧାରଣ ଚାକର ସୁଦ୍ଧା ପାଠକ ମନକୁ ସ୍ନେହ ଓ ସହାନୁଭୂତିରେ ଭରିଦିଏ।

ସମ୍ବଲପୁରର ଏହି ମାଳୀ ଦୁଇ ଜଣଙ୍କର ଅନୁପମ ଚରିତ୍ର ତାଙ୍କର ଅଭିନବ ଚରିତ୍ର-ପୋଥିର ଅନ୍ତର୍ଭୁକ୍ତ ହୋଇଥିବା କଥା ଜାଣି ପାରି ଲକ୍ଷ୍ମୀନାଥଙ୍କର ଝାରସୁଗୁଡ଼ା ବଙ୍ଗଳାର ଭଏଁରା ନାମକ ମାଳୀ ଦିନେ ଲକ୍ଷ୍ମୀନାଥଙ୍କୁ କହିଲା, “ହଜୁର ସାହେବ, ମୁଇଁ ହଜୁରଙ୍କର ଝାରସୁଗୁଡ଼ା ବଙ୍ଗଳାରେ ପାଞ୍ଚ ବର୍ଷରୁ ଅଧିକ ହେଲା ମନ ଦେଇ କାମ କରୁଛି। ହଜୁରଙ୍କ ପୁରାଣ ଶାସ୍ତ୍ରରେ ସମ୍ବଲପୁରର ମାଳୀ ଦୁଇଟି ଉଠିଲେ। ମୋର ଭାଗ୍ୟ ଖରାପ। ମୁଁ ପଡ଼ି ରହିଲି। ହଜୁରଙ୍କ ଚରଣରେ ମୁଁ କି ଅପରାଧ କଲି ବୁଝି ପାରୁ ନାହିଁ।” ତା ପରେ ଲକ୍ଷ୍ମୀନାଥ ଭଏଁରା ମାଳୀ ବିଷୟରେ ଲେଖିଲେ।

ହୀରାକୁଦ ବନ୍ଧ ଯୋଜନା ପରେ ସମ୍ବଲପୁରର ଚାପମାନ କମିଛି। ବିଜୁଳି ପଂଖା ଓ ଶୀତତାପନିୟନ୍ତ୍ରଣ ବ୍ୟବସ୍ଥାରେ ଅନେକେ ଅସହ୍ୟ ଗରମରୁ ରକ୍ଷା ପାଉଛନ୍ତି। କିନ୍ତୁ ପଚାଶ ବର୍ଷ ପୂର୍ବେ ସମ୍ବଲପୁରରେ ଯେଉଁ ଅସହ୍ୟ ଗରମ ହେଉଥିଲା, ସେ ବିଷୟରେ ଲକ୍ଷ୍ମୀନାଥ ଉତ୍ତମ ବର୍ଣ୍ଣନା କରିଛନ୍ତି। ତାପମାନ ଯନ୍ତ୍ର ଅପ୍ରେଲ ମାସରୁ ଜୁନ ମାସ ମଧ୍ୟ ପର୍ଯ୍ୟନ୍ତ କିପରି ୧୧୪ ଡିଗ୍ରୀରୁ ଦୁଇ ତିନି ଡିଗ୍ରୀ ଅଧିକା ଉଠେ, ସେ ସମୟରେ ଖରାରେ ସୂର୍ଯ୍ୟଦେବତା ମନୁଷ୍ୟମାନଙ୍କୁ ଆଳୁ ସିଝାଇଲା ପରି କିପରି ସିଝାଇ ଦିଅନ୍ତି, ସେ କଥା ଲେଖିଛନ୍ତି। ଗରମ ବିରୁଦ୍ଧରେ ସଂଗ୍ରାମର ପ୍ରଧାନ ତିନୋଟି ସମ୍ବଲପୁରୀ ଞବମଗ୍ଧସମଗ୍ଦ ବର୍ଣ୍ଣନା କରି ସେ ଲେଖିଛନ୍ତି– ପ୍ରଥମ ହେଉଛି, ଓଦା ଗାମୁଛା ମୁଣ୍ଡରେ ପକାଇବା– ଗାମୁଛା ଶୁଖିଗଲେ ପୁଣି ଓଦା କରି ସେହି କାର୍ଯ୍ୟରେ ପୁନଃ ପୁନଃ ପ୍ରବୃତ୍ତ ହେବା। ଏହାକୁ ଗେରିଲା ୱାରଫେଆର କୁହାଯାଏ। ଉତ୍ତମାଙ୍ଗ ଦୁର୍ଗ ରକ୍ଷାର ଏହା ପ୍ରକୃଷ୍ଟ ଉପାୟ। ଦ୍ୱିତୀୟ କାମ ଓଦା ଲୁଗାରେ ସର୍ବାଙ୍ଗ ଆବୃତ ରଖିବା। ଯେଉଁମାନେ ସେନାପତି ଓ ସାଧାରଣ ଜବାନକୁ ସମାନ ଦୃଷ୍ଟିରେ ଦେଖନ୍ତି, ସେମାନେ ଏପରି କରନ୍ତି। ତୃତୀୟଟି ହେଉଛି, ହାତ ପଂଖା, ହାତ ପଂଖା ହେଉଛି ଏକ ଶସ୍ତ୍ର। କିଏ କିଏ ଘରେ ପଂଖା ଟାଣି ଲୋକଦ୍ୱାରା, ପଂଖାଟଣା ଚାକରଦ୍ୱାରା ଧର୍ମଯୁଦ୍ଧରେ ପ୍ରବୃତ୍ତ ହୁଅନ୍ତି। ଏହିପରି ଜଣେ ପଂଖାଟଣା ଚାକର ଦଶମନ୍ତର ବା ଦୁଷ୍ମନ୍ତ ବିଷୟରେ ଓ ତାର ମାଆ ବିଷୟରେ ଲକ୍ଷ୍ମୀକାନ୍ତ ଏକ ମନୋଜ୍ଞ ରମ୍ୟ ରଚନା ଲେଖିଛନ୍ତି।

ସମ୍ବଲପୁର ଝାରସୁଗୁଡ଼ା ରେଳଗାଡ଼ି ପ୍ରତିଦିନ ଯିବା ଆସିବା କରୁଛି। ପଚାଶ ବର୍ଷ ପୂର୍ବେ ଲକ୍ଷ୍ମୀନାଥ ଏହି ଗାଡ଼ିରେ ଗଲାବେଳେ ଶାସନ ଷ୍ଟେସନରେ ଜଣେ ଭିକାରୀ ବିଷୟରେ ‘ମଗନିଆର ବୁଢ଼ା’ ଶୀର୍ଷକ ଯେଉଁ ଗଳ୍ପ ଲେଖିଛନ୍ତି, ସେ ବୁଢ଼ା ଓ ଲକ୍ଷ୍ମୀନାଥ ଉଭୟେ ନାହାନ୍ତି। କିନ୍ତୁ ଭିକାରୀ ବୁଢ଼ାର ଜୀବନ୍ତ ପ୍ରତିମୂର୍ତ୍ତି ହୁଏତ ଆଜି ସୁଦ୍ଧା ଆମେ ଶାସନ ଷ୍ଟେସନରେ ଦେଖିପାରିବା।

କାବୁଲିୱାଲା ଏକ ଘୃଣିତ ବ୍ୟକ୍ତି। କିନ୍ତୁ ରବୀନ୍ଦ୍ରନାଥ ନିଜର ଅମର ତୁଳିକାରେ ତାହାକୁ ସ୍ନେହ ଓ ମାନବିକତାରେ ଭୂଷିତ କରି ଆମ ମନରେ ଘୃଣା ପରିବର୍ତ୍ତେ ମମତା ଓ ସମ୍ବେଦନ ଜାଗ୍ରତ କରେ। ଲକ୍ଷ୍ମୀନାଥ ସେହିପରି କେତେ ଉପେକ୍ଷିତ ସମ୍ବଲପୁରୀ ଚାକର ଓ ନଗଣ୍ୟ ଲୋକଙ୍କୁ ଅସମୀୟ ସାହିତ୍ୟରେ ଚିରନ୍ତନ ଆସନ ଦେଇଛନ୍ତି। ଏଥିପାଇଁ ପ୍ରତ୍ୟେକ ଓଡ଼ିଆ ସାହିତ୍ୟରସିକ ତାଙ୍କଠାରେ କୃତଜ୍ଞ ହେବା ଉଚିତ।

ଲକ୍ଷ୍ମୀନାଥଙ୍କ ସାହିତ୍ୟର ବିଶେଷତ୍ୱ ହେଉଛି, ସମାଜର ଅତି ନୀଚ ସ୍ତରର ଲୋକ ପ୍ରତି ତାଙ୍କର ମମତା। ସେଥିପାଇଁ ଯେତେବେଳେ ପଂଖାଟଣା ଚାକର ଦୁଷ୍ମନ୍ତ ଅବସ୍ଥାଚକ୍ରରେ ପଡ଼ି ଦେଶତ୍ୟାଗୀ ହେଲା, ସେତେବେଳେ ଲକ୍ଷ୍ମୀନାଥ ଲେଖିଲେ, “ଦୁଷ୍ମନ୍ତ ପ୍ରତି ଆମ ସମସ୍ତଙ୍କ ବଡ଼ ସ୍ନେହ ଥିଲା। ସେ ଏବେ କୁଶଳରେ ଥିବା ଖବର ଯଦି ମୁଁ ଆଜି ମଧ୍ୟ ପାଏଁ, ତେବେ ଖୁବ୍ ସୁଖୀ ହେବି।’’ ମାଲିମକଦ୍ଦମାରେ ସର୍ବସ୍ୱାନ୍ତ ଭିକାରୀ ବୁଢ଼ାର ସମ୍ପତ୍ତି ଫେରାଇ ଆଣିବାରେ ଚେଷ୍ଟା କରି ଆଇନରେ ବାଧା ଥିବା ଜାଣି ଲକ୍ଷ୍ମୀନାଥ ସେହି ଭିକାରୀ ବୁଢ଼ାର କଥା ଆବୃତ୍ତି କରି କହିଛନ୍ତି।
“ଇନ୍ଦ୍ର ବିନା ନଦୀ କୌନ୍ ଭରେରାମ ବିନା ଦୁଃଖ କୌନ୍ ହରେ ?”
ଜୀବନରେ ଲୋକଟି ସୁବିଚାର ପାଇଲା ନାହିଁ।
ଜୀବନରେ ଆର ପାରରେ ସେ ସୁବିଚାର ପାଇବ କି ? ପଡ଼ୋଶୀ ସାହିତ୍ୟରେ ସମ୍ବଲପୁରକୁ ଏପରି ଚିତ୍ତାକର୍ଷକ ସ୍ଥାନ ଦେଇଥିବାରୁ ବେଜବରୁଆ ଆମର ଭକ୍ତି ଓ ଶ୍ରଦ୍ଧାର ପାତ୍ର ହୋଇ ରହିବେ। ତାଙ୍କର ଜନ୍ମ ଶତବାର୍ଷିକ ଉତ୍ସବ ୧୯୬୮ ମସିହାରେ ସମ୍ବଲପୁରରେ ପାଳିତ ହୋଇଥିଲା। ସମ୍ବଲପୁରର ଶ୍ରୀ ଶ୍ରଦ୍ଧାକର ସୁପକାର ସେ ସମୟରେ ଲକ୍ଷ୍ମୀନାଥଙ୍କ ଉପରେ ବହୁ ଲେଖା ଲେଖି ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ କରି ଅସମୀୟ ସାହିତ୍ୟରେ ସମ୍ବଲପୁରକୁ ନେଇ ସାହିତ୍ୟିକ ମହଲରେ ଚର୍ଚ୍ଚା ହୋଇଥିଲା ସ୍ୱଭାବସୁନ୍ଦରୀ ପଶ୍ଚିମୋତ୍କଳ ଉପରେ ସାହିତ୍ୟ ରସିକମାନଙ୍କ ଲେଖନୀ ପୁଣି ଚାଲୁ ନାହିଁ କାହିଁ କି ?

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top