ପୁଲିସ ମହାନିର୍ଦ୍ଦେଶକ ଓ ନିରୀକ୍ଷକଙ୍କ ସମ୍ମିଳନୀରେ ୯ ଘଂଟାରୁ ଅଧିକ ସମୟ ଧରି ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

– ସୁରକ୍ଷା, ଆଭ୍ୟନ୍ତରୀଣ ନିରାପତା ପ୍ରସଙ୍ଗରେ ହେଲା ଦୀର୍ଘ ଆଲୋଚନା
– ଆସନ୍ତାକାଲି ଉଦ୍ୟାପନୀ ଅଧିବେଶନକୁ ସମ୍ବୋଧିତ କରିବେ ଶ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ ୮-୧ (ଓଡ଼ିଆ ପୁଅ) ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଏବଂ ନିରୀକ୍ଷକମାନଙ୍କ ଦୁଇଦିନିଆ ରାଷ୍ଟ୍ରୀୟ ସମ୍ମିଳନୀ ମଧ୍ୟପ୍ରଦେଶର ତେକାନପୁରସ୍ଥିତ ବିଏସଏଫ ଏକାଡେମୀଠାରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ଦୁଇଦିନ ଧରି ଉପସ୍ଥିତ ରହି ଆଲୋଚନା, ବିଚାରବିମର୍ଶ ଓ ମତ ବିନିମୟରେ ଅଂଶଗ୍ରହଣ କରିଛନ୍ତି।

ସମ୍ମିଳନୀର ଆଜି ପ୍ରଥମ ଦିବସରେ ଆଭ୍ୟନ୍ତରୀଣ ନିରାପତା ସଂକ୍ରାନ୍ତ ପ୍ରସଙ୍ଗଗୁଡିକର ବିସ୍ତୃତ ପର୍ଯ୍ୟାଲୋଚନା କରାଯାଇଥିଲା। ପୁଲିସ ମହାନିର୍ଦ୍ଦେଶକ, ନିରୀକ୍ଷକ, ନିରାପତା ବିଶେଷଜ୍ଞ ଓ    ସୁରକ୍ଷା ସଂକ୍ରାନ୍ତ ଯୋଜନା ପ୍ରଣୟନକାରୀମାନଙ୍କର ବିଚାର ଆଲୋଚନାକୁ ପ୍ରଧାନମନ୍ତ୍ରୀ ମୂଳରୁ ହିଁ ବସି ଅନୁଧ୍ୟାନ କରିଥିଲେ। ପ୍ରତ୍ୟେକ ପ୍ରସଙ୍ଗର ଆଲୋଚନାକୁ ସେ ଟିକିନିଖି ଭାବେ ଶୁଣୁଥିଲେ।

ଗତ ତିନି ବର୍ଷ ମଧ୍ୟରେ ପୁଲିସ ମହାନିର୍ଦ୍ଦେଶକମାନଙ୍କ ବାର୍ଷିକ ସମ୍ମିଳନୀରେ ଯେଉଁସବୁ ସୁପାରିଶମାନ କରାଯାଇଥିଲା, ତାହା କିଭଳି ଓ କେତେ ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇଛି ଏବଂ ସେସବୁର କି ପରିଣାମ ମିଳିଛି ସେଥିନେଇ ମଧ୍ୟ ପୁଙ୍ଖାନୁପୁଙ୍ଖ ବିଚାରବିମର୍ଶ ହୋଇଥିଲା।

ମଧ୍ୟାହ୍ନ ଭୋଜନ ସମୟରେ ପ୍ରଧାନମନ୍ତ୍ରୀ କିଛି ବଛା ବଛା ପୁଲିସ ଅଧିକାରୀ ଗୋଷ୍ଠୀଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସହିତ ସ୍ୱତନ୍ତ୍ର ଭାବେ ନିରାପତା ଓ ଆଭ୍ୟନ୍ତରୀଣ ସୁରକ୍ଷା ତଥା ପୁଲିସ ପ୍ରଶାସନ ବ୍ୟବସ୍ଥାର ସଦ୍ୟତମ ରୂପରେଖ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପ୍ରତ୍ୟେକ ନିରାପତା ବିଷୟକୁ ପ୍ରଧାନମନ୍ତ୍ରୀ ହୃଦୟଙ୍ଗମ କରିବା ସହ ପୁଲିସ ପ୍ରଶାସନକୁ ଲୋକାଭିମୁଖି କରାଯିବା ଉପରେ ଫଳପ୍ରଦ ଆଲୋଚନା କରିଥିଲେ। ପୁଲିସ ଅଧିକାରୀମାନଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ ପ୍ରାୟ ୯ ଘଂଟାରୁ ଅଧିକ କାଳ ଧରି ଚାଲିଥିଲା।

ଆସନ୍ତାକାଲି ମଧ୍ୟ ଏହି ଆଲୋଚନା ଓ ମତ ବିନିମୟ ଜାରି ରହିବ। ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବା ପୂର୍ବରୁ କାଲି ଅପରାହ୍ନରେ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀର ଉଦ୍ୟାପନୀ ଅଧିବେଶନକୁ ସମ୍ବୋଧିତ କରିବେ। ଆଜି ସକାଳେ ପ୍ରଧାନମନ୍ତ୍ରୀ ତେକାନପୁରଠାରେ ପହଂଚିବା ପରେ ବିଏସଏଫ ଏକାଡେମୀର ୫ଟି ନୂତନ କୋଠାକୁ ଫଳକ ଉନ୍ମୋଚନ ପୂର୍ବକ ଉଦ୍ଘାଟନ କରିଥିଲେ।

Leave a Reply

Your email address will not be published. Required fields are marked *