କବିତା

ମୋ ଗାଁଆରେ ସକାଳ

ବିନୟ ଭୂଷଣ ମହାପାତ୍ର

ସକାଳ ଯେବେ ଆସେ
ମୋ ଗାଁଆ ଉଠେ
ସତେକି ହସି।
ରାବଇ କାଉ
ଗଳାକୁ ଝାଡି
ଚାଳ ଉପରେ ବସି।

କୁକୁଡା ସବୁ
ଭାଡି ଭିତରେ
କରନ୍ତି ଅକର୍ଥନ,
ବାହାରେ ଆସି
ଛାଡି ବୋବାଳି
ଫଟାନ୍ତି ମୁଣ୍ଡ କାନ।

ହାତରେ ଧରି
ବିଲାତି ଛଡି
ପୋଷା କୁକୁର ରସି,
ଚାଲନ୍ତି ଧିରେ
ନିଶକୁ ମୋଡି
ଘନବାବୁ ଯେ ହସି।

ରମଣୀ ରାଣୀ
ଗୋବର ପାଣି
ହାତରେ ଦିଏ ଛିଞ୍ଚି,
ସୂରୁଜ ଦେବ
କିରଣ ତାଙ୍କ
ଦିଅନ୍ତି ପୁଣି ବିଞ୍ଚି।

ହଳଦୀ ତେଲ
ହାତରେ ଧରି
ଭୁଆସୁଣୀଏ ଯେତେ,
ଗାଧୁଆ ପାଇଁ
ବାହରି ଥାଇ
ବାଲତି-ଗରା ହାତେ।

ଯୁବତୀମାନେ
ଉତ୍ସାହ ମନେ
ଗାଧୁଆ କାମ ସାରି,
ଚଉଁରା ମୂଳେ
ଆଙ୍କନ୍ତି ଚିତ୍ର
ମୂରୁଜ ହାତେ ଧରି I

ଘରର ବୋହୂ
ଦୁଆର ବନ୍ଧେ
ପକାଇ ଦେଇ ଝୋଟି,
ଖରାକୁ ଚାହିଁ
ଶୁଖାଇ ଦେଇ
ବାନ୍ଧଇ ତାର ଚୁଟି।

ନିଧିଆ ବୁଢା
ପଖାଳ ଖାଇ
ହଳକୁ ଗୋରୁ ଯୋତେ,
ବରଷା ଖରା
ଖାତିର ନାହିଁ
କରଇ ଚାଷ କେତେ।

ପୀତେଇ ବୁଢୀ
ପାଛିଆ ଧରି
ଶାଗ ପରିବା ଆଣେ,
ରଖିଲେ ରଖ
ଯାଉଛି ମୁହିଁ
କଥାଟି କହେ ଟାଣେ।

ରଙ୍ଗିଆ ଧୋବା
ଗଣ୍ଠିଲି ଲୁଗା
କାନ୍ଧ ଉପରେ ଧରି,
ଚାଲଇ ଦାଣ୍ଡେ
ରହିଣ ଦଣ୍ଡେ
ଡାକି ଡାକିକା ଭାରି।

ଗଉଡ ଟୋକା
ଗାଈକୁ ଛନ୍ଦି
ଛାଡୁଛି କେତେ ଡାକ,
ବାଛୁରୀ ଧର
ଦୁହିଁବି କ୍ଷୀର
ଦେଖିବ ଆସ ମାପ।

ଫିଟାଅ ଗାଈ
କୁଳୁଚି ପେଇ
ଗାୟାଳ ଛାଡେ ରଡି,
ଗହୀର ପାଟ
ବହୁତ ବାଟ
ଆସଇ ଖରା ମାଡି।

କଅଁଳ ଖରା
ନଖାଇ ନଡା
ବାଛୁରୀ ଡିଆଁ ମାରେ,
ଦାଣ୍ଡରେ
ଦୈାଡି ଛାଡଇ ରଡି
ମାଆକୁ ତାର ଝୁରେ।

ମାଲୁଣୀ ନାନୀ
ଉଡାଇ କାନି
ପଶରା ଫୁଲ ନେଇ,
ମନ୍ଦିର ଖୋଲି
ଗୁନ୍ଥଇ ମାଳି
ମନରେ ଗୀତ ଗାଇ।

ମାଗୁଣି ଦାଶ
ବଜାଇ ଘଣ୍ଟ
ପୂଜଇ ଗ୍ରାମଦେବୀ,
ଉଖୁଡା ମୂଆଁ
ଝୁଣାର ଧୂଆଁ
ପଢଇ ମନ୍ତ୍ର ଭାବି।

ଚନ୍ଦନ ମାରି
ଥାଳଟି ଧରି
ଚକୁଳି ପଣ୍ଡା ଡାକେ,
ଚାଉଳ ବିରି
କଖାରୁ ବଢି
ଦିଅ ହେ ମାଆ ଟିକେ।

ଦେଖାଇ ତୋଡ
କଚାଡି ଗୋଡ
ରେଡିଓ ଜେଜେ ଧରି,
ଆକାଶବାଣୀ
ଖବର ପୁଣି
ଶୁଣନ୍ତି କାନ ଡେରି।

ବଇଦ ବୁଢା
ବନେଇ କାଢା
ଡାକଇ ରୋଗୀ ଆସ,
ହବନି ରୋଗ
କରିଲେ ଯୋଗ
ସଅଳେ ତେଜି ହେଂସ।

ପେପର ବାଲା
ବାଡେଇ ତାଲା
ପିଣ୍ଡାକୁ ଦିଏ ଫିଙ୍ଗି,
ଆସନ ମାଡି
ବସନ୍ତି ପଢି
ଚଷମା ଜେଜେ ପିନ୍ଧି।

ଗୁଡିଆ ନନା
ଘୋଡାଇ କନା
ଝୁଡିଟି ଧରି ଆସେ,
ପକୁଡି ବରା
ନଡିଆ କୋରା
ଘୁଘୁନି ଭାରି ବାସେ।

ଶିକ୍ଷକ ବାବୁ
କରନ୍ତି କାବୁ
ହାତରେ ଧରି ବେତ,
ପଢରେ ପାଠ
ନକରି ମଠ
ଗାଆଁର ଯଶ ରଖ।

ଆସିଲା ଗାଡି
ଛାଡନ୍ତି ରଡି
ଉଚ୍ଛନ୍ନ ଜେଜେ ହୋଇ,
ପିନ୍ଧରେ ଜୋତା
ରଖରେ ଛତା
ବସ୍ତାନି ଯାଅ ନେଇ।

କାତକୁ ମାରି
ଆଖିକୁ ଠାରି
ନାଉରୀ ଗୀତ ଗାଏ,
ନଈକୁ ଚାହିଁ
ଡଙ୍ଗାକୁ ବାହି
କୂଳରୁ କୂଳ ଯାଏ।

ନିଆଁକୁ ଜାଳି
ବସନ୍ତି ମେଳି
ସକାଳୁ ଶୀତ ଦିନେ,
ହିଂସାର ଭାବ
ଅଶାନ୍ତି ରାଗ
ନଥାଏ କାହା ମନେ।

ବିଭିନ୍ନ ଜାତି
ଅନେକ ମତି
ଏକାଠି ଥା’ନ୍ତି ରହି,
ପାଳନ୍ତି ପର୍ବ
ଏକତ୍ର ସର୍ବ
ଚଳନ୍ତି ଭାଇ ଭାଇ।

ରାତିର ଶେଷେ
ସକାଳ ଆସେ
କଥାଟି ନିତ୍ୟ ସତ,
ଦୁଃଖର ପରେ
ସୁଖ ଯେ ଫେରେ
ଜୀବନ ଚକ୍ର ଏତ।

ଅଡିଟର୍, ଡିଫେନ୍ସ୍ ଏକାଉଣ୍ଟସ୍ ଡିପାଟମେଣ୍ଟ୍,
ପିଏଓ(ଓଆରଏସ୍)ଏ.ଆର୍.ସି,
ହାପ୍ପୀ ଭେଲି,
ସିଲଙ୍ଗ, ମେଘାଳୟ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top