ବିଧାୟକ କିମ୍ବା ବିଜେଡି ଦଳ ଭଦ୍ରକ ହିଂସାକାଣ୍ଡ ପାଇଁ ଦାୟୀ ନୁହଁନ୍ତି : ସାଂସଦ ଅର୍ଜୁନ ସେଠୀ

ଭଦ୍ରକ, ୨୨/୪(ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଗତକାଲି ବିଜେପିର ରାଜ୍ୟ ମୁଖପାତ୍ର ସର୍ଜନ ଶର୍ମା ଭଦ୍ରକ ହିଂସାକାଣ୍ଡ ଘଟଣାରେ ସ୍ଥାନୀୟ ସାଂସଦ ତଥା ଜିଲା ବିଜେଡି ସଭାପତି ଅର୍ଜୁନ ଚରଣ ସେଠୀ ଓ ସ୍ଥାନୀୟ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଥିବା ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି, ଆଜି ତାହାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତାଙ୍କ ସମେତ ବହୁ ଜିଲା କର୍ମକର୍ତ୍ତା ଦୃଢ ଭାବେ ଖଣ୍ଡନ କରିଛନ୍ତି। ଏବଂ ସାଂସଦ ଭଦ୍ରକ ହିଂସାକାଣ୍ଡ ଘଟଣାରେ ବିଧାୟକ ଓ ତାଙ୍କ ପୁତ୍ରଙ୍କ ସଂପୃକ୍ତିକୁ ନେଇ ଦିଲ୍ଲୀରେ ଦେଇଥିବା ବୟାନକୁ ଶ୍ରୀ ସେଠୀ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରି ଏହାକୁ ପ୍ରତ୍ୟେକ୍ଷ ଭାବେ ନିନ୍ଦା କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଗତକାଲି ବିଜେପିର ରାଜ୍ୟ ମୁଖପାତ୍ର ଶ୍ରୀ ଶର୍ମା ଗଣମାଧ୍ୟମରେ ସ୍ଥାନୀୟ ସାଂସଦ ଶ୍ରୀ ସେଠୀ ଓ ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଥିବାର ସୂଚାଇ ଉପରୋକ୍ତ ହିଂସାକାଣ୍ଡରେ ବିଧାୟକ ଓ ତାଙ୍କ ପୁତ୍ରଙ୍କ ସଂପୃକ୍ତି ରହିଥିବା ବିଷୟ ଉଠାଇଥିଲେ। ଏଥିରେ ସାଂସଦ ଶ୍ରୀ ସେଠୀ ଦିଲ୍ଲୀରେ ଉଭୟ ପିତା-ପୁତ୍ରଙ୍କୁ ଦାୟୀ କରିଥିବାର ସୂଚାଇଥିଲେ। ଅନୁରୂପ ବିଜେଡିର ନେତା କହୁଥିବା ଲକ୍ଷ୍ମୀ ମହାପାତ୍ର ଦଳର କୌଣସି କର୍ମୀ ନଥାଇ ଯେଭଳି ଭାବେ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ଭଦ୍ରକ ହିଂସାକାଣ୍ଡରେ ଲିପ୍ତ ସଂଖ୍ୟାଲଘୁ ସଂପ୍ରଦାୟକୁ ବିଧାୟକ ଓ ତାଙ୍କ ପୁତ୍ର ଅସ୍ତ୍ର ଭାବେ ବ୍ୟବହାର କରିଛନ୍ତି ବୋଲି କହିବା ଘଟଣାକୁ ବିଧାୟକ ଶ୍ରୀ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ସେଠୀ ନିଜ ଦଳ ମଧ୍ୟରେ ସ୍ଥାନୀୟ ବିଧାୟକ ଓ ତାଙ୍କ ପୁତ୍ରଙ୍କର ସୁସଂପର୍କ ରହିଆସିଥିବାବେଳେ ସେମାନଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ରହିନଥିବା ବିଷୟ ସିଧାସଳଖ କହିଥିଲେ। ଏବଂ ଭଦ୍ରକ ହିଂସା ଘଟଣାରେ ପ୍ରଶାସନ ଓ ପୁଲିସକୁ ଦାୟୀ କରି ଏଥିରେ ତାଙ୍କ ଦଳର କୌଣସି ନେତା କି କର୍ମୀଙ୍କର ଲେଶ ମାତ୍ର ସଂପୃକ୍ତି ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ବିଶେଷକରି ବିଧାୟକ ସେଦିନ ଶାନ୍ତି କମିଟିରେ ଥିଲେ ମଧ୍ୟ କୌଣସି ହିଂସାକାଣ୍ଡରେ ଜଡିତ ନଥିବା ବିଷୟ ସେ କହିଥିଲେ। ସେହିଭଳି ବିଧାୟକଙ୍କ ପୁତ୍ର ସେଦିନ ଭୁବନେଶ୍ୱରରେ ଥିବାରୁ ତାଙ୍କର ମଧ୍ୟ ଏଥିରେ କୌଣସି ସଂପୃକ୍ତି ନାହିଁ ବୋଲି ସେ କହିବା ସହ ବାସ୍ତବରେ ଯେଉଁ ପ୍ରଶାସନ ଓ ପୁଲିସ ଅଧିକାରୀମାନେ ଏଥିପାଇଁ ଦାୟୀ, ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିକଟରେ ଦାବି କରିଥିବା ବିଷୟ ସୂଚାଇଥିଲେ। ବିଧାୟକ ଓ ତାଙ୍କ ପୁତ୍ର ପ୍ରତି ଆକ୍ଷେପ ମୂଳକ ମନ୍ତବ୍ୟ ଦେଇଥିବା ଲକ୍ଷ୍ମୀ ମହାପାତ୍ର ବିଜେଡି ଦଳରେ ନାହାଁନ୍ତି, ମାତ୍ର ତାଙ୍କ ପୁତ୍ର ଶୁଭଙ୍କର ଦଳର କାଉନସିଲର ଥାଇ ଯେଭଳି ଭାବେ ବିନା କାରଣରେ ଗିରଫ ହେଲେ, ତାହାକୁ ଉଭୟ ସାଂସଦ ଓ ବିଧାୟକ ତୀବ୍ର ନିନ୍ଦା କରିଛନ୍ତି। ଏବଂ ଏଥିପାଇଁ ମୁଖ୍ୟତଃ ସେଦିନ ଟାଉନ୍ ଥାନା ଘେରାଉରେ ସଂପୃକ୍ତ ଥିବା ଜଣେ ବିଜେପିର କାଉନସିଲରଙ୍କୁ ଦାୟୀ କରି ଏପର୍ଯ୍ୟନ୍ତ କାହିଁକି ତାଙ୍କୁ ଗିରଫ କରାଯାଇନାହିଁ ବୋଲି ବିଧାୟକ ଶ୍ରୀ ପଟ୍ଟନାୟକ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କରିଛନ୍ତି ବୋଲି ସୂଚାଇଥିଲେ। ଏଥିସହ ଏହି ଘଟଣାରେ ଏକ ନିରପେକ୍ଷ ତଦନ୍ତ ସହ ସଂପୃକ୍ତ ସମସ୍ତ ହିଂସାକାରୀଙ୍କୁ ଗିରଫ କରିବା ଲାଗି ଉଭୟ ନେତା ଦାବି କରିବା ସହ ଅଯଥାରେ ଟାଣିଓଟାରି ଆମ ଦଳର ବିଧାୟକ, ତାଙ୍କ ପୁତ୍ର ଓ ମୋତେ ଯେଭଳି ବଦନାମ କରାଯାଉଛି, ତାହାକୁ ଭଦ୍ରକବାସୀ ଗ୍ରହଣ କରିବେ ନାହିଁ। ଏହି ଦୁଇ ପରିବାର ଦୀର୍ଘ ୩୦ ରୁ ଉର୍ଦ୍ଧ୍ୱ ବର୍ଷ ଧରି ଭଦ୍ରକର ଉନ୍ନତି ଓ ଭଦ୍ରକବାସୀଙ୍କ ସୁଖଦୁଃଖରେ ରହିଆସିଥିବାରୁ ସେମାନେ ଆମ୍ଭଙ୍କୁ ବିଶ୍ୱାସର ସହ ଜିତାଇ ଆସୁଥିବା ବିଷୟ ସାଂସଦ ଶ୍ରୀ ସେଠୀ କହିବା ସହ ଏ ଗୁଜବକୁ ଜିଲାବାସୀ ଗ୍ରହଣ କରିବେ ନାହିଁ ବୋଲି ଉଭୟ ନେତା ଦୃଢତାର ସହ ଗଣମାଧ୍ୟମକୁ କହିଥିଲେ। ଜିଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଶ୍ରୀ ସେଠୀ, ବିଧାୟକ ଶ୍ରୀ ପଟ୍ଟନାୟକ, ପୌରପାଳ ମାନସ ମହାନ୍ତି, ବ୍ଲକ୍ ବିଜେଡି ସଭାପତି ରାଧାକାନ୍ତ ସାମଲ, ବିଜେଡି ସାଧାରଣ ସଂପାଦକ ଅଶୋକ ନାୟକ ଓ ପୂର୍ବତନ ବ୍ଲକ୍ ସଭାପତି ପ୍ରହଲ୍ଲାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *