Home ଓଡ଼ିଶା “ମୁଁ ନୁହେଁ”, “ଆମେ”କୁ ପ୍ରତୀକ୍ଷା:ମିଶନ ୧୨୦ ନାଁ,ମିଶନ ମେଣ୍ଟ;ସ୍ପଷ୍ଟ ହେଇଯିବ

“ମୁଁ ନୁହେଁ”, “ଆମେ”କୁ ପ୍ରତୀକ୍ଷା:ମିଶନ ୧୨୦ ନାଁ,ମିଶନ ମେଣ୍ଟ;ସ୍ପଷ୍ଟ ହେଇଯିବ

1291

ଭୁବନେଶ୍ୱର:କଡ଼ ଲେଉଟାଇ ଦେଇ ପାରେ ଓଡ଼ିଶା ରାଜନୀତି।ଅପରାଜିତାଙ୍କ ରାଜନୀତିକୁ ଆସିବା ତ’ ଜଣାପଡି ଯାଉଛି।କିନ୍ତୁ ସେ ଯଦି ବିଜେପିରେ ଯୋଗଦିଅନ୍ତି,ତେବେ ସେହିପରି କିଛି ଆଶା କରାଯାଇପାରେ।ଏବଂ ଏହାପରେ କିଛି ରାଜନୈତିକ ପଦକ୍ଷେପରୁ ବିଜେପିର ମିଶନ ୧୨୦ ନାଁ ମିଶନ ମେଣ୍ଟ ତାହା ସ୍ପଷ୍ଟ ହୋଇଯିବ।

ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିର୍ଣ୍ଣ ରାଜନୈତିକ ଦଳ ଭିତରେ ତତ୍ପରତା ସେତିକି ବୃଦ୍ଧି ପାଉଛି।ବିଭିର୍ଣ୍ଣ ଦଳରେ ମିଶ୍ରଣ ପ୍ରକ୍ରିୟା ଚାଲୁଛି।ଅପରାଜିତା ଷଡ଼ଙ୍ଗୀ ଚାକିରୀ ଛାଡ଼ିବା ପରେ ରାଜନୀତିକୁ ତ’ ଆସୁଛନ୍ତି,କିନ୍ତୁ ସେ କେଉଁ ଦଳରେ ଯୋଗଦେବେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି।କିନ୍ତୁ ଯଦି ଏବେ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗ ଦିଅନ୍ତି,ତେବେ ତାହା କେବଳ ବିଜେପିରେ ନୁହେଁ,ସମଗ୍ର ଓଡ଼ିଶା ରାଜନୀତିରେ ମହାମିଶ୍ରଣ ଭାବରେ ଗଣାଯିବ।

ଆଲୋଚନା ହୁଏ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନବୀନଙ୍କ ବିରୋଧରେ ସେପରି ଯାଆନ୍ତି ନାହିଁ।ନବୀନ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ, ଜିଏସଟି,ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ଆଦି ପରି ଆବଶ୍ୟକ ସମୟରେ ବିଜେପିକୁ ସହଯୋଗ ଦିଅନ୍ତି।ତେଣୁ ବିଜେପି ବିଜେଡି ଭିତରେ ଏକ ଅଘୋଷିତ ମେଣ୍ଟ ଅଛି।ଆଗକୁ ମଧ୍ୟ ରହିପାରେ।କିନ୍ତୁ ଅପରାଜିତା ଯଦି ବିଜେପିକୁ ଆସନ୍ତି,ବୋଧେ ସେପରି ଆଉ ଅନୁଭବ ହେବନି।ଆଲୋଚନା ହେଉଛି ଅପରାଜିତା ଭୁବନେଶ୍ୱରରୁ ଏମପି ପାର୍ଥି ହେବେ।କିନ୍ତୁ ଅପରାଜିତାଙ୍କ ପରି ବ୍ୟକ୍ତିତ୍ୱ ଯେ କେବଳ ଏକ ସାଂସଦ ହେବା ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ପଦବୀ/ଚାକିରୀ ଛାଡ଼ି ରାଜନୀତିକୁ ଆସିବା ପରି ମନେ ହେଉନି।ଏବଂ ଅପରାଜିତାଙ୍କ ପୂର୍ବ ରେକର୍ଡ,ତାଙ୍କ ଟ୍ୱିଟ ଏବଂ ତାଙ୍କ ଗତିବିଧିରୁ ଲାଗୁଛି ସେ ବିଜେପିରେ ହିଁ ଯୋଗ ଦେଉଛନ୍ତି।କୁହାଯାଉଛି ସେ କେଉଁ ଦଳରେ ଯୋଗ ଦେବେ ଖୁବ୍ ଶୀଘ୍ର ନିଷ୍ପତି ନେବେ।କିନ୍ତୁ ଯାହା ଜଣାପଡ଼ୁଛି,ଅପରାଜିତା ଏ ନିଷ୍ପତି ନେଇ ସାରିଛନ୍ତି।କେବଳ ସମୟକୁ ଅପେକ୍ଷା କରିଛନ୍ତି।ପୂର୍ବ ଯୋଜନା ସରିଯାଇଛି।ଏବଂ ଏ ଯୋଜନା ରାଜ୍ୟର କୌଣସି ନେତାଙ୍କ ସ୍ତରରେ ନୁହେଁ ଦିଲ୍ଲୀରୁ ହୋଇସାରିଛି।ଏବଂ ଏହା ଯଦି ହୁଏ ତେବେ ଜଣାପଡ଼ିବ,ବୋଧେ ବାସ୍ତବରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାକୁ ଟାର୍ଗେଟ କରି ସାରିଛନ୍ତି।

ନବୀନଙ୍କ ତୁଳନାରେ ରାଜ୍ୟ ବିଜେପିରେ ସେପରି କେହି ଚେହେରା ନଥିଲେ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଗୋଷ୍ଠି ନିଜକୁ ନିଜେ ଚେହେରା କରାଉଥିଲେ ମଧ୍ୟ ଲୋକେ ଗ୍ରହଣ କରୁନଥିଲେ।ବୋଧେ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଏହା ଅନୁଭବ କରିଥିଲେ।ଏବଂ ଓଡ଼ିଶାରେ ବିଜେପିର ଦୁର୍ବଳ ସ୍ଥିତି ଜାଣି ପାରି ମୁଖ୍ୟତଃ କଂଗ୍ରେସକୁ ମୁଖ୍ୟ ଟାର୍ଗେଟ କରି ବାଧ୍ୟ ହୋଇ ବିଜେଡି/ନବୀନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରି ଆସୁଥିଲେ।କିନ୍ତୁ ଏବେ ଯଦି ଅପରାଜିତା ବିଜେପିକୁ ଆସନ୍ତି, ତେବେ ଜଣାପଡ଼ିବ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ବାବଦରେ ପକ୍କା ଯୋଜନା କରି ସାରିଛନ୍ତି।ଜଣାପଡ଼ିବ,ବିଜେପିର ଆଦର୍ଶ,ମୋଦୀଙ୍କ ଲୋକପ୍ରିୟତା ଅପରାଜିତାଙ୍କୁ ସୁହାଇଛି,ଏଣେ ବିଜେପିକୁ ମଧ୍ୟ ଅପରାଜିତାଙ୍କ ପରି ଏକ ଚେହେରା ମିଳିବାକୁ ଯାଉଛି।

କିଛି ଦିନ ହେଲା ବିଜେପିରେ ନେତୃତ୍ୱ ପରିବର୍ତ୍ତନ କଥା ଆଲୋଚନା ହୋଇ ଆସୁଥିଲେ ମଧ୍ୟ ସେପରି କିଛି ପରିବର୍ତ୍ତନ ହୋଇନାହିଁ।କାରଣ ରାଜ୍ୟ ବିଜେପିରେ କେବଳ ଧର୍ମେନ୍ଦ୍ର ହିଁ ତାଙ୍କ କାୟା ବିସ୍ତାର କରିଛନ୍ତି।ତାଙ୍କ ଇଙ୍ଗିତରେ ଏଠି ସବୁକିଛି ଘଟୁଛି।କିଏ ମିଶ୍ରଣ ପର୍ବରେ ମିଶିବ,କିଏ ଦଳରୁ ତଡ଼ା ଖାଇବ,କାହାକୁ ପଦ ପଦବୀ ଦିଆଯିବ,ସବୁ ନିଷ୍ପତି ଧର୍ମେନ୍ଦ୍ରଙ୍କର ହିଁ କାର୍ଯ୍ୟକାରୀ ହୁଏ।ଫଳରେ ଧର୍ମେନ୍ଦ୍ରଙ୍କ ଆନୁଗତ୍ୟ ଗ୍ରହଣ କରୁନଥିବା ନେତା ଦଳରେ ଅଣଦେଖା ହୁଅନ୍ତି।ମିଶ୍ରଣ ପର୍ବରେ ଆଜି ପର୍ଯ୍ୟନ୍ତ ସେପରି କେହି ପ୍ରଭାବୀ ଲୋକ ମିଶିପାରି ନାହାଁନ୍ତି।କେବଳ ଧର୍ମେନ୍ଦ୍ରଙ୍କ ମାଧ୍ୟମରେ ତାଙ୍କ ଅଧୀନରେ ରହିବା ପରି ଲୋକ ଦଳରେ ମିଶୁଛନ୍ତି।କିନ୍ତୁ ଯଦି ଅପରାଜିତା ବିଜେପିକୁ ଆସନ୍ତି,ତେବେ ପ୍ରଥମ ଥର ବିନା ଧର୍ମେନ୍ଦ୍ରଙ୍କ ଯୋଜନାରେ ଏବଂ ଧର୍ମେନ୍ଦ୍ରଙ୍କ ବ୍ୟକ୍ତିତ୍ୱଠାରୁ କାହିଁ କେତେ ଉଚ୍ଚାରେ ଥିବା ଜଣେ ବ୍ୟକ୍ତିତ୍ୱ ବିଜେପିରେ ମିଶିବାକୁ ଯାଉଛନ୍ତି।ରାଜ୍ୟ ବିଜେପିରେ ଏପର୍ଯ୍ୟନ୍ତ ଚାଲିଥିଲା କେବଳ “ମୁଁ କାର” ନୀତି।କିନ୍ତୁ ଆରମ୍ଭରୁ ଏବେ ଅପରାଜିତା ଟ୍ୱିଟ କରିଛନ୍ତି “ମୁଁ ନୁହେଁ,ଆମେ”।ଏହି “ମୁଁ ନୁହେଁ,ଆମେ” ପଦଟି ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନରେ ଏକ ନୂଆ ଉତ୍ସାହ ନୂଆ ଉଦ୍ଦୀପନା ଆଣିଦେଇଛି।ବାସ୍ତବରେ ଯଦି ଅପରାଜିତାଙ୍କର ସେହି “ମୁଁ ନୁହେଁ,ଆମେ” ପଦଟି ଦଳ ଭିତରେ କାର୍ଯ୍ୟକାରୀ ହୁଏ,ତେବେ ବୈଜୟନ୍ତ ପଣ୍ଡା,ଐର ଖାରବେଳ ସ୍ୱାଇଁ,ବିଜୟ ମହାପାତ୍ର,ହୁଏତ ଦିଲ୍ଲୀପ ରାୟଙ୍କ ସମେତ ବିଜେଡିରେ ଥିବା କିଛି ଭଲ ପ୍ରଭାବୀ ଚେହେରା ବିଜେପିକୁ ଚାଲି ଆସିପାରନ୍ତି।ପୂର୍ବରୁ ରାଜ୍ୟ ବିଜେପିରେ କନକ ବର୍ଦ୍ଧନ ସିଂହଦେଓ,ପ୍ରତାପ ଷଡ଼ଙ୍ଗୀ,ପ୍ରଦୀପ ପୁରୋହିତ,ସୁବାସ ଚୌହାନ,ଜୟ ନାରାୟଣ ମିଶ୍ର,ରାଧାରାଣୀ ପଣ୍ଡା,ପ୍ରଭାତୀ ପରିଡ଼ା ଏବଂ ନିର୍ବାଚିତ ବିଧାୟକ ମାନଙ୍କ ପରି ଅନେକ ଦକ୍ଷ ସଙ୍ଗଠକ ରହିଛନ୍ତି।ତେଣୁ,ସଙ୍ଗଠନ ଯୋଜନା ଏବଂ ଏସବୁ ଚେହେରା ସମେତ ସଂଘ/ସଙ୍ଗଠନ/ମୋଦୀ ବା ଅପରାଜିତାଙ୍କ “ମୁଁ ନୁହେଁ,ଆମେ” ନୀତି ଓଡ଼ିଶାରେ ବିଜେପିକୁ ଏକ ବଡ଼ ସଫଳତା ଆଡ଼କୁ ନେଇ ଯାଇପାରେ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.