ସର୍ବସାଧାରଣରେ ମାଓବାଦୀ ଗୁଳିମାରି ହତ୍ୟା କଲେ – ମାଲକାନାଗିରିରେ ଭୟର ବାତାବରଣ

ମାଲକାନଗିରି ୨୨-୧୦ (ଓଡ଼ିଆ ପୁଅ) ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ଷ୍ଟିଲ୍ ୱେ ଲଞ୍ଚ ଘାଟ ନିକଟରେ ଆଜି ଦିନ ଦ୍ୱିପ୍ରହରରେ ସର୍ବସାଧାରଣଙ୍କ ସମ୍ମୁଖରେ ପୋଲିସ୍ ସୂଚନାଦାତା ସନ୍ଦେହ କରି ମାଓବାଦୀମାନେ ସମାପାଞ୍ଜି ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଘଟଣାରୁ ପ୍ରକାଶଯେ, ୨୦୧୫ ମସିହାରେ  ଚିତ୍ରକୁଣ୍ଡା ବିଚ୍ଛିନ୍ନାଞ୍ଚଳରେ ଅଣ୍ଡ୍ରାପାଲି ପଞ୍ଚାୟତ ଯନ୍ତ୍ରୀ ଗ୍ରାମର ସମାପାଞ୍ଜି (୫୨) ନାମକ ଜଣେ ବ୍ୟକ୍ତିଙ୍କୁ ମାଓବାଦୀମାନେ ପୋଲିସ୍ ସୂଚନାଦାତା କହି ପ୍ରଜା କୋର୍ଟରେ ମାଡ଼ ମାରିଥିଲେ ଏବଂ ଗାଁ ଛାଡ଼ି ପଳାଅ ନଚେତ୍ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଥିଲେ। ମାଓ ଭୟରେ ସମାପାଞ୍ଜି ନିଜର ଭିଟାମାଟି ଛାଡ଼ି ଦେଇଥିଲା। ସେ ଛୁଆପିଲା ଧରି ଚିତ୍ରକୁଣ୍ଡା ବିଚ୍ଛିନ୍ନାଞ୍ଚଳରେ ଲଞ୍ଚ ଘାଟଠାରେ ଆଶ୍ରୟ ନେଇ ରହୁଥିଲେ। ସେ ଅନେକ ସମୟରେ ବୋଟ୍ ଘାଟରେ ଲଞ୍ଚ ଏବଂ ଡଙ୍ଗା ଚାଳକମାନଙ୍କୁ ସାହାଯ୍ୟ କରି ଆସୁଥିଲେ। ଆଜି ସକାଳେ କିଛି ମାଓବାଦୀ ସାଧା ପୋଷାକରେ ଚିତ୍ରକୁଣ୍ଡା ଲଞ୍ଚ ଘାଟକୁ ଆସି ତାଙ୍କୁ ଚାରିପଟୁ ଘେରି ପକାଇଥିଲେ। ପୋଲିସ୍ ସୂଚନାଦାତା ଏବଂ ପୋଲିସ୍ ମାନଙ୍କୁ ନବା ଆଣିବା କରୁଛୁ ବୋଲି କହି ତାଙ୍କୁ ସର୍ବସାଧାରଣରେ ଗୁଳି ମାରି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ ।

ସର୍ବସାଧାରଣଙ୍କ ଆଗରେ ମାଓବାଦୀମାନଙ୍କର ଏହି ବର୍ବରକାଣ୍ଡକୁ ଦେଖି ସମସ୍ତ ଯାତ୍ରୀ, ଦେକାନୀ ଏବଂ ସେଠାକାର ବାସୀନ୍ଦା ଭୟଭୀତ ହୋଇଯାଇ ତାଟି କବାଟ ପକାଇଦେଇଥିଲେ। ଏହି ଘଟଣା ପରେ ମାଲକାନାଗିରିରେ ଏକ ପ୍ରକାରର ଭୟର ବାତାବରଣ ଦେଖିବାକୁ ମିଳିଛି।

ଏ ସମ୍ପର୍କରେ ମାଲକାନାଗିରି ଏସ୍. ପି. ଜଗମୋହନ ମୀନାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମାଲକାନଗିରିରେ ଧିରେଧିରେ ମାଓବାଦୀଙ୍କ ସଂଖ୍ୟା ହ୍ରାସ ପାଇବାକୁ ଲାଗିଲାଣି। ଅନେକ ମାଓ ଆତ୍ମ ସମର୍ପଣ କରି ସମାଜର ମୁଖ୍ୟ  ସ୍ରୋତରେ ସାମିଲ୍ ହୋଇଗଲେଣି। ଏହି ସବୁକୁ ଆଖି ଆଗରେ ରଖି ମାଓବାଦୀମାନେ ଔଷଧ ରାଗରେ ତାଟିଆ କାମୁଡ଼ିଲା ପରି ହେଉଛନ୍ତି। ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଭୟଭୀତ କରାଇବାପାଇଁ ଲୁଟ୍ ଏବଂ ହତ୍ୟାକାଣ୍ଡ ଭଳି ବିଭତ୍ସ ଘଟଣାମାନ ଘଟାଉଛନ୍ତି। ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ। ଏହି ଘଟଣାପରେ ଘଟଣା ସ୍ଥଳକୁ ଏକ ସ୍ୱତନ୍ତ୍ର ଟିମ୍ ପଠାଯାଇଛି। ଚିତ୍ରକୁଣ୍ଡା ପୋଲିସ୍ ଶବ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି। ଲଞ୍ଚ ଘାଟ ସହିତ ବିଚ୍ଛିନ୍ନାଞ୍ଚଳରେ ଜୋରଦାର କୁମ୍ୱିଂ ଅପରେସନ୍ ସହିତ ସର୍ଚ୍ଚ ଅପରେସନ୍ ଚାଲିଛି। ଏହା ବ୍ୟତୀତ ଓଡ଼ିଶା-ଆନ୍ଧ୍ର, ଓଡ଼ିଶା ଛତିଶଗଡ଼ ସୀମାକୁ ସିଲ୍ କରିଦିଆଯାଇ ଯାନବାହନର ଖାନ୍ ତଲାସୀ ଚାଲିଛି।

Leave a Reply

Your email address will not be published. Required fields are marked *