ମଣିମା ସୁଧଘରରେ ସବୁଠି ଭୋଜି ଭାତ

ନୟାଗଡ଼,୧୬ା୪:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଲାର ପାରମ୍ପରିକ  ଦଣ୍ଡପର୍ବର ଉଦ୍ୟାପନ ପରେ ଏହାର ଶେଷ ଦିବସରେ ଅର୍ଥାତ  ମଣିମା ସୁଧଘର ପରିପ୍ରେକ୍ଷିରେ ବିଭିନ୍ନ ଦଣ୍ଡଯାତ୍ରା ପାଳିତ ହୋଉଥିବା ଗ୍ରାମରେ ଭୋଜିଭାତର ଆସର ଜମିଛି   ।  ଦେବ ଦେବ ମହାଦେବ ପ୍ରଭୁ ଶିବଙ୍କର ଏହି ଯାତ୍ରାର ପରିସମାପ୍ତି ପରେ ଏବଂ ମେରୁସୁର ବଧ ହୋଇଥିବାରୁ ଦଣ୍ଡୁଆମାନେ ବିଧିମୁତାବକ ମଣିମା ସୁଧଘର ଦିବସରେ ଯଥାରୀତି ନିୟମ ଅନୁସାରେ କ୍ଷୌର ଆଦି ଶୁଦ୍ଧପୂତ ହୋଇ ହୋଇସାରିଲା ପରେ ସୁଧଘର ଭୋଜିଭାତ କରି କ୍ରିୟାଦି କାର୍ଯ୍ୟ ସମାପନ କରିଥା୍ନ୍ତି ।  ପଣା ସଂକ୍ରାନ୍ତି ପରଦିନ ମଣିମା ସୁଧଘର ହୋଇଥିବାରୁ ସାଧାରଣରେ  ଦଶକ୍ରିୟା ଦିନ ଯେପରି ନଖ କାଟିବା ସହ କ୍ଷୌର କାର୍ଯ୍ୟ ଆଦି କରିଥାନ୍ତି  ,ସେହିପରି ଦଣ୍ଡୁଆମାନେ ମଣିମା ସୁଧଘର ଦିନ ନଖ କାଟିବା ସହ କ୍ଷୌର କାର୍ଯ୍ୟ ଆଦି କାର୍ଯ୍ୟ ବିଧି ମୂତାବକ କରି ସକାଳ ଓଳି ଠାକୁରଙ୍କୁ ନିଜ ଦୋଷାବହ କ୍ଷମା କିରିବା ପାଇଁ  ପ୍ରାର୍ଥନା କରି ଜଳଖିଆ  ଭୋଜନ କରିଥାନ୍ତି । ତା’ପରେ ରାତିରେ ଭୋଜିଭାତ କରି ମସ୍ଗୁଲ ହୋଇଥାନ୍ତି । ତେବେ ଦଣ୍ଡୁଆମାନେ ଏହି ଭୋଜିଭାତରେ କେବଳ ଅଂଶ ଗ୍ରହଣ  କରିବାର ବିଧି ଥିଲାବେଳେ ଏବେ ଦଣ୍ଡଯାତ୍ରାରେ ସାମିଲ ଥିବା ନାଚୁଆ ଏବଂ ଗ୍ରାମର ସବୁ ବ୍ୟକ୍ତିମାନେ ଏକାଠି ମଜା ମନେଇବାପାଇଁ ଭୋଜିଭାତର ଆସର ଜମେଇଥାନ୍ତି । ଉଲ୍ଲେଖଯୋଗ୍ୟ  ଦଣ୍ଡପର୍ବ ନୟାଗଡ଼ ଜିଲ୍ଲାର ଏକ ପାରମ୍ପରିକ ପର୍ବ । ଏଡି ପର୍ବକୁ ଭକ୍ତମାନେ ବହୁ ନିଷ୍ଠାର ସହ ପାଳନ କରିଥାନ୍ତି । ସେଥିପାଇଁ ମୁଖ୍ୟତଃ ୧୩ଜଣରୁ ଅଧିକ ଭକତା ବା ଦଣ୍ଡୁଆଙ୍କୁ  ନେଇ ଏହି ଦଣ୍ଡଯାତ୍ରା ଆରମ୍ଭ ହୋଇଥାଏ । ଏଥିପାଇଁ ଯେଉଁ ଗ୍ରାମରେ ଦଣ୍ଡକୋଠି ଥାଏ ସେହି ସବୁ ଗ୍ରାମ ଚଳ ଚଂଚଳ ହୋଇପଡ଼ିଥାଏ । ବିଧି ମୁତାବକ ଏହି ଦଣ୍ଡଯାତ୍ରା ୩ ଦିନରୁ ଆରମ୍ଭ ହୋଇ କେଉଁଠି ୭ ଦିନିଆ, କେଉଁଠି ୧୩ ଦିନିଆ ଓ ଆଉ କେଉଁଠି ୨୧ ଦିନିଆ ପାଳନ କରାଯିବାର ନିୟମ ରହିଛି । ହେଲେ ଚଳିତ ବର୍ଷ ଦଣ୍ଡଯାତ୍ରା ପାଳନ ପାଇଁ ଦିନବାର ୩ଦିନିଆ,୭ଦିନିଆ ଓ ୧୩ ଦିନିଆ ପାଳନ ପାଇଁ ଶୁଦ୍ଧକାଳ ନଥିବାରୁ ପ୍ରାୟ ସବୁଠାରେ ୧୭ ଦିନିଆ ପାଳନ ହେଉଥିବା ଦେଖିବାକୁ ମିଳିଥାଏ । ଏହି ଦଣ୍ଡଯାତ୍ରା ଏକ ନିଷ୍ଠା ତଥା ଧାର୍ମିକ ପର୍ବ ହୋଇଥିବାରୁ ଯେଉଁ ପରିବାରର ବ୍ୟକ୍ତିମାନେ ଦଣ୍ଡରେ ମିଶ୍ନ୍ତି ସେହି ପରିବାରର ବ୍ୟକ୍ତିମାନେ ଏକମାସ ଆଗରୁ ଅର୍ଥାତ ଚୈତ୍ରମାସର ପ୍ରଥମ ପ୍ରବେଶ ଦିନଠାରୁ ପିଆଜ,ରସୁଣ ,ଆମିଷ ପରିତ୍ୟାଗ କରି ପୁରା ନିଷ୍ଠାର ସହ ରହ୍ନ୍ତି ।  ଦଣ୍ଡୁଆମାନଙ୍କ ମୁଖ୍ୟ ଦେବତା ହେଉଛନ୍ତି ଶିବ ଓ ରୁଦ୍ରକାଳୀ । ଦଣ୍ଡୁଆମାନେ ଦଣ୍ଡରେ ମିଶିଲା ଦିନଠାରୁ ସାରା ଦ ିନ ଉପବାସ ରହିବା ସହ  କେବଳ  ନିଶାର୍ଦ୍ଧରେ ପଣା ପ୍ରସ୍ତୁତ କରି ପ୍ରଥମେ ଠାକୁରଙ୍କୁ ପଣା ଭୋଗ କରାଇ ନିଜେ ଗ୍ରହଣ କରନ୍ତି । ରାତିରେ ଯେଉଁ ବ୍ୟକ୍ତି ଠାକୁରଙ୍କୁ ନିମନ୍ତ୍ରଣ କରିଥାନ୍ତି  ,ଠାକୁର ତାଙ୍କ ଦୁଆରକୁ ଯାଇ ଭୋଗ ସାରିବା ସହ ତାଙ୍କ ଦୁଆରେ ଦଣ୍ଡନାଥ ହୋଇଥାଏ । ଦଣ୍ଡନାଚରେ ଶିବଙ୍କ ମହିମା ବର୍ଣ୍ଣିତ ବିଭିନ୍ନ ସୁଆଙ୍ଗ ପରିବେଷଣ ହୋଇଥାଏ । ସୁଆଙ୍ଗ ମଧ୍ୟରେ ଚଢେୟା ଚଢେଉଣୀ,ଫୁଲଚୋରୀ,ଶବର ଶବରୁଣୀ,ପତରା ସଉରା,ଧୋବା ଧୋବଣୀ,ଯୋଗୀ ଯୋଗିଆଣୀ,ବିଣାକାର ଓ କେଳା କେଳୁଣୀ ସୁଆଙ୍ଗ ମୁଖ୍ୟତଃ  ଜନମନକୁ ହରଣ କରିଥାଏ । ଦଣ୍ଡୁଆମାନେ ଅପରାହ୍ନରେ ବହୁ କଷ୍ଟରେ ଦଣ୍ଡଖେଳ ପ୍ରଦର୍ଶନ କରିଥିବାବେଳେ ମନୋସ୍କାମନା ପାଇଁ ନିଆଁରେ ଚାଲିବା  ଏକ ନିଆରା ପରମ୍ପରା ରହିଛି । ନୟାଗଡ଼ ଜିଲ୍ଳାରେ ଦଣ୍ଡପର୍ବ ଏକ ଗଣପର୍ବ ହୋଇଥିବାରୁ ସାରା ଜିଲ୍ଲାରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିିଲା ।

Leave a Reply

Your email address will not be published. Required fields are marked *