ଲୁହର ଗଜରା

– ଯୋଗାନନ୍ଦ ସାହୁ

ଲିଖିତଂ ରସିଦ ଏହି କି ଯେ
ଆମ୍ଭେ ତୁମ୍ଭଙ୍କୁ ଆମ୍ଭ ହୃଦୟ ବିକିଛୁ,
ବିକ୍ରି ବାବଦକୁ ଉଚିତ ମୂଲ୍ୟ
ପାଇଛୁ ବୋଲି ଏହି ରସିଦ ଦେଉଛୁ ।।୦।।

କୋହ ବି ପାଇଛୁ, ଓହୋ ବି ପାଇଛୁ
ଦ୍ରୋହ ବି ପାଇଛୁ କେତେ
ଗୋଟି ଗୋଟି କରି ଗଣି କି ନେଇଛୁ
ଛଳନା ପାଇଛୁ ଯେତେ
ଲିଖିତଂ ରସିଦ ଏହି କି ଯେ
ସ୍ଥିର ଚିତ୍ତରେ ଆମ୍ଭେ ହୃଦୟ ବିକିଛୁ
କାଳେ କିଏ କେବେ ପ୍ରମାଣ ମାଗିବ,
ତେଣୁ ଏ ରସିଦ ଲେଖି କି ଦେଉଛୁ ।।୧।।

ନିନ୍ଦାର ସୁନ୍ଦର କଣ୍ଟାର ଚାଦର,
ଲୁହର ଗଜ଼ରା ହାର
କପଟ ସ୍ନେହର ମଧୁର ଜହର,
ହସର ପାଉଁଶ ଖାର
ଲିଖିତଂ ରସିଦ ଏହି କି ଯେ
ଆମ୍ଭେ ଉଲ୍ଲିଖିତ ପାଉଣା ପାଇଛୁ
ଫାଙ୍କି ଦେବାକୁ ଆମ୍ଭ ଚାରା ନଥିବ,ତେଣୁ
ସ୍ୱହସ୍ତ ଲିଖିତ ରସିଦ ଦେଉଛୁ ।।୨।।

ଟାହି ଟାପରାର ସୁନା ମୋହରକୁ
କଳଙ୍କ -ମାଣିକ ମୋତି
ପ୍ରତାରଣାର ପଦ୍ମରାଗ ମଣି
ଘୃଣାର ମୁକୁତା-ଛତି
ଲିଖିତଂ ରସିଦ ଏହି କି ଯେ
ହୃଦୟ ବିକି ଆମ୍ଭେ ଏସବୁ ପାଇଛୁ
ଦରକାର ବେଳେ କର୍ମରେ ଆସିବ
ତେଣୁ ଏ ରସିଦ ତୁମ୍ଭଙ୍କୁ ଦେଉଛୁ ।।୩।।

ଭୁବନେଶ୍ୱର, ଓଡ଼ିଶା
(ଫଟୋ ସୌଜନ୍ୟ webneel.com)

Leave a Reply

Your email address will not be published. Required fields are marked *