ଲୋପ ପାଇବ ନୟାଗଡ଼ ଆଖୁଚାଷ, ଚାଷୀଙ୍କ ପାଇଁ ସହାୟ ହେଲାନି ଆଖୁ ଗବେଷଣା କେନ୍ଦ୍ର !

ନୟାଗଡ, ୧୯ା୧(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଚାଷୀ ଓ ଚାଷକୁ ସର୍ବାଗ୍ରେ ଗୁରୁତ୍ୱ ଦେବାପାଇଁ ସରକାର ଡିଣ୍ଡିମ ପିଟୁଥିବାବେଳେ ନୟାଗଡ଼ ଚାଷୀଙ୍କ ପାଇଁ କିନ୍ତୁ ସରକାରଙ୍କ ଆଶ୍ୱାସନା ଏବେ ଉପହାସ ପାଲଟିଛି। ଜୀବନ ଓ ଜୀବିକା ପାଇଁ ଆଖୁଚାଷକୁ ଆପଣେଇ ନେଇଥିବା ଆଖୁଚାଷୀ ଜିଲ୍ଲାର ଏକମାତ୍ର ଚିନିକଳ ବନ୍ଦ ହୋଇଯାଇଥିବାଯୋଗୁଁ ସେମାନଙ୍କ ଅର୍ଥନୈତିକ ବିକାଶରେ ଏବେ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଆଖୁଚାଷ ପାଇଁ ସର୍ବୋକ୍ରୃଷ୍ଟ ନୟାଗଡ଼ ମାଟି ଧୀରେ ଧୀରେ ଆଖୁଚାଷରେ କାୟା ବିସ୍ତାର କରିଥିବାବେଳେ ସରକାର ନୟାଗଡ଼ ଚାଷୀଙ୍କୁ ଅଣଦେଖାଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଗୁରୁତର ଅଭିଯୋଗ ହେଉଛି। ତେବେ ଆଖୁଚାଷକୁ ପ୍ରାଧାନ୍ୟ ଦେବା ସଙ୍ଗେ ସଙ୍ଗେ ସେମାନଙ୍କ ବୃହତ୍ ସ୍ୱାର୍ଥକୁ ଆଖି ଆଗରେ ରଖି ନୟାଗଡ଼-ଖଣ୍ଡପଡ଼ା ରାସ୍ତାର ପାଣିପୋଇଲା ଠାରେ ପ୍ରତିଷ୍ଠା କରାଯାଇଥିବା ଆଖୁ ଗବେଷଣା କେନ୍ଦ୍ର ସତେ ଯେମିତି ନୟାଗଡ଼ ଆଖୁ ଚାଷୀଙ୍କୁ ପରିହାସ କରୁଛି। ନୟାଗଡ଼ ଚାଷୀମାନଙ୍କର ପ୍ରଧାନ ଅର୍ଥକାରୀ ଫସଲ ହେଉଛି ଆଖୁଚାଷ। ନୟାଗଡ଼ର ମାଟି କିସମ ଓ ପାଗକୁ ପାଥେୟ କରି ନୟାଗଡ଼ ଚାଷୀମାନଙ୍କୁ ଅଧିକରୁ ଅଧିକ ଆଖୁଚାଷରେ ଉତ୍ସାହିତ କରିବାପାଇଁ ନୟାଗଡ଼ ପାଣିପୋଇଲା ଠାରେ ଗଢି ଉଠିଥିଲା ଚିନିକଳ। ସଘନ ଓ ଉନ୍ନତମାନର ଆଖୁଚାଷ ପାଇଁ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ଏହି ଜିଲ୍ଲାର ଯଥେଷ୍ଟ ସୁନାମ ରହିଥିଲା। ଏପରିକି ନୟାଗଡ଼ ଗୁଡ଼ର ଚାହିଦା ସମଗ୍ର ରାଜ୍ୟରେ ବେଶ୍ ସୁନାମ ରହିଥିଲା। ଚାଷୀମାନେ ଅଧିକରୁ ଅଧିକ ଚାଷୀ ଆଖୁଚାଷରେ ମନୋନିବେଶ କରିବାପାଇଁ ଚିନିକଳ ନିକଟରେ ଗଢି ଉଠିଲା ୬୦ ଦଶକରେ ଆଖୁ ଗବେଷଣା କେନ୍ଦ୍ର। ଖାଲି ସେତିକି ନୁହେଁ ଏଠାରେ ରଘୁନାଥ ସମେତ ୪ଟି ଉନ୍ନତ ପ୍ରଜାତିର ଆଖୁ ବିହନ ଉଦ୍ଭାବନ କରାଯାଇଥିଲା। ଉନ୍ନତ କିସମର ବିହନ ସହ ବୈଜ୍ଞାନିକ ପ୍ରଣାଳୀରେ ଆଖୁଚାଷ କରିବାପାଇଁ ଚାଷୀଙ୍କୁ ଜ୍ଞାନ କୌଶଳ ଯୋଗାଇବାପାଇଁ ଠିଆ ହୋଇଥିବା ଏହି ଆଖୁ ଗବେଷଣା କେନ୍ଦ୍ର ବେଶ୍ ନାଁ କରିଥିଲା। ହେଲେ ଚାଷୀଙ୍କ ପାଇଁ ଏବେ ଏହି ଆଖୁ ଗବେଷଣା କେନ୍ଦ୍ର ଉପହାସର ପାଲଟିବା ସହ ଇତିହାସ ପାଲଟିବାକୁ ବସିଛି। ଆଖୁଚାଷୀଙ୍କ ପେଟଳୁ ନାତ ମାରି ଚିନିକଳ ୨ବର୍ଷ ହେଲା ସଚଳ ଥାଇବି ଅଚଳ କରିଦିଆଗଲା। ଚାଷୀ ଚିନିକଳକୁ ଆଖୁ ଦେଇ ପ୍ରାପ୍ୟ ପାଇଲା ନାହିଁ। ନେତା ମନ୍ତ୍ରୀ ପ୍ରଶାସକଙ୍କୁ ଗୁହାରୀ କରି କରି କିଛି ଲାଭ ପାଇଲା ନାହିଁ। ଚିନିକଳ ଚାଲିବାପାଇଁ କେହିବି ଟିକିଏ ଆନ୍ତରିକତା ଦେଖାଇ ଚାଷୀଙ୍କ ପେଟ ପାଟଣା କଥା ମନକୁ ନେଲେ ନାହିଁ। ଚାଷୀ ସବୁଥିରୁ ନିରାଶ ହୋଇ ଏବେ ମୁହଁ ଫେରାଇ ନେଇଛି ଆଖୁଚାଷ ଉପରୁ। ଆଖୁଚାଷ ବନ୍ଦ ହୋଇ ଯାଇଥିବା ଯୋଗୁଁ ଚାଷୀମାନେ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଦୁର୍ବଳ ହୋଇପଡ଼ିଛନ୍ତି। ତେବେ ନୟାଗଡ଼ ଜିଲ୍ଲାର ଚାଷୀଙ୍କୁ ଉତ୍ତମ ସେବା ଯୋଗାଇ ଆସୁଥିବା ଏକ ଐତିହ୍ୟ ସମ୍ପ୍ନ୍ନ ଅନୁଷ୍ଠାନ ଆଖୁ ଗବେଷଣା କେନ୍ଦ୍ର ନୀରବି ଯାଇଥିବା ନେଇ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଥିବାବେଳେ ସରକାରଙ୍କ ଅବହେଳାରୁ ଆଖୁଚାଷୀ ଉପବାସ ରହିଥିବା ଓ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଆଖୁ ଗବେଷଣା କେନ୍ଦ୍ର ଏବେ ଚାଷୀଙ୍କୁ ଉପହାସ କରୁଥିବା ନେଇ ଘୋର ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *