ଲୋକହସା ହେବା କଥା – ଏଥୁ ନାହିଁ ଅନ୍ୟଥା

(କବିସୂର୍ଯ୍ୟ ବଳଦେବ ରଥଙ୍କୁ ସର୍ମପିତ)
– ବିନୟ ଭୂଷଣ ମହାପାତ୍ର

ବରଜି ବିହଙ୍ଗ ମୀନ ଭକ୍ଷଣ,
ସରସୀ ମଧ୍ୟରେ କଲେ ଭ୍ରମଣ,
ବାରିଜ ନାଡକୁ କରିଲେ ପାକ,
ହଂସରେ ଗଣାକି ହୋଇବ ବକ !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୧॥

ଚୂତ ତରୁଡାଳେ କଲେ କୁଜନ,
ମଢ ଖାଇବାରେ ନ ଦେଲେ ମନ,
ଶାବକ ଜନ୍ମାଇ ବସାରେ ଆନ,
କାକ କି କରିବ କୋକିଳ ଗାନ !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୨॥

ହଳାହଳ ବିଷ ସେବନ କରି,
ସର୍ପର ସାଙ୍ଗରେ କଲେ ବଇରୀ,
ଛାଡିଲେ ଘଡିଏ ମୁଣ୍ଡ ଟୁଙ୍ଗାରି,
ସରଟ ନକୁଳେ ହେବ କି ସରି !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୩॥

ତା ପତ୍ର ଲାଗିଲେ ଶିବ ପୂଜାରେ,
ପାଦପ ଭରିଲେ କଣ୍ଟକମାଳେ,
ରୋଗୀର ପଥ୍ୟରେ ପାଇଲେ ସ୍ଥାନ,
କପିତ୍ଥ ହେବ କି ବେଲ ସମାନ !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୪॥

ସରସୀ ପଙ୍କରୁ ହେଲେ ବି ଜାତ,
ଦିବାକର ସଙ୍ଗେ ବସିଲେ ମିତ,
ଲକ୍ଷ୍ମୀ ପାଦ ପଦ୍ମେ ହେଲେ ଶୋଭିତ,
କଇଁ କି ରାଜୀବେ ହେବ ଗଣିତ !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୫॥

ଶୀକାର କରିଲେ ନିଶ ବୁଲେଇ,
ବସତି ସ୍ଥାପିଲେ ଜଙ୍ଗଲେ ଯାଇ,
ଗମନ କରିଲେ ବକ୍ଷ ଫୁଲାଇ,
ଚିତାରେ ଗଣିତ କିବା ବିଲେଇ !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୬॥

ଗଳାରେ ଅଳତା ଗାର ଲଗାଇ,
ରାମ ନାମ ମୁଖେ ଭଜିଲେ ସେହି,
ଶାରୀକା ସାଥିରେ ଭାବ ଲଗାଇ,
ଟିଆକୁ ଶୁକ କି କହିବ କେହି !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୭॥

ଚନ୍ଦନ ବନରେ କରିଲେ ବାସ,
ମଧୁପ ମନକୁ କରିଲେ ବଶ,
ପୁଷ୍ପ ଗହଣରେ ରଚିଲେ ରାସ,
ଆଦର ପାଇବ କିବା ପଳାଶ !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୮॥

ଚନ୍ଦନ ଟୋପାକୁ ମଥାରେ ଭରି,
ଦୁଇ – ଚାରି ଶ୍ଲୋକ ମୁଖରେ ଧରି,
ସଭାରେ ଆସ୍ଥାନ ବସିଲେ ମାଡି,
ବାଳିଶ ପଣ୍ଡିତେ ହେବ କି ସରି !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୯॥

ବାରିଦ ଆଭାସେ କରିଲେ ନୃତ୍ୟ,
ଭୋଜନ କରିଲେ ଭୁଜଙ୍ଗ ନିତ୍ୟ,
ବିଶାଳ କରିଲେ ନିଜର ପୁଚ୍ଛ,
ଶିଖିରେ ହେବକି ଗଣା କପୋତ !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୧୦॥

ଛାଡି ମାଂସ କଲେ ତୃଣ ଭୋଜନ,
ଭୟାତୁର ମନେ ଦ୍ରୁତ ଧାବନ,
ଚଞ୍ଚଳ କଲେ ନୟନ ଯୁଗଳ,
ମୃଗରେ ଗଣା ହେବକି ଶୃଗାଳ !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୧୧॥

ବକୁଳ ପୁଷ୍ପକୁ ଶାଖାରେ ଧରି,
କୋକିଳ ମନକୁ ଭ୍ରମିତ କରି,
ଡାଳୁଅକୁ ଦେବ ପୂଜାରେ ଦେଇ,
ଆମ୍ବଡାକି ଆମ୍ର ହୋଇବ ଭାଇ !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୧୨॥

କଳା ଅଙ୍ଗାରକୁ ଦେହରେ ବୋଳି,
ପୁଷ୍ପବ‍ଟିକାରେ କରିଲେ ଅଳି,
ଗୁଣୁ – ଗୁଣୁ ଗାନ ମନେ ଉଚାରି,
ବରଟା ନୋହିବ ମଧୂପ ପରି !
ଲୋକହସା ହେବା କଥା
ଏଥୁ ନହିଁ ଅନ୍ୟଥା ॥୧୩॥

ପଙ୍କ ଛାଡି ଜଳେ ଦେଇଣ ଝାସ,
ଛାଡିଣ ଅମେଧ୍ୟ ଭୁଞ୍ଜି ଯବସ,
ଧେନୁଙ୍କ ଗହଣେ କରିଲେ ବାସ,
ଶୂକରୀ ହୋଇବ କିବା ମହିଁଷ !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୧୪॥

ମନ୍ଦାକିନୀ ନୀରେ ହୋଇ ଶୋଧିତ,
ଶରୀରକୁ ତାର କଲେ କ୍ଷଣିତ,
ଯାଜ୍ଞିକ ମନକୁ କଲେ ଆକୃଷ୍ଟ,
ବୀରଣ କୁଶରେ କାହିଁ ଆଦୃତ !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୧୫॥

ଚଉଁରା ଉପରେ ପାଇଲେ ସ୍ଥାନ,
ସଂଜ – ସକାଳରେ ହେଲେ ପୂଜନ,
ନାରିକେଳ ରସେ ସ୍ନାହନ କଲେ,
ଭୂନିମ୍ବ ହେବକି ତୁଳସୀ ଭଲେ !
ଲୋକହସା ହେବା କଥା
ଏଥୁ ନହିଁ ଅନ୍ୟଥା ॥୧୬॥

କଳଙ୍କ ବିହିନ ହେଲେ ବି ଋକ୍ଷ,
ଅରୁଣ କିରଣେ ଶୋଭିଲେ ବକ୍ଷ,
ଏକା ସିନା ଚନ୍ଦ୍ର, ସେ ଅଗଣିତ,
ତମସା କି କରି ପାରନ୍ତି ହତ !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୧୭॥

ଶୁଭ୍ର କର୍ପୁରକୁ ଦେହରେ ମାଖି,
ପଞ୍ଚାମୃତ ନିତି ଉଦରେ ରଖି,
ଶୁଭ-ସତ୍ୟ-ନ୍ୟାୟେ ରହିଲେ ସାକ୍ଷୀ,
ଗେଣ୍ଡାକୁ ଶଙ୍ଖରେ ଭ୍ରମିବ ଆଖି !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୧୮॥

ଗଣ୍ଡୁକୀ ତୀରରେ ହୋଇଲେ ଉଭା,
ବିଷ୍ଣୁ ଚକ୍ର ଚିହ୍ନେ ପାଇଲେ ଶୋଭା,
ତୁଳସୀ ସହିତ କରିଲେ ବିଭା,
ମୁଗୁନିକୁ ଶାଳଗ୍ରାମ କହିବା !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୧୯॥

ଉର୍ଣ୍ଣା ଆବରଣ କରିଲେ ଦେହେ,
ଲାଞ୍ଜ ନିମ୍ନଗାମି ରଖିଲେ ଆହେ,
ନତ ମସ୍ତକରେ ଖାଇଲେ ଘାସ,
ଛାଗଳ ନୋହିବ କେବେ ବି ମେଷ !
ଲୋକହସା ହେବା କଥା
ଏଥୁ ନାହିଁ ଅନ୍ୟଥା ॥୨୦॥

ସ୍ରଷ୍ଟାଙ୍କ ସୃଷ୍ଟିର ବିଚିତ୍ର ଏହି,
ଅପଚେଷ୍ଠା କରି ବର୍ତ୍ତିବ କେହି ?
ଯାହାକୁ ଯେପରି ଗଢିଛି ସେହି,
ତହିଁରୁ ଅନ୍ୟଥା ହୋଇବ କାହିଁ ?
ତାଙ୍କରି ନିର୍ଦ୍ଦେଶେ ଚାଲେ ଜଗତ,
ଯେ କରେ ଅମାନ୍ୟ, ସେ ହନ୍ତସନ୍ତ।

(ପୁରୁଣା କବିତାର ଛାଇରେ ଲିଖିତ)

ଅଡିଟର୍, ଡିଫେନ୍ସ୍ ଏକାଉଣ୍ଟସ୍ ଡିପାଟମେଣ୍ଟ୍,
ପିଏଓ(ଓଆରଏସ୍)ଏ.ଆର୍.ସି, ହାପ୍ପୀ ଭେଲି,
ସିଲଙ୍ଗ, ମେଘାଳୟ

Binaya Bhushan Mohapatra

Date of birth - 23/04/1983. Place of birth - Jajpur, Odisha. Ex Job - Indian Navy : 2002 - 2017. Present Job - Auditor, Defence Accounts Department, Shillong, Meghalaya.

Leave a Reply

Your email address will not be published. Required fields are marked *