କଲାମଙ୍କଠାରୁ ନେତୃତ୍ଵର ପାଠ

– ସରଳ କୁମାର ଦାସ

“ନେତା ହେବ କେମିତି ?” “ଅମୁକ ଭାଇ ଯେମିତି।” ସ୍ଳୋଗାନକାରୀଙ୍କୁ ଅମୁକ ଭାଇଙ୍କ ନେତା ସୁଲଭ ବିଶେଷ ଗୁଣ କଥା ପଚାରିଲେ ତାଙ୍କର ବାହୁବଳୀ ଚରିତ୍ର ସହିତ ସେ ନିର୍ବାଚନରେ କିପରି ଅଜସ୍ର ଟଙ୍କା ଖର୍ଚ୍ଚ କରି ପାରିବେ, ମଦର ବନ୍ୟାରେ ଭସାଇ ଦେଇ ପାରିବେ, ସେ ସମ୍ପର୍କରେ ବେଧଡକ କହିବେ। ଏହି ଗୁଣ ଥାଇ ନିର୍ବାଚନରେ ପ୍ରାର୍ଥୀ ହେବା ସମ୍ଭବ, ନେତା ନୁହେଁ। ତାମିଲନାଡୁର ଏକ ଅଖ୍ୟାତ ପଲ୍ଲୀର ଏକ ସାଧାରଣ ପରିବାରରେ ଜନ୍ମିତ ଓ ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିଥିବା ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ, ବିଭିନ୍ନ କ୍ଷେତ୍ରରେ ସଫଳ ନେତୃତ୍ଵ ଦେଇ ଜନସାଧାରଣଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। ନିଶ୍ଚିତ ଭାବେ ତାଙ୍କ ନିକଟରେ ଉପର ବର୍ଣ୍ଣିତ ଗୁଣଗୁଡିକ ନଥିଲା। ଜଣେ ନେତା ପାଖରେ କି କି ଗୁଣ ରହିବା ଆବଶ୍ୟକ, ସେ ସମ୍ପର୍କରେ କଲାମଙ୍କ ମତ ସମସ୍ତଙ୍କର ପ୍ରଣିଧାନଯୋଗ୍ୟ।

ନେତା କହିଲେ, ସାଧାରଣତଃ ରାଜନୈତିକ ନେତାଙ୍କ କଥା ଆମ ମନକୁ ଆସିଥାଏ। ମାତ୍ର ସାମାଜିକ, ସାଂସ୍କୃତିକ, ବୈଷୟିକ, ସାହିତ୍ୟ, ଶିକ୍ଷା, ସ୍ଵାସ୍ଥ୍ୟ, ଖେଳ ଆଦି ଯେ କୌଣସି କ୍ଷେତ୍ରରେ ମଧ୍ୟ ଜଣେ ନେତୃତ୍ଵ ନେଇ ପାରେ। କଲାମଙ୍କ ମତରେ ଜଣେ ଭଲ ନେତା ପାଖରେ ଛଅଟି ଗୁଣ ରହିବା ନିହାତି ଆବଶ୍ୟକ। ପ୍ରଥମଟି ହେଲା ସେ ଦୂରଦୃଷ୍ଟିସମ୍ପନ୍ନ ହେବା ଆବଶ୍ୟକ। ତା’ କାମକୁ ନେଇ ସ୍ଵପ୍ନ ଦେଖିପାରୁଥିବା ଦରକାର। ସ୍ଵପ୍ନକୁ ସାକାର କରିବା ପାଇଁ ତତ୍ପର ହୋଇ ପାରୁଥିବା ଦରକାର।

ଦ୍ଵିତୀୟ ଗୁଣଟି ହେଲା, ତା’ଠାରେ ଜଣେ ଆବିଷ୍କାରକ ବା ଅନୁସନ୍ଧାନକାରୀର ଅନୁସନ୍ଧିତ୍ସା ରହିବା ଆବଶ୍ୟକ। ସାଧାରଣ ଲୋକଟିଏ ଶଗଡଗୁଳାର ଜୀବନ ଜୀଇଁବାକୁ ଅଧିକ ପସନ୍ଦ କରିଥାଏ, କାରଣ ତାହା ଅପେକ୍ଷାକୃତ ସହଜ। ଝମେଲାକୁ ନ ଯାଇ ଅନ୍ୟମାନେ ଯାହା କରିଥା’ନ୍ତି, ସେପରି କରିବାକୁ ଭଲ ପାଇଥାଏ। ଭଲ ନେତାଟିଏ କିନ୍ତୁ, କଷ୍ଟ ହେଲେ ମଧ୍ୟ ନିଜ ରାସ୍ତା ନିଜେ ତିଆରି କରି ସେଥିରେ ଚାଲିବାକୁ ପଛାଇ ନଥାଏ। ସବୁବେଳେ ନୂଆ କିଛି କରିବା ପାଇଁ ଆଗଭର ହୋଇଥାଏ।

ନେତାର ଆବଶ୍ୟକୀୟ ତୃତୀୟ ଗୁଣ ଉପରେ କଲାମ ସର୍ବାଧିକ ଗୁରୁତ୍ଵ ଦେଇଛନ୍ତି। ତାଙ୍କ ମତରେ ଭଲ ନେତାଠାରେ ଉଭୟ ସଫଳତାକୁ ହଜମ କରିବା ଓ ବିଫଳତାକୁ ସମ୍ଭାଳି ପାରିବାର କ୍ଷମତା ଥିବା ଦରକାର। ଏ ପ୍ରସଙ୍ଗରେ ସେ ନିଜ ଜୀବନାନୁଭୁତିରୁ ବର୍ଣ୍ଣନା କରି କହିଛନ୍ତି ଯେ ୧୯୭୩ ମସିହାରେ ସେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ରେ ଉପଗ୍ରହ ଉତକ୍ଷେପଣ ଯାନ ପ୍ରକଳ୍ପ (ଏସଏଲଭି-୩)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କଲେ। ୧୯୮୦ ମସିହା ସୁଦ୍ଧା ଭାରତର ‘ରୋହିଣୀ’ ଉପଗ୍ରହକୁ କକ୍ଷପଥରେ ଅବସ୍ଥାପିତ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ଥିଲା। କାମ ଦ୍ରୁତ ଗତିରେ ଆଗେଇ ଚାଲିଲା। ୧୯୭୯ ମସିହା ଅଗଷ୍ଟ ମାସ ଉପଗ୍ରହ ଉତକ୍ଷେପଣର ଦିନ ଧାର୍ଯ୍ୟ ହେଲା। ନିର୍ଦ୍ଧାରିତ ଦିନ ଉତକ୍ଷେପଣର ଠିକ୍ ଚାରି ମିନିଟ ପୂର୍ବରୁ କମ୍ପ୍ୟୁଟର କୌଣସି ଏକ ନିୟନ୍ତ୍ରଣ ଅଂଶରେ ତୃଟି ଦର୍ଶାଇ ଉତକ୍ଷେପଣକୁ ଅଟକାଇ ଦେବାକୁ ପରାମର୍ଶ ଦେଲା। ହେଲେ, କଲାମଙ୍କ ସହଯୋଗୀ ବିଶେଷଜ୍ଞମାନେ ସବୁ ଠିକ୍ ଅଛି ଦର୍ଶାଇ ପରାମର୍ଶକୁ ଅଣଦେଖା କଲେ ଓ ଉତକ୍ଷେପଣର ଆଦେଶ ଦିଆଯାଇଥିଲା। କିଛି ସମୟ ମଧ୍ୟରେ ରକେଟଟି ଆଉ ଉପରକୁ ଯାଇ ନ ପାରି ବଙ୍ଗୋପସାଗରରେ ପଡିଲା। ମିଶନ୍ ଫେଲ୍ ହୋଇଗଲା। ଉତକ୍ଷେପଣ ପାଇଁ ଆୟୋଜିତ ସାମ୍ଵାଦିକ ସମ୍ମିଳନୀରେ ଇସ୍ରୋର ଅଧ୍ୟକ୍ଷ ସତିଶ ଧାଓ୍ଵନ ବିଫଳତାର ଭାର ନିଜ ମୁଣ୍ଡକୁ ନେଇ ପ୍ରକଳ୍ପରେ କାର୍ଯ୍ୟରତ ବୈଜ୍ଞାନିକ ଓ ସମସ୍ତ ଟିମ୍ ସଦସ୍ୟଙ୍କର ପ୍ରଶଂସା କରିଥିଲେ। ଏହି ଟିମ୍ ଏକ ବର୍ଷ ମଧ୍ୟରେ ନିଶ୍ଚିତ ଭାବେ ସଫଳତା ହାସଲ କରିବ ବୋଲି ଆଶ୍ଵାସନା ଦେଇଥିଲେ। ଠିକ୍ ବର୍ଷକ ପରେ ୧୯୮୦ ମସିହାରେ ପୁଣି ଥରେ ଉତକ୍ଷେପଣ କରାଗଲା ଓ ଏଥର ‘ରୋହିଣୀ’ ଉପଗ୍ରହକୁ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ କରା ହେଲା। ମାତ୍ର ଏଥର ଅଧ୍ୟକ୍ଷ ଧାଓ୍ଵନ୍ ସାମ୍ବାଦିକ ସମ୍ମିଳନୀକୁ ନିଜେ ସମ୍ଵୋଧିତ ନ କରି କଲାମଙ୍କୁ ସୁଯୋଗ ଦେଇଥିଲେ। ଅର୍ଥାତ୍ ଜଣେ ଉଚ୍ଚକୋଟୀର ନେତା ବିଫଳତାର ଭାର ନିଜେ ମୁଣ୍ଡାଇ ସଫଳତାର ଶ୍ରେୟ ଦଳର ସଦସ୍ୟମାନଙ୍କୁ ଦେଇଥାଏ।  କାମ କଲେ ସମସ୍ୟା ଆସିବ। ଜଣେ ଭଲ ନେତା ସମସ୍ୟା କବଳରେ ବିଚଳିତ ନହୋଇ ସମସ୍ୟାକୁ କବଳିତ କରିବାକୁ ଚେଷ୍ଟା କରିଥାଏ।

ଚତୁର୍ଥ ଗୁଣଟି ହେଉଛି, ଭଲ ନେତା ନିକଟରେ ନିଷ୍ପତ୍ତି ନେବାର ସାହସ ଥିବା ଦରକାର। ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବିଚାର ବିମର୍ଶ କରି ତା’ର ସମ୍ଭାବ୍ୟ ଭଲମନ୍ଦ ପ୍ରଭାବ ଉପରେ ଟିକିନିକି ଆଲୋଚନା କରିବା ଉଚିତ। ଥରେ ନିଷ୍ପତ୍ତି ନେବାକୁ ସ୍ଥିର କଲାପରେ ତାକୁ କାର୍ଯ୍ୟକାରୀ କରିବାକୁ ଡରିବା ଉଚିତ ନୁହେଁ। ଆବଶ୍ୟକୀୟ ପଞ୍ଚମ ଗୁଣଟି ହେଉଛି ପରିଚାଳନାଗତ ସାଧୁତା। ନେତାର ପ୍ରତିଟି କାର୍ଯ୍ୟରେ ସ୍ଵଚ୍ଛତା ଓ ପାରଦର୍ଶିତା ରହିବା ନିହାତି ଜରୁରୀ। ତା’ କଥା ଆଉ କାମ ଭିତରେ ଅନ୍ତର ରହିଲେ ଖୁବ୍ କମ ଦିନ ଭିତରେ ସେ ବିଶ୍ଵସନୀୟତା ହରାଇଥାଏ। ଷଷ୍ଠ ଗୁଣଟି ହେଉଛି, ନେତା ସଚ୍ଚୋଟ ହେବା ଉଚିତ। ନିଜେ ଦୁର୍ନୀତିରେ ଲିପ୍ତ ନହେବା ସଙ୍ଗେ ସଙ୍ଗେ ଦୁର୍ନୀତିକୁ ପ୍ରଶ୍ରୟ ଦେବା ଅନୁଚିତ।

ରାଷ୍ଟ୍ରପତି ପଦରୁ ଅବ୍ୟାହତି ନେଲା ପରେ ଥରେ ତାଙ୍କୁ ପଚରାଯାଇଥିଲା ଯେ ରାଷ୍ଟ୍ରପତି ଭାବେ ଏମିତି କିଛି କାର୍ଯ୍ୟ ଯାହା ତାଙ୍କର କରିବାକୁ ଇଚ୍ଛା ଥିଲା, ଅଥଚ ଅପୂର୍ଣ୍ଣ ରହିଗଲା। ଉତ୍ତରରେ ସେ କହିଥିଲେ ଯେ ରାଷ୍ଟ୍ରପତି ଭବନ ପରିସରକୁ ସମ୍ପୂର୍ଣ୍ଣ ସୌରଶକ୍ତି ଚାଳିତ କରିବାକୁ ତାଙ୍କର ଇଚ୍ଛା ଥିଲା। ରାଷ୍ଟ୍ରପତି ଭବନ ଭାରତର ପ୍ରଥମ ସୌରଶକ୍ତିଚାଳିତ ଘରର ମାନ୍ୟତା ପାଇଲେ ତା’ର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ ଓ ଅଧିକରୁ ଅଧିକ ଲୋକ ଅଣ ପାରମ୍ପରିକ ଶକ୍ତି ବ୍ୟବହାର ପ୍ରତି ଆକୃଷ୍ଟ ହେବେ ବୋଲି ତାଙ୍କର ବିଶ୍ଵାସ ଥିଲା।  ଅବଶ୍ୟ ଏଥିପାଇଁ ସେ ତାଙ୍କ କାର୍ଯ୍ୟକାଳର ଚାରି ବର୍ଷ ଗତ ହେଲା ପରେ ଶେଷ ବର୍ଷରେ କାମ ଆରମ୍ଭ କରିଥିଲେ। ହେଲେ ପରିବେଶ ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ପୂରି ଯାଇଥିଲା ଓ ସେ ୨୦୦୭ ମସିହାରେ ଅବସର ନେଇଥିଲେ। ଏ ଦିଗରେ କାମ ଆଗେଇ ପାରି ନ ଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି ଭବନ ପରିସରକୁ ବିଦ୍ୟୁତ ଯୋଗାଇବା ବାବଦରେ ବାର୍ଷିକ ୨୦ କୋଟି ଟଙ୍କାର ବିଦ୍ୟୁତ ବିଲ୍ ପଇଠ କରିବାକୁ ହୋଇଥାଏ।  ଖୁସିର କଥା, ୧୦ ବର୍ଷ ପରେ ରାଷ୍ଟ୍ରପତି ଭବନରେ ୨୦୧୭ ମସିହା ଫେବୃଆରୀ ମାସ ପ୍ରଥମ ପର୍ଯ୍ୟାୟର ସୌରଶକ୍ତି ପ୍ରକଳ୍ପ ଉଦଘାଟିତ ହୋଇଛି। ଏ କଥା ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ହେଉଛି, କାର୍ଯ୍ୟକାଳ ପୂରିଗଲେ ଦେଶର ରାଷ୍ଟ୍ରପତି ମଧ୍ୟ ତାଙ୍କ ଇପ୍ସିତ କାର୍ଯ୍ୟଟିକୁ କରାଇବାକୁ ଅସମର୍ଥ ହୁଅନ୍ତି।

ପଞ୍ଚାୟତ ନିର୍ବାଚନରେ ହଜାର ହଜାର ସଂଖ୍ୟାରେ ନୂଆ ନେତା ପଦଭାର ଗ୍ରହଣ କରିଛନ୍ତି, ଯେଉଁମାନଙ୍କ ଉପରେ ଓଡିଶାର ଗ୍ରାମାଞ୍ଚଳ ବିକାଶର ଗୁରୁଦାୟିତ୍ଵ। ସେମାନେ କଲାମଙ୍କର ଏଇ କଥାଗୁଡିକୁ ମନେ ରଖି କାର୍ଯ୍ୟ କଲେ ନିଶ୍ଚିତ ଭାବେ ଭଲ ନେତା ହୋଇପାରିବେ। ନିଜ ଅଞ୍ଚଳର ବିକାଶ ପାଇଁ ସ୍ଵପ୍ନ ଦେଖନ୍ତୁ, ସ୍ଵପ୍ନକୁ ସାକାର କରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ, ଯୋଜନାକୁ ରୂପାୟିତ କରିବା ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ କରି ଦିଅନ୍ତୁ, କାରଣ ଚାହୁଁ ଚାହୁଁ ପାଞ୍ଚ ବର୍ଷ କୁଆଡେ ପଳାଇଯିବ, ଜଣା ପଡିବ ନାହିଁ। ନହେଲେ ସ୍ଵପ୍ନ ସ୍ଵପ୍ନରେ ରହିଯିବ, ନିଜ ପଦଚିହ୍ନ ଛାଡିବାକୁ ଆଉ ଅବକାଶ ମିଳିବ ନାହିଁ।  (ଫଟୋ ସୌଜନ୍ୟ -http://www.abdulkalam.com)

ସରଳ କୁମାର ଦାସ

୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ

ଭୁବନେଶ୍ଵର – 751012

Leave a Reply

Your email address will not be published. Required fields are marked *