Home ଓଡ଼ିଶା ଘାତକହେବେ ଦଳଡ଼ିଆଁ

ଘାତକହେବେ ଦଳଡ଼ିଆଁ

638

ଭୁବନେଶ୍ୱର ୧୫-୩ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ନିର୍ବାଚନ ପୂର୍ବରୁ ନେତାମାନଙ୍କର ଦଳ ଅଦଳ ବଦଳ ଏକ ଚିରାଚରିତ ପ୍ରଥା। କିନ୍ତୁ ଏକ ନିର୍ଦ୍ଧିଷ୍ଟ ଦଳରୁ ବିତାଡ଼ିତ ନେତାଙ୍କୁ ଅନ୍ୟ ଦଳ ଗ୍ରହଣ କରିବା ପୂର୍ବରୁ କିଛିଟା ରାଜନୈତିକ ସତର୍କତା ଅବଲମ୍ବନ କରିବା ଅପରିହାର୍ଯ୍ୟ। ଓଡ଼ିଶା ରାଜନୀତିରେ ଆସନ୍ତା ନିର୍ବାଚନରେ ତିନୋଟି ବୃହତ ରାଜନୈତିକ ଦଳ ପ୍ରତିଯୋଗିତାକୁ ଓହ୍ଲାଉଛନ୍ତି। ଶାସକ ବିଜେଡ଼ି ଦୀର୍ଘ ୧୯ ବର୍ଷଧରି ଶାସନ କ୍ଷମତାରେ ଅଛି। ଏହି ଦଳର ମୁଖ୍ୟ ପ୍ରତିଦ୍ୱନ୍ଦି ହେଉଛନ୍ତି ବିଜେପି ଓ କଂଗ୍ରେସ ୧୯ ବର୍ଷ ଶାସନ କ୍ଷମତାରେ ରହିବା ପରେ ବିଜେଡ଼ି ଏଥର ଅତି ଚତୁରତାର ସହିତ ତା’ର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛି। ବିଭିନ୍ନ ସଂସ୍ଥା ଦ୍ୱାରା ସର୍ଭେକ୍ଷଣ କରାଇ ପ୍ରାର୍ଥୀ ଚୟନ କରୁଛି। ଏଥିରେ କୌଣସି ସୁପାରୀଶକୁ ପ୍ରଶୟ ଦେଉନାହାଁନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଗତ ଦିନରେ ଦଳପାଇଁ ସକରାତ୍ମକ କାର୍ଯ୍ୟ କରିଥିବା ଏବଂ ଦଳର ରାଜନୈତିକ ସମ୍ପୃକ୍ତିଥିବା ନେତାଙ୍କୁ ମଧ୍ୟ ଛାଡ଼ୁନାହାଁନ୍ତି ନବୀନ। ବିଜେଡ଼ିର ମୁଖ୍ୟ ଲକ୍ଷ ଜିତିବା ଆଶା ଥିବା ନେତାଙ୍କୁ ହିଁ ଟିକେଟ। ଏହି ପରିପ୍ରେକ୍ଷିରେ ନବୀନଙ୍କର ଚିନ୍ତାଧାରାକୁ ହୃଦୟଙ୍ଗମ କରି ଅନ୍ୟ ବିଜେଡ଼ି ବିଧାୟକ ଓ ସାଂସଦ ଦଳ ଛାଡ଼ିବା ଆରମ୍ଭ କରିଦେଲେଣି। ଏହି ନେତାମାନେ ଅନ୍ୟ ଦୁଇଟି ବିକଳ୍ପ ଦଳ ବିଜେପି ଓ କଂଗ୍ରେସରେ ଯୋଗ ଦେବା ଆରମ୍ଭ କଲେଣି। ଆଗକୁ ଏହି ପରମ୍ପରା ଜାରୀରହିବ। ମାତ୍ର ଏହି ନେତାମାନଙ୍କୁ ନିଜ ଦଳରେ ସାମିଲ କରାଇ ବାହାସ୍ପୋଟ ମାରୁଥିବା ଅନ୍ୟ ଦୁଇ ଦଳ ଯେ ଘାଟାରେ ପଢ଼ିବେ ଏ କଥା ସେମାନଙ୍କୁ ଜଣାନାହିଁ। ବିଜେଡ଼ି ଏବଂ ନବୀନ ପଟ୍ଟନାୟକ ଏବେ ମଧ୍ୟ ଓଡ଼ିଶାର ଅଦ୍ୱିତୀୟ ଦଳ ଓ ନେତା। ତାଙ୍କଠାରୁ ତଡାଖାଇଥିବା ନେତାମାନଙ୍କୁ ଓଡ଼ିଶାର ଜନତା ଗ୍ରହଣ କରିବେ କିପରି? ସେ ବୈଜୟନ୍ତ ପଣ୍ଡା ହୁଅନ୍ତୁ କିମ୍ବା ଦାମୋଦର ରାଉତ ହୁଅନ୍ତୁ, ତଥାଗତ ସତପଥୀ ହୁଅନ୍ତୁ କିମ୍ବା ବଳଭଦ୍ର ମାଝୀ ହୁଅନ୍ତୁ, ଏହି ନେତାମାନେ କୌଣସି ଦଳକୁ ଗଲେ ମଧ୍ୟ ଘାତକ ସାବ୍ୟସ୍ତ ହେବେ। ଏହି ନେତାମାନେ ରାଜ୍ୟସ୍ତରୀୟ ନେତାର ମାନ୍ୟତା ପାଇ ନାହାଁନ୍ତି। ନବୀନଙ୍କ ଡଙ୍ଗାରେ ବସି ଦୀର୍ଘ ବର୍ଷ ଧରି ରାଜନୈତିକ ବୈତରଣୀ ପାର ହେଉଥିଲେ। ଅକସ୍ମାତ୍ ନବୀନଙ୍କଠାରୁ ତଡ଼ାଖାଇ ଅନ୍ୟ ଦଳରେ ଯୋଗଦେଇ ବାହାସ୍ପୋଟ ମାରୁଥିବା ଏହି ନେତାମାନଙ୍କର ଅବସ୍ଥା ଆସନ୍ତା ନିର୍ବାଚନରେ ଶୋଚନୀୟ ହୋଇପଡ଼ିବ ଏଥିରେ ସନ୍ଦେହର ଅବକାଶ ନାହିଁ। ବିଭିନ୍ନ ଦଳରେ ଯୋଗ ଦେଇଥିବା ଏହି ନେତାମାନେ ଆସନ୍ତା ନିର୍ବାଚନରେ ଟିକେଟ ପାଇଲେ ନିଜେତ ହାରିବେ ତତ୍ ସହିତ ଆଖପାଖ ନିର୍ବାଚନ ମଣ୍ଡଳୀର ପ୍ରାଥୀଙ୍କୁ ମଧ୍ୟ ଭୋଟର ଏହି ଦଳକୁ ଭୋଟ ଦେବେ ନାହିଁ ବୋଲି ଏକ ସର୍ଭେକ୍ଷଣରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.