ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ ଧସିବା ସମସ୍ୟାର ପ୍ରତିକାର ପାଇଁ ରାଜପଥରେ ହେବ କୃତ୍ରିମ ସୁଡ଼ଙ୍ଗ

ସମ୍ବଲପୁର, ୧୩/୯ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ସମ୍ବଲପୁର ସହର ଉପକଣ୍ଠ ବ୍ୟସ୍ତପୂର୍ଣ୍ଣ ୬ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡ଼ୁଙ୍ଗୁରୀ ଠାରେ ପାହାଡ଼ ଅତଡ଼ା ଓ ପଥର ଖସିବା ସମସ୍ୟାର ପ୍ରତିକାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଗତକାଲି ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ସରକାର ଏବଂ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚଏଆଇ) କର୍ତ୍ତୃପକ୍ଷଙ୍କ ଏକ ବୈଠକରେ ଏ ବାବଦରେ ଆଲୋଚନା କରାଯାଇଥିଲା। ଏଥିରେ ପ୍ରଶାସନର ପ୍ରସ୍ତାବକୁ ଚୂଡ଼ାନ୍ତ କରାଯାଇଥିଲା। ଏହି ଅନୁଯାୟୀ ଲକ୍ଷ୍ମୀଡ଼ୁଙ୍ଗୁରୀ ପାହାଡ଼ର ବିପଜ୍ଜନକ ଅର୍ଥାତ୍ ପଥର ଖସୁଥିବା ପ୍ରାୟ ୩୦୦ ମିଟର ଅଂଶର ସାମ୍ନାରେ ମହାନଦୀ ସେତୁ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ପାହାଡ଼ର ଏହି ଅଂଶର ସାମ୍ନାରେ ଯାଇଥିବା ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ଉପରେ କଂକ୍ରିଟର ଟନେଲ ବା ସୁଡ଼ଙ୍ଗ (ଅଣ୍ଡରପାସ୍) ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଭିତରେ ଉଜ୍ୱଳ ଆଲୋକର ବ୍ୟବସ୍ଥା କରାଯିବ। ଏଥିପାଇଁ ୩୫ କୋଟି ଟଙ୍କା ବ୍ୟୟ ଅଟକଳ ସକାଶେ ଲକ୍ଷ୍ୟ ରଖାଯାଇଥିବା ବେଳେ ଯେତେଶୀଘ୍ର ସମ୍ଭବ ଡିପିଆର ପ୍ରସ୍ତୁତ କରାଯାଇ କାର୍ଯ୍ୟାରମ୍ଭ କରାଯିବାକୁ ସ୍ଥିର କରାଯାଇଛି ବୋଲି ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ସୀତାଂଶୁ ଭୂଷଣ ତ୍ରିପାଠୀ ସୂଚନା ଦେଇଥିଲେ। ଏହା ହେଲେ ରାଜପଥ ଉପରେ ପାହାଡ଼ ଅତଡ଼ା ଖସିବା ସମସ୍ୟାର ଏକପ୍ରକାର ସ୍ଥାୟୀ ପ୍ରତିକାର ହୋଇପାରିବ ବୋଲି କୁହାଯାଉଛି। ସମ୍ବଲପୁର ସହର ଓ ବୁର୍ଲା ମଧ୍ୟଭାଗରେ ଥିବା ଏହି ରାଜପଥ କୋଲକାତା-ମୁମ୍ବାଇ-ରାୟପୁର ଓ ଦକ୍ଷିଣ ଭାରତକୁ ସଂଯୋଗ କରୁଛି। ପ୍ରତିଦିନ ଏହି ସଡ଼କ ଦେଇ ହଜାର ହଜାର ଯାନବାହନ ଚଳାଚଳ କରୁଥିଲେ ମଧ୍ୟ ୪ ଲେନ ବିଶିଷ୍ଟ ଓସାର କରାଯାଇଥିଲେ ସୁଦ୍ଧା ପାହାଡ଼ଟି ଏହାକୁ ବିପଦଶଙ୍କୁଳ କରିଛି। ପୂର୍ବରୁ ବହୁବାର ଏହି କାରଣରୁ ରାଜପଥରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ନିକଟରେ ମଧ୍ୟ ଅତଡ଼ା ଖସିବାରୁ ଏବେ ଉକ୍ତ ଅଂଶକୁ ଯାନବାହନ ଚଳାଚଳ ବନ୍ଦ କରାଯାଇ ୱାନ୍ୱେ ଟ୍ରାଫିକ୍ କରାଯାଇଛି।

Leave a Reply

Your email address will not be published. Required fields are marked *