ନଭେମ୍ବର ୮ରେ କଳାଧନ ବିରୋଧ ଦିବସ ପାଳିବ ବିଜେପି

୯୯ ପ୍ରତିଶତ ଅର୍ଥ ବ୍ୟାଙ୍କକୁ ଫେରି ଆସିବାକୁ ବିରୋଧୀମାନେ ବିମୁଦ୍ରୀକରଣର ବିଫଳତା କହିବା ଭୁଲ : ଧର୍ମେନ୍ଦ୍ର ପ୍ରଧାନ
– ସମସ୍ତ ହିସାବରେ ନ ଥିବା ( ଅନ ଏକାଉଂଟେଡ) ଏବଂ କଳାଧନର ନାଁ ଓ ଠିକଣା ସ୍ପଷ୍ଟ ହେଇ ଯାଇଛି
– ଟଙ୍କା ବ୍ୟାଙ୍କକୁ ଆସି ଗଲେ କଳା ଟଙ୍କା ଧଳା ହୋଇ ଯାଏ ନାହିଁ
– ୩.୬୮ ଲକ୍ଷ କୋଟି ଟଙ୍କା ଏବଂ ୨୩ ଲକ୍ଷ ଏକାଉଂଟ ଜାଂଚ ପ୍ରକ୍ରିୟାରେ ଅଛି
– କଳା ଟଙ୍କା ଜବତ ହୋଇ ଲୋକଙ୍କ ବିକାଶରେ ଲାଗିବ

ଭୁବନେଶ୍ୱର, ତା.୦୬/୧୧(ଓଡ଼ିଆ ପୁଅ): ଆସନ୍ତା ନଭେମ୍ବର ୮ ତାରିଖରେ ବିଜେପି ତରଫରୁ ସାରା ଦେଶରେ କଳାଧନ ବିରୋଧୀ ଦିବସ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶାରେ ମଧ୍ୟ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଳା ଟଙ୍କା ବିରୋଧୀ ଆନ୍ଦୋଳନକୁ ଦଳ ଜାରୀ ରଖିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ଷେ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରୀକରଣ ସହିତ ଦେଶର ୧୨୫ କୋଟି ଜନତା ଠିଆ ହୋଇଥିଲେ। ପାଖାପାଖି ୯୯ ପ୍ରତିଶତ ବଜାରରେ ଥିବା ୫୦୦ ଓ ୧ ହଜାର ଟଙ୍କିଆ ନୋଟ ବ୍ୟାଙ୍କକୁ ଆସିଛି। ଏହାର ଅର୍ଥ ହେଲା ସମସ୍ତ ହିସାବରେ ନ ଥିବା ( ଅନ ଏକାଉଂଟେଡ) ଏବଂ କଳାଧନର ନାଁ ଓ ଠିକଣା ସ୍ପଷ୍ଟ ହେଇ ଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୯୯ ପ୍ରତିଶତ ଅର୍ଥ ବ୍ୟାଙ୍କକୁ ଫେରି ଆସିବାକୁ ବିରୋଧୀ ମାନେ ବିମୁଦ୍ରୀକରଣର ବିଫଳତା ଭାବରେ ବର୍ଣନା କରୁଛନ୍ତି। ଯେଉଁ ଅର୍ଥ ବ୍ୟାଙ୍କକୁ ଆସେ ତାହା ଧଳା ହୋଇ ଯାଏ ନାହିଁ। ୩.୬୮ ଲକ୍ଷ କୋଟି ଟଙ୍କା ଏବଂ ୨୩ ଲକ୍ଷ ଏକାଉଂଟ ଜାଂଚ ପ୍ରକ୍ରିୟାରେ ଅଛିା ଏହି ରାଶି ଛଡା ବ୍ୟାଙ୍କ ଓ ବିତୀୟ ସଂସ୍ଥାନ ଗୁଡିକ ୪.୭ ଲକ୍ଷ ସଂଦିଗ୍ଧ ନେଣ ଦେଣର ମଧ୍ୟ ଜାଂଚ କରୁଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୬ ହଜାର କୋଟି ବ୍ୟାଙ୍କକୁ ଆଦୌ ଆସି ନାହିଁ। ୨୯, ୨୧୩ କୋଟି ଟଙ୍କାର ଅଘୋଷିତ ଆୟ ଠାବ କରା ଯିବା ସହ ସ୍ୱୀକାରୋକ୍ତି ମିଳିଛି। ସେ କହିଛନ୍ତି ଯେ ୧.୫ ଲକ୍ଷ ଲୋକ ମୋଟ ପାଖା ପାଖି ୫ ଲକ୍ଷ କୋଟି ଜମା କରିଛନ୍ତି। ଯାହା ମୋଟ ନଗଦ ଜମାର ଏକ ତୃତୀୟାଂଶ ଅଟେ। ଏହାର ଅର୍ଥ ହେଲା ୦. ୦୦୦୧୧ ପ୍ରତିଶତ ଲୋକ ୩୩ ପ୍ରତିଶତ ନଗଦ ଜମା କରିଛନ୍ତି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସେପ୍ଟେମ୍ବର ୨୦୧୭ରେ ୫ ଶହ ଓ ୨ ହଜାର ଟଙ୍କିଆ ନୋଟର ବଜାର ୧୨ ଲକ୍ଷ କୋଟି ଟଙ୍କାର ଚାଲିଛି। ଯଦି ବିମୁଦ୍ରୀକରଣ ନ ହୋଇ ଥାନ୍ତା ଏହା ୧୮ ଲକ୍ଷ କୋଟି ଥାଆନ୍ତା। ଏହାର ଅର୍ଥ ହେଲା ୬ ଲକ୍ଷ କୋଟି ଟଙ୍କାର ଅଧିକ ମୁଲ୍ୟର ମୁଦ୍ରା ବଜାରରେ କମ ଚାଲୁଛି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅତ୍ୟାଧୁନିକ ଡାଟା ଆନାଲିସିସକୁ ବ୍ୟବହାର କରି ୧୭.୭୩ ଲକ୍ଷ ସଂଦିଗ୍ଧ ପ୍ୟାନ କାର୍ଡ ହୋଲ୍ଡର ଯେଉଁ ମାନଙ୍କର ନଗଦ ଜମା ଓ ଟିକସ ମେଳ ଖାଉ ନ ଥିବାରୁ ଜାଂଚ ପ୍ରକ୍ରିୟା ଚାଲିଛି ଏବଂ ବିମୁଦ୍ରୀକରଣ ପରେ ୨.୨୪ ଲକ୍ଷ ସେଲ କମ୍ପାନୀ ଜବତ ହୋଇଛି।

ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଓଡିଶାର ଗଣମାଧ୍ୟମରେ ଜନ ଧନ ବ୍ୟାଙ୍କ ଖାତାରେ ୮ ଶହ କୋଟି ଟଙ୍କା ଜମା ହୋଇଥିବା ତଥ୍ୟ ଦେଇଥିଲେ। କିଏ କେଉଁଠି ଡିପୋଜିଟ କଲା ତାର ହିସାବ ହେଲେ କଳାଧନର ମୁହଁ ଖୋଲିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ଉପ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଏବଂ ଶ୍ରୀ ପିତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *