ଜନସଂଘରୁ ବିଜେପି : ଦୀର୍ଘ ୬୫ ବର୍ଷର ଯାତ୍ରା

– ଅଧ୍ୟାପକ : ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ୧୯୫୧ ମସିହା ଅକ୍ଟୋବର ୨୧ରେ କଂଗ୍ରେସର ବିକଳ୍ପଭାବେ ଏକ ରାଷ୍ଟ୍ରବାଦୀ ରାଜନୈତିକ ଦଳ ଗଠନ ଉଦ୍ଦେଶ୍ୟରେ ଭାରତୀୟ ଜନସଂଘର ଗଠନ କରିଥିଲେ। ଗାନ୍ଧୀ-ନେହେରୁଙ୍କର ମୁସଲିମ୍ ତୁଷ୍ଟୀକରଣ ନୀତି, ଆମ୍ବେଦକରଙ୍କ ପ୍ରତିବାଦ ସତ୍ୱେ ଗୋପାଳ ଆୟାରଙ୍କ ସାହାଯ୍ୟ ନେଇ ସମ୍ବିଧାନରେ ଧାରା ୩୭୦-ର ପ୍ରବର୍ତ୍ତନ କରି ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ରତା ପ୍ରଦାନ, ନେହେରୁ ଓ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଲିଆକତ୍ ଅଲ୍ଲୀ ରାଜିନାମା ଏବଂ ରୁଷ ଅନୁସରଣରେ ଭାରତର ସମାଜବାଦୀ ଅର୍ଥନୀତିକୁ ବିରୋଧ କରିବା ସହିତ ହିନ୍ଦୁତ୍ୱର ପ୍ରତିଷ୍ଠା ଏକ ସାମାଜିକ ଆବଶ୍ୟକତା ରୁପେ ସେତେବେଳେ ଅନୁଭବ କରାଯାଉଥିଲା। ଏଥିପାଇଁ ସେ ମୁଖ୍ୟତଃ ଆର୍ଯ୍ୟ ସମାଜ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହାୟତା ଲୋଡିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମାଧବ ସଦାଶିବ ଗୋଲୱାଲେକର ବା ଗୁରୁଜୀଙ୍କ ପ୍ରସ୍ତାବ-କ୍ରମେ ଏହାର ନାମ ଭାରତୀୟ ଜନସଂଘ ରଖିଥିଲେ। ପ୍ରଜ୍ଜ୍ୱଳିତ ପ୍ରଦୀପ ଏହି ଦଳର ନିର୍ବାଚନ ଚିହ୍ନ ଥିଲା ଏବଂ ଏହାର ଗୈରିକ ରଙ୍ଗର ପତାକାରେ ମଧ୍ୟ ଏହି ଚିହ୍ନ ସ୍ଥାନ ପାଇଥିଲା।

ଏକ ରାଜନୈତିକ ଦଳ ଭାବେ ଭାରତୀୟ ଜନସଂଘ ପ୍ରଥମ କରି ୧୯୫୧-୫୨ ମସିହାରେ ଲୋକସଭା ନିର୍ବାଚନରେ ଭାଗ ନେଇଥିଲା ଏବଂ ଶ୍ରୀ ମୁଖାର୍ଜୀଙ୍କ ସମେତ ୩ ଜଣ, ୧୯୫୭ରେ ଅଟଳବିହରୀ ବାଜପେୟୀଙ୍କ ସମେତ ୪ ଜଣ, ୧୯୬୨ ରେ ୧୪ ଜଣ, ୧୯୭୬ ରେ ୩୫ ଜଣ, ଓ ୧୯୭୧ରେ ୨୨ ଜଣ ସଂସଦ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

୧୯୭୫ରେ ଶ୍ରୀମତୀ ଗାନ୍ଧୀଙ୍କ ନିର୍ବାଚନ ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ଅସିଦ୍ଧ ଘୋଷିତ ହେବାରୁ ସେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି କଲେ। ଏହି ସମୟରେ ଭାରତୀୟ ଜନସଂଘ ଏହାର ପ୍ରବଳ ବିରୋଧ କରିଥିଲା। ଦଳର ପ୍ରମୁଖ ନେତା ଓ କାର୍ଯ୍ୟକର୍ତ୍ତାମାନେ କାରାବରଣ କରିଥିଲେ। ନିର୍ବାଚନରେ ଜିତିବା ପାଇଁ ଇନ୍ଦିରା ଗାନ୍ଧୀଙ୍କର ଅପରାଧିକ କ୍ରିୟାକଳାପ ଓ ଦୁର୍ନୀତି, ନିଜ ଇଛାରେ ସର୍ବୋଚ୍ଚ ନ୍ୟାୟାଳୟରେ ବରିଷ୍ଠତାକୁ ଉପେକ୍ଷା କରି ନ୍ୟାୟାଧୀଶ ନିଯୁକ୍ତି, ଜନସଂଖ୍ୟା ନିୟତ୍ରଣ ନାମରେ ବଳ ପୂର୍ବକ କୁମାରୀଙ୍କ ଠାରୁ ଆରମ୍ଭ କରି ଅଶୀତି ପର ବୃଦ୍ଧଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସହରାଞ୍ଚଳ ସୋନ୍ଦର୍ଯୀକରଣ ନାମରେ ବସ୍ତି ଉଚ୍ଛେଦ ତଥା ପୋଲିସର ମାତ୍ରାଧିକ ଅତ୍ୟାଚାର ଓ ଗୁଳିକାଣ୍ଡ, ସର୍ବୋପରି ଗଣତନ୍ତ୍ରର ଓ ସମ୍ବିଧାନର ସୁରକ୍ଷା ନିମନ୍ତେ ଶ୍ରୀମତୀ ଗାନ୍ଧୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏକ ରାଜନୈତିକ ବିକଳ୍ପ ରୁପେ ସବୁ ରାଜନୈତିକ ଦଳମାନଙ୍କୁ ଏକତ୍ରକରି ବିକଳ୍ପ ମଂଚ ଗଠନ ପାଇଁ ଜୟପ୍ରକାଶ ନାରାୟଣ ଉଦ୍ୟମ ଆରମ୍ଭ କରିଥିଲେ। ଏହାର ଫଳଶୃତି ସ୍ୱରୂପ ଭାରତୀୟ ଜନସଂଘ ସଂଗଠନ କଂଗ୍ରେସ, ଭାରତୀୟ ଲୋକଦଳ, ସ୍ୱତନ୍ତ୍ର ପାର୍ଟି, ଭାରତୀୟ ସମାଜବାଦୀ ପାର୍ଟି ପ୍ରଭୃତି ମିଶ୍ରଣରେ ଜନତା ପାର୍ଟିର ଗଠନ କରାଗଲା। ମୋରାଜୀଙ୍କ ମନ୍ତ୍ରୀମଣ୍ଡଳରେ ପୂର୍ବତନ ଭାରତୀୟ ଜନସଂଘର ନେତା ଅଟଳବିହାରୀ ବାଜପେୟୀ, ବୈଦଶେିକ ବ୍ୟାପାର ମନ୍ତ୍ରୀ ହୋଇଥିବାବେଳେ ଲାଲକୃଷ୍ଣ ଆଡୱାନୀ ସୂଚନା ଓ ପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର, ମନ୍ତ୍ରୀ ପଦରେ କାର୍ଯ୍ୟ କରିଥିଲେ।

ଭାରତୀୟ ଜନସଂଘର ଜନତା ପାର୍ଟିରେ ବିଲୟ ହୋଇଥିଲେ ମଧ୍ୟ ଏହି ଦଳର ନେତାମାନେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଠାରୁ ସମ୍ପର୍କ ବିଚ୍ଛିନ୍ନ କରିନଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏକ ରାଜନୈତିକ ଦଳ ନ ହୋଇଥିଲେ ମଧ୍ୟ ତଥା କଥିତ ସମାଜବାଦୀ ନେତାମାନେ ଏମାନଙ୍କର ସଂଘ ସଦସ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଯାହାର ପରିଣତି ସ୍ୱରୂପ ଜନତା ପାର୍ଟିରୁ ଏମାନେ ସମ୍ପର୍କ ବିଚ୍ଛିନ୍ନ କରି ୧୯୮୦ ଏପ୍ରିଲ ୬ ତାରିଖରେ ଭାରତୀୟ ଜନସଂଘକୁ ଭାରତୀୟ ଜନତା ପାର୍ଟି ନାମରେ ପୁନଜ୍ଜୀବିତ କରାଇଥିଲେ ଓ ଅଟଳ ବିହାରୀ ବାଜପେୟୀଙ୍କ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ବିଜେପି ଦଳକୁ ଦୀନଦୟାଲଙ୍କ ଏକାତ୍ମ ମାନବବାଦକୁ ନିଜର ବୈଚାରିକ ସିଦ୍ଧାନ୍ତ ରୂପେ ଗ୍ରହଣ କରିବା ସହିତ ପଂଚ ନିଷ୍ଠା ଯଥା ରାଷ୍ଟ୍ରୀୟତା ରାଷ୍ଟ୍ରୀୟ ଏକାତ୍ମତା, ଗଣତନ୍ତ୍ର, ସମାଜିକ, ଆର୍ଥିକ ସମସ୍ୟାପ୍ରତି ଗାନ୍ଧୀବାଦୀ ଦୃଷ୍ଟିକୋଣ ଆଧାରରେ ସମତା ଯୁକ୍ତ ଓ ଶୋଷଣ ଯୁକ୍ତ ସମାଜର ସ୍ଥାପନା, ସକାରତ୍ମକ ଧର୍ମନିରପେକ୍ଷତା ଅର୍ଥାତ ସର୍ବଧର୍ମ ସମଭାବ ଓ ମୂଲ୍ୟବୋଧ ରାଜନୀତିକୁ ନିଜର ଆଦର୍ଶରୂପେ ଗ୍ରହଣ କରିଛି।

ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବଚନରେ ୧୯୮୪ରେ ୨ ୧୯୮୯ ରେ ୮୫ ୯୧ରେ ୧୨୦ ୯୬ରେ ୧୬୧ ୯୮ରେ ୧୮୨ ୯୯ରେ ୧୮୨ ୨୦୦୪ରେ ୧୩୮ ୨୦୦୯ରେ ୧୧୬ ୨୦୧୪ରେ ୨୮୨ ଟି ଆସନ ଜିତି ପାରିଛି।ଏନଡିଏ ସହିତ ମିଳି ବିଜେପି ୩୪୫ ଆସନରେ ବିଜୟୀ ହେବା ସହିତ ଶ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱରେ ଦେଶରେ ସରକାର ଗଢିଛି। ବର୍ତ୍ତମାନ ସୁଦ୍ଧା ଏହି ଦଳ ଏକାକୀ ଆସାମ ଅରୁଣାଚଳ ପ୍ରଦେଶ, ଛତିଶଗଡ, ଗୁଜୁରାଟ, ହରିଆଣା, ହିମାଚଳ ପ୍ରଦେଶ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ମଣିପୁର ଓ ଉତ୍ତରାଖଣ୍ଡ ପ୍ରଭୃତି ୧୩ ଟି ରାଜ୍ୟରେ ସରକାର ଗଢିଛି। ସେହିଭଳି ଏନଡିଏର ଅଂଶଦାର ଦଳକୁ ନେଈ ମହାରାଷ୍ଟ୍ର, ଗୋଆ ଓ ତ୍ରିପୁରା ଭଳି ତିନୋଟି ରାଜ୍ୟରେ ସରକାର ଗଢାଯାଇଛି। ସହଯୋଗୀ ଦଳର ନେତୃତ୍ୱରେ ବିଜେପି ମିଶି ବିହାର ଜମ୍ମୁକାଶ୍ମୀର ନାଗାଲ୍ୟାଣ୍ଡ ଓ ମେଘାଳୟ ପ୍ରଭୃତି ୪ ଟି ରାଜ୍ୟରେ ମିଳିତ ସରକାରରେ ଅଂଶିଦାର ହୋଇଛି। ବିଜେପି ବର୍ତ୍ତମାନ ମୋଟ ୨୦ ଟି ରାଜ୍ୟରେ ସରକାର ଗଢି ଏକ ସର୍ବକାଳୀନ ରେକର୍ଡ କରିଛି।। ଲୋକସଭାରେ ବିଜେପିର ସବୁଠାରୁ ଅଧିକ ସଂଖ୍ୟାକ ଲୋକସଭା ୨୭୪ ଜଣ ସାଂସଦ ଦେଶର ସମୁଦାୟ ୪୧୨୦ ବିଧାୟକଙ୍କ ଭିତରୁ ବିଜେପିର ୧୪୫୫ ଜଣ ବିଧାୟକ ଅଛନ୍ତି। ଏହି ପାର୍ଟି ୧୫ କୋଟିରୁ ଉର୍ଦ୍ଧ୍ୱ ସଦସ୍ୟ ସଂଗ୍ରହକରି ପୃଥିବୀର ସର୍ବ ବୃହତ୍ତ୍ମ ରାଜନୈତିକ ଦଳ ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି। ସବୁଠାରୁ ବଡ କଥା ହେଲା ବାମପନ୍ଥୀ ଦଳକୁ ଛାଡିଦେଲେ ଭାରତରେ ଅଧିକାଂଶ ରାଜନୈତିକ ଦଳ କଂଗ୍ରେସ ପରି ପାରିବାରିକ ପାର୍ଟି ହୋଇଥିବା ବେଳେ ବିଜେପି ଏକମାତ୍ର ଗଣତାନ୍ତ୍ରିକ ଦଳ ଯାହାର ୧୯୮୦ରୁ ଏପର୍ଯ୍ୟନ୍ତ ୩୯ ବର୍ଷରେ ୧୦ ଜଣ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି।

୧୯୯୬ରେ ଅଟଳଜୀ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୮ରେ ଭାଜପା ୧୮୨ ଆସନ ସହିତ ୨୪ ଟି ଦଳକୁ ନେଇ ଗଠିତ ଗଣତାନ୍ତ୍ରିକ ସାମ୍ମୁଖ୍ୟ କ୍ଷମତାକୁ ଆସିଲା ଏବଂ ଅଟଳଜୀ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ପୁନଶ୍ଚ ୧୯୯୬ରେ ସଂଖ୍ୟାଗରିଷ୍ଠତା ସହ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ କ୍ଷମତାକୁ ଫେରିଲା ଓ ଅଟଳଜୀ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ। ୨୦୦୪ ମେ ୧୯ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦବୀରେ ଥିଲେ ୧୯୯୮ ମେ ମାସରେ ପୋଖରାନ୍-୨ ମାଧ୍ୟମରେ ଭୂତଳରେ ଏକ ସମୟରେ ୫ ଟି ପରମାଣୁ ପରୀକ୍ଷଣ କରାଇଥିଲେ। ଅଟଳଜୀଙ୍କ ନୀତି ଥିଲା ଶକ୍ତି ସେ ଶାନ୍ତି। ଶକ୍ତିବଳରେ ହିଁ ଶାନ୍ତି ପ୍ରତିଷ୍ଠା କରାଯାଇପରିବ ବୋଲି ସେ ବିଶ୍ୱାସ କରୁଥିଲେ। ବାଜପେୟୀଙ୍କୁ ରାଷ୍ଟ୍ର ପୁରୁଷ କୁହାଯାଏ। ଜାତୀୟ ରାଜପଥର ବିକାଶ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ସର୍ବଶିକ୍ଷା ଅଭିଯାନ, ଅନ୍ତୋଦୟ ଅନ୍ନଯୋଜନା ପ୍ରଭୃତି ତାଙ୍କର ଅବିସ୍ମରଣୀୟ କାର୍ଯ୍ୟ। ସମ୍ବିଧାନ ସଂଶୋଧନ କରି ୨୦୦୨ରେ କିଶୋରମାନଙ୍କ ପାଇଁ ଶିକ୍ଷା ଲାଭ କରିବାକୁ ସେ ଏକ ମୌଳିକ ଅଧିକାରର ମାନ୍ୟତା ଦେଇଥିଲେ। ପ୍ରଥମକରି ସେ ଦୁଇ ଟଙ୍କାରେ ଚାଉଳ, ତିନି ଟଙ୍କାରେ ଗହମ, ଓ ଗରୀବ ପରିବାକୁ ୩୫ କେ.ଜି କରି ଖାଦ୍ୟ ଶସ୍ୟ ଯୋଗାଇବାର ବ୍ୟବସ୍ଥା କରିଥିଲେ। ତାଙ୍କ ସମୟରେ ବିଲ କ୍ଲିନଣ୍ଟ ଭାରତ ଆସି ଷ୍ଟ୍ରେଟେଜିକ୍ ଭିଜନ୍ ଡକ୍ୟୁମେଣ୍ଟରେ ଉଭୟ ରାଷ୍ଟ୍ରନେତା ସ୍ୱାକ୍ଷର କରିବା ଭାରତ ପାଇଁ ଏକ ବଡ ସଫଳତା। ପାକିସ୍ଥାନକୁ ବସ୍ ଯାତ୍ରାକରି ଅଟଳଜୀ ପ୍ରଥମକରି ୧୯୪୭ ପରେ ପାକିସ୍ଥାନ ସହିତ ରାଜପଥରେ ଯୋଗଯୋଗ ପ୍ରତିଷ୍ଠା କରିବା ସହିତ ଦ୍ୱିପାକ୍ଷିକ ବୁଝାମଣାକୁ ତ୍ୱରାନ୍ୱିତ କରିଥିଲେ। ଲାହୋର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। କିନ୍ତୁ ପାକିସ୍ଥାନ କାରଗିଲ କ୍ଷେତ୍ରରେ ଯୁଦ୍ଧ ଘୋଷଣା କରି ଶାନ୍ତି ପ୍ରତିଷ୍ଠା ଉଦ୍ୟମକୁ ଭଣ୍ଡୁର କରିଛି। ଅପରେସନ୍ ବିଜୟ ମାଧ୍ୟମରେ ପାକିସ୍ଥାନ ଅନୁପ୍ରବେଶ କରିଥିବା କ୍ଷେତ୍ରକୁ ପୁଣି ମୁକ୍ତ କରାଯାଇ ପାରିଛି। ତାଙ୍କ ଉଦ୍ୟମରେ ଆତଙ୍କବାଦ ନିୟନ୍ତ୍ରଣ ପାଇଁ ବୈଷୟିକ ଜ୍ଞାନକୌଶଳ ଲାଭ କରିବା କ୍ଷେତ୍ରରେ ଏସ୍ରାଇଲର ସହଯୋଗ ପାଇବା ପାଇଁ ଭାରତ ସମର୍ଥ ହୋଇଛି। ସେହିଭଳି ୨୦୧୪ରେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ସରକାର ଗଢିଛି। ଆରମ୍ଭରୁ ଶ୍ରୀମୋଦି ନିଜକୁ ପ୍ରଧାନମନ୍ତ୍ରୀ ନୁହନ୍ତି ପ୍ରଧାନ ସେବକ ବୋଲି ଘୋଷଣା କରିଛନ୍ତି ଓ ତାଙ୍କ ସରକାର ଗରିବ ମାନଙ୍କ ପାଇଁ ସମର୍ପିତ ସରକାର ବୋଲି କହିଛନ୍ତି। ଭାରତର ସର୍ବାଙ୍ଗୀନ ଉନ୍ନତି କରିବାକୁ ପ୍ରତିଶୃତି ବଦ୍ଧ ମୋଦି କେନ୍ଦ୍ରୀୟ କରରେ ରାଜ୍ୟମାନଙ୍କର ଅଂଶର ପରିମାଣ ୩୨ ରୁ ୪୨ ପ୍ରତିଶତ ବୃଦ୍ଧିକରି ରାଜ୍ୟ ସରକାରମାନଙ୍କୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେଇପାରିଛନ୍ତି। ଭାରତୀୟ ଅର୍ଥନୀତିକୁ ସ୍ୱଚ୍ଛ କରିବାକୁ ଯାଇ ବିମୁଦ୍ରାୟନ ଏବଂ ଦେଶରେ ପ୍ରଚଳିତ ନାନାପ୍ରକାର କର ଆଦାୟ ବ୍ୟବସ୍ଥାରେ ସଂସ୍କାର ଆଣି ସମଗ୍ର ଦେଶପାଇଁ ଗୋଟିଏ ଦେଶ ଗୋଟିଏ ପ୍ରକାର କର ଜିଏସଟି କର ଲାଗୁକରିଛନ୍ତି। ସେହିଭଳି କଳାଧନକୁ ରୋକିବା ପାଇଁ ଏସଆଇଟି ଗଠନ କରିବା ସହିତ ଅଧିକ ଫଳପ୍ରଦ ହେବାଭଳି କଠୋର ଆଇନ ପ୍ରଣୟନ କରିଛନ୍ତି। ସାଧାରଣ ଜନତାଙ୍କର ଆର୍ଥିକ ବ୍ୟବସ୍ଥାର ଉନ୍ନତି, ସାମାଜିକ ନିରାପତ୍ତା, ଦକ୍ଷତା ବିକାଶ ମାଧ୍ୟମରେ ଯୁବପିଢୀ ପାଇଁ ଅଧିକ ଆତ୍ମନିଯୁକ୍ତି ସୁଯୋଗ ପାଇଁ ଅବସର ସୃଷ୍ଟିକରିବ ସମ୍ମାନଜନକ ଭାବେ ବଂଚିବା ପାଇଁ ଏକ ସୁଯୋଗ ସୃଷ୍ଟିକରିଛନ୍ତି। ଏହି ଯୋଜନା କ୍ରମରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ସ୍ୱଚ୍ଛଭାରତ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଟଳ ପେନ୍ସନ ଯୋଜନା, ବେଟି ବଚାଓ, ବେଟି ପଢାଓ ଅଭିଯାନ କନ୍ୟା ସମୃଦ୍ଧି ପାଇଁ ସୁକନ୍ୟା ଯୋଜନା, ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଉଜ୍ଜଳା ଯୋଜାନା, ସ୍ମାର୍ଟ ସିଟି, ଅମ୍ରିତ ଯୋଜନା, ମୁଦ୍ରା ବ୍ୟାଙ୍କ୍, ମେକ୍ ଇନ୍ ଇଣ୍ଡିଆ, ଏବଂ ସ୍କିଲ ଇଣ୍ଡିଆ, ବୁଲେଟ୍ ଟ୍ରେନ୍, ଆର୍ନ୍ତଜାତିକ ଯୋଗ ଦିବସ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଷ୍ଟାଟ ଅଫ ଇଣ୍ଡିଆ, ଷ୍ଟାଣ୍ଡ ଅଫ ଇଣ୍ଡିଆ, ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସଫଳ ଯୋଜନା କାର୍ଯ୍ୟକ୍ରମ ଜରିଆରେ ଭାରତକୁ ଏକ ଶ୍ରେଷ୍ଠ ଭାରତ ଦେଶଭାବେ ପରିଣତ କରିବା ଉଦ୍ୟମ ଜାରି ରଖିଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ରାଜପଥ ନିର୍ମାଣ ସହରାଞ୍ଚଳର ଉନ୍ନତି ଗମନାଗମନର ସୁବିଧା, ଗ୍ରାମାଞ୍ଚଳରେ ସହରଭଳି ଆନୁଷଙ୍ଗିକ ସୁବିଧା ସୁଯୋଗର ପ୍ରବର୍ତ୍ତନ ସ୍ୱଚ୍ଛଭାରତର ଅଂଶରୁପେ ପ୍ରତି ଘରକୁ ଶୌଚାଳୟ ଯୋଗାଇ ଦେଇ ମହିଳାମାନଙ୍କର ସ୍ୱାଭିମାନର ସୁରକ୍ଷା, ଗରୀବ ସୀମାରେଖାତଳେ ଥିବା ମହିଳାମାନଙ୍କୁ ମଗଣାରେ ଜାଳେଣୀ ଗ୍ୟାସ ଯୋଗାଇଦେଇ ସେମାନଙ୍କ ସ୍ୱାସ୍ଥ୍ୟରକ୍ଷା ସହିତ ସେମାନଙ୍କର ସମ୍ମାନ ବୃଦ୍ଧି ସହିତ ଷ୍ଟାର୍ଟ ଅଫ ଓ ଷ୍ଟାଣ୍ଡ ଅଫ ଜରିଆରେ ଉଚ୍ଚ ଶିକ୍ଷିତ ଦଳିତ ଓ ଆଦିବାସୀମାନଙ୍କୁ ନିଜସ୍ୱ ଶିଳ୍ପ ପ୍ରତିଷ୍ଠା ପାଇଁ ଅକଳ୍ପନୀୟ ଅବସର ସୃଷ୍ଟି ପ୍ରଭୃତି କାର୍ଯ୍ୟକ୍ରମ ଜରିଆରେ ସାଧାାରଣ ଜନତାଙ୍କର ଜୀବନଧାରଣର ମାନବୃଦ୍ଧିରେ ମୋଦି ସରକାର ସମର୍ଥ ହୋଇଛନ୍ତି। ବିଜେପି ଏବେ ଭାରତର ରାଜନୀତି କ୍ଷେତ୍ରରେ ଏକ ବିକାଶ ଓ ପରିବର୍ତ୍ତନର ପ୍ରତୀକ ରୁପେ ପ୍ରତିଷ୍ଠା ଲାଭ କରିଛି।

(ଏହି ଲେଖାଟି ଲେଖକଙ୍କ ନିଜସ୍ୱ ମତ)

Leave a Reply

Your email address will not be published. Required fields are marked *