ଜୁଲାଇରୁ ଜାମ୍ମୁତାୱି-ରାଉରକେଲା ଏକ୍ସପ୍ରେସ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ

ସମ୍ବଲପୁର, ୨୯/୫ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ରେଳବାଇର ନିର୍ଦ୍ଦେଶରେ ଜାମ୍ମୁତାୱି-ମୁରି-ରାଉରକେଲା ଏକ୍ସପ୍ରେସ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବାକୁ ଯାଉଛି। ଆସନ୍ତା ଜୁଲାଇ ମାସରୁ ଏହି ଟ୍ରେନ୍ ସମ୍ବଲପୁର ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ଦିଲ୍ଲୀ ସୂତ୍ରରୁ ଜଣାପଡ଼ିଛି। ଏତଦ୍ୱାରା ସମ୍ବଲପୁର ତଥା ଆଖପାଖ ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଲୋକେ ଏଲାହାବାଦ ସହିତ ସିଧାସଳଖ ଟ୍ରେନ୍ ସମ୍ପର୍କ ପାଇଁ ବହୁ ଦିନରୁ ଦାବି କରି ଆସୁଥିଲେ। ଏ ନେଇ ବାରମ୍ବାର ଦାବିପତ୍ର ପ୍ରଦାନ,  ରେଳ ବିଭାଗ ମନ୍ତ୍ରୀ ଏବଂ ଉଚ୍ଚାଧିକାରୀମାନଙ୍କ ସହିତ ଆଲୋଚନା, ଧାରଣା ଏବଂ ଅନ୍ୟାନ୍ୟ ଆନ୍ଦୋଳନାତ୍ମକ ପଦକ୍ଷେପ ଗୃହୀତ ହୋଇ ଆସିଥିଲା। ବିଭିନ୍ନ ସମୟରେ ସମ୍ବଲପୁର ରେଳମଣ୍ଡଳର ଅଧିକ୍ଷକଗଣ ମଧ୍ୟ ପ୍ରସ୍ତାବ ପଠାଇବା ସହିତ ବ୍ୟକ୍ତିଗତ ସ୍ତରରେ ଏଥିପାଇଁ ଉଦ୍ୟମ କରିଆସିଥିଲେ। ବିଶେଷ କରି ବର୍ତ୍ତମାନର ସମ୍ବଲପୁର ଡିଆରଏମ୍ ଦୀନେଶ କୁମାର ସିଂହ ମଧ୍ୟ ଲଗାତାର ଉଦ୍ୟମ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ରେଳବାଇ ଆବଶ୍ୟକତା ନେଇ କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ଚିଠି ଲେଖିବା ସମୟରେ ଏକାଧିକବାର ଏଲାହାବାଦ ସହିତ ସମ୍ବଲପୁରର ସିଧାସଳଖ ଟ୍ରେନ୍ ସମ୍ପର୍କ ପାଇଁ ଅନୁରୋଧ ଜଣାଇଥିଲେ। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଏବଂ ଅନ୍ୟମାନେ ମଧ୍ୟ ଏଥିପାଇଁ ଉଦ୍ୟମ କରିଥିଲେ। ସମ୍ବଲପୁର ଏବଂ ବରଗଡ଼ ସାଂସଦ ମଧ୍ୟ ଉଦ୍ୟମକାରୀଙ୍କ ମଧ୍ୟରେ ଅଗ୍ରଣୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଅନୁରୋଧ ଜଣାଇବା ପରେ ରେଳ ମନ୍ତ୍ରଣାଳୟ ଟ୍ରେନର ସମ୍ପ୍ରସାରଣ ପାଇଁ ପଦକ୍ଷେପ ନେଇଛନ୍ତି। ଖୁବ ଶୀଘ୍ର ଝାରସୁଗୁଡ଼ା-ସମ୍ବଲପୁର ଟ୍ରେନ୍ ଲାଇନର ବିଦ୍ୟୁତକରଣ କାର୍ଯ୍ୟ ସମାପିତ ହେବ ଏବଂ ଏହି ଲାଇନ ଦେଇ ଇଲେକ୍ଟ୍ରିକ୍ ଇଞ୍ଜିନ ଯୁକ୍ତ ଜାମ୍ମୁତାୱି ଏକ୍ସପ୍ରେସ ଧାବମାନ ହେବ ବୋଲି ଦିଲ୍ଲୀ ସୂତ୍ରରୁ ମିଳିଥିବା ସୂଚନାରୁ ପ୍ରକାଶ।

ଟ୍ରେନ୍ ର ସମ୍ପ୍ରସାରଣ ଦ୍ୱାରା ସମ୍ବଲପୁର-ଝାରସୁଗୁଡ଼ା ଏବଂ ଆଖପାଖ ଅଞ୍ଚଳ ବାସିନ୍ଦା ଏଲାହାବାଦ, ଦିଲ୍ଲୀ ଏବଂ ଜାମ୍ମୁ ପାଇଁ ସବୁଦିନିଆ ଟ୍ରେନ୍ ପାଇପାରିବେ। ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର ଅଞ୍ଚଳବାସୀ ସେମାନଙ୍କର ଆତ୍ମୀୟସ୍ୱଜନଙ୍କ ଆବର୍ତ୍ତମାନରେ ଅନ୍ତିମ ଶୁଦ୍ଧିକ୍ରିୟା ଏବଂ ଅସ୍ଥି ବିସର୍ଜନ ପ୍ରୟାଗରାଜ ଏଲାହାବାଦ ଠାରେ କରିଥାନ୍ତି। ତେବେ ସିଧାସଳଖ ଟ୍ରେନ୍ ସୁବିଧା ବିନା ସ୍ଥାନୀୟ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ମୃତ୍ୟୁକାଳୀନ ଶୋକାକୁଳ ପରିସ୍ଥିତିରେ ଲୋକଙ୍କୁ ଦୟନୀୟ ଭାବରେ ଟ୍ରେନ୍ ବଗିର ଚଟ୍ଟାଣରେ ଶୋଇ ଦୀର୍ଘପଥ ଯାତ୍ରା କରିବାକୁ ପଡ଼ିଥାଏ। ସବୁଦିନିଆ ଟ୍ରେନ୍ ର ଉପଲବ୍ଧିତା ଲୋକଙ୍କ ଦୁଃଖକୁ ଅନେକାଂଶରେ ଲାଘବ କରିବ। ଦିଲ୍ଲୀ ଯାତ୍ରା ପାଇଁ ଲୋକଙ୍କୁ ଏକ ସବୁଦିନିଆ ବିକଳ୍ପ ଉପଲବ୍ଧ ହେବା ସହ ବୈଷ୍ଣୋଦେବୀ ଏବଂ କାଶ୍ମୀର ଯାତ୍ରାପାଇଁ ମଧ୍ୟ ଏହି ଟ୍ରେନ୍ ଲୋକଙ୍କ ସକାଶେ ସହାୟକ ହେବ। ତେଣୁ ସମ୍ବଲପୁର ଅଞ୍ଚଳ ପାଇଁ ଏହା ରେଳବାଇର ଏକ ବଡ଼ ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ।

ପ୍ରତ୍ୟେକ ଦିନ ୧୮୧୦୯ ରାଉରକେଲା – ଜାମ୍ମୁତାୱି ଏକ୍ସପ୍ରେସ ୧୧ଟା ୩୫ରେ ରାଉରକେଲାରୁ ଯାତ୍ରାରମ୍ଭ କରିଥାଏ। ଦ୍ୱିତୀୟ ଦିନ ସକାଳ ୮ଟା ୪୦ରେ ଟ୍ରେନ୍ ଏଲାହାବାଦରେ ପହଞ୍ଚିଥାଏ। ତୃତୀୟ ଦିନ ୧ଟା ୪୫ରେ ଜାମ୍ମୁ ଷ୍ଟେସନରେ ଟ୍ରେନ୍ ପହଞ୍ଚେ। ଏହି ଟ୍ରେନ୍ ଯଦି ସମ୍ବଲପୁରରୁ ପ୍ରାୟ ୩ ଘଣ୍ଟା ପୂର୍ବରୁ ଯାତ୍ରାରମ୍ଭ କରି ରାଉରକେଲାରୁ ସେହି ପୁରୁଣା ସମୟ ସାରଣୀକୁ ଜାରି ରଖିବ ତେବେ ଯାତ୍ରୀ ଏଲାହାବାଦରେ ସକାଳ ୮ଟା ୪୦ରେ ପହଞ୍ଚି ସିଧା ଗଙ୍ଗାଘାଟକୁ ଯାଇ ଶୁଦ୍ଧିକ୍ରିୟା କାର୍ଯ୍ୟ କରିପାରିବେ। ୧୮୧୧୦ ଜମ୍ମୁତାୱି-ମୁରି- ରାଉରକେଲା ଟ୍ରେନ୍ ପ୍ରତ୍ୟେକ ଦିନ ୧୪.୨୦ରେ ଜାମ୍ମୁରୁ ଯାତ୍ରାରମ୍ଭ କରେ। ଦ୍ୱିତୀୟ ଦିନ ୧୫.୩୨ରେ ଏଲାହାବାଦରେ ପହଞ୍ଚେ ତଥା ତୃତୀୟ ଦିନ ୧୪.୦୫ରେ ରାଉରକେଲାରେ ପହଞ୍ଚିଥାଏ। ଏଥିରେ ଆଉ ପ୍ରାୟ ୩ ଘଣ୍ଟା ମିଶାଇଲେ ଟ୍ରେନ୍ ସମ୍ବଲପୁରରେ ପ୍ରାୟ ୧୭.୦୦ ଅର୍ଥାତ୍ ଅପରାହ୍ନ ୫ଟା ଆଡ଼କୁ ପହଞ୍ଚିବ।

Leave a Reply

Your email address will not be published. Required fields are marked *