ଓଡିଶାର ଜନଜୀବନରେ ପଣା ସଂକ୍ରାନ୍ତି

– ଦେବବ୍ରତ ଦେବତା

ବୈଦିକ ଯୁଗରୁ ଅଦ୍ୟାବଧି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମୁନି ଋଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମ୍ମାନ ଓ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଚେତନାଶୀଳ ମଣିଷର ସତେ ଯେମିତି ଏହା ବିଧି ବିଧାନ। ବାହ୍ୟ ଔପଚାରିକାତାର ପରିବର୍ତ୍ତନ ଘଟୁଥିଲେ ମଧ୍ୟ ଆତ୍ମାର ପରିବର୍ତ୍ତନ ଘଟି ନାହିଁ। ପ୍ରାଦେଶିକ ସ୍ତରରେ ବିଭିନ୍ନ ଭାଷା ଭାଷୀ ଲୋକଙ୍କ ଚାଲି ଚଲଣ, ବେଶଭୂଷା, ଧାର୍ମିକ ଭାବନା, ଆହାର ପାନୀୟ, ଆଚାର ବିଚାରରେ ଭିନ୍ନତା ପରିଲକ୍ଷିତ ହୁଏ। ଗ୍ରହ, ନକ୍ଷତ୍ର, ତିଥୀ, ବାରକୁ ଲକ୍ଷକରି ସମାଜରେ ବିଭିନ୍ନ ଜାତି, ଧର୍ମ ଓ ସଂପ୍ରଦାୟରଲୋକେ ଭିନ୍ନ ଭିନ୍ନ ପର୍ବ ପର୍ବାଣୀ ଓ ବ୍ରତ, ଓଷା ପାଳନ କରିଥାନ୍ତି। ଓଡିଆ ମାନଙ୍କର ବାରମାସରେ ତେରପର୍ବ ନ୍ୟାୟରେ ବର୍ଷର ବିଭିନ୍ନ ସମୟରେ ଭିନ୍ନଭିନ୍ନ ଧାର୍ମିକ କାର୍ଯ୍ୟ ମାନ ସଂପାଦନ କରିବା ଦେଖାଯାଇଥାଏ।

ଓଡିଆ ନବବର୍ଷ ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନରୁ ଆରମ୍ଭ ହୋଇଥାଏ। ଏହାକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ବିଷୁବରେଖା ଉପରେ ସୂର୍ଯ୍ୟଙ୍କର ସ୍ଥିତି ଯୋଗୁ ପ୍ରଚଣ୍ଡ ଗ୍ରୀଷ୍ମତାପ ସହ ଗୁଳୁଗୁଳି ଅନୁଭୂତ ହୁଏ। ଖରାରୁ ରକ୍ଷା ପାଇବା ପାଇଁ ଦହିପଣା, ଛତୁଆ, ତରୁଭୁଜ.ଫୁଟିକାକୁଡି, ଲସି, ଲେମ୍ବୁପାଣି, ବେଲପଣା ଆଦିକୁ ଓଡିଆ ଲୋକେ ନିଜନିଜର ତୃଷା ମେଣ୍ଟାଇଥାନ୍ତି। ସାଧାରଣ ଲୋକଙ୍କ ପାଇଁ ଏହା ପଣା ସଂକ୍ରାନ୍ତି ନାମରେ ଖ୍ୟାତି।

ଏ ଦିନରେ ସୂର୍ଯ୍ୟଙ୍କୁ ଓ ନାରାୟଣଙ୍କୁ ଜଳ ଅର୍ପଣ କରାଯାଏ। ଚଉଁରା ଉପରେ ବସନ୍ତରା ଠୋକି ବା ଛୋଟ କଳସ ତଳେ କ୍ଷୁଦ୍ର କଣା କରି ଗବ ଡାଙ୍ଗରେ ଛକି କରି ଠେକି ବାନ୍ଧି ପାଣି ଭର୍ତ୍ତି କରାଯାଏ ଓ ବୃନ୍ଦାବତୀଙ୍କ ମଥା ଉପରେ, ଏହା ଟଙ୍ଗାଇ ଦିଆଯାଏ। ବିନ୍ଦୁ ବିନ୍ଦୁ ଜଳ ଟୋପା ପଡିଲେ ବୃନ୍ଦାବତୀ ଓ ତୁଳସୀ ବୃକ୍ଷ ତୃପ୍ତ ହୁଅନ୍ତି। ନାରାୟଣଙ୍କ ଜଳ ସହିତ ନିବିଡ ସଂପର୍କ ହେତୁ ଜଳଧାରାରେ ହିଁ ମା ବୃନ୍ଦାବତୀ ତୃତ୍ପୀ ଲାଭ କରିଥାନ୍ତି। ବେଶାଖ ମାସ ସାରା ଜଳ ପୂର୍ଣ୍ଣ କରି ରଖାଯାଏ। ବୈଶାଖ ଏକ ପବିତ୍ର ମାସ। ମେଷ ସଂକ୍ରାନ୍ତିରୁ ଏ ମାସ ଆରମ୍ଭ ହୁଏ। ପ୍ରତି ବର୍ଷ ଏପ୍ରିଲ ୧୪ ସମୟେ ସମୟେ ୧୩ କିମ୍ବା ୧୫ ମଧ୍ୟରେ ଏହା ପଡିଥାଏ।

ଓଡିଶାର ଜନଜୀବନରେ ପଣା ସଂକ୍ରାନ୍ତି ଏକ ପ୍ରମୁଖ ଧାର୍ମିକ ସ୍ଥାନ ବଜାୟ ରଖିଛି। ଏହି ଦିନ ଠାରୁ ବେଶାଖ ବ୍ରତ ଆରମ୍ଭ କରାଯାଏ। ଜଳଛତ୍ର ଦାନ କରି ପୂଣ୍ୟ ଅର୍ଜନ କରାଯାଏ। ପାଟୁଆ ଯାତ୍ରା ଯଥା ଘଣ୍ଟ ପାଟୁଆ, କଣ୍ଟାପାଟୁଆ, ଖଣ୍ଡାପାଟୁଆ, ଦଣ୍ଡପାଟୁଆ ଇତ୍ୟାଦି ମାନସିକ କରାଯାାଏ ଓ ମାନସିକ ଧାରୀ କଷ୍ଟ କରି ଉପବାସ କରି ବ୍ରତ ଉଦଯାପନ କରିଥାଏ। ଏ ଦିନ ମଧ୍ୟ ଝାମୁ ଯାତ୍ରା ଆରମ୍ଭ ହୁଏ। ଜଳନ୍ତା ରଡ ନିଆଁରେ ଭନ୍ତ ଖାଲି ପାଦରେ ଚାଲି ଚାଲି ଯାଏ କଳସ ଯାତ୍ରା, ଚାଙ୍ଗୁଡାକୁଡା ପର୍ବମଧ୍ୟ ଏ ଦିନ ମାନଙ୍କରେ ପାଳନ କରାଯାଇଥାଏ।

ବୈଶାଖ ମାସ ଏକ ପବିତ୍ର ମାସ। ଦେବୀ ପୀଠ ଓ ଶୈବ ମାନଙ୍କରେ ସ୍ୱତନ୍ତ୍ର ଉତ୍ସବମାନ ଅନୁଷ୍ଠିତ ହୁଏ। ବୈଶାଖ ବ୍ରତ କରିପାରିଲେ ମହାପୂଣ୍ୟ ଅର୍ଜନ କରାଯାଏ। ଧର୍ମଶାଳା ଅନ୍ତର୍ଗତ ଶିଙ୍ଗାପୁର ଠାରେ ପଣାସଂକ୍ରାନ୍ତି ଯାତ୍ରା ପାଞ୍ଚଦିନ ବ୍ୟାପି ପାଳନ କରାଯାଏ। ନାରାୟଣ ଗୋସାଇଁ ର୍ବେସାରା ଜଳଭିତରେ ପୁଷ୍କରଣୀ ମଧ୍ୟରେ ବୁଡି ରହିଥାନ୍ତି। ତାଙ୍କୁ ପୂଜାଅର୍ଚ୍ଚନା କରି ସର୍ବସାଧାରଣଙ୍କ ଦର୍ଶନ ପାଇଁଜଳ ମଧ୍ୟରୁ ବାହାରକୁ ଅଣାଯାଇଥାଏ। ଉଦୟଗିରି ଓ ରତ୍ନଗିରିଠାରେ ମହାକାଳ/ମହାକାଳୀ ପୀଠରେ ଚାଙ୍ଗୁଡା, ବୁଡାପର୍ବ ଅନୁଷ୍ଠିତ ହୁଏ। ଡାଲାରେ ଆମ୍ବକଷି ଲଗା ଡାଳ ଓ ପୂଜା ସାମଗ୍ରୀମାନ ନେଇ ପୂଜକ ଚାଙ୍ଗୁଡା ପୂଜା କରିଜଳରେ ବୁଡାଇଥାଏ। ଏ ଆମ୍ବକଷୀ ବନ୍ଧ୍ୟା ନାରୀ ମାନେ ନେଇ ଖାଇଲେ ସେମାନେ ସନ୍ତାନ ସମ୍ଭବ ହୁଅନ୍ତି ବୋଲି ଧର୍ମ ବିଶ୍ୱାସ ରହିଛି। ଓଡିଶାରେ ମଠ ବାଡି ମାନଙ୍କରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ ମାନ ଆୟୋଜନ କରାଯାଇଥାଏ। ଶ୍ରୀ ମନ୍ଦିରରେ ମଧ୍ୟ ପଣା ସଂକ୍ରାନ୍ତି ପାଳନ କରାଯାଇଥାଏ।

ଏ ଦିନଟିରେ ସଙ୍କଟମୋଚନ ଶ୍ରୀ ହନୁମାନ ଜନ୍ମ ଗ୍ରହଣ କରିଥିବାରୁ ହନୁମାନ ଜୟନ୍ତୀ ମନ୍ଦିର ମାନଙ୍କରେ ପାଳନ କରାଯାଇ ଯଜ୍ଞ ନାମ ସଂକୀର୍ତ୍ତନ ଇତ୍ୟାଦି ଭକ୍ତ ମାନଙ୍କ ଦ୍ୱାରା ଆୟୋଜନ କରାଯାଇଥାଏ। ଆମ୍ବ, ପଣସ, ତରଭୂଜ, ଫୁଟିକାକୁଡି ପ୍ରଭୃତି ଏ ମାସରେ ବହୁଳ ପରିମାଣରେ ମିଳିଥାଏ। ମହାବିଷୁବ ସଂକ୍ରାନ୍ତିରେ ଓଡିଶାର ପୂରପଲ୍ଲୀରେ ମନ୍ଦିର, ମଠାଦିରେ ସ୍ୱତନ୍ତ୍ର ଉତ୍ସବ ଓ ଆଧ୍ୟତ୍ମିକ କାର୍ଯ୍ୟମାନ ଅନୁଷ୍ଠିତ ହୁଏ। ଗ୍ରୀଷ୍ମର ରୌଦ୍ରତାପକୁ ଭୃକ୍ଷେପ ନ କରି ଭକ୍ତ ମାନେ କଷ୍ଠକର ବ୍ରତ ଓ ମାନସିକ କରିଥାନ୍ତି।

ପ୍ରଜାତନ୍ତ୍ର ପ୍ରଚାର ସମିତି କଟକ ଠାରେ ବିଷୁବ ମିଳନ କବିତା ଆସର ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଷୁବ ମିଳନ କବିତା ପାଠୋଉତ୍ସବ ଓ ବନ୍ଧୁ ମିଳନ ମାନ ଅନୁଷ୍ଠିତ ହୁଏ। ପଣା ସଂକ୍ରାନ୍ତି ଓଡିଆ ଧର୍ମଧାରଣାରେ ଏକ ପବିତ୍ର ଦିବସ।କୁହାଯାଏ ବୈଶାଖ ମାସ ଠାରୁ ମାସ ନାହଁ, ଜହ୍ନରାତି ଠାରୁ ରାତି ନାହଁ। ଓଡିଆ ନବବର୍ଷର ପଞ୍ଜିକା ଏଦିନ ଠାରୁ ଆରମ୍ଭ ହୁଏ।

ବୈଶାଖ ବ୍ରତ ପାଳନ କଲେ କୋଟି ଜନ୍ମର ପୂଣ୍ୟ ଅର୍ଜନ କରାଯାଏ ବୋଲି ବିଶ୍ୱାସ ଅଛି। ଅତଏବ ଓଡିଆ ମାନଙ୍କର ଚିନ୍ତା ଚେତନାଓ ଧର୍ମ ଧାରଣାରେ ପଣାସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଆସିଛି। ଆଧ୍ୟତ୍ମିକ ଚେତନା ଆଧୁନିକତା ଦ୍ୱାରା ହ୍ରାସ ପାଇଥିଲେ ହେଁ କୋଟି କୋଟି ପରମ୍ପରା ରକ୍ଷକ ମଣିଷ ହୃଦୟରେ ଏବେ ମଧ୍ୟ ଏ ଦିନଟିର ବିଶେଷତ୍ୱ ସବୁରୀ ହୃଦୟକୁ ଆଛାଦିତ କରି ରଖିଛି।

ସଂପାଦକ
ସାଧନାର ସ୍ୱରୁପ
ଖରମଙ୍ଗୀ, ବଡଚଣା, ଯାଜପୁର

Leave a Reply

Your email address will not be published. Required fields are marked *