ଉପକୂଳ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ଉତ୍ତାପ

ବାଲେଶ୍ୱର,୨୨/୫ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି) : ପଶ୍ଚିମ ଓଡ଼ିଶା ଭଳି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଗତ କିଛିଦିନ ଧରି ବର୍ଦ୍ଧିତ ଗ୍ରୀଷ୍ମ ପ୍ରକୋପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି। ପଶ୍ଚିମାଞ୍ଚଳ ଜିଲ୍ଲାମାନଙ୍କରେ ଗ୍ରୀଷ୍ମ ଉତ୍ତାପ ବୃଦ୍ଧି ପାଇ ୪୪/୪୫ ଡିଗ୍ରୀରେ ପହଞ୍ଚିଥିବା ବେଳେ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାରେ ମଧ୍ୟ ୩୯ ଡିଗ୍ରୀ ଟପିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଗ୍ରୀଷ୍ମ ଉତ୍ତାମ ସାଙ୍ଗକୁ ହୁ୍ୟମୁଡିଟି ୭୦ ଡିଗ୍ରୀରେ ପହଞ୍ଚିବା ଯୋଗୁଁ ଅଗ୍ନିବର୍ଷା ଭଳି ଲୋକେ ଅନୁଭବ କରୁଛନ୍ତି। ଘୁର୍ଣ୍ଣଝଡ଼ ଓ କାଳବୈଶାଖୀ ହେଉଥିଲେ ମଧ୍ୟ ଏହି ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ତେବେ ଗରମ ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ଦିନବେଳେ ରାସ୍ତାଘାଟ ବେଶ୍ ନିଛାଟିଆ ଦେଖଯାଉଥିଲା। ଖରାବେଳେ ଲୋକଙ୍କ ଚଳ ପ୍ରଚଳ ହ୍ରାସ ପାଇଥିବା ବେଳେ ନିହାତି କାର୍ଯ୍ୟ ନଥିଲେ ଲୋକେ ଘରୁ ବାହାରୁ ନାହାନ୍ତି। ଅନ୍ୟପକ୍ଷରେ ଟାଣଖରାରେ ଥଣ୍ଡା ପାନୀୟ, ଆଖୁରସ, ତରଭୁଜ, ପଇଡ଼, ଲସି ଦୋକାନ ପ୍ରଭୃତିରେ ଲୋକଙ୍କ ଭିଡ଼ ହେଉଛି। ସମ୍ପ୍ରତି ଜିଲ୍ଲାର ସ୍କୁଲ କଲେଜ୍ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ସକାଳେ ହେଉଥିବାରୁ ମଧ୍ୟାହ୍ନରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସହର ବଜାର ସମ୍ପୂର୍ଣ୍ଣ ଫାଙ୍କା ଦେଖାଯାଉଛି। ଗ୍ରୀଷ୍ମ ପ୍ରକୋପକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅତ୍ୟଧିକ ଜଙ୍ଗଲ କ୍ଷୟ ଓ ଆଶାନୁରୂପକ ବୃକ୍ଷରୋପଣ ନ ହେବା, ବ୍ୟତୀତ ପକ୍କାଘର ସଂଖ୍ୟା ବୃଦ୍ଧି, କଳାକାରଖାନା ସଂଖ୍ୟା ବୃଦ୍ଧି ସାଙ୍ଗକୁ କଂକ୍ରିଟ ରାସ୍ତା ନିର୍ମାଣ ଉତ୍ତାପ ବୃଦ୍ଧିର ମୁଖ୍ୟ କାରଣ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *