ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନେକ ନୂତନ ସ୍ବାସ୍ଥ୍ୟ ସେବା ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର ୭-୪ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ନିର୍ମଳ, ସୁନେତ୍ର, ସଂପୂର୍ଣ୍ଣ ସୁରକ୍ଷା କବଚ, ସହାୟ ଆଦି ଅନେକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି।

ଆଜି ସଚିବାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଗୁଡିକର ଶୁଭାରମ୍ଭ କରିଥିଲେ।

ନିର୍ମଳ ଯୋଜନା:
ନିର୍ମଳ ଯୋଜନାରେ ସ୍ଵାସ୍ଥ୍ୟ ସେବା ଅନୁଷ୍ଠାନ ଗୁଡିକରେ ସ୍ୱଚ୍ଛ ପରିବେଶ ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ବାର୍ଷିକ ୧୨୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

ସୁନେତ୍ର ଯୋଜନା:
ସୁନେତ୍ର ଜରିଆରେ ସାର୍ବଜନୀନ ଚକ୍ଷୁ ସ୍ଵାସ୍ଥ୍ୟ ସେବା ଆରମ୍ଭ କରାଯାଇଛି। ବାର୍ଷିକ ୧୨୦ କୋଟି ଟଙ୍କା ବ୍ୟୟରେ ଏହି ଯୋଜନାରେ ଭିଜନ କ୍ଲିନିକ୍ ମାଧ୍ୟମରେ ବିନା ମୂଲ୍ୟରେ ସେବା ପ୍ରଦାନ କରାଯିବ।

ସଂପୂର୍ଣ୍ଣ ସୁରକ୍ଷା କବଚ ଯୋଜନା:
ସଂପୂର୍ଣ୍ଣ ସୁରକ୍ଷା କବଚ ଯୋଜନାରେ ମା ଓ ନବାଗତ ଶିଶୁ ମାନଙ୍କୁ ବିଭିନ୍ନ ଅତ୍ୟାବଶକ ସାମଗ୍ରୀର କିଟ୍ ଯୋଗାଇ ଦିଆଯିବ। ବାର୍ଷିକ ୬୯ କୋଟି ଟଙ୍କା ବ୍ୟୟ ବରାଦରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ଷକୁ ୫.୫୦ ଲକ୍ଷରୁ ଅଧିକ ମା ଓ ନବଜାତ ଶିଶୁ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସହାୟ ଯୋଜନା:
ସହାୟ ଯୋଜନା ମାଧ୍ୟମରେ ମାଗଣା ଡାଏଲିସିସ୍ ସେବା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାଲେଶ୍ବର, ବଲାଙ୍ଗୀର ଜିଲ୍ଲା ହସ୍‌ପିଟାଲ ଓ କ୍ୟାପିଟାଲ ହସ୍‌ପିଟାଲରେ ଏହି ସେବା ଆରମ୍ଭ ହୋଇଥିବା ବେଳେ, ଅନ୍ୟ ଜିଲ୍ଲା ଗୁଡିକରେ ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ବର୍ଷକୁ ୧୦ କୋଟି ଟଙ୍କା ବ୍ୟୟ ହେବ।

ଶିଶୁମାନଙ୍କ ପୁଷ୍ଟିସାଧନ ଥଇଥାନ କେନ୍ଦ୍ର ଗୁଡିକରେ ଭର୍ତ୍ତି ହୋଇଥିବା ମା ଓ ଶିଶୁ ମାନଙ୍କ ରହଣୀକୁ ପ୍ରୋତ୍ସାହିତ କରିବା ପାଇଁ ମା ମାନଙ୍କ ଭତ୍ତା ପରିମାଣ ୫୦ ଟଙ୍କାରୁ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ନିଦାନ ଯୋଜନା ଜରିଆରେ ଅତ୍ୟାଧୁନିକ ଡାଇଗ୍ଲାଷ୍ଟିକ୍ ସେବା ଓ ସିଟି ସ୍କାନ ଆଦି ସେବା ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *