ad
ଓଡ଼ିଶା

ପ୍ରଥମ ସୁବାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ପାଇଲା ଏନଡିଆରଏଫ ଅଷ୍ଟମ ବାଟାଲିଅନ

ପୁରସ୍କାର ସ୍ୱରୁପ ଦିଆଯିବ ପ୍ରମାଣପତ୍ର, ୫୧ ଲକ୍ଷ ଟଙ୍କାର ଅର୍ଥରାଶି

ନୂଆ ଦିଲ୍ଲୀ ୨୩-୧ (ଓଡ଼ିଆ ପୁଅ) ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ନୂତନ ପୁରସ୍କାର ଗଠନ କରିଛନ୍ତି। ଏହାର ନାମ ରଖାଯାଇଛି ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର। ପ୍ରତି ବର୍ଷ ଜାନୁଆରୀ ୨୩ ତାରିଖ ଦିନ ନେତାଜୀ ଜୟନ୍ତୀ ପାଳନ ଅବସରରେ ଏହି ପୁରସ୍କାର ଘୋଷଣା କରାଯିବ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ କାଳରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷ ସ୍ୱେଚ୍ଛାକୃତ ଭାବେ ନେପଥ୍ୟରେ ଅଶେଷ ଉଲ୍ଲେଖନୀୟ କାର୍ଯ୍ୟ କରିଥାନ୍ତି, ଯାହାକି ବିପର୍ଯ୍ୟୟ ପ୍ରଭାବିତ ଅଂଚଳ ତଥା ପ୍ରଭାବିତ ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ପ୍ରଶମନ କରିବାରେ ଅନେକ ମାତ୍ରାରେ ସହାୟକ ହୋଇଥାଏ। ଏଭଳି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ନିଃସ୍ୱାର୍ଥପର ସେବା ଓ ସମାଜ ପ୍ରତି ଅନବଦ୍ୟ ଅବଦାନ ଅନେକ ସମୟରେ ଲୋକଲୋଚନକୁ ଆସିନଥାଏ କି ସ୍ୱୀକୃତ ହୋଇନଥାଏ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଃସ୍ୱାର୍ଥପର ସେବା କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଲାଗି ରାଷ୍ଟ୍ରୀୟ ପୁରସ୍କାର ଗଠନ ସକାଶେ ପରାମର୍ଶ ଦେଇଥିଲେ।

ବିପର୍ଯ୍ୟୟ ପରିଚାଳନା ଯଥା – ପ୍ରଶମନ, ପ୍ରତିରୋଧ, ପ୍ରାକ୍-ପ୍ରସ୍ତୃତି, ଉଦ୍ଧାର, ରିଲିଫ କାର୍ଯ୍ୟ, ତ୍ୱରିତ କାର୍ଯ୍ୟାନୁଷ୍ଠାନ, ପୀଡିତଙ୍କ ଥଇଥାନ, ବିପର୍ଯ୍ୟୟ ପୂର୍ବାନୁମାନ ସଂକ୍ରାନ୍ତ ଗବେଷଣା ଓ ନବସୃଜନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଂସ୍ଥା ଓ ନାଗରିକମାନେ ଏହି ପୁରସ୍କାର ଲାଗି ଯୋଗ୍ୟ ବିବେଚିତ ହେବେ। ଚଳିତ ୨୦୧୯ ମସିହାର ପ୍ରଥମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଲାଗି ୧୯ ଡିସେମ୍ବର ୨୦୧୮ରୁ ପ୍ରଚାର କାର୍ଯ୍ୟ ଚାଲିବା ସହ ନାମାଙ୍କନ ଦାଖଲ ପାଇଁ ଆହ୍ୱାନ କରାଯାଇଥିଲା। ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା ୭ ଜାନୁଆରୀ ୨୦୧୯। ଏହି ସମୟ ଭିତରେ ପୁରସ୍କାର ଲାଗି ବିପୁଳ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହେବା ସହ ୩୦୦ ନାମାଙ୍କନ ମିଳିଛି।

୨୦୧୯ ମସିହା ପାଇଁ ଘାଜିଆବାଦସ୍ଥିତ ରାଷ୍ଟ୍ରୀୟ ବିପର୍ଯ୍ୟୟ କାର୍ଯ୍ୟାନୁଷ୍ଠାନ ବାହିନୀ (ଏନଡିଆରଏଫ)ର ଅଷ୍ଟମ ବାଟାଲିଅନ ପ୍ରଥମ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଲାଗି ଯୋଗ୍ୟ ବିବେଚିତ ହୋଇଛି। ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସେବା ପାଇଁ ଏନଡିଆରଏଫର ଅଷ୍ଟମ ବାଟାଲିଅନକୁ ଏହି ସମ୍ମାନ ମିଳିଛି। ପୁରସ୍କାର ସ୍ୱରୁପ ଏକ ପ୍ରମାଣ ପତ୍ର ଏବଂ ୫୧ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ।

– ଏନଡିଆରଏଫର ଅଷ୍ଟମ ବାଟାଲିଅନ ୨୦୦୬ରେ ଗଠନ କରାଯାଇଥିଲା। ଏହି ୟୁନିଟ ଜାତୀୟ ରାଜଧାନୀ ଅଂଚଳ ନୂଆଦିଲ୍ଲୀ, ଉତରାଖଣ୍ଡ, ପଶ୍ଚିମ ଉତରପ୍ରଦେଶ ଏବଂ ହରିଆନା ଅଂଚଳ ପାଇଁ କାର୍ଯ୍ୟରତ।

– ବର୍ତମାନ ସୁଦ୍ଧା ଅଷ୍ଟମ ବାଟାଲିଅନ ପ୍ରାକୃତିକ ବିପର୍ଯ୍ୟୟ ଜନିତ ୩୧୪ଟି ପ୍ରମୁଖ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫୦ହଜାରୁ ଅଧିକ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିଛି। ସଂପ୍ରତି କେରଳ ବନ୍ୟାରେ ଉଦ୍ଧାର କାର୍ଯ୍ୟରେ ଯୋଗଦେଇ ଏହି ବାଟାଲିଅନ ୫୩୩୮ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିବା ସହ ୨୪ ହଜାର ପ୍ରଭାବିତଙ୍କୁ ନିରାପଦ ସ୍ଥାନକୁ ନେଇଥିଲେ। ୨୦୧୧ ମସିହାର ଲେହ ବାଦଲ ଫଟା ବର୍ଷା ବିତ୍ପାତ, ୨୦୧୩ ମସିହାରେ କେଦାରନାଥ ବନ୍ୟା ଓ ଭୂସ୍ଖଳନ, ୨୦୧୪ର ହୁଡ୍ହୁଡ୍ ବାତ୍ୟା, ୨୦୧୫ର ଚେନ୍ନାଇ ବନ୍ୟା ଏବଂ ୨୦୧୮ର ତ୍ରିପୁରା ବନ୍ୟାରେ ଏନଡିଆରଏଫ ଅଷ୍ଟମ ବାଟାଲିଅନ ଉଲ୍ଲେଖନୀୟ ସେବା ପ୍ରଦାନ କରିଛନ୍ତି। ଏହା ଛଡା ୨୦୧୦ ମସିହାରେ ଦିଲ୍ଲୀର ମାୟାପୁରୀ ଅଂଚଳରେ ବିକିରଣ ଜନିତ ଦୁର୍ଘଟଣା ପ୍ରଶମନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ।

– ୨୦୧୫ ମସିହାର ନେପାଳ ଭୂମିକମ୍ପ ପରେ ଏହି ବାଟାଲିଅନର ୬ଟି ଦଳ ପ୍ରଥମ କରି କାଠମାଣ୍ଡୁରେ ପହଂଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ। ଏପରିକି ଅଷ୍ଟମ ବାଟାଲିଅନ ଜାପାନରେ ୨୦୧୧ ମସିହାରେ ଘଟିଥିବା ଫୁକୁସୀମା ଦାଇଚି ପରମାଣୁ ପ୍ରକଳ୍ପ ବିପର୍ଯ୍ୟୟ ଘଟଣା ଏବଂ ୨୦୧୮ର ଇଣ୍ଡୋନେସିଆ ସୁନାମୀ ବିପର୍ଯ୍ୟୟ ବେଳେ ନିଜର ସେବା ପ୍ରଦାନ କରିଛନ୍ତି।

– ଏସବୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବ୍ୟତୀତ ଏନଡିଆରଏଫ ଅଷ୍ଟମ ବାଟାଲିଅନ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଏନସିସି, ବେସାମରିକ ପ୍ରତିରକ୍ଷା, ଗୃହରକ୍ଷୀ, ନେହେରୁ ଯୁବକେନ୍ଦ୍ର ସଂଗଠନ ଏବଂ ନେପାଳ ପୁଲିସକୁ ନିୟମିତ ପ୍ରଶିକ୍ଷଣ ଦେଇଆସୁଛି। ସେହିଭଳି ଅଷ୍ଟମ ବାଟାଲିଅନର ଗୋଷ୍ଠୀଭିତିକ ସାମର୍ଥ୍ୟ ସୃଷ୍ଟି କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣ ଯୋଗୁ ଏ ପର୍ଯ୍ୟନ୍ତ ୯ ଲକ୍ଷ ଲୋକ ଉପକୃତ ହୋଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top