ଗୋଟିଏ ଆପ୍ ମାଧ୍ୟମରେ ମିଳିବ ସହରାଞ୍ଚଳର ମୌଳିକ ସେବା – ତୁରନ୍ତ ସେବା ଯୋଗାଣ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୭-୭-୧୭ (ଓଡ଼ିଆ ପୁଅ) ଏକକ ମୋବାଇଲ ଆପ୍ ମାଧ୍ୟମରେ ରାଜ୍ୟର ପ୍ରମୁଖ ସହରାଞ୍ଚଳ ମାନଙ୍କରେ ସମସ୍ତ ମୌଳିକ ସେବା ମିଳିପାରିବ। ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ ଓ ନଗର ଉନ୍ନୟନ ବିଭାଗର ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ଗତକାଲି ଅପରାହ୍ନରେ ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଶାସନ ସଚିବ ଶ୍ରୀ ଜି.ମାଥିଭାଥାନନ୍ ବିଭିନ୍ନ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ।

ନିକଟରେ ଜିଲ୍ଲାପାଳ ମାନଙ୍କ କର୍ମଶାଳାରୁ ମିଳିଥିବା ନିର୍ଯ୍ୟାସ ଅନୁଯାୟୀ କେତେକ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ଏହି ଆପ୍ ରେ କରାଯିବ ବୋଲି ମଧ୍ୟ ଶାସନ ସଚିବ ଶ୍ରୀ ମାଥିଭାଥାନନ୍ ସୂଚନା ଦେଇଥିଲେ। ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଆପ୍ ପ୍ରସ୍ତୁତି କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ନାଗରିକ ମାନଙ୍କୁ ଉଦ୍ଧିଷ୍ଟ ସେବା ଯୋଗାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କାର୍ଯ୍ୟ ନିର୍ବାହୀ ବୈଷୟିକ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୩ରୁ ୪ ମାସ ମଧ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା ପାଇଁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ଓଡ଼ିଶାର ପ୍ରମୁଖ ସହରାଞ୍ଚଳ ଗୁଡିକ ପାଇଁ ଏକକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ନାଗରିକ ମାନେ ବିଭିନ୍ନ ପ୍ରକାର ସେବା ପାଇଁ ଆବେଦନ କରିପାରିବେ ଯାହାକି ସେମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଳିପାରିବ। ଜନ୍ମ ଓ ମୃତୁ୍ୟ ପ୍ରମାଣପତ୍ର, ନୂଆ ଜଳ ଯୋଗାଣ ସଂଯୋଗ, ବ୍ୟବସାୟ ଅନୁମତି (ଟ୍ରେଡ୍ ଲାଇସେନ୍ସ୍ ), ରାସ୍ତା ଆଲୋକିକରଣ, ରାସ୍ତା ନିର୍ମାଣ ଓ ମରାମତି, ନାଳ, ନର୍ଦ୍ଦମା ଓ ପରିମଳ ପରିଚାଳନା ଆବର୍ଜନା ସଂଗ୍ରହ, ସାଧାରଣ ଶୌଚାଳୟର ରକ୍ଷଣାବେକ୍ଷଣ ଆଦି ସେବା ନିମନ୍ତେ ନାଗରିକ ମାନେ ଏହି ମୋବାଇଲ୍ ଆପ୍ ମାଧ୍ୟମରେ ଆବେଦନ କରିପାରିବେ। ସେବା ଯୋଗାଣ ସମ୍ବନ୍ଧିତ ସମୟ ଅବଧି ମଧ୍ୟ ସେମାନଙ୍କୁ ଏହି ଆପ୍ ମାଧ୍ୟମରେ ଜଣାଇଦିଆଯିବ। ଏଥି ପାଇଁ ସମସ୍ତ ପ୍ରକାର ଦସ୍ତାବିଜ୍ ଏବଂ ତଥ୍ୟକୁ ସଦ୍ୟତନ କରି ବୈଷୟିକ କୌଶଳ ପ୍ରୟୋଗ ଉପଯୋଗୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା, ଗୃହ ନିର୍ମାଣ ଅନୁମତି ଏବଂ ବିଲଡିଂ ପ୍ଲାନ୍ ଅନୁମୋଦନ, ନାଗରିକ ଯୋଗାଯୋଗ କାର୍ଯ୍ୟକ୍ରମ, ମାର୍କେଟ୍ କମ୍ପ୍ଲେକସ୍, ଭେଣ୍ଡିଂ ଯୋନ୍, କଲ୍ୟାଣ ମଣ୍ଡପ ସେବା ଆଦି ମଧ୍ୟ ଏହି ମୋବାଇଲ୍ ଆପ୍ ମାଧ୍ୟମରେ ମିଳିପାରିବ।

ଓ୍ୱାର୍ଡ ସ୍ତରରେ ଜଳ ଯୋଗାଣ ପରିଚାଳନା, ଅଭିଯୋଗର ସମାଧାନ, ଜଳ ଦେୟ ଆଦାୟ, ବେଆଇନ୍ ସଂଯୋଗ ବାବଦରେ ସୂଚନା ସଂଗ୍ରହ ଆଦି କାର୍ଯ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସାମିଲ କରିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ଗୋଷ୍ଠୀ ମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମ, ସଂପୃକ୍ତି ଏବଂ ନିର୍ଭରଶୀଳତା ଆଦିକୁ ଅନୁଶୀଳନ କରି ଏହି କାର୍ଯ୍ୟରେ ସେମାନଙ୍କୁ ସାମିଲ କରିବା ନିମନ୍ତେ ନିତୀଗତ ନିଷ୍ପତ୍ତି ହୋଇଥିଲା। ନାଗରିକ ମାନଙ୍କ ନିମନ୍ତେ ପ୍ରତ୍ୟେକ ସହରାଞ୍ଚଳରେ ହେଲ୍ପ୍ଲାଇନ୍ ଟେଲିଫୋନ୍ ବ୍ୟବସ୍ଥା କରିବା ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।

ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରେମ କୁମାର ଝା, ପୌରାଞ୍ଚଳ ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ୍ ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *