ମା’ ଲକ୍ଷ୍ମୀ ପିନ୍ଧିଲେ ସୁନାର କିରିଟ

ପୁରୀ, ୧୯/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଧନଧାନ୍ୟର ଦେବୀ ମାଲକ୍ଷ୍ମୀ ଠାକୁରାଣୀଙ୍କ ମସ୍ତକରେ ଶୋଭା ପାଉଛି ନୂତନ ସୁନା କିରିଟ। ବୁଧବାର ପବିତ୍ର ଅକ୍ଷୟ ତୃତୀୟା ତିଥୀରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଏହି ନୂତନ କିରିଟ ଲାଗି କରାଯାଇଛି। ଏହାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା କୁହାଯାଉଥିବା ବେଳେ ଜଣେ ଦାତା ଦାନ ସୂତ୍ରରେ ପ୍ରଦାନ କରିଥିବା ଆଲୋଚନା ହେଉଛି। ସୁନା କିରିଟର ଓଜନ ୭୫୫ ଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହୋଇଥିବା କୁହାଯାଇଛି। ଏହି କିରିଟ ୨ ଥାଙ୍କିଆ ବିଶିଷ୍ଟ ହୋଇଛି। ପଛପାଶ୍ୱରେ କିରଣ ରହିଥିବା ବେଳେ ସମ୍ମୁଖ ଭାଗରେ କିରଟ ରହିଛି। ଏହି କିରଟରେ ଲାଲ, ସବୁଜ ଓ ଧଳା ରଙ୍ଗର ରତ୍ନ ପଥର ଖଚିତ ହୋଇଛି। ବଳମ୍ବରେ ହେଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ମାନଙ୍କ ପାଇଁ ଏହି କିରିଟ ପ୍ରସ୍ତୁତ କରିଥିବାରୁ ଏହାକୁ ସେବକମାନେ ସ୍ୱାଗତ କରିଛନ୍ତି। ପ୍ରକାଶ ଯେ ଗତ ଭାଦ୍ରବ ମାସରେ ମାଲକ୍ଷ୍ମୀ ଠାକୁରାଣୀଙ୍କ ସୁନା କିରିଟ ଦୁର୍ବଳ ହୋଇଥିବା ଜଣାପଡିଥିଲା। ଏହିପରି କି ଦିନେ ମାଙ୍କ ମସ୍ତକରୁ ଖସି ତଳେ ପଡିଯାଇଥିଲା। ଏହାପରେ ଲକ୍ଷ୍ମୀ ମନ୍ଦିରର ପୂଜକ ମାନେ ଶ୍ରୀମନ୍ଦିର କମାଣ୍ଡରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଲିଖିତ ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ। ପରବର୍ତି ସମୟରେ ମା’ଙ୍କ କିରିଟ ଦୁର୍ବଳ ହୋଇଥିବାରୁ ବାହାର କରାଯାଇ ରଖାଯାଇଥିଲା। ଏହିପରି କି ମାର୍ଗଶୀର ମାସ ଗୁରୁବାର ମା’ କିରିଟ ବିହୀନ ହୋଇ ରହିଥିଲେ। ଏହାକୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୂରାଣ କିରିଟକୁ ସଜାଡି ମା’ଙ୍କ ମସ୍ତକରେ ଲଗାଯାଇଥିଲା। ମହାଲକ୍ଷ୍ମୀ ମନ୍ଦିର ଶ୍ରୀମନ୍ଦିର ପ୍ରଶାସନ କତୃତ୍ୱରେ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଥିଲେ। ଏହାକୁ ନେଇ ସେତେବେଳେ ବିବାଦୀୟ ପରିସ୍ଥିତ ଉପୁଜିଥିଲା। ଏ ପ୍ରସଙ୍ଗର ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ମୀମନ୍ଦିରର ସେବାୟତ ମାନଙ୍କୁ ନେଇ ଏକ ବୈଠକ ଡାକିଥିଲେ। ମନ୍ଦିର ପରିଚାଳନା ନେଇ ଏକ ବ୍ୟବସ୍ଥାବଳି ପ୍ରସ୍ତୁତ କରାିବାକୁ ସ୍ଥିର ହୋଇଥିଳା। ପରବର୍ତି ସମୟରେ ଲକ୍ଷ୍ମୀଙ୍କ ମନପ୍ଦିରରେ ରହିଥିବା ମାଙ୍କ ସିନ୍ଦୁକ ଯାଚଂ କରାଯାଇ ସୁନା ଅଳଙ୍କାର ତାଲିକା ପ୍ରସ୍ତୁତ କରାଯାଉଥିଳା। ଖୁବ ଶିଘ୍ର ସୁନା କିରିଟ ନିର୍ମାଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଗତ ୨ ମାସ ତଳୁ କିରିଟ ଭୁବନେଶ୍ୱର ଏକ ଅଳଙ୍କାର ଦୋକାନରେ ନିର୍ମାଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *