ଅପରାଧ

ପୂର୍ବ ଶତୃତାରୁ ଗୁଳିକାଣ୍ଡ, ଯୁବକ ଗୁରୁତର

କୋରାପୁଟ; ତା୧୫-୦୪-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପୂର୍ବ ଶତୃତାକୁ ନେଇ ବୈପାରିଗୁଡା ଥାନା ଦଣ୍ଡାବାଡି ଗ୍ରାମରେ ରବିବାର କେତେକ ଦୁର୍ବୂତ ଜଣେ ଯୁବକଙ୍କ ଉପରକୁ ଗୁଳି ଚଲାଇଛନ୍ତି। ଦଣ୍ଡାବାଡି ଗ୍ରାମର ଆନନ୍ଦ ନାୟକ ନାମକ ଜଣେ ଯୁବକ ବନ୍ଧୁମାନଙ୍କ ସହ ଗପସପ କରୁଥିବାବେଳେ ଏକ ମୋଟର ସାଇକଲରେ ତିନିଜଣ ଯୁବକ ଆସି ଆନନ୍ଦଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଫୁଟାଇ ପଳାଇ ଯାଇ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରା ଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆନନ୍ଦଙ୍କୁ ଜୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇ ଆଇସିୟୁରେ ଭର୍ତି କରା ଯାଇଛି। ୨୦୧୬ ମସିହା ଶେଷ ଭାଗରେ ତେନ୍ତୁଲିଗୁମାର ପୂର୍ବତନ ସରପଂଚ ଗୋବର୍ଦ୍ଧନ ନାୟକଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସ ସନ୍ଦେହରେ ସେତେବେଳେ ଆନନ୍ଦଙ୍କୁ ଗିରଫ କରିଥିଲା। କିଛି ଦିନ ଜେଲରେ ରହିବା ପରେ ସେ ଜାମୀନରେ ଆସିଥିଲେ। ଗୋବର୍ଦ୍ଧନ ହତ୍ୟା ଘଟଣା ପରେ ଆନନ୍ଦ ମାଓବାଦୀଙ୍କ ଟାର୍ଗେଟକୁ ଆସିଥିଲେ। ୨୦୧୭ରେ ମାଓବାଦୀ ଦଣ୍ଡାବାଡିର ବ୍ୟବସାୟୀ ବାପି ସାମନ୍ତଙ୍କୁ ହତ୍ୟା କରିଥିଲେ, କିନ୍ତୁ ମାଓବାଦୀଙ୍କ ପ୍ରଥମ ଟାର୍ଗେଟରେ ଥିଲେ ଆନନ୍ଦ। ଉକ୍ତ ଦିନ ମାଓବାଦୀ ଆନନ୍ଦଙ୍କୁ ନପାଇ ବାପି ସାମନ୍ତଙ୍କୁ ହତ୍ୟା କରିବା ସହ ଆନନ୍ଦଙ୍କ ନାଁରେ ପୋଷ୍ଟର ମାରି ଚାଲି ଯାଇଥିଲେ। ମାଓବାଦୀ ଧମକ ଭୟରେ ବାପି ସାମନ୍ତ ହତ୍ୟା ପର ଠାରୁ ଆନନ୍ଦ ଫେରାର ଥିବାବେଳେ ଏକମାସ ହେବ ସେ ଗାଁକୁ ଫେରିଥିବା ଜଣା ପଡିଛି। ତାଙ୍କ ସ୍ତ୍ରୀ ଦଣ୍ଡାବାଡିର ନାଏବ-ସରପଂଚ ଥିବାବେଳେ ଆନନ୍ଦ ଠିକାଦାରି କରୁଥିବା ମଧ୍ୟ ସୂଚନା ମିଳିଛି। ଏହା ମାଓବାଦୀ ଉପଦୃତ ଅଂଚଳ ହୋଇଥିବା ଓ ସେ ଠିକାଦାରି କରୁଥିବାରୁ ଗୁଳିକାଣ୍ଡରେ ମାଓବାଦୀଙ୍କ ସମ୍ପୃକ୍ତି ଥାଇ ପାରେ ବୋଲି ଆନନ୍ଦଙ୍କ ଜଣେ ସମ୍ପର୍କୀୟ ଭାଇ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top