୨୦୧୮ ଡିସେମ୍ବର ସୁଦ୍ଧା ସବୁ ପଞ୍ଚାୟତ ମୁଖ୍ୟାଳୟକୁ ପାଇପ ପାନୀୟ ଜଳର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର  ୧୩-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମର ସମୀକ୍ଷା କରି ୨୦୧୮ ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତ ମୁଖ୍ୟାଳୟକୁ ପାଇପ ଦ୍ବାରା ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବାପାଇଁ ନିର୍ଦେଶ ଦେଇଛନ୍ତି।

ବୈଠକରୁ ଜଣାଯାଇଛି ଯେ ରାଜ୍ୟର ୬୮୦୧ ଗ୍ରାମ ପଞ୍ଚାୟତ ମଧ୍ୟରୁ ୫୫୮୬ଟି ଗ୍ରାମପଞ୍ଚାୟତ ମୁଖ୍ୟାଳୟକୁ ଯାଇପ ପାନୀୟ ଜଳଯୋଗାଣର ସୁବିଧା କରାଯାଇଛି। ବାକି ୧୨୧୫ଟି ଗ୍ରାମ ପଞ୍ଚାୟତକୁ ଡିସେମ୍ବର ୨୦୧୮ ସୁଦ୍ଧା ପାଇପ ଜଳ ଯୋଗାଣର ବ୍ୟବସ୍ଥା କରାଯିବ।

ବୈଠକର ସୂଚନା ଅନୁଯାୟୀ ରାଜ୍ୟରେ ଆ’ଶିକ ପାନୀୟ ଜଳ ସୁବିଧା ଥିବା ୪୮,୭୬୬ଟି ଗାଁ ମଧ୍ୟରୁ ୨୬,୧୮୫ଟି ଗାଁକୁ ପାନୀୟ ଜଳ ସମ୍ପୂର୍ଣ୍ଣ ସୁବିଧା ଦିଆଯାଇଛି। ସବୁ ଅଂଶିକ ପାନୀୟ ଜଳ ପାନୀୟ ଜଳର ସୁବିଧା କରାଯାଇଛି।

ସେହିପରି ରାଜ୍ୟର ଖଣି ଅଞ୍ଚଳ ବିକାଶ ନିଗମ (Odisha Mineral Bearing Areas Development Corporation)ର କାର୍ଯ୍ୟକ୍ରମ ମଧ୍ୟ ସମୀକ୍ଷା କରାଯାଇଥିଲା। ରାଜ୍ୟର ୮ଟି ଖଣିଜ ପଦାର୍ଥ ବିଶିଷ୍ଟ ଜିଲ୍ଲା – ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କୋରାପୁଟ ଓ ମୟୁରଭଞ୍ଜରେ ଏହି ନିଗମ ଦ୍ବାରା ଗୃହନିର୍ମାଣ, ପାନୀୟ ଜଳ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ବୈଠକର ଆଲୋଚନା ଅନୁଯାୟୀ ଏହି ଜିଲ୍ଲାମାନଙ୍କରେ ୨୯,୮୨୯ଟି ପକ୍କା ଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି ଏବଂ ୨୦୧୭ ଡିସେମ୍ବର ସୁଦ୍ଧା ସମସ୍ତ ଗୃହନିର୍ମାଣ ସମ୍ପୂର୍ଣ୍ଣ କରାଯିବ। ସେହିପରି ଏହି ଜିଲ୍ଲାମାନଙ୍କରେ ୬୯୧ଟି ଗାଁରେ ୧୯୬ଟି ପାନୀୟ ଜଳ ପ୍ରକଳ୍ପ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ପଞ୍ଚାୟତିରାଜ ବିଭାଗର ସଚିବ, ଗ୍ରାମ ଉନ୍ନୟନ ବିଭାଗ ସଚିବ, ଅନୁସୁଚିତ ଜାତି ଓ ଜନଜାତି ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *