ଓଡ଼ିଶା

ରତ୍ନଭଣ୍ଡାରର ସୁରକ୍ଷା ନେଇ ଓଡ଼ିଆ ଜାତି ବିବ୍ରତ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ କଳାପାହାଡ ମାନସିକତା କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରତ୍ନଭଣ୍ଡାରର ଚାବି ହଜିବା ଓ ଏନେଇ ବିବାଦ ପ୍ରସଙ୍ଗରେ ଟ୍ୱିଟ୍
– ଗତ ଅପ୍ରେଲ ୪ ତାରିଖରେ ରତ୍ନଭଣ୍ଡାରର ସୁରକ୍ଷା ଯାଞ୍ଚ ଦିନଠାରୁ ରତ୍ନଭଣ୍ଡାରର ଚାବି ହଜିବା ସରକାରଙ୍କ ନଜରକୁ ଆସିବା ବେଳେ ଘଟଣାକୁ ଦୀର୍ଘ ଦିନ ଲୁଚାଯାଇଥିଲା କାହିଁକି ?
– ଛୋଟଛୋଟ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ଆସି ବାରମ୍ବାର ବୟାନ ଦିଅନ୍ତି ମାତ୍ର ଓଡିଆ ଭାବାବେଗ ସହ ଜଡିତ ଏହି ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ସନ୍ଦେହର ବାତାବରଣକୁ ଆହୁରି ତୀବ୍ର କରୁଛି।
– ମୁଖ୍ୟ ପ୍ରଶାସକଙ୍କ ଦାୟିତ୍ବରୁ ଅବ୍ୟାହତି ପରେ ଡୁପ୍ଲିକେଟ୍ ଚାବି ମିଳିବା ଲୋକଙ୍କୁ ଆହୁରି ସନ୍ଦେହ ଘେରକୁ ଟାଣିଛି
– ରତ୍ନଭଣ୍ଡାର ଚାବି ନେଇ ରାଜ୍ୟର ଆଇନ ମନ୍ତ୍ରୀ ଓ ପୁରୀ ଜିଲ୍ଲାପାଳଙ୍କ ବୟାନରେ ତାଳମେଳ ନରହିବା ଜନସାଧାରଣଙ୍କ ମନରେ ଆହୁରି ସନ୍ଦେହ ସୃଷ୍ଟି କରିବା ସ୍ୱାଭାବିକ
– ଶ୍ରୀମନ୍ଦିର ପରିଚାଳନା କମିଟିର ମିନିଟ୍ ଓ ଚାବି ନେଇ ପ୍ରଶାସନିକ ତଥ୍ୟ ମଧ୍ୟରେ ପ୍ରଭେଦ ପ୍ରସଙ୍ଗକୁ ଉଠାଇଲେ

ଭୁବନେଶ୍ବର, ୧୪/୦୬ (ଓଡ଼ିଆ ପୁଅ): ଇତିହାସରେ କଳାପାହଡର ଶ୍ରୀମନ୍ଦିର ଉପରେ ଆକ୍ରମଣ ପ୍ରସଙ୍ଗ ଓଡ଼ିଆ ଜାତିର ଭାବପ୍ରବଣତାକୁ ଅପମାନିତ କରିଥିଲା। ଆଜି ଦିନରେ ରତ୍ନଭଣ୍ଡାରର ସୁରକ୍ଷା ଯେତେବେଳେ ସଙ୍କଟରେ ସେତେବେଳେ କେଉଁ କଳାପାହଡ ମାନସିକତା ମୁଖ୍ୟମନ୍ତ୍ରୀଙ୍କୁ ନୀରବ ରହିବା ପାଇଁ ବାଧ୍ୟ କରିଛି ତାହା ମଧ୍ୟ ଓଡିଆ ଜାତିକୁ ବ୍ୟସ୍ତବିବ୍ରତ କରୁଛି ବୋଲି ରତ୍ନଭଣ୍ଡାର ଚାବି ହଜିବା ଓ ଏଥିପାଇଁ ଲାଗି ରହିଥିବା ବିବାଦ ସମ୍ପର୍କରେ ଟ୍ୱିଟ୍ ମାଧ୍ୟମରେ ନିଜର ମତବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ପବିତ୍ର ଶ୍ରୀନ୍ଦିର ଖାଲି ସାଢେ ୪ କୋଟି ଓଡ଼ିଆଙ୍କ ଶ୍ରଦ୍ଧା ଓ ବିଶ୍ବାସର କେନ୍ଦ୍ର ନୁହେଁ ବରଂ ସମଗ୍ର ବିଶ୍ବରେ ପରିବ୍ୟାପ୍ତ ଜଗନ୍ନାଥ ପ୍ରେମୀଙ୍କର ଆସ୍ଥା ଓ ବିଶ୍ୱାସର ଅନନ୍ୟ କେନ୍ଦ୍ର। ରତ୍ନଭଣ୍ଡାରର ଚାବି ହଜିବା ଓ ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ନେଇ ଆଜି ସାଢେ ୪ କୋଟି ଓଡ଼ିଆଙ୍କ ସହ ବିଶ୍ବର ଜଗନ୍ନାଥ ପ୍ରେମୀଙ୍କ ମନ ଆଜି ଆନ୍ଦୋଳିତ।

ଶ୍ରୀ ପ୍ରଧାନ କହିଛନ୍ତି ଗତ ଅପ୍ରେଲ ୪ ତାରିଖରେ ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ରତ୍ନଭଣ୍ଡାରର ସୁରକ୍ଷା ଯାଞ୍ଚ ଦିନଠାରୁ ରତ୍ନଭଣ୍ଡାରର ଚାବି ହଜିବା ସରକାର ଓ ପ୍ରଶାସନର ନଜରକୁ ଆସିଛି। ଦୀର୍ଘ ୨ ମାସ କାଳ ଅତିକ୍ରମ ହୋଇସାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବା ରାଜ୍ୟ ସରକାର ଘଟଣାକୁ ଲୋକଲୋଚନକୁ ଆଣିବା ପରିବର୍ତ୍ତେ ଘଟଣାକୁ ଲୁଚାଇ ରଖୁବା ମହାପ୍ରଭୁଙ୍କ ଭକ୍ତ ମଣ୍ଡଳୀରେ ରତ୍ନଭଣ୍ଡାରର ସମ୍ପତ୍ତିର ସୁରକ୍ଷା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି ଛୋଟଛୋଟ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ଆସି ବାରମ୍ବାର ବୟାନ ଦିଅନ୍ତି। ଶ୍ରୀମନ୍ଦିର ଓ ରତ୍ନଭଣ୍ଡାରର ସୁରକ୍ଷା କୋଟିକୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡିତ। ଏପରି ଏକ ସ୍ପର୍ଶକାତର ପ୍ରସଙ୍ଗ ଯେତେବେଳେ ସମ୍ପୂର୍ଣ୍ଣ ଓଡ଼ିଆ ଜାତିକୁ ରତ୍ନଭଣ୍ଡାରର ସୁରକ୍ଷା ନେଇ ସନ୍ଦେହ ତିଆରି କରୁଛି ସେତେବେଳେ ମୁଖ୍ୟମନ୍ତ୍ରୀଙ୍କର ଦୀର୍ଘଦିନର ନିରବତା ଓଡ଼ିଆଙ୍କ ମନରେ ସନ୍ଦେହର ମାତ୍ରାକୁ ଆହୁରି ଘନୀଭୂତ କରୁଛି।

ଶ୍ରୀ ପ୍ରଧାନ କହିଛନ୍ତି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏଭଳି ଭାବାବେଗ ସହ ଜଡିତ ପ୍ରସଙ୍ଗରେ ପାଟି ଫିଟାଉନାହାନ୍ତି। ଅପରପକ୍ଷରେ ଏହି ଘଟଣା ସାଧାରଣ ଓଡ଼ିଆଙ୍କ ଭାବାବେଗକୁ ପ୍ରଭାବିତ କରିଥିବା ବେଳେ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ବରୁ ମୁକ୍ତ କରାଯାଇଛି। କିଏ ପ୍ରଶାସକ ହେବ ଏହା ସରକାରଙ୍କର ପ୍ରଶାସନିକ ଅଧିକାର।

ମାତ୍ର ରତ୍ନଭଣ୍ଡାରର ଚାବି ହଜିବା ଓ ରତ୍ନଭଣ୍ଡାରର ଧନସମ୍ପତ୍ତିର ସୁରକ୍ଷା ନେଇ ଓଡ଼ିଆ ଜନମାନସ ପ୍ରବଳ ଭାବରେ ଆନ୍ଦୋଳିତ ହେଉଥିବା ବେଳେ ମୁଖ୍ୟ ପ୍ରଶାସକଙ୍କ ବଦଳି ସର୍ବସାଧାରଣରେ ରତ୍ନଭଣ୍ଡାର ଚାବି ଓ ରତ୍ନଭଣ୍ଡାରର ସୁରକ୍ଷା ନେଇ ହୁଏତ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଠାରୁ କିଛି ତଥ୍ୟକୁ ଲୁଚାଇ ରଖୁବାର ଏକ ସୁ ଚିନ୍ତିତ ଷଡଯନ୍ତ୍ର ହୋଇପାରିଥାଏ ବୋଲି ସନ୍ଦେହର କୁହେଳିକା ସୃଷ୍ଟି କରୁଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟରେ କହିଛନ୍ତି। ମୁଖ୍ୟ ପ୍ରଶାସକଙ୍କୁ ବଦଳି ପରେ ଜିଲ୍ଲାପ୍ରଶାସନ ତରଫରୁ ଏ ମଧ୍ୟରେ ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ମିଳିବା ନେଇ ଗଣମାଧ୍ୟମକୁ ଦିଆଯାଇଥିବା ତଥ୍ୟ ଏହା ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସୁରକ୍ଷାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଆହୁରି ସନ୍ଦେହର ମାତ୍ରାକୁ ବୃଦ୍ଧି କରିଛି।

ରତ୍ନଭଣ୍ଡାର ଚାବି ନେଇ ରାଜ୍ୟର ଆଇନ ମନ୍ତ୍ରୀ ଓ ପୁରୀ ଜିଲ୍ଲାପାଳଙ୍କ ବୟାନରେ ତାଳମେଳ ନରହିବା ଜନସାଧାରଣଙ୍କ ମନରେ ଆହୁରି ସନ୍ଦେହ ସୃଷ୍ଟି କରିବା ସ୍ୱାଭାବିକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ମନ୍ଦିର ପରିଚାଳନା କମିଟିର ମିନିଟ୍‌ରେ “୧୯୭୦ ମସିହାରୁ ଆଜି ପର୍ଯ୍ୟନ୍ତ ଭିତର ଭଣ୍ଡାର ଘର ଚାବି ଜମା ରହିବା କିମ୍ବା ପରବର୍ତ୍ତୀ ସମୟରେ ଭିତର ଭଣ୍ଡାର ଖୋଲାଯିବା ସମୟରେ ଟ୍ରେଜେରୀରୁ ଚାବି ଅଣାଯିବାର କୌଣସି ପ୍ରମାଣ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ମାତ୍ର ୧୯୭୦ ମସିହାରୁ ଯଦି ଟ୍ରେଜେରୀରେ ଚାବି ନାହିଁ ତେବେ ୧୯୭୮ ଓ ୧୯୮୫ରେ କେଉଁଠୁ ଚାବି ଆଣି ଭଣ୍ଡାର ଖୋଲାଯାଇଥିଲା ତାହା ସନ୍ଦେହର କୁହେଳିକାକୁ ଆହୁରି ତୀବ୍ର କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ଇଷ୍ଟ। ତାଙ୍କର ଶ୍ରୀମନ୍ଦିରର ସମ୍ପତ୍ତି ସଙ୍କଟରେ ଥିବା ନେଇ ଲୋକ ବିବ୍ରତ ଥିବାବେଳେ ଦୀର୍ଘଦିନରୁ ସବୁ ତଥ୍ୟ ଜାଣିଥିବା ମୁଖ୍ୟମନ୍ତ୍ରୀ କେବେ ପାଟି ଖୋଲିବେ ଓ ସାଢେ ୪ କୋଟି ଓଡ଼ିଆଙ୍କ ମନରେ ଉଠିଥିବା ପ୍ରଶ୍ନର ଉତ୍ତର କେବେ ଦେବେ ତାକୁ ହିଁ ସମସ୍ତଙ୍କ ଅପେକ୍ଷା ବୋଲି ସେ ଟିଟରେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top