କୁନ୍ଦୁଲୀ ଗଣଦୁଷ୍କର୍ମ ପୀଡିତାର ଗାଁ ମୁଷାଗୁଡାକୁ ଯାଇ ପୀଡିତାଙ୍କ ପରିବାରକୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୀଡିତା ନ୍ୟାୟ ନ ପାଇ ଆତ୍ନଗ୍ଲାନିରେ ଆତ୍ମହତ୍ୟା କରିବା ଦୁଃଖଦାୟକ ଘଟଣା – ଧର୍ମେନ୍ଦ୍ର ପ୍ରଧାନ
– ଦୋଷୀ କିଏ ପୋଲିସ ଖୋଜିବା ବଦଳରେ ଫରେନସିକ ଲାବରଟରୀର ରିପୋର୍ଟ କେମିତି ପଦାକୁ ବାହାରିଲା ତାକୁ ନେଇ ଅତ୍ୟାଚାର କରିବାକୁ ବାହାରିଛି
– ପୀଡିତା ପରିବାର ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ରାଜ୍ୟ ସରକାର କାହିଁକି ସିବିଆଇ ତଦନ୍ତ ନିର୍ଦେଶ ଦେଉ ନାହାନ୍ତି ?
ଭୁବନେଶ୍ୱର, ୦୯ ଏପ୍ରିଲ (ଓଡ଼ିଆ ପୁଅ) – କୋରାପୁଟ ଜିଲ୍ଲା କୁନ୍ଦୁଲୀ ଗଣଦୁଷ୍କର୍ମ ପୀଡିତାର ଗାଁ ମୁଷାଗୁଡାକୁ ଯାଇ ପୀଡିତାଙ୍କ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରିବାର ଲୋକଙ୍କୁ ସାକ୍ଷାତ କରିବା ପରେ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ଶ୍ରୀ ପ୍ରଧାନା

ଗଣଦୁଷ୍କର୍ମର ଶୀକାର ହୋଇଥିବା ଜଣେ ପୀଡିତା ନ୍ୟାୟ ନ ପାଇ ଆତ୍ନଗ୍ଲାନିରେ ଆତ୍ମହତ୍ୟା କରିବା ଦୁଃଖଦାୟକ ଘଟଣା ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ଏହା ଓଡିଶା ପାଇଁ ଏକ କଳା ଅଧ୍ୟାୟ। ରାଜ୍ୟରେ ଏକ ଅପାରଗ, ଅତ୍ୟାଚାରୀ, ସ୍ୱେଚ୍ଛାଚାରୀ ଓ ସମ୍ବେଦନହୀନ ସରକାର ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଦୋଷୀ କିଏ ପୋଲିସ ଖୋଜିବା ବଦଳରେ ଫରେନସିକ ଲାବରଟରୀର ରିପୋର୍ଟ କେମିତି ପଦାକୁ ବାହାରିଲା ତାକୁ ନେଇ ଅତ୍ୟାଚାର କରିବାକୁ ବାହାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ରୀୟ ଫୋର୍ସ ହୁଅନ୍ତୁ ବା ମହା କେନ୍ଦ୍ରୀୟ ଫୋର୍ସ ହୁଅନ୍ତୁ କାହାର ଓଡିଆ ଝିଅ ବୋହୁଙ୍କ ଇଜ୍ଜତ ସହ ଖେଳିବାର ଅଧିକାର ନାହିଁ। କେନ୍ଦ୍ରୀୟ ଫୋର୍ସ ଜିଲ୍ଲା ମାନଙ୍କରେ ଏସପିଙ୍କ ଅଧୀନରେ କାମ କରନ୍ତି।

ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର ରାଜ୍ୟ ସରକାର ହିଁ କରି ପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ପୀଡିତାଙ୍କ ଭାଇ ଦିଲ୍ଲୀରେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ସହ ସାକ୍ଷାତ ହୋଇଥିଲା ଓ ସେ ସମୟ ମିଳିଲେ ପରିବାରକୁ ଭେଟିବାକୁ ଆସିବେ ବୋଲି କହିଥିଲୋ

ପୀଡିତାଙ୍କ ମା ଙ୍କ ବୟାନ ପୂର୍ବରୁ ଯାହା ଥିଲା ଏବେ ମଧ୍ୟ ସେଇଆ ରହିଛି ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ କୁନ୍ଦୁଲୀ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆନ୍ଦୋଳନ ଜନ ଆନ୍ଦୋଳନର ରୂପ ନେଇଛି। ଏହା ଘର ଘର ପର୍ଯ୍ୟନ୍ତ ପହଂଚିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *