ଆମ ସଂସ୍କୃତି, କଳା ଓ ଐତିହ୍ୟ

କେନ୍ଦୁଝର ପ୍ରଜାମେଳିର ଅଗ୍ନିଶିକ୍ଷା ବିପ୍ଳବୀ ଧରଣୀଧର ଭୂୟାଁ

– ଶ୍ରୀ ସନାତନ ମହାକୁଡ଼

ତତ୍କାଳୀନ ବ୍ରିଟିଶ ଶାସନାଧୀନ ବିଭିନ୍ନ ଗଡ଼ଜାତମାନଙ୍କରେ ସୁବିଧାବାଦୀ ଦୁର୍ନୀତିଗସ୍ତ ରାଜ କର୍ମଚାରୀମାନଙ୍କ ତୋଷାମଦି ଓ ଇଙ୍ଗିତରେ ଗଡ଼ଜାତ ରାଜା ତଥା ରାଜକର୍ମଚାରୀମାନଙ୍କ ଦ୍ୱାରା ପ୍ରଜାପୀଡ଼ନ, ବେଠି, ବେଗାରୀ ଓ କର ଆଦାୟର ଜୁଲମ୍ ସହିତ ଫାଶୀ ଦଣ୍ଡକୁ ନେଇ ସାଧାରଣ ଲୋକେ ଘୋର ନିର୍ଯାତନାର ଶୀକାର ହେଉଥିଲେ। ସେହି ଅବସ୍ଥା ମଧ୍ୟ କେନ୍ଦୁଝର ଗଡ଼ଜାତର ପ୍ରଜାମାନେ ଭୋଗ କରୁଥିଲେ। ରାଜା ପ୍ରଜାପାଳକ ହେବା ପରିବର୍ତ୍ତେ ପ୍ରଜାପୀଡ଼ନରେ ଲିପ୍ତ ହୋଇ ପ୍ରଜାମାନଙ୍କ ଉପରେ କଠୋର ଦଣ୍ଡବିଧାନ, ବିଭିନ୍ନ ପ୍ରକାର କର ଧାର୍ଯ୍ୟ କରି ତାହା ଆଦାୟ ନିମନ୍ତେ ପ୍ରଜାମାନଙ୍କୁ ନିର୍ମମ ନିର୍ଯାତନା ଦେବା ସହ ସେମାନଙ୍କ ପରିବାରର ଗରିମା କ୍ଷୁର୍ଣ୍ଣ ହେବାଭଳି କାର୍ଯ୍ୟ କରୁଥିବା ବେଳେ କେନ୍ଦୁଝରର ତତ୍କାଳୀନ ରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓ ଓ ତାଙ୍କ ରାଜକର୍ମଚାରୀ ମାନଙ୍କର ପ୍ରଜାମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ସମସ୍ତ ସୀମା ଲଙ୍ଘନ କରିସାରିଥିଲା। କେନ୍ଦୁଝର ପ୍ରଜାମାନେ ଶାନ୍ତ, ସରଳ, ସଚ୍ଚୋଟ, ସ୍ୱାଭିମାନୀ ଓ କଠୋର ପରିଶ୍ରମୀ ହୋଇଥିବା ବେଳେ ଅନନ୍ୟୋପାୟ ହୋଇ ପ୍ରଜାଙ୍କ ଉପରେ ଠେଙ୍ଗାପାଳି, ରସଦ ଯୋଗାଣ, ଅର୍ଥନୈତିକ ଜୁଲମ୍, ରାଜକାର୍ଯ୍ୟରେ ବେଠି ଖଟାଇବା, ଦଣ୍ଡ ଓ ଅତ୍ୟାଚାରକୁ ମଥାପାତି ସହିନେଉଥିଲେ। ସେମାନଙ୍କ ମନ ମଧ୍ୟରେ ରାଜ କର୍ମଚାରୀ ଓ ରାଜାଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଅସନ୍ତୋଷ ସୁପ୍ତ ବିଦ୍ରୋହକୁ ଜାଗ୍ରତ କରିବା ପାଇଁ ଜନସାଧାରଣଙ୍କ ନିକଟରେ ବିକଳ୍ପ ନେତୃତ୍ୱର ଅଭାବ ଥିଲା। ସେହି ନେତୃତ୍ୱ ଗ୍ରହଣ କରିଥିଲେ ବିପ୍ଳବୀ ଧରଣୀଧର ଭୂୟାଁ। ବଣ, ପାହାଡ଼, ପର୍ବତ, ଝରଣା, ନଦୀ, ନାଳ ଘେରା ପ୍ରାକୃତିକ ଶୋଭାରାଜିରେ ବିମଣ୍ଡିତ କେନ୍ଦୁଝର ଜିଲ୍ଲାର କୁସୁମିତା ପଲ୍ଲୀ ଗାଁରେ ଏକ ଆଦିବାସୀ ଭୂୟାଁ ପରିବାରର ପିତା-ଲକ୍ଷ୍ମଣ ନାଏକଙ୍କ ଔରସରୁ ମାତା-ବାଇଗଣୀ ଦେବୀଙ୍କ ଗର୍ଭରୁ କନିଷ୍ଠ ପୁତ୍ର ଭାବେ ୧୮୬୪ ମସିହା, ମଇ ମାସ ୫ ତାରିଖରେ ଜନ୍ମ ନେଇଥିବା ଧରଣୀଧର ନିଜର ଦୃଢ଼ କର୍ତ୍ତବ୍ୟନିଷ୍ଠା, ସାହସୀ ଓ ସଂଗ୍ରାମୀ ଜୀବନ ନେଇ ନିଜ ସାମଗ୍ରୀକ ଜୀବନକୁ ତିଳତିଳ କରି ଦଗ୍ଧକରି ମାନବ ସମାଜର ଉପକାର ପାଇଁ ନିଚ୍ଛକ ଉଦାହରଣ ସୃଷ୍ଟି କରିଯାଇଛନ୍ତି ସେ ହେଉଛନ୍ତି କେନ୍ଦୁଝରର ଗର୍ବ ଓ ଗୌରବ ବରପୁତ୍ର ମହାନ ବିପ୍ଳବୀ ଧରଣୀଧର ନାଏକ (ଧରଣୀଧର ଭୂୟାଁ)। ନିଜ ବାଲ୍ୟ କାଳରୁ ଜଣେ ମେଧାବୀ ଛାତ୍ର ଭାବେ ଗ୍ରାମରେ ପ୍ରାଥମିକ ଶିକ୍ଷା ଶେଷକରି କେନ୍ଦୁଝରଗଡ଼ରେ ମାଧ୍ୟମିକ ଶିକ୍ଷାଲାଭ କରିଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ କଟକସ୍ଥିତ ସର୍ଭେ ଟ୍ରେନିଂ ସ୍କୁଲରେ ମାତ୍ର ୨୩ ବର୍ଷ ବୟସରେ ସର୍ଭେ ଟ୍ରେନିଂ ସ୍ନାତକ ଶିକ୍ଷା ସଫଳତାର ସହ ସମ୍ପନ୍ନ କରିଥିଲେ।

୧୮୮୭ ମସିହାରେ ସର୍ଭେ ତାଲିମ ଶେଷ ହେଲାପରେ ଧରଣୀଧର କେନ୍ଦୁଝର ଗଡ଼ଜାତରେ ସର୍ଭେୟର ଭାବରେ ରାଜ କାର୍ଯ୍ୟରେ ଯୋଗଦାନ କରିଥିଲେ, ଏ ବାବଦ କାର୍ଯ୍ୟପାଇଁ କୌଣସି ବେତନ ବା ପାରିଶ୍ରମିକ ରାଜାଙ୍କ ଠାରୁ ନେଉନଥିଲେ। ମା’ ମାଟି ପାଇଁ କାର୍ଯ୍ୟ କରି ତା ବାବଦରେ କୌଣସି ପାରିଶ୍ରମିକ ନନେବାକୁ ସେ ଦୃଢ଼ ସଂକଳ୍ପ ନେଇଥିଲେ, ଯାହାକି ତାଙ୍କର ଜନ୍ମମାଟି ପ୍ରତି ଥିବା ନିଷ୍ଠା, ଭଲପାଇବା ଓ କର୍ତ୍ତବ୍ୟପରାୟଣତାର ଉଦାହରଣ। ସ୍ୱାଧୀନଚେତା, ସ୍ୱାଭିମାନୀ ଧରଣୀଧର ରାଜକାର୍ଯ୍ୟରେ ନିୟୋଜିତ ଥିବାବେଳେ ତାଙ୍କ ପ୍ରତିଭାକୁ ତତ୍କାଳୀନ ରାଜକର୍ମଚାରୀମାନେ ସହ୍ୟ କରିପାରୁ ନଥିଲେ। ବର୍ଣ୍ଣବୈଷମ୍ୟତା, ହୀନ ଜାତିଭେଦର ଚକ୍ରବ୍ୟୁହରେ ସେ ଦୁର୍ବ୍ୟବହାର, ପାତରଅନ୍ତର ଓ ତାଚ୍ଛଲ୍ୟର କ୍ରମାଗତ ଶୀକାର ହେଉଥିଲେ। ତାଙ୍କ ସମୟରେ ଉପରିସ୍ଥ ଅଧିକାରୀ, ସହକର୍ମୀଙ୍କ ତାଙ୍କପ୍ରତି ଥିବା ହୀନମନ୍ୟତା, କ୍ରମାଗତ ମାନସିକ ଅତ୍ୟାଚାର ସ୍ୱାଭିମାନୀ, ସ୍ୱାଧୀନଚେତା ଧରଣୀଧରଙ୍କୁ ଗଭୀର ମାନସିକ ଆଘାତ ପ୍ରଦାନ କରିଥିଲା। ଯାହାଫଳରେ ସେ ରାଜପଦବୀ ଛାଡିବାକୁ ବାଧ୍ୟ ହୋଇଥିଲେ। ତାଙ୍କ ନେତୃତ୍ୱରେ ରାଜ ଶାସନ ବିରୁଦ୍ଧରେ ଜନସାଧାରଣଙ୍କ ମଧ୍ୟରେ ଦିନକୁ ଦିନ ଯେଉଁ ବିପ୍ଳବର ବହ୍ନି ପ୍ରଜ୍ଜ୍ୱଳିତ ହୋଇଥିଲା ତାହା ବିସ୍ଫୋରକର ରୂପ ନେଇ ୧୮୯୧ ମସିହାରେ ପ୍ରଜା ଆନ୍ଦୋଳନରେ ପରିଣତ ହେଲା। ସେହି ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଥିଲେ ବିପ୍ଳବୀ ଧରଣୀଧର ନାୟକ (ଭୂୟାଁ)। ଯେ କି ମାତ୍ର ୨୭ ବର୍ଷ ବୟସରେ ଏହି ଆନ୍ଦୋଳନରେ ମୁଖ୍ୟ ନେତୃତ୍ୱ ଗ୍ରହଣ କରିଥିଲେ। କେବଳ ଯେ ନେତୃତ୍ୱ ଗ୍ରହଣ କଲେ ତାହାନୁହେଁ ରାଜାଙ୍କ ବିରୋଧରେ ମହା ସଂଗ୍ରାମର ଆହ୍ୱାନ ମଧ୍ୟ ଦେଇଥିଲେ। ଏହି ସଂଗ୍ରାମର କଠୋର ପରିଣତି ବିଷୟରେ ଧରଣୀଧର ସଚେତନ ଥାଇ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ନିଜ ଜନ୍ମ ମାଟିର ସାଧାରଣ ମଣିଷଙ୍କ ପ୍ରତି ହେଉଥିବା ବର୍ବର ଅତ୍ୟାଚାରକୁ ବିରୋଧ କରିବା ସଙ୍ଗେସଙ୍ଗେ ସେମାନଙ୍କୁ ଶୋଷଣମୁକ୍ତ କରିବାକୁ ନିଜକୁ ଏହି ଆନ୍ଦୋଳନରେ ସାମିଲ୍ କରିଦେଇଥିଲେ। ଆନ୍ଦୋଳନର ଆଭିମୁଖ୍ୟ ଥିଲା କେନ୍ଦୁଝର ରାଜ୍ୟରେ ନ୍ୟାୟ ବିଚାର ହେବ, କୌଣସି ପ୍ରଜା ବେଆଇନ ଖଜଣା ଦେବେ ନାହିଁ, କେହି ବେଠି ଖଟିବେ ନାହିଁ ଏବଂ ମାନବିକ ଅଧିକାର କ୍ଷୂର୍ଣ୍ଣ ହେବନାହିଁ ଏବଂ ରାଜକର୍ମଚାରୀଙ୍କ କୌଣସି ବର୍ବର ଅତ୍ୟାଚାର ହେବନାହିଁ ଓ ଶୋଷଣମୁକ୍ତ କେନ୍ଦୁଝର ରାଜ୍ୟ ଗଠନ ହେବ। ଧରଣୀଧରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କେନ୍ଦୁଝର ଜିଲ୍ଲାର ଭୂୟାଁ, ଜୁଆଙ୍ଗ, କୋହ୍ଲ ଆଦି ଆଦିବାସୀ ସମ୍ପ୍ରଦାୟ ସହିତ ସାଧାରଣ ପ୍ରଜାମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ଆନ୍ଦୋଳନକୁ ସଫଳ କଲେ ଏବଂ ଉତ୍ୟକ୍ତ ପ୍ରଜାମାନେ ରାଜବାଟୀକୁ ଅବରୋଧ କରିନେଲେ କିନ୍ତୁ ରାଜାଙ୍କ ତତ୍କାଳୀନ ଦେୱାନଙ୍କ ଚକ୍ରାନ୍ତର ଶୀକାର ହୋଇ ଧରଣୀଧର ଇଂରେଜମାନଙ୍କ ହାତରେ ବନ୍ଦୀ ହୋଇଥିଲେ। ତାଙ୍କ ବିରୋଧରେ ରାଜଦ୍ରୋହ, ଲୁଣ୍ଠନ ଆଦି ଗୁରୁତର ଅପରାଧିକ ମାମଲା ମାନ ରୁଜୁ ହୋଇଥିଲା। ଆନ୍ଦୋଳନର ପୃଷ୍ଠଭୂମି ଓ ଗୁରୁତ୍ୱକୁ ଉପଲବ୍ଧି କରି ତତ୍କାଳୀନ ବ୍ରିଟିଶ ଶାସନର ପ୍ରତିନିଧି ଟୟନବୀ ସାହେବ କେନ୍ଦୁଝର ଆସି ଭୂୟାଁ ପ୍ରଜାମାନଙ୍କୁ ଡକାଇ ସେମାନଙ୍କଠାରୁ ଆପତ୍ତି ଅଭିଯୋଗ ଶୁଣିବା ସହିତ ରାଜା ଓ ରାଜକର୍ମଚାରୀ ମାନଙ୍କ ଅତ୍ୟାଚାରରୁ ପ୍ରଜାଙ୍କୁ ସୁରକ୍ଷା ଦେବାପାଇଁ ଦୃଢ଼ ପ୍ରତିଶୃତି ପ୍ରଦାନ କଲେ। ଏହାସହିତ ଆନନ୍ଦପୁର କଚେରୀରେ ଧରଣୀଧରଙ୍କ ବିରୋଧରେ ଥିବା ମାମଲାର ବିଚାର କରି ତାଙ୍କୁ ୭ବର୍ଷ କଠୋର ସଜ୍ଜାରେ ଦଣ୍ଡିତ କରି ଶୁଣାଣୀ କରାଗଲା। ଦଣ୍ଡାଦେଶ ସଜ୍ଜା ଶୁଣିଲା ପରେ ଧରଣୀଧର ଦୁଃଖରେ ଭାଙ୍ଗି ନ ପଡ଼ି ନିଜ ପ୍ରତିକ୍ରିୟାରେ ସାହସର ସହିତ କହିଥିଲେ ମୋତେ ସଜ୍ଜା ହେଲା ସେଥିରେ ମୋର ଦୁଃଖ ନାହିଁ, ମାତ୍ର କେନ୍ଦୁଝର ପ୍ରଜାମାନେ ଅତ୍ୟାଚାରରୁ ରକ୍ଷାପାଇଲେ ସେଥିରେ ମୁଁ ଆନନ୍ଦିତ। ଏଠାରେ ସନ୍ଥକବି ଭୀମଭୋଇଙ୍କ କବିତା “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ।’’ ଧରଣୀଧରଙ୍କ ତ୍ୟାଗ ଓ କାରାବରଣ ମାଧ୍ୟମରେ ପ୍ରକଟିତ ହୋଇଥିଲା। ଆଜି ମଧ୍ୟ ଦେଶ ସ୍ୱାଧୀନତାର ୭୧ ବର୍ଷ ପରେ କେନ୍ଦୁଝରବାସୀ ଅତ୍ୟାଚାର ମୁକ୍ତ ନୁହଁନ୍ତି। ଖଣି ଓ ଶିଳ୍ପ ପାଇଁ ଜମି, ଜଳ, ଜଙ୍ଗଲ ହରାଇ କେନ୍ଦୁଝରବାସୀ ବେରୋଜଗାରୀ ହେବା ସହ ପ୍ରଦୂଷଣର ଶୀକାର ହେବା ସଙ୍ଗେସଙ୍ଗେ ରୋଗାକ୍ରାନ୍ତ ହୋଇଛନ୍ତି ଏବଂ ଖଣି, ଶିଳ୍ପ ଓ ରେଲୱେ ସାଇଡିଂରେ ଶତପ୍ରତିଶତ ଯାନ୍ତ୍ରିକ ବ୍ୟବହାର କାରଣରୁ ବୃତ୍ତି ହରାଇ କ୍ଷୁଧାର ଜ୍ୱାଳାରେ ଜର୍ଜ୍ଜରିତ ହୋଇ ପିଲାଛୁଆଙ୍କ ସହିତ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି। ପୁରୁଷାନୁକ୍ରମେ ଜଙ୍ଗଲ ଜମି ବ୍ୟବହାର କରି ରହିଥିବା ଆଦିବାସୀ ଓ ଗୋମଇଁଷି ପାଳନ କରୁଥିବା ଗୋପାଳକମାନେ ସେମାନଙ୍କ ଜୀବନ ଜୀବିକା ନିର୍ବାହ କରୁଥିବା ଅଧିକୃତ ଜମିର ପଟ୍ଟା ପାଇବାରୁ ବଞ୍ଚିତ ହୋଇଛନ୍ତି। ଲୋକମାନଙ୍କ ଜୀବନଜୀବିକାର ସୁରକ୍ଷା ସହ କ୍ଷୁଧା ମୁକ୍ତି ପାଇଁ ପୁଣିଥରେ ଧରଣୀଧରଙ୍କ ପଥ ଅନୁସରଣ କରି ଲୋକେ ଖାଦ୍ୟ ନିରାପତ୍ତା ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ଡାକରା ଦେଲେଣି।

ଉତ୍କଳ ମାଟିରେ ଇଂରେଜ ଶାସନ ବିରୋଧରେ ଯେତେସବୁ ଆନ୍ଦୋଳନ ଯଥା-ମହୁରୀ ବିଦ୍ରୋହ, ଘୁମୁସର ବିଦ୍ରୋହ, ପାଇକ ବିଦ୍ରୋହ, ପାରଳା ବିଦ୍ରୋହ, ସିଂହଭୂମି ବିଦ୍ରୋହ, ଅନୁଗୋଳ ବିଦ୍ରୋହ ଓ ସମ୍ବଲପୁର ବିଦ୍ରୋହ ସଂଗଠିତ ହୋଇଥିଲା ତାହା ତତ୍କାଳୀନ ରାଜାମାନଙ୍କ ଇଙ୍ଗିତରେ ହୋଇଥିଲା ବେଳେ ଏକମାତ୍ର କେନ୍ଦୁଝରର ବିଦ୍ରୋହ ପ୍ରଜାଙ୍କ ଦ୍ୱାରା ଓ ପ୍ରଜାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ୧୮୫୭ ସିପାହୀ ବିଦ୍ରୋହ ପରେ ଓ ଭାରତଛାଡ଼ ଆନ୍ଦୋଳନ ପୂର୍ବରୁ କେନ୍ଦୁଝର ପ୍ରଜା ଆନ୍ଦୋଳନ ଥିଲା ଇଂରେଜ ଶାସନ ବିରୋଧରେ ଏକ ବିରାଟ ପ୍ରଜା ଆନ୍ଦୋଳନ ଓ ଏହା ଇଂରେଜ ବିରୋଧରେ ପ୍ରାକ୍ ସ୍ୱାଧୀନତା ଆନ୍ଦୋଳନର ମୂଳଦୁଆ ପକାଇଥିଲା।

କଟକ କାରାଗାରରେ ଧରଣୀଧର ୭ ବର୍ଷ ସଜ୍ଜା କାଟିଲା ପରେ କଟକରେ ରହିବାକୁ ନିଷ୍ପତି ନେଇଥିଲେ ଓ ଆଉକେବେ ନିଜ ଜନ୍ମମାଟି ଓ କର୍ମଭୂମୀ କେନ୍ଦୁଝରକୁ ଫେରି ନଥିଲେ। ରାଜାଙ୍କ ଦ୍ୱାରା ପ୍ରଦତ୍ତ ଭତ୍ତାକୁ ପ୍ରତ୍ୟାଖାନ କଲେ, ଯେଉଁ ଗଡ଼ଜାତ ରାଜ୍ୟ ତାଙ୍କ ଶିକ୍ଷା, ସେବା, ଦକ୍ଷତା, ଆଦର୍ଶ ଓ ମମତାକୁ ସମ୍ମାନ ଦେଲାନାହିଁ, ତାରି ଅର୍ଥରେ ଜୀବନ ବଞ୍ଚିବାକୁ ସେ ପସନ୍ଦ କରିନଥିଲେ। ତାଙ୍କ ଆନ୍ଦୋଳନ କେବଳ କେନ୍ଦୁଝରରେ ସୀମିତ ନଥିଲା, ସେ କଟକରେ ରହିବା ସମୟରେ ତତ୍କାଳୀନ ଦେଶପ୍ରେମୀ ଯୁବନେତୃତ୍ୱ ପଣ୍ଡିତ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ ପ୍ରମୁଖଙ୍କୁ ଜାତୀୟ କଂଗ୍ରେସରେ ମିଶି ଭାରତ ମାତାର ମୁକ୍ତିପାଇଁ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଇ ଦେଇଥିଲେ। ବ୍ୟକ୍ତି ସ୍ୱାଧୀନତା, ମାନବିକ ଅଧିକାର ସୁରକ୍ଷା, ନିଜକୁ ନିଜଦ୍ୱାରା ଶାସନ କରିବାର ଲକ୍ଷ୍ୟ ନେଇ ଉତ୍କଳ ମାଟିରେ ପ୍ରଥମକରି ସଂଗ୍ରାମର ମଞ୍ଜି ବୁଣିଥିବା ଧରଣୀଧର ପରବର୍ତ୍ତୀ ଅବସ୍ଥାରେ ସନ୍ନ୍ୟାସ ଜୀବନ ଗ୍ରହଣକରି କିଛି ଦିନ ଶ୍ରୀକ୍ଷେତ୍ର ପୁରୀରେ ଅବସ୍ଥାନ କରିଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ଆଳି ଗଡ଼ଜାତରେ ଅବସ୍ଥାନ କରିବା ସହ ଅତ୍ୟାଧୁନିକ ପଦ୍ଧତିରେ କୃଷି କାର୍ଯ୍ୟ ସମ୍ପାଦନ ଓ ପ୍ରାକୃତିକ ଚିକିତ୍ସା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରୁଥିଲେ। ଏହି ମହାନାୟକ ୧୯୪୪ ମସିହା ମଇ ମାସ ୧୬ ତାରିଖ ଦିନ ଆଳିଠାରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।

ଏହି ମହାନ ବିପ୍ଳବୀଙ୍କ ସ୍ମୃତିରକ୍ଷା ପାଇଁ କେନ୍ଦୁଝର ବାସୀଙ୍କ ତରଫରୁ ମୋର କ୍ରମାଗତ ଅନୁରୋଧକୁ ରକ୍ଷାକରି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ବିହୀତ ପଦକ୍ଷେପ ଗ୍ରହଣ କରି ରାଜଧାନୀ ଭୁବନେଶ୍ୱରରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିଥିବାରୁ କେନ୍ଦୁଝରବାସୀଙ୍କ ତରଫରୁ ସେମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରୁଅଛି। ତାଙ୍କ ସ୍ମୃତିରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗରେ ଧରଣୀଧର ଭୂୟାଁ ସ୍ମୃତି ଚେୟାର ପ୍ରତିଷ୍ଠା ପୂର୍ବକ ସ୍ନାତକୋତ୍ତର ଶିକ୍ଷା ଓ ଗବେଷଣା ଶିକ୍ଷା ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ସରକାର ବ୍ୟବସ୍ଥା କରିବା ଆବଶ୍ୟକ। ପରିଶେଷରେ ଆଜି ଜନ୍ମ ଦିବସରେ ସେହି ଦିବଂଗତ ମହାନ୍ ବିପ୍ଳବୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱର୍ଗତ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଆଗାମୀ ଯୁବପିଢ଼ି ଧରଣୀଧରଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେଲେ ଏହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କାମନା କରୁଅଛି।

ବିଧାୟକ, ଚମ୍ପୁଆ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top