ଦଣ୍ଡଯାତ୍ରା ଏବଂ ଉତ୍କଳୀୟଙ୍କ ନବବର୍ଷ

– ଏମ୍.ଭି. ରାଓ
ବିଜ୍ଞାନ କହେ, ପୃଥିବୀ ନିଜ ଅକ୍ଷରେ ଘୂରିବା ସହ ସୂର୍ଯ୍ୟ କକ୍ଷରେ ପରିକ୍ରମଣ କରୁଛି। ସୂର୍ଯ୍ୟ ଚତୁଃପାଶ୍ୱର୍ରେ ଘୂରିବାକୁ ପୃଥିବୀକୁ ଏକ ବର୍ଷ ବା ୩୬୫ଦିନ ଲାଗିଥାଏ। ସେହି ଅନୁସାରେ ବର୍ଷକୁ ବାରମାସ ଏବଂ ବାର ରାଶି ବା ସଂକ୍ରାନ୍ତି। ପ୍ରତ୍ୟେକ ରାଶିର ଦୂରତ୍ୱ ଅତିକ୍ରମ କରିବାକୁ ପୃଥିବୀ ଏକ ମାସ ସମୟ ନେଇଥାଏ। ମାସକ ପରେ ପୃଥିବୀ ଅନ୍ୟ ରାଶିରେ ପ୍ରବେଶ କରେ। ପୃଥିବୀ ଏହି ନୂତନ ରାଶିକୁ ପ୍ରବେଶ କରିବା ଦିନକୁ ସଂକ୍ରାନ୍ତି କୁହାଯାଏ। ବାରଟି ରାଶି ମଧ୍ୟରୁ ମେଷ ରାଶି ହେଉଛି ବର୍ଷର ପ୍ରଥମ ରାଶି ବା ସଂକ୍ରାନ୍ତି। ଯେଉଁଦିନ ପୃଥିବୀ ମୀନ ରାଶି ଅତିକ୍ରମ କରି ମେଷ ରାଶିରେ ପ୍ରବେଶ କରେ, ସେହି ଦିନଟି ବର୍ଷର ପ୍ରଥମ ଦିନ ଅର୍ଥାତ୍ ଓଡ଼ିଆ ନବବର୍ଷ। ଏହାକୁ ଅତ୍ୟନ୍ତ ପୁଣ୍ୟପ୍ରଦ ଦିବସଭାବେ ଗଣନା କରାଯାଏ। ପ୍ରଖର ରୌଦ୍ରତାପ ସହିତ ପଣା ସଂକ୍ରାନ୍ତି ଦିନ ନବ ବର୍ଷର ଆଗମନ ଘଟୁଥିବାରୁ ନିଜ ଦେବଦେବୀଙ୍କୁ ଥଣ୍ଡା ପଣା ମାଧ୍ୟମରେ ସନ୍ତୋଷ ପ୍ରଦାନ କରିବାକୁ ଚେଷ୍ଟା କରନ୍ତି ଧର୍ମପ୍ରାଣ ଉତ୍କଳୀୟ।

ଇଂରାଜୀ ବାରମାସ ମଧ୍ୟରେ ଜାନୁଆରୀ ପ୍ରଥମ ମାସ ଏବଂ ଏହାର ପ୍ରଥମ ଦିବସଟି ନବବର୍ଷ। ଖ୍ରୀଷ୍ଟୀୟ ନବବର୍ଷକୁ ଆମ ଲୋକ ଓ ରାଷ୍ଟ୍ର ବେଶ୍ ଧୁମ୍ଧାମରେ ପାଳନ କରି ଥାଆନ୍ତି। ନବବର୍ଷ ଗ୍ରୀଟିଙ୍ଗସ୍ କାଡର଼୍ ବାଣ୍ଟିବା ସହ ମଧ୍ୟ ରାତ୍ରିରେ ନାଚ ଗୀତର ଆସର ବାଣଫୁଟା, ମାଛମାଂସ, ଭୋଜି ସହ ମଜ୍ଜି ଥାଆନ୍ତି। କିନ୍ତୁ ଆମ ନବବର୍ଷରେ ପୂଜାପାଠ, ହୋମଯଜ୍ଞ, ଦାନଧର୍ମ ଓ ଆଧ୍ୟାତ୍ମିକ ଭଜନ ପ୍ରବଚନରେ ଓଡ଼ିଆ ତା’ର ଜୀବନକୁ ଚରିତାର୍ଥ କରିଥାଏ। ଏହା ହିଁ ମହାନ ପାର୍ଥକ୍ୟ।

ଇଂରାଜୀ ବାରମାସ ଭଳି ହିନ୍ଦୁମାନଙ୍କର ମଧ୍ୟ ବାରଟି ମାସ ରହିଛି ଯଥା- ବୈଶାଖ, ଜ୍ୟେଷ୍ଠ…..। ସାଧାରଣତଃ ପୂର୍ଣ୍ଣିମା ପରଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ମାସ ରୂପେ ଗଣନା କରାଯାଏ ଏବଂ ବୈଶାଖ ମାସ ବର୍ଷର ପ୍ରଥମ ମାସ। ଓଡ଼ିଆ ପଞ୍ଜିକା ଗଣନାନୁଯାୟୀ ମେଷ ସଂକ୍ରାନ୍ତି ଓଡ଼ିଆ ନବବର୍ଷର ପ୍ରଥମ ଦିବସ। ନବବର୍ଷ ଦିବସରେ ଉଦ୍ଯାପନ ହେଉଥିବା ମା ଦଣ୍ଡ କାଳୀଙ୍କ ଯାତ୍ରା ଓଡ଼ିଆଙ୍କ ବାରମାସରେ ତେରଯାତ୍ରାର ସର୍ବୋତ୍ତମ ଆଧ୍ୟାତ୍ମିକ ଯାତ୍ରା। ଯେହେତୁ ନବବର୍ଷ ଦିନଠାରୁ ସୂର୍ଯ୍ୟ ବିଷୁବରେଖାରେ ନିକଟବର୍ତ୍ତୀ ହେବାକୁ ଯାଏ, ଆମଦେଶ ଭାରତରେ ସୂର୍ଯ୍ୟର ତାପ ପ୍ରଖରରୁ ପ୍ରଖରତର ଅନୁଭବ ହୁଏ। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୁଅନ୍ତି ବୋଲି କୁହାଯାଏ। ନବବର୍ଷ ଦିନ ପ୍ରତ୍ୟେକ ଦେବଦେବୀଙ୍କ ମନ୍ଦିରରେ ଛତୁଆ ଓ ପଣା ଭୋଗ କରିବା ବିଧି ରହିଛି। ପଡେ଼ାଶୀ, ବନ୍ଧୁବାନ୍ଧବ, ଅତିଥି ଅଭ୍ୟାଗତ ଓ ବ୍ରାହ୍ମଣ ପଣ୍ଡିତଙ୍କୁ ପଣା ଭୋଗ ଦିଆଯାଏ। ତେଣୁ ମହାବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ।

ଇଂରାଜୀ ନବବର୍ଷକୁ ଆମ ଲୋକ ଏବଂ ଦେଶ ମହାଆଡ଼ମ୍ବରରେ ପାଳନ କରନ୍ତି କିନ୍ତୁ ଓଡ଼ିଆ ନବବର୍ଷକୁ ଓଡ଼ିଆ କାହିଁ ସେଭଳି ଉତ୍ସାହ ଓ ଆଡ଼ମ୍ବରରେ ପାଳନ କରିବା ଦୃଶ୍ୟ ହୁଏ ନାହିଁ।

ସତ୍ୟ, ଶିବ ଓ ସୁନ୍ଦର ଏକ ଓ ଅଭିନ୍ନ। ମଣିଷ ହେଉଛି ଅମୃତ ସନ୍ତାନ। ଅମୃତ ପ୍ରାପ୍ତି ତା’ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ। ସତ୍ୟର ପ୍ରତିଷ୍ଠା, ସୌନ୍ଦର୍ଯ୍ୟର ଉପାସନା ଓ ମଙ୍ଗଳକାମନା ତା’ର ଉଦ୍ଦେଶ୍ୟ। ସତ୍ୟ, ଶିବ ଓ ସୁନ୍ଦରର ପ୍ରତୀକ ହେଉଛନ୍ତି ପରମେଶ୍ୱର ଏବଂ ତାଙ୍କରି ଦ୍ୱାରା ସୃଷ୍ଟ ଏ ଭୂଗୋଳ ସତ୍ୟ, ଶିବ ଓ ସୁନ୍ଦରର ସମାହାର। ସତ୍ୟ, ଶିବ ଓ ସୁନ୍ଦରର ପ୍ରତୀକ ପରମାତ୍ମାଙ୍କ ସୃଷ୍ଟି ଅତି ବିଚିତ୍ର ଏବଂ ତାଙ୍କ ଦ୍ୱାରା ସୃଷ୍ଟ ବିରାଟ ଭୂଗୋଳ ମଧ୍ୟରେ ଅମୃତ ୮୪ ସନ୍ତାନ(ମାନବ ) ସର୍ବୋତ୍ତମ। ନିୟତିର ନିୟମ ଏବଂ ଭାଗ୍ୟର ଭାଷା ବଡ଼ ବିଚିତ୍ର ଓ ଅବୋଧ ବେଳେବେଳେ ଅମୃତ ସନ୍ତାନ ପଞ୍ଚଭୂତର ମାୟା ଜାଲରେ ଛନ୍ଦି ହୋଇ ପଥଭ୍ରଷ୍ଟ ହୋଇଯାଏ ଏବଂ ଅଶାନ୍ତ ବାତାବରଣରେ ଉବୁଟୁବୁ ହୋଇ ମନରେ ଶାନ୍ତିରେ ବଞ୍ଚିବାର କାମ୍ୟ ପୋଷଣ କରେ। ସଦାସର୍ବଦା ଶାନ୍ତିର ଅନେ୍ୱଷଣରେ ଥାଏ କିନ୍ତୁ ଶାନ୍ତିପ୍ରାପ୍ତି ତା’ପକ୍ଷେ ଦୁଷ୍ପ୍ରାପ୍ୟ। ଅଶାନ୍ତ ମନକୁ ଶାନ୍ତ କରିବାରେ, ପାପଭରା ମନକୁ ଆଧ୍ୟାତ୍ମିକ ଚିନ୍ତନରେ ଧୌତ କରିବାରେ ଚୈତ୍ର ମାସ ଓଡ଼ିଆ ତଥା ଗଞ୍ଜାମ ଜିଲ୍ଲାବାସୀଙ୍କୁ ବିଶେଷ ସହାୟତା କରିଥାଏ। ଏହା ଏକ ମହାନ୍ ଓ ପୁଣ୍ୟ ମାସ। ଏହି ମାସରେ ସାରା ପରିବେଶରେ ସିଞ୍ଚନ ହୋଇଯାଏ ମଙ୍ଗଳମୟୀ ମା’, ଦଣ୍ଡକାଳୀଙ୍କ କରୁଣାର ବାରିଧାରା। ମା’ ଦଣ୍ଡକାଳୀଙ୍କ ସାନ୍ନିଧ୍ୟ ଦିବ୍ୟାନୁଭୁତିରେ ଧୌତ କରି ଜୀବନ ଧନ୍ୟ କରିବାର ଅବକାଶ ଇଏ।

ମାସର ପ୍ରତି ମଙ୍ଗଳବାରରେ ପ୍ରତିଷ୍ଠିତ ମା’ ମଙ୍ଗଳାରୂପୀ ତାରାତାରିଣୀଙ୍କ ପୀଠରେ ଯାତ୍ରା ପାଳନ କରାଯାଏ। ନବଜାତ ଶିଶୁଙ୍କୁ ମା’ଙ୍କ ପୀଠରେ ମୁଣ୍ଡନ କରାଯାଏ। ମାସର ମଧ୍ୟ ଭାଗରେ ଅର୍ଥାତ ନବବର୍ଷର ତେରଦିନ କିମ୍ବା ଏକୋଇଶ ଦିନ ପୂର୍ବରୁ ମା ଦଣ୍ଡକାଳୀଙ୍କ ଦଣ୍ଡଯାତ୍ରା ଶୁଭାରମ୍ଭ ହୁଏ। ଦଣ୍ଡନାଚ ସମଗ୍ର ଓଡ଼ିଶାର ଶ୍ରେଷ୍ଠ ଲୋକନାଟକ, ଯାହା ଶିବ ଓ ଶକ୍ତିର ଉପାସନା ପାଇଁ ଉଦ୍ଦିଷ୍ଟ। ଓଡ଼ିଶା ଉପକୂଳ ଅଞ୍ଚଳ ତଥା ଅବିଭକ୍ତ ଗଞ୍ଜାମ, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଦଣ୍ଡଯାତ୍ରା ପାଳନ ବିଧି ଅଞ୍ଚଳ ଭେଦରେ ଭିନ୍ନ ହେଲେ ହେଁ ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା ଦଣ୍ଡପୂର୍ଣ୍ଣ ଓ ନିଷ୍ଠାପୂର୍ଣ୍ଣ- ଏଥିରେ ଦ୍ୱିମତ ହେବାର ନାହିଁ। ଇତ୍ୟବସରରେ ଗଞ୍ଜାମ ଜିଲ୍ଲା ପୁର ପଲ୍ଲୀରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇବା ପାଇଁ ବ୍ୟାକୁଳ ହୋଇ ପଡ଼ନ୍ତି। ମା’ଙ୍କ ଦଣ୍ଡୁଆଦଳ ଅନ୍ତତଃ ଥରଟିଏ ଗାଁ ଦେଇ ଚାଲିଗଲେ ଗ୍ରାମବାସୀ କୃତକୃତ୍ୟ ହୋଇପଡ଼ନ୍ତି। ପୁରପଲ୍ଲୀରେ ସରଳ ତଥା ଚଷାକୁଳ କର୍ମବହୁଳ ଓ ସଂସାର ଜଞ୍ଜାଳମୟ ଜୀବନରୁ ପ୍ରାୟ ପନ୍ଦର ଦିନ କାଳ ଅବସର ନେଇ ମା’ ଦଣ୍ଡକାଳୀଙ୍କ କରୁଣାପ୍ରାପ୍ତି ପାଇଁ ବ୍ୟାକୁଳ ହୋଇପଡ଼ନ୍ତି। ଗାଁ ଗାଁରେ ଦଣ୍ଡିଆ ଦଳ ଭ୍ରମଣ କରୁଥିବାବେଳେ ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଭାବନା ଓ ମା’ ଦଣ୍ଡକାଳୀଙ୍କ ଭକ୍ତି ରସରେ ରସାଣିତ ହୋଇ ଥାଆନ୍ତି ଏବଂ ସେମାନଙ୍କୁ ପ୍ରଭାବିତ କରିଥାଏ ମା’ଙ୍କ କରୁଣା।

ଦଣ୍ଡନାଚ ପର୍ବ ପାଳନ ଅନ୍ତରାଳରେ ଏକ ତାତ୍ୱିକ ଉଦ୍ଦେଶ୍ୟ ରହିଛି ଯାହାକି ଆଧ୍ୟାତ୍ମିକ ସମ୍ପର୍କ ଓ ସାମାଜିକ ଚେତନାରେ ଜଡ଼ିତ। ମଣିଷ ପ୍ରାଣରେ ସୃଷ୍ଟି କରେ ଆଧ୍ୟାତ୍ମିକ ଚେତନାର ମଧୁର ଝଙ୍କାର ଏବଂ ଏହି ଅବକାଶରେ ସେ ଭୁଲିଯାଏ ତା’ ଜୀବନର ତିକ୍ତତା। ଅତଏବ ସାମାଜିକ ଜୀବନରେ କର୍ମକ୍ଳାନ୍ତ ଗଞ୍ଜାମବାସୀଙ୍କ ମନରେ କିଛି ସରସତା ଭରିଦେବା କ୍ଷେତ୍ରରେ ଦଣ୍ଡଯାତ୍ରାର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ।

ନବବର୍ଷ ଦିବସଟିକୁ ମେଷ ବା ମହାବିଷୁବ ସଂକ୍ରାନ୍ତି ଓ ପଣା ସଂକ୍ରାନ୍ତି ବ୍ୟତୀତ ଗଞ୍ଜାମ ଜିଲ୍ଲାରେ ମେରୁ ସଂକ୍ରାନ୍ତି କହିଥାନ୍ତି। କାରଣ ଏହି ଦିନ ଦଣ୍ଡୁଆମାନେ ମେରୁଯାତ୍ରା କରି ଦଣ୍ଡଯାତ୍ରା ଉଦ୍ଯାପନ କରନ୍ତି। ସାଧାରଣତଃ ମେରୁସଂକ୍ରାନ୍ତିର ତେର ଦିନ ପୂର୍ବରୁ ଦଣ୍ଡଯାତ୍ରା ଶୁଭାରମ୍ଭ ହୁଏ, ଯାହାକୁ ତେର ଦିନିଆ ଦଣ୍ଡଯାତ୍ରା କୁହାଯାଏ। ଅଳ୍ପ କିଛି ଦଣ୍ଡ ଏକୋଇଶି ଦିନ ପୂର୍ବରୁ ଶୁଭାରମ୍ଭ ହୁଏ। ତାକୁ ଏକୋଇଶି ଦିନିଆ ଦଣ୍ଡ କୁହାଯାଏ। କିଛି ଗ୍ରାମରେ ପନ୍ଦର ଦିନିଆ ଦଣ୍ଡ ଓ ଅଠର ଦିନିଆ ଦଣ୍ଡ ବି ଶୁଭାରମ୍ଭ ହୁଏ।

ସାହିତ୍ୟ କଳା ଓ ସଂସ୍କୃତିର ଗନ୍ତାଘର ରୂପେ ପରିଚିତ ଗଞ୍ଜାମ ଜିଲ୍ଲାରେ ଆବହମାନ କାଳରୁ ପ୍ରଚଳିତ ହୋଇ ଆସୁଛି ଦଣ୍ଡଯାତ୍ରା। ଜୀବନ ମୋକ୍ଷ ପ୍ରାପ୍ତି ପାଇଁ ନିଜ ଶରୀରକୁ ଦଣ୍ଡଦେଇ ଈଶ୍ୱରପ୍ରାପ୍ତି ଆଶା ପୋଷଣ କରି ଆଧ୍ୟାତ୍ମିକ ମହାନୁଭବତା ପାଇଁ ବିଦିତ ନୀତି ନିୟମକୁ ଅତି ନିଷ୍ଠାରସହ ପାଳନ କରାଯାଉଥିବା ଆରାଧନା ହିଁ ଦଣ୍ଡଯାତ୍ରା। ଦଣ୍ଡଯାତ୍ରାରେ ଦୁଇଟି ଉପବିଭାଗ ରହିଛି ଯଥା- (୧) ଭୁକ୍ତାଦଳ (୨) ନାଟୁଆଦଳ। ନିଷ୍ଠା ଓ କଷ୍ଟର ସହିତ ଦଣ୍ଡ ପାଳନ କରନ୍ତି ଭୁକ୍ତାଦଳ। ନାଟୁଆ ଦଳ କେବଳ ଧର୍ମୀୟ ଭାବନା ସହ ଦର୍ଶକଙ୍କ ମନୋରଞ୍ଜନ ପାଇଁ ନାଟକ ପରିବେଷଣ କରନ୍ତି। ଅନୁତାପର ବିଷୟ ଏହିକି, ଅତୀତର ମହାନ ଐତିହ୍ୟ, ଲୋକ ପରମ୍ପରା ଓ ସଂସ୍କୃତିକୁ ନେଇ ସ୍ୱର୍ଗତ ଦଣ୍ଡପାଣିଙ୍କ ଦ୍ୱାରା ଲିଖିତ ଦଣ୍ଡ ପୁରାଣ ଅଧୁନା ବିପଥଗାମୀ ଏବଂ ଏବେ ଲକ୍ଷାଧିକ ଅର୍ଥ ଖର୍ଚ୍ଚ କରି ପାଶ୍ଚାତ୍ୟ କଳାକୁ ଉପସ୍ଥାପନା କରାଯାଉଛି, ଯାହାକି ଆଜିର ପାଶ୍ଚାତ୍ୟ ରଙ୍ଗରେ ରଙ୍ଗିତ ଯୁବ ଜୀବନକୁ ବିଶେଷଭାବେ ମନୋରଞ୍ଜିତ ଆଉ ଅନୁରଞ୍ଜିତ କରୁଛି।

ମାନସିକଧାରା ନିଜ ପରିବାର ଓ ଘରଠାରୁ ଦୂରେଇ ଯାଇ ଦଣ୍ଡଯାତ୍ରାର ଭୁକ୍ତାଦଳ ବା ଦଣ୍ଡ୍ୁଆ ଦଳରେ ସାମିଲ ହୁଏ। ଦଣ୍ଡୁଆମାନେ ଶେଷ ପର୍ଯ୍ୟନ୍ତ ନିରଳସ ଜୀବନଯାପନ କରିବା ସହ ସର୍ବଦା ମା’ ଦଣ୍ଡକାଳୀଙ୍କ ଆଶ୍ରିତ ହୋଇ ରହନ୍ତି। ଦଣ୍ଡୁଆ ଯେଉଁ ଜାତିର ହେଉନା କାହିଁକି ସେ ଋଷିପୁତ୍ରର ମାନ୍ୟତା ପାଇଥାଏ ଏବଂ ପରିବାରଠାରୁ ଦୂରେଇ ରହି ନିରଳସ ଜୀବନସହ ସାତ୍ୱିକ ଆହାର ଗ୍ରହଣ କରିଥାଏ। ଦଣ୍ଡୁଆ ଦଳର ନେତୃତ୍ୱ ନେଉଥିବା ପାଟ୍ଟଭୁକ୍ତା ବା ପାଟ୍ଟଦଣ୍ଡୁଆର ନିର୍ଦ୍ଦେଶାନୁଯାୟୀ ଭୁକ୍ତାମାନେ ଚଳନ୍ତି। ଭୁକ୍ତାମାନେ ନିଶାର୍ଦ୍ଧରେ ମା’ ଦଣ୍ଡକାଳୀଙ୍କ ପ୍ରସାଦ ଅନ୍ନ (କେବଳ ଡାଲମା, ଅରୁଆ ଅନ୍ନ) ଗ୍ରହଣ କରୁଥିବା ବେଳେ ପାଟ୍ଟଦଣ୍ଡୁଆ କେବଳ ଫଳ ଓ ଦୁଗ୍ଧ ଆହାର କରି ନିଷ୍ଠାର ସହ ଦଣ୍ଡୁଆ ଭୁକ୍ତାମାନଙ୍କୁ ପରିଚାଳନା କରିଥାଆନ୍ତି। ଦୁଃଖ କଷ୍ଟରେ ଭାରାକ୍ରାନ୍ତ ଭୁକ୍ତାଙ୍କ ପରିବାର ସଦସ୍ୟ ମଧ୍ୟ ନିଷ୍ଠାରସହ ଜୀବନଯାପନ କରିଥାଆନ୍ତି। ଦଣ୍ଡୁଆ ବା ଭୁକ୍ତାଙ୍କ ସାତ୍ୱିକ ଆହାର ଅତି ସରଳ ଅର୍ଥାତ୍ ଦିନକୁ ଦୁଇଥର (୧) ମଧ୍ୟାହ୍ନରେ ବାଳଭୋଗଧୋବୁଜା ନବାତପାଣି (୨) ପାଣି ଦଣ୍ଡପରେ ଅର୍ଥାତ ଦିବା ୪- ୫ଘଣ୍ଟା ସମୟରେ ପଞ୍ଚାମୃତ, ନବାତ ଓ କଦଳୀ, ନଡ଼ିଆ, ଛେନାରେ ପ୍ରସ୍ତୁତ ରସପଣା ପାନ ଏବଂ ନିଶାର୍ଦ୍ଧରେ କ୍ୱଚିତ୍ ଅରୁଆ ଅନ୍ନ ସହିତ ଡ଼ାଲମା।

ପ୍ରଥମ ଦିନ ମାନସିକଧାରୀ ବା ଦଣ୍ଡୁଆ ନିଜ ପରିବାରଠାରୁ ଦୂରେଇ ଆସି ଗାଁମୁଣ୍ଡ ପୋଖରୀ କୂଳରେ ଥିବା ମା’, କାଳୀଙ୍କ ମନ୍ଦିରରେ ଶରଣାପନ୍ନ ହୁଏ। ସେଠାରେ ସମସ୍ତେ (ଭୁକ୍ତା) ପୋଖରୀରେ ସ୍ନାନ କରନ୍ତେ ମନ୍ତ୍ରଶୁଦ୍ଧି କରାଯାଇଥିବା ପଇତା ପିନ୍ଧନ୍ତି ଏବଂ ଋଷିପୁତ୍ରର ପରିଚୟ ପାଆନ୍ତି। ଏହି ପର୍ବରେ କେବେ ଦିଆସିଲିର ଅଗ୍ନି ବ୍ୟବହାର କରାଯାଏ ନାହିଁ। କାଠକୁ କାଠ ଘସି ଉତ୍ପନ୍ନ ଅଗ୍ନିକୁ ପାଳରେ ନିର୍ମିତ ଚମ୍ପାବରରେ ସଂରକ୍ଷିତ କରି ରଖାଯାଏ। ଯାହାକି ଶେଷ ଦିନ ଅର୍ଥାତ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ନିରବଚ୍ଛିନ୍ନଭାବେ ଜଳୁଥାଏ। ଭୁକ୍ତାମାନଙ୍କ ଦ୍ୱାରା କିଛି ତ୍ରୁଟି ଘଟିଲେ ଚମ୍ପାବରର ଅଗ୍ନି ଲିଭିଯାଏ ଏବଂ ଏହି ଅଗ୍ନିକୁ ପୁନର୍ବାର ଜଳିବା ପାଇଁ ଭୁକ୍ତାମାନେ ଦୋଷକୁ ସ୍ୱୀକାର କରି ପାଟିରେ କୁଟା ଧରି ମା’ ଙ୍କ ପାଦପଦ୍ମରେ ଅଧିଆ ପଡ଼ନ୍ତି। ପରଭା ରୂପରେ ମା’ ଦଣ୍ଡକାଳୀ ଚମ୍ପାବରର ଅଗ୍ନି ରୂପରେ ଭୋଳାନାଥ ଶିବଙ୍କୁ ଧରି ସମସ୍ତ ଭୁକ୍ତା ପିଞ୍ଛବାଡ଼ି ବାନାଧରି ଢେ଼ାଲ, ଝାଞ୍ଜ ଓ ତୂରୀ ବଜାଇ ବାଦ୍ୟର ତାଳେ ତାଳେ ଖାଲି ପାଦରେ ଚାଲି ଚାଲି ଗ୍ରାମ ଭ୍ରମଣ କରିବା ସହ ରାତ୍ରିରେ ଏକ ନିର୍ଜନ ସ୍ଥାନରେ ବିଶ୍ରାମ ନିଅନ୍ତି। ପରଦିନଠାରୁ ପୂର୍ବ ବରାଦି କାର୍ଯ୍ୟକ୍ରମ ଅନୁଯାୟୀ ଗ୍ରାମକୁ ଗ୍ରାମ ବୁଲି ଆରମ୍ଭ ହୁଏ ଦଣ୍ଡ ଯାତ୍ରା।

ସକାଳୁ ସକାଳୁ ମାନସିକଧାରୀଙ୍କ ଗୃହ ସମ୍ମୁଖରେ ପ୍ରଥମେ ମା’ଙ୍କୁ ସ୍ଥାପନା କରି ସଂକଳ୍ପ ପୂଜା ହୁଏ। ଏଠାରେ ବୀଣାକାର ମା’ଙ୍କ ବନ୍ଦନା ଗାନକରି ମାନସିକଧାରୀଙ୍କ ସକଳ ଶୁଭ କାମନା କରି ନୃତ୍ୟ କରିବା ପରେ ଫେରନ୍ତି ଗାଁ ମୁଣ୍ଡ ଆମ୍ବତୋଟା କିମ୍ବା କୌଣସି ମନ୍ଦିର ପ୍ରାଙ୍ଗଣ(ନିର୍ଜନସ୍ଥାନ)କୁ ବିଶ୍ରାମ ପାଇଁ। ଠିକ୍ ମଧ୍ୟାହ୍ନ ଉଦୁଉଦିଆ ଚୈତ୍ରତାପରେ ମା’ଙ୍କୁ ନେଇ ଦଣ୍ଡୁଆମାନେ ହାଜର ହୁଅନ୍ତି ମାନସିକଧାରୀଙ୍କ ଗୃହ ସମୀପରେ। ସେଠାରେ ମା’ଙ୍କୁ ସ୍ଥାପନ କରି ପୂଜା ଆରାଧନା ପରେ ପ୍ରଚଣ୍ଡ ରୌଦ୍ରତାପରେ ତାତିଲା ଦାଣ୍ଡରେ ଦଣ୍ଡୁଆ/ ଭୁକ୍ତାମାନେ ଧୂଳିଦଣ୍ଡ କରନ୍ତି। ଦେବୀଙ୍କ ମନ୍ଦିର ନିର୍ମାଣ, ଜମିରେ ଚାଷ କରିବା, କୂଅ ଖୋଳିବା ଇତ୍ୟାଦି କାର୍ଯ୍ୟ ଅଭିନୟ ମାଧ୍ୟମରେ କିଛି ମନୋରଞ୍ଜନ ସହ ସାମାଜିକ ଚାଲିଚଳନ ଓ ବ୍ୟବସ୍ଥାକୁ ନେଇ ଅତୀତରେ ପ୍ରଚଳିତ ଗଞ୍ଜାମର ଲୋକ ଗୀତ ଓ ଢ଼ଗଢ଼ମାଳୀକୁ ପରିବେଷଣ କରାଯାଏ, ଯାହାକି ସ୍ୱର୍ଗତ ଦଣ୍ଡପାଣିଙ୍କ ଦ୍ୱାରା ଲିଖିତ।

ଧୂଳିଦଣ୍ଡ ସରନ୍ତେ ଦଣ୍ଡୁଆଦଳ ମା’ଙ୍କୁ ନେଇ ଚାଲନ୍ତି ନିକଟ ପୋଖରୀ ଅବା ନଦୀକୁ ପାଣିଦଣ୍ଡ କରିବାକୁ। ପାଣିରେ ବୁଡ଼ି ମୁଠାଏ ମୁଠାଏ ବାଲି ଆଣି ଦଣ୍ଡୁଆମାନେ ଶିବଲିଙ୍ଗ କରି ତୁଠରେ ପୂଜାର୍ଚ୍ଚନା କରନ୍ତି। ପରେ ପରେ ଢେ଼ାଲ, ଝାଞ୍ଜ ବଜାଇ ଆସି ମାନସିକଧାରୀଙ୍କ ଗୃହ ସାମ୍ନାରେ ପୁନର୍ବାର ପୂଜାର୍ଚ୍ଚନା କରି ଗ୍ରାମ ଭ୍ରମଣ କରନ୍ତେ ନିର୍ଦ୍ଧାରିତ ନିର୍ଜନ ସ୍ଥାନକୁ ଯାଇ ବିଶ୍ରାମ ନିଅନ୍ତି ଦଣ୍ଡୁଆ ଦଳ। ସଂଧ୍ୟାରେ ମା’ଙ୍କ ସଂଧ୍ୟାଆଳତୀ ଲାଗି ହୁଏ। ବିନା ରସୁଣ, ପିଆଜ, ତେଲ ଓ ମସଲାରେ ପ୍ରସ୍ତୁତ ଅରୁଆ ଅନ୍ନ ଓ ଡାଲମା ଆହାର ହୁଏ। ଡ଼ାଲମାରେ କିଛି ବାଇଗଣ ଭଳି ପରିବା ପଡେ଼, ଯା’କି କଟା କି ବଟାଯାଇ ନଥାଏ। ଦଣ୍ଡୁଆଙ୍କ ଭୋଜନ ଆହାର ଅତି ସାତ୍ୱିକ ଓ ସରଳ। ନିଶାର୍ଦ୍ଧରେ ସ୍ୱଳ୍ପ ସମୟ ମଧ୍ୟରେ ଅର୍ଥାତ୍ ଦୁଇ-ତିନି ମିନିଟ୍ ମଧ୍ୟରେ ଢେ଼ାଲ ବାଜୁଥିବା ସମୟ ମଧ୍ୟରେ ହିଁ ଗରମା ଗରମ ଅନ୍ନ ପ୍ରସାଦ ଗ୍ରହଣ କରିବାକୁ ପଡେ଼। ଯଦି କୌଣସି ଶବ୍ଦ କାହାର କର୍ଣ୍ଣଭେଦ କରେ ତେବେ ତତ୍କ୍ଷଣାତ୍ ତାକୁ ଭୋଜନ ଛାଡ଼ିବାକୁ ପଡେ଼। ଗରମା ଗରମ ଅନ୍ନ ସ୍ୱଳ୍ପ ସମୟ ମଧ୍ୟରେ ଭୁକ୍ତାମାନେ କିଭଳି ଗ୍ରହଣ କରନ୍ତି ଦେଖିଲେ ଯାଇ ହୃଦବୋଧ ହେବ ସେମାନଙ୍କ ନିଷ୍ଠା ଓ ଭୋଗୁଥିବା ଦଣ୍ଡ ବିଷୟରେ। ସାଧାରଣ ଶ୍ରଦ୍ଧାଳୁ ମା’ଙ୍କ ଭୋଗ ଅନ୍ନପ୍ରାପ୍ତି ଆଶାରେ ନିଶାର୍ଦ୍ଧ ପର୍ଯ୍ୟନ୍ତ ଅପେକ୍ଷା କରନ୍ତି ଏବଂ ଭୁକ୍ତାଙ୍କ ପ୍ରସାଦ ସେବନ ପରେ ମା’ଙ୍କ ପ୍ରସାଦ ପାଇ ଜୀବନକୁ ଚରିତାର୍ଥ କରି ଥାଆନ୍ତି। ଅନ୍ନ ପ୍ରସାଦ ପ୍ରସ୍ତୁତି ପାଇଁ ଚମ୍ପାବରରୁ ହିଁ ଅଗ୍ନି ଆଣି କାଠ ଚୁଲି ଜଳାଯାଏ।

ନିଶାର୍ଦ୍ଧରେ ପ୍ରସାଦ ଗ୍ରହଣ ପରେ ମା’ଙ୍କୁ ଧରି ଢେ଼ାଲ, ଝାଞ୍ଜ ବଜାଇ ଦଣ୍ଡୁଆ ଦଳ ଆସନ୍ତି ମାନସିକଧାରୀ ଗୃହ ନିକଟକୁ। ଗାଁ ମୁଣ୍ଡରେ ଚମ୍ପାବରରୁ ସୃଷ୍ଟି ଅଗ୍ନି ପିଣ୍ଡୁଳାରେ ଝୁଣା ଦେଇ ଢେ଼ାଲର ତାଳେ ତାଳେ ନାଚ କରି ଆସିୁଥିବାବେଳେ ମା’ଙ୍କ ପରଭାଧାରୀଙ୍କୁ କାଳସୀ ବା ମା’ ଦଣ୍ଡକାଳୀ ପ୍ରସନ୍ନ ହୋଇ ଯାଆନ୍ତି। ଏହାପରେ ମାନସିକଧାରୀଙ୍କ ଗୃହ ଦାଣ୍ଡରେ ମା’ଙ୍କୁ ସ୍ଥାପନ କରି ସକାଳ ପର୍ଯ୍ୟନ୍ତ ଦଣ୍ଡ କଥାମୃତ ନାଚ ପ୍ରଦର୍ଶନ ହୁଏ। ଏଥିରେ ମୁଖ୍ୟତଃ ଶିବଭକ୍ତ ଚଢେ଼ୟା ଚଢେ଼ୟାଣୀଙ୍କ ଉପରେ ଆଧାରିତ ନାଚ ପରିବେଷଣ ସଙ୍ଗେ ସଙ୍ଗେ ମନୋରଞ୍ଜନ କାର୍ଯ୍ୟକ୍ରମମାନ ମଧ୍ୟ ପରିବେଷଣ କରାଯାଏ। ରାତ୍ର ନାଟ୍ୟ କାର୍ଯ୍ୟକ୍ରମରେ ନାଟୁଆଦଳ ଭାଗ ନେଇଥାନ୍ତି।

ସକାଳୁ ସକାଳୁ ମେଲାଣି ନେଇ ଦଣ୍ଡୁଆଦଳ ଖାଲି ପାଦରେ କ୍ଷୀପ୍ର ଗତିରେ ଚାଲନ୍ତେ ଆଖପାଖ ଗାଁମାନକୁ ଯାଆନ୍ତି। ଖାଲି ପାଦରେ ଲଟାବୁଦା, କଣ୍ଟା, ଗୋଡ଼ିକୁ ଭùକ୍ଷେପ ନକରି କ୍ଷୀପ୍ର ଗତିରେ ଚାଲି ନିର୍ଦ୍ଧାରିତ ସମୟ ମଧ୍ୟରେ ମାନସିକଧାରୀଙ୍କ ଗୃହ ନିକଟରେ ପହଞ୍ଚିବା ଯେ କେତେ କଷ୍ଟସାଧ୍ୟ ଟିକିଏ ଭାବିଲେ ଜାଣି ପାରିବେ। ଏପରି ବ୍ୟସ୍ତବହୁଳ, କଷ୍ଟସାଧ୍ୟ କାର୍ଯ୍ୟକ୍ରମ ସାରି ବିଷୁବ ସଂକ୍ରାନ୍ତି ପୂର୍ବଦିନ ମା’ଙ୍କୁ ନେଇ ନିଜ ଗ୍ରାମକୁ ଫେରନ୍ତି ଦଣ୍ଡୁଆ ଦଳ ଏବଂ ଚିରାଚରିତ ଢ଼ଙ୍ଗରେ ସେଦିନ ଗାଁରେ ମା’ଙ୍କ କାର୍ଯ୍ୟକ୍ରମ ପରିଚାଳନା କରାଯାଏ। ପରଦିନ ଅର୍ଥାତ ବିଷୁବ ସଂକ୍ରାନ୍ତି ଦିନ ପାଟଦଣ୍ଡୁଆଙ୍କୁ ଏକୋଇଶି ଗରା ଜଳରେ ଗାଧୋଇ ଦେବାପରେ ଜଳୁଥିବା ଝାମୁ ଦଣ୍ଡ ଉପରେ ଦୋଳି କରି ଓଲଟାଇ ବନ୍ଧାଯାଇ ଝୁଲାଯାଏ। ପାଟଦଣ୍ଡୁଆଙ୍କ ନାସିକାରୁ ଦୁଇବୁନ୍ଦା ରକ୍ତ ଝାମୁ ଅଗ୍ନିଶିଖାରେ ପଡ଼ିଲା ପରେ ପାଟଦଣ୍ଡୁଆଙ୍କୁ ଖୋଲି ଆଣି ଅଚେତ ଅବସ୍ଥାରେ ମା’ଙ୍କ ସମ୍ମୁଖରେ ଶୁଆଇ ଦିଆଯାଏ। ଚିରାଚରିତ ଭୋଜନ, ଦଣ୍ଡନାଚ ଇତ୍ୟାଦି ସାରନ୍ତେ ସମସ୍ତ ଦଣ୍ଡୁଆ ନିଜ ନିଜ ଗୃହକୁ ଫେରି ପୁଣି ସଂସାର ବନ୍ଧନରେ ବାନ୍ଧି ହୋଇ ଯାଆନ୍ତି। ମହାବିଷୁବ ସଂକ୍ରାନ୍ତି ଦିନ କିଛି ଗ୍ରାମରେ ଝାମୁ ଯାତ୍ରାର ଆୟୋଜନ ମଧ୍ୟ ହୋଇଥାଏ। ସଂକ୍ରାନ୍ତି ଦିନଟି ପବନ କୁମାର, ଅଞ୍ଜନାସୁତ ବୀର ହନୁମାନଙ୍କ ଜୟନ୍ତୀ।

ଦୀର୍ଘ୧୫ ଦିନ କାଳ ପୁରପଲ୍ଲୀରେ ଯେଉଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ ଶେଷ ଦିନ ଅର୍ଥାତ୍ ମେଷ ସଂକ୍ରାନ୍ତି ଦିନ ମହା ଆନନ୍ଦ ଉଲ୍ଲାସରେ ପୁରପଲ୍ଲୀ ଉଛୁଳି ପଡ଼ୁଥିବାବେଳେ ବୀର ହନୁମାନଙ୍କ ଜୟନ୍ତୀ ପରିବେଶକୁ ଅତ୍ୟନ୍ତ ମୁଖରିତ କରିଥାଏ। ଏହି ସମୟରେ ଆଧ୍ୟାତ୍ମିକ ପାର୍ବଣରେ ମତୁଆଲା ହୋଇ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀ ଚଳଚଞ୍ଚଳ ହୋଇଉଠେ। ଜଞ୍ଜାଳମୟ ସାଂସାରିକ ଜୀବନରେ ଉବୁଟୁବୁ ମଣିଷ ଆଧ୍ୟାତ୍ମିକ ଭାବନାରେ ବିଭୋର ହୋଇପଡେ଼ ସାମୟିକଭାବେ। ସମସ୍ତଙ୍କ ମୁଖରେ ମା’ ଦଣ୍ଡକାଳୀଙ୍କ ଜୟଗାନ ମା’ଙ୍କ ଆଶୀର୍ବାଦ ଲାଭାର୍ଥେ ଦଣ୍ଡୁଆ ଶରୀରକୁ ବହୁତ କଷ୍ଟ ଦେଇଥାଏ। ନିଜ ସୁଖ, ସୌଖୀନ ଜୀବନଯାପନଠାରୁ ନିଆରାଭାବେ ଶରୀରକୁ ଦଣ୍ଡ ଦେଇ ଦିବ୍ୟ ଶକ୍ତିର ଐଶ୍ୱରୀୟ ଆନନ୍ଦ ପାଇବା ପାଇଁ ଏ ମଣିଷ ଚେଷ୍ଟିତ। ସେହିଭଳି ମାନସିକଧାରୀ କେବଳ ଅର୍ଥ ଖର୍ଚ୍ଚ କରେ ନାହିଁ। ବହୁତ ନିଷ୍ଠାର ସହିତ କାର୍ଯ୍ୟଟି ସମ୍ପାଦନ କରିଥାଏ କାରଣ କାହିଁ କେଉଁଠି ଟିକିଏ ତ୍ରୁଟି ଘଟିଗଲେ ମା’ଙ୍କ କୋପରୁ ଜୀବନଟା ଦୁର୍ବିସହ ପାଲଟି ଯିବ।

ମୁଁ ଜାଣିବାରେ ବହୁବର୍ଷ ପୂର୍ବେ ଅର୍ଥାତ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବାବେଳେ ଆମ ନିକଟ ଗ୍ରାମ କରାତୁଳିରେ ବିରାଟ ଅଘଟଣଟିଏ ଘଟିଗଲା। ଅଗ୍ନିର ପ୍ରକୋପରେ ଗାଁ ଜଳି ପାଉଁଶ ହୋଇଗଲା। ଏହାର ମୁଖ୍ୟ କାରଣ ଥିଲା ମା’ ଦଣ୍ଡକାଳୀଙ୍କ କୋପ ଦୃଷ୍ଟି। ସେଦିନ କୌଶସି ଏକ ଦଣ୍ଡୁଆ ଦଳ କରାତୁଳି ଗ୍ରାମଦେଇ ଅତି ତରତରରେ ଯାଆନ୍ତେ ଗାଁର କିଛି ଲୋକଙ୍କ ଶୁଖୁଥିବା ଧାନ ଉପରେ ମାଡ଼ିଗଲେ। ଲୋକେ ଦଣ୍ଡୁଆ ଦଳକୁ ନାନା ପ୍ରକାର ଗାଳିଗୁଲଜ କଲେ, ଅସହ୍ୟ ହୁଅନ୍ତେ ପାଟ୍ଟଭୁକ୍ତା ଅଭିଶାପ ଦେଇ କହିଲେ, ଦେଖ ଦୁଇଦିନ ମଧ୍ୟରେ ତୁମ ଗାଁ ଜଳି ଯିବ। ଦୈବୀକୋପ ଅନ୍ୟଥା ହୁଅନ୍ତା କେମନ୍ତେ ? ସତକୁ ସତ ଗାଁରେ ଅଗ୍ନିର ପ୍ରକୋପ ମାଡ଼ିଚାଲିଲା। ଲୋକେ ଚେଷ୍ଟା କରି ପାରିଲେ ନାହିଁ, ପରିଶେଷରେ ଗାଁ ଟି ଜଳି ଛାରଖାର ହୋଇଗଲା।

ଅନ୍ୟ ଏକ ଘଟଣା ଶୁଣିବାରେ ଏଠାରେ ଉପସ୍ଥାପନା କରୁଛି। ପନ୍ଦର ବର୍ଷ ପୂର୍ବେ ମୋର ରାଜଧାନୀ ଅବସ୍ଥାନ କାଳରେ ଶୁଣିଲି ଦଣ୍ଡକାଳୀଙ୍କୁ ଅବମାନନା କରି ଆମ ସହରର ଜଣେ ଧନୀକ ବ୍ୟକ୍ତି ଅଭିଶାପଗ୍ରସ୍ତ ହୋଇ କର୍କଟ ବ୍ୟାଧିରେ ମୃତ୍ୟୁବରଣ କଲେ। ତାଙ୍କର ଦୋଷଥିଲା… ଏତେ ଅର୍ଥ ଖର୍ଚ୍ଚ କରି ନିଜ ଗୃହ ସମ୍ମୁଖରେ ଦଣ୍ଡଯାତ୍ରା କରାଇଲେ ହେଲେ ସାମାନ୍ୟ ଜିନିଷଟିଏ (ହେମଦସ୍ତା)ପାଇଁ ଦଣ୍ଡୁଆଙ୍କୁ ଗାଳିଗୁଲଜ କରି ଅଭିଶାପଗ୍ରସ୍ତ ହୁଅନ୍ତେ୧୯୯୮ମସିହା ଡ଼ିସେମ୍ବର ମାସରେ ଇହ ଜଗତରୁ ବିଦାୟ ନେଲେ।

ଗଞ୍ଜାମ ପୃଷ୍ଠଭୂମିରେ ଧର୍ମଭାବନାର ମାଧ୍ୟମ ଠାକୁରାଣୀ ଯାତ୍ରା ବହୁକାଳର ପରମ୍ପରା। ନବବର୍ଷ ପ୍ରାରମ୍ଭରେ ସହର ସହର ଗାଁ ଗାଁରେ ଆରମ୍ଭ ହୋଇଯାଏ ମା’ ଠାକୁରାଣୀଙ୍କ ଯାତ୍ରା। ପ୍ରାୟ ଏକ ମାସ ଲାଗି ରହେ ସହର ଉତ୍ସବମୁଖର। ସଂଧ୍ୟାଆଳତି ପରେ ମୁଖ୍ୟ ଉପାସିକାମାନେ ମା’ଙ୍କ ଘଟକୁ ମସ୍ତକରେ ବହନକରି ଭକ୍ତଙ୍କ ଗହଣରେ ବାଜା ପଟୁଆରରେ ନଗର ପରିକ୍ରମା କରନ୍ତି। ଇତ୍ୟବସରରେ ଯାତ୍ରା ପଡ଼ିଆରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନ ପରିବେଷଣ ହୁଏ। ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କଳାକୁଞ୍ଜ ରଥ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶ୍ ଜମେ। ବ୍ରହ୍ମପୁର ସହର ଠାକୁରାଣୀ ଯାତ୍ରା ଓଡ଼ିଶା ପ୍ରସିଦ୍ଧ। ଦିନବେଳା ମାନସିକଧାରୀମାନେ ନାନା ପ୍ରକାର ବେଶ ଯଥା- ବାଘ, କାଳିଆ, ରାମ, ଲକ୍ଷ୍ମଣ, ସୀତା, ହନୁମାନ, କୃଷ୍ଣ, ବଳରାମ ଧାରଣ କରି ଘର ଘର ବୁଲି ଥାଆନ୍ତି। ବାଘନାଚର ବାଜାରେ ସହର ପୁରପଲ୍ଲୀ ପ୍ରକମ୍ପିତ ହୋଇ ଉଠେ।

ବର୍ଷେ ବ୍ୟବଧାନରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାପାଳନ କରାଯାଏ ଏବଂ ସେହି ବ୍ୟବଧାନ ବର୍ଷ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ମା’ ରାମାୟଣୀମ୍ମାଙ୍କ ଯାତ୍ରା ପାଳନ କରାଯାଏ। ଏଠାରେ ଠାକୁରାଣୀ ଯାତ୍ରା ପୂର୍ବରୁ ମା’ ବ୍ୟାଘ୍ର ଦେବୀଙ୍କ ଯାତ୍ରା ସାତଦିନ ପାଳନ କରାଯାଏ। ଠାକୁରାଣୀ ଯାତ୍ରା, ଯାତ୍ରା କମିଟି ଦ୍ୱାରା ପରିଚାଳିତ ହେଉଥିବା ବେଳେ ମା ବ୍ୟାଘ୍ରଦେବୀଙ୍କ ଯାତ୍ରା ଆରକ୍ଷୀ ସଂସ୍ଥାଦ୍ୱାରା ଆୟୋଜନ ହୋଇଥାଏ। ଏହି ସମୟରେ ଜିଲ୍ଲାର ଅନ୍ୟାନ୍ୟ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଠାକୁରାଣୀ ଯାତ୍ରା ଭକ୍ତିଭାବ ପରିବେଶରେ ପାଳନ କରାଯାଏ। ଉପରୋକ୍ତ ଘଟଣାବଳୀଗୁଡ଼ିକ ଗଞ୍ଜାମ ଜିଲ୍ଲାର ସାଧାରଣ ଜନତାଙ୍କ ସାମାଜିକ ଜୀବନକୁ ଆଧ୍ୟାତ୍ମିକ ମନଚିନ୍ତନ ରସରେ ରସାଣିତ କରି ନିଜ ନିଜ ଭିତରେ ଥିବା ତିକ୍ତ ପ୍ରତିବନ୍ଧକକୁ ଦୂର କରି ଏକ ଦିବ୍ୟ ସମ୍ପର୍କ ସୃଷ୍ଟି କରିବାରେ ସହାୟକ ହୋଇଥାଏ।

ପରିଶେଷରେ ଏକ କ୍ଷୋଭର ବିଷୟକୁ ଏଠାରେ ଉପସ୍ଥାପନା କରିବାକୁ ଚାହେଁ। ତାହା ହେଉଛି ଉତ୍କଳର ବୀର ସନ୍ତାନ ଓଡ଼ିଆ ପୁଅ ଅନ୍ୟ ଭାଷା ଶିଖିବାରେ ଯେତେ ଆଗ୍ରହ ପ୍ରକାଶ କରୁଛି ନିଜ ମାତୃଭାଷା ଉପରେ ସେତେଟା ସ୍ପୃହା ରଖୁନି। ସେହିପରି ଇଂରାଜୀ ନବବର୍ଷକୁ ଯେପରି ଧୁମ୍ଧାମରେ ପାଳନ କରୁଛି, କାହିଁ ନିଜ ଓଡ଼ିଆ ନବବର୍ଷକୁ ସେପରି ଆତ୍ମୀୟତାର ସହ ପାଳନ କରିବା ଦୃଶ୍ୟ ହୁଏ ନାହିଁ। ସମଗ୍ର ରାଜ୍ୟରେ ଏବେ ଇଂରାଜୀ ନବବର୍ଷକୁ ସାଦରରେ ଗ୍ରହଣ କରୁଥିବାବେଳେ ଓଡ଼ିଶାର ସମୃଦ୍ଧ ପରମ୍ପରାକୁ ଅକ୍ଷତ ରଖିବା ଲାଗି ଶ୍ରୀଜଗନ୍ନାଥ ପ୍ରଶାସନ ଯାହାହେଉ, ୨୦୧୪ ମସିହାରେ ଓଡ଼ିଆ କ୍ୟାଲେଣ୍ଡର ପ୍ରଥମ ଥର ପାଇଁ ପ୍ରସ୍ତୁତ କରି ବଜାରକୁ ଛାଡ଼ିବାର ପ୍ରୟାସ କରିଛନ୍ତି। ଏହା ଉତ୍କଳୀୟ ଶାସ୍ତ୍ର ଓ ପରମ୍ପରା ଆଧାରରେ ମହାବିଷୁବ ସଂକ୍ରାନ୍ତିରୁ (ମେଷ) ଓଡ଼ିଆ ନବବର୍ଷ ଆରମ୍ଭ ହେଉଛି ଓ ମୀନ ସଂକ୍ରାନ୍ତିରେ ଶେଷ ହେଉଛି। ଏଥିରେ ଇଂରାଜୀ ନବବର୍ଷ ୨୦୧୪ ପରିବର୍ତ୍ତେ ଉତ୍କଳୀୟ ନବବର୍ଷ ୧୪୨୧ ସାଲ୍ର କ୍ୟାଲେଣ୍ଡର ବୋଲି ଉଲ୍ଲେଖ ରହିଛି। ସେହିଭଳି ପ୍ରତ୍ୟେକ ମାସ ସଂକ୍ରାନ୍ତିକୁ ପହିଲା ତାରିଖ ଓ ପରବର୍ତ୍ତୀ ସଂକ୍ରାନ୍ତି ପୂର୍ବ ଦିବସଟିକୁ ଶେଷ ତାରିଖ ଭାବେ ଗ୍ରହଣ କରାଯାଉଛି। ପ୍ରତି ସଂକ୍ରାନ୍ତି ମାସରେ ଦୁଇ ଇଂରାଜୀ ମାସର ସମ୍ମିଶ୍ରଣ ହେଉଥିବାରୁ ଜନସାଧାରଣଙ୍କ ଉଚିତ ଜ୍ଞାନ ଲାଗି ଏଥିରେ ଇଂରାଜୀ ମାସର ତାରିଖ ଓ ବାର ମଧ୍ୟ ରହିଛି। ତଦନୁଯାୟୀ ବିଷୁବ ସଂକ୍ରାନ୍ତି ଦିବସଟିକୁ ଅର୍ଥାତ୍ ଏପ୍ରିଲ୍ ୧୪ ତାରିଖକୁ ନବବର୍ଷର ପ୍ରଥମ ଦବସ ବା ଏକ ତାରିଖ ବୋଲି ଦର୍ଶାଯାଇଛି। ଏହି କ୍ରମରେ ମେଷ, ବୃକ୍ଷ, କର୍କଟ, ସିଂହମାସ ୩୧ଦିନ, ମିଥୁନ ମାସ ୩୨ ଦିନ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ୩୦ ଦିନ ଓ ଧନୁ ମାସ ଅର୍ଥାତ୍ ପୌଷ-ମାଘ (ଇଂରାଜୀରେ ଡ଼ିସେମ୍ବର-ଜାନୁଆରୀ)କୁ ୨୯ ଦିନ ହେବ ବୋଲି ଦର୍ଶାଯାଇଛି।

ଶ୍ରୀଜଗନ୍ନାଥ ପ୍ରଶାସନର ଏଭଳି ଏକ ମହାନ ପ୍ରୟାସକୁ ଓଡ଼ିଆ ପୁଅ ସାଦରେ ଗ୍ରହଣ କରି ନିଜ ନବବର୍ଷକୁ ଭଲ ପାଇବାର କେତେ ଆଗ୍ରହୀ, ତାହା ଆଗାମୀ ଦିନ କହିବ।

ଭେଙ୍କଟସାଇ ନିଳୟମ୍
ପ୍ରାଇମେରୀ ସ୍କୁଲ ପଛ
ନୂଆ ପୋଲିସ୍ କଲୋନୀ
ଛତ୍ରପୁର, ଗଞ୍ଜାମ
(ଉତ୍କଳ ପ୍ରସଙ୍ଗ ଅପ୍ରେଲ- ୨୦୧୫ ରେ ପ୍ରଥମେ ପ୍ରକାଶିତ)

Leave a Reply

Your email address will not be published. Required fields are marked *