ଆରମ୍ଭ ହେଲା ସିବିଆଇ ତାଣ୍ଡବ

ଭୁବନେଶ୍ୱର ୧୯-୯ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ ଚିଟଫଣ୍ଡ କେସ ତଦନ୍ତ କରୁଥିବା ସିବିଆଇ ଦୀର୍ଘ ତିନି ବର୍ଷ ପରେ ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ କାଲି ବିଜେଡି ନେତା ତଥା ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଗିରଫ କରିଛି ସିବିଆଇ। ସିସୋର ଘଟଣାରେ ତାଙ୍କୁ ଗିରଫ କରାଯାଇଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି। ସିସୋର ଚିଟ୍ଫଣ୍ଡ କଂପାନୀ ଠାରୁ ଏକ ଜମି କିଣିଥିଲେ ପ୍ରଭାତ ଓ ତାଙ୍କ ପତ୍ନୀ ଲଷ୍ମୀବିଳାସିନୀ ବିଶ୍ୱାଳ। ଏ ବାବଦକୁ ସମସ୍ତ ପ୍ରାପ୍ୟ ସେ ସିସୋର କଂପାନୀକୁ ଦେଇ ନଥିଲେ। ସିସୋର କଂପାନୀ ମୁଖ୍ୟ ପ୍ରଭାତ ଦାଶ ସିବିଆଇ ଦ୍ୱାରା ଗିରଫ ହେବା ପରେ ସିବିଆଇକୁ ଏହି ତଥ୍ୟ ଦେଇଥିଲେ। ଏ ବାବଦରେ ସିବିଆଇ ତରଫରୁ ଅନୁସନ୍ଧାନ କରାଯାଇ ଥିଲା। ଘଟଣାର ସତ୍ୟାସତ୍ୟ ଥିଲା। ତେଣୁ ସିବିଆଇ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କୁ ଜେରା କରିଥିଲା। ସିବିଆଇ ବାରମ୍ବାର ଜେରା କରିବା ପରେ ମଧ୍ୟ ଏହି ଦୁଇ ଜଣଙ୍କ ଠାରୁ କିଛି ସନ୍ତୋଷ ଜନକ ଉତ୍ତର ପାଇ ପାରି ନଥିଲା। ତେଣୁ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ଗିରଫଦାରୀ ଅବଶ୍ୟାମ୍ଭବୀ ହୋଇ ପଡିଥିଲା। ମାତ୍ର ଘଟଣାଟି କ୍ରମେ ଶିଥିଲ ପଡି ଯାଇଥିଲା। ଜଣା ପଡୁଥିଲା ଆଉ ଏ ଘଟଣାରେ କୌଣସି ଅଗ୍ରଗତି ହୋଇ ପାରିବ ନାହିଁ ବୋଧେ। ମାତ୍ର ସବୁ କଳ୍ପନାର ଅବଶାନ ଘଟିଛି। ଗତକାଲି ରାତିରେ ସିବିଆଇ କାର୍ଯ୍ୟାଳୟରୁ ଡାକରା ପାଇ ପ୍ରଭାତ ବିଶ୍ୱାଳ ସେଠାକୁ ଯାଇଥିଲେ। ରାତି ପ୍ରାୟ ତିନିଟା ସମୟରେ ତାଙ୍କୁ ଗିରଫ କରାଗଲା ବୋଲି ଜଣାଇ ଦିଆଗଲା।

ପ୍ରଭାତ ବିଶ୍ୱାଳଙ୍କ ଗିରଫ ପରେ ଓଡିଶା ରାଜନୀତୀ ଏବେ ଉଷ୍ମ ହୋଇ ପଡିଛି। ଚାରିଆଡେ ଚର୍ଚ୍ଚା ଏହା ପରେ କାହାର ପାଳି। କାରଣ ଏହି ମହା ଚିଟ୍ଫଣ୍ଡ ଘୋଟାଲାରେ ନେତାଙ୍କ ଠାରୁ ଆରମ୍ଭ କରି ଅନେକ ସରକାରୀ କର୍ମଚାରୀ ସଂଶ୍ଳିଷ୍ଟ ଅଛନ୍ତି। ବିଶେଷ କରି ଶାସକ ବିଜେଡିର ଅନେକ ବିଧାୟକ, ମନ୍ତ୍ରୀ ଏଥିରେ ଜଡିତ। ପ୍ରଭାତ ବିଶ୍ୱାଳଙ୍କ ଗିରଫ ପରେ ଏବେ ସବୁ ନେତାଙ୍କ ମନରେ ଛନକା ପଶିଛି। ବିଜେଡିର ଅନେକ ନେତା ସିବିଆଇ ଦ୍ୱାରା ପୂର୍ବରୁ ଜେରା ହୋଇ ସାରିଛନ୍ତି। ତେଣୁ ଏହି ଘଟଣାକୁ ବିଜେଡି ରାଜନୈତିକ ରଙ୍ଗ ଦେବା ଆରମ୍ଭ କରିଛି। ଦଳ କହିଛି ଗତକାଲି ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଆନ୍ଦୋଳନ ସଫଳ ହୋଇଥିଲା। ତେଣୁ ଭାରତୀୟ ଜନତା ପାର୍ଟୀ ଏଥିରେ ଇର୍ଷାନ୍ୱିତ ହୋଇ ପଡିଛି। ତେଣୁ ସିବିଆଇକୁ ଅସ୍ତ୍ର କରିଛି।  ମାତ୍ର ରାଜନୈତିକ କାଦୁଅ ଫିଙ୍ଗା ଯାହା ଥାଉ ନା କାହିଁକି ସିବିଆଇ ପୁଣି ଚଳଚଞ୍ଚଳ ହୋଇଛି ଏଥିରେ ସନ୍ଦେହ ନାହିଁ। ୨୦୧୪ ମସିହାରେ ମାନ୍ୟବର ସୁପ୍ରିମକୋର୍ଟ ଚିଟ୍ଫଣ୍ଡ ଘୋଟାଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେବେ ଠାରୁ ଏହାର ତଦନ୍ତ ଚାଲିଛି। ଏହି ଘୋଟାଲାର ରାଜନୈତିକ ସଂପୃକ୍ତି ତଦନ୍ତ ସମୟରେ ପଦାକୁ ଆସିଥିଲା। ବିଶେଷକରି ଶାସକ ବିଜୁ ଜନତା ଦଳର ଅନେକ ନେତାଙ୍କ ସଂପୃକ୍ତି ଥିଲା ବୋଲି ସିବିଆଇ ତଥ୍ୟ ହାସଲ କରିଥିଲା। ଏପରିକି ସିବିଆଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନବୀନ ନିବାସ ପର୍ଯ୍ୟନ୍ତ ମାଡି ଯାଇଥିଲା। ଅନେକ ଲୋକ ଏହି ମାମଲାରେ ଗିରଫ ହୋଇ ସାରିଛନ୍ତି। ଓଡିଶାରେ ପ୍ରାୟ ଦେଢ କୋଟିରୁ ଉର୍ଦ୍ଧ୍ୱ ଲୋକ ଏହି ଚିଟ୍ଫଣ୍ଡ କଂପାନୀମାନଙ୍କ ଦ୍ୱାରା ଶୋଷିତ। ଏହା ଶତାଦ୍ଦୀର ଗୋଟିଏ ମହା ଦୁର୍ନୀତି କହିଲେ ଅତ୍ୟୁକ୍ତି ହେବ ନାହିଁ। ମାତ୍ର ହଠାତ୍ ଘଟଣାଟି ଥଣ୍ଡା ପଡି ଯାଇଥିଲା। ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ଯେ ବିଜେଡି ଓ ବିଜେପି ଭିତରେ କିଛି ଭିତିରିଆ ବୁଝାମଣା ହୋଇଗଲା। ମାତ୍ର ଗତକାଲିର ଘଟଣାଟା ଏହାକୁ ଭୁଲ ସାବ୍ୟସ୍ତ କରିଛି। ଆଗକୁ ଏହା ଆହୁରି ଭୟଙ୍କର ରୂପ ଧାରଣ କରିବ ବୋଲି ଜଣା ପଡିଛି।

Leave a Reply

Your email address will not be published. Required fields are marked *