ସଂସଦରେ ଗ୍ରାଚ୍ୟୁଇଟି ପ୍ରଦାନ (ସଂଶୋଧନ) ବିଲ, ୨୦୧୭ ଆଗତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗ୍ରାଚ୍ୟୁଇଟି ପ୍ରଦାନ (ସଂଶୋଧନ) ବିଲ, ୨୦୧୭ ଉପସ୍ଥାପନ କରିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି ।

ଏହି ସଂଶୋଧନ ଦ୍ୱାରା ଘରୋଇ କ୍ଷେତ୍ର ଏବଂ ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ/ସ୍ୱାୟତ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟିର ସର୍ବାଧିକ ସୀମାରେ ବୃଦ୍ଧି ଘଟିବ, ଯେଉଁମାନେ ଅନ୍ୟାନ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଭଳି ସିସିଏସ୍ (ପେନସନ୍) ନିୟମାବଳୀ ଅଧୀନରେ ସାମିଲ୍ ନୁହନ୍ତି ।

ବର୍ତମାନ ଗ୍ରାଚ୍ୟୁଇଟି ପ୍ରଦାନ ଅଧିନିୟମ, ୧୯୭୨ ଜରିଆରେ ୧୦ କିମ୍ବା ତତୋଧିକ ଲୋକଙ୍କୁ ନିୟୋଜିତ କରିଥିବା ସଂସ୍ଥାର ଶ୍ରମିକ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନର ବ୍ୟବସ୍ଥା ରହିଛି। ଏହି ଅଧିନିୟମ ଲାଗୁ କରିବାର ମୁଖ୍ୟ ଉଦେ୍ଦଶ୍ୟ ହେଲା- ଅବସର ଗ୍ରହଣ କରିବା ପରେ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା । ସେମାନେ ନିୟମାବଳୀ ଅଧୀନରେ ଅବସର ନେଇଥାନ୍ତୁ କିମ୍ବା ଶରୀରର କୌଣସି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇଯିବାରୁ ଶାରୀରିକ ଅକ୍ଷମତା କାରଣରୁ ଅବସର ନେଇଥାନ୍ତୁ, ଏହି ଅଧିନିୟମ ଅନ୍ତର୍ଗତ ଗ୍ରାଚ୍ୟୁଇଟି ରାଶି ଉପରେ ବର୍ତମାନର ସର୍ବାଧିକ ସୀମା ୧୦ ଲକ୍ଷ ଟଙ୍କା ରହିଛି। ତେବେ ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ କେନ୍ଦ୍ର କର୍ମଚାରୀମାନଙ୍କୁ ୦୧.୦୧.୨୦୧୬ରୁ ଗ୍ରାଚ୍ୟୁଇଟି ପ୍ରଦାନ ସୀମା ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସବୁ ବର୍ଗର ଶ୍ରମିକ କର୍ମଚାରୀଙ୍କୁ ସମାନ ଆକାରର ଗ୍ରାଚ୍ୟୁଇଟି ଦେବା ନିମନ୍ତେ ୧୯୭୨ର ଅଧିନିୟମରେ ସଂଶୋଧନ ଆଣିବା ଲାଗି ନିଷ୍ପତି ନେଇଛନ୍ତି।

Leave a Reply

Your email address will not be published. Required fields are marked *