Home ଓଡ଼ିଶା ବିଜେପିର ଚାଲିଛି ପାରାଲାଲ ବ୍ଲକ ଘେରାଉ:ଟାର୍ଗେଟରେ ବିଜେଡି ନୁହେଁ;ଟାର୍ଗେଟରେ ଟିକେଟ!

ବିଜେପିର ଚାଲିଛି ପାରାଲାଲ ବ୍ଲକ ଘେରାଉ:ଟାର୍ଗେଟରେ ବିଜେଡି ନୁହେଁ;ଟାର୍ଗେଟରେ ଟିକେଟ!

708

ଭୁବନେଶ୍ୱର:ବିଜେଡି ଶାସନ କାଳରେ ପିସି କାରବାର, ଦୁର୍ନୀତି, ଭ୍ରଷ୍ଟାଚାର,ପ୍ରିୟାପ୍ରୀତି ତୋଷଣ ଆଦି ବୃଦ୍ଧି ପାଇଥିବା ନେଇ ବିଜେପି କରୁଛି ବ୍ଲକ ଘେରାଉ କାର୍ଯ୍ୟକ୍ରମ।ବିଜେଡି ସରକାର ତଥା ସ୍ଥାନୀୟ ବିଧାୟକ ମାନଙ୍କର ଦୁର୍ନୀତି ଆଦି ବିରୋଧରେ ଜନ ଜାଗରଣ ସୃଷ୍ଟି କରି ଜନତାଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିବା ଏ ଆନ୍ଦୋଳନ,ଘେରାଉର ଉଦ୍ଦେଶ୍ୟ।କିନ୍ତୁ,ବାସ୍ତବ କ୍ଷେତ୍ରରେ ତାହା ହେଉଛି ଅବା କେତେ?ବିଜେପି ପକ୍ଷରୁ ଚାଲିଥିବା ଏହି ଘେରାଉ କାର୍ଯ୍ୟକ୍ରମ ଅନେକ ସ୍ଥାନରେ ସମାନ୍ତରାଳ (ପାରାଲାଲ) ଭାବରେ ଚାଲିଛି।ବିଧାନସଭା ମଣ୍ଡଳୀ ଗୁଡ଼ିକରେ ଥିବା ଟିକେଟ ଆଶାୟୀ ନେତାଙ୍କୁ ନେଇ ଏହି ସମସ୍ୟା ଦେଖାଦେଉଛି।ପ୍ରାୟ ଅନେକ ସ୍ଥାନରେ ଏହି ସମସ୍ୟା ରହିଛି।ଆଉ ଏହି ସମସ୍ୟାର ବିଷ ମଞ୍ଜି ପୋତିଛନ୍ତି ରାଜ୍ୟ ବିଜେପିର ନେତୃତ୍ୱ।

ଏଇ ନିକଟରେ ବିଜେପି ପକ୍ଷରୁ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଜଣେ ପ୍ରଭାରୀଙ୍କୁ ଦାୟିତ୍ୱ ଦିଆଯାଇଛି।ପୂର୍ବରୁ ପ୍ରତ୍ୟେକ ସଂସଦୀୟ କ୍ଷେତ୍ର ପାଇଁ ଜଣ ଜଣଙ୍କୁ ପାଳକ ଦାୟିତ୍ୱ ଦିଆସରିଥିଲା।ତେବେ ବିଧାନସଭା କ୍ଷେତ୍ର ପାଇଁ ପ୍ରଭାରୀ ନିଯୁକ୍ତି ପରେ ସ୍ଥାନୀୟ ସ୍ତରରେ ଦଳ ଭିତରେ ରହୁଥିବା ବିଶୃଙ୍ଖଳା,ଗୋଷ୍ଠୀ ବିବାଦକୁ ସମାଧାନ କରାଯାଇ ପାରିବ ବୋଲି ଆଶା କରାଯାଉଥିଲା।କିନ୍ତୁ ଫଳ ଓଲଟା ହେଲା ବିଶୃଙ୍ଖଳା ସିନା ବଢ଼ିଲା,କିନ୍ତୁ ସମାଧାନ ହେବାର କିଛି ଆଶା ଦିଶୁନି।

ରାଜ୍ୟ ଯୋଜନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକରେ ଏକ ଘେରାଉ କାର୍ଯ୍ୟକ୍ରମ ହେଲା।ଏବଂ ଏଠାରେ ବହୁ ସଂଖ୍ୟାରେ ଜନ ସମାଗମ ହେଲା।ଏହାପରେ ଖୋର୍ଦ୍ଧା ବ୍ଲକରେ ମଧ୍ୟ ଘେରାଉ କାର୍ଯ୍ୟକ୍ରମ ହେଲା।କିନ୍ତୁ ଯେଉଁ ଦିନ ହେବାର ଥିଲା ସେଦିନ ନହୋଇ ଅନ୍ୟ ଏକ ଦିନ ହେଲା।ଦୁଇଟି ଯାକ କାର୍ଯ୍ୟକ୍ରମ ଦଳ ଭିତରେ ପାରାଲାଲ ଢଙ୍ଗରେ ହେଲା।ଟାଙ୍ଗି ଘେରାଉ କାର୍ଯ୍ୟକ୍ରମର ଦାୟିତ୍ୱ ନେଇଥିଲେ ନୂଆ କରି ଏବେ ଦଳକୁ ଆସିଥିବା କାଳୁ ଖଣ୍ଡୟତରାୟ।ସେ ଏଥରକ ଟିକେଟ ପାଇଁ ଆଶାୟୀ।ସେଠାରେ ତାଙ୍କର ପ୍ରତିଦ୍ୱନ୍ଦୀ ପୂର୍ବତନ ବିଧାୟକ ତଥା ଗତ ଥରର ବିଜେପି ପାର୍ଥି ଜିତୁ ମିତ୍ର ମଧ୍ୟ ଉପସ୍ଥିତ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଉର୍ମିଳା ମହାପାତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ ପଟ୍ଟନାୟକ,ରଶ୍ମୀ ମହାପାତ୍ରଙ୍କ ସମେତ ରାଜ୍ୟ ନେତୃତ୍ୱ ଉପସଭାପତି ସମୀର ମହାନ୍ତି ଏବଂ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଯୋଗ ଦେଇଥିଲେ।ତେବେ ଏଠାରେ ଜନ ସମାଗମର ଦାୟିତ୍ୱ ଥିଲା କାଳୁ ଖଣ୍ଡୟତରାୟଙ୍କ ଉପରେ।ସେ ହିଁ ଟଙ୍କା ଖର୍ଚ୍ଚ କରିଥିଲେ।କାର୍ଯ୍ୟକ୍ରମରେ ତାଙ୍କ ସମର୍ଥକ ମାନେ କାଳୁ ଖଣ୍ଡୟତରାୟଙ୍କ ପୋଷ୍ଟର/ବ୍ୟାନର ଧରି ବୁଲିବା ସହ ତାଙ୍କର ଜିନ୍ଦାବାଦର ଶ୍ଳୋଗାନ ଦେଇଥିଲେ।ବୋଧେ ଏହା ଜିତୁ ମିତ୍ର ଏବଂ ତାଙ୍କ ସମର୍ଥକ ହଜମ କରି ପାରିଲେ ନାହିଁ।ସେମାନେ ନିଜସ୍ୱ ଢଙ୍ଗରେ ପରବର୍ତ୍ତୀ ଦିନରେ ଖୋର୍ଦ୍ଧାରେ କଲେ ଘେରାଉ କାର୍ଯ୍ୟକ୍ରମ।କାର୍ଯ୍ୟକ୍ରମରେ ଜିତୁ ମିତ୍ରଙ୍କ ସମେତ ଜିଲ୍ଲା ସଭାପତି ସୁବାସ ଜେନା,ନିକୁଞ୍ଜ ପଟ୍ଟନାୟକ,ସନ୍ତୋଷ ଜେନା,ସୁବାସ ଗନ୍ତାୟତ ଆଦି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ।କିନ୍ତୁ ରାଜ୍ୟ ନେତୃତ୍ୱ କେହି ଆସିନଥିଲେ କି ପ୍ରଭାରୀ ଉର୍ମିଳା ମହାପାତ୍ର,କାଳୁ ଖଣ୍ଡୟତରାୟ,ରଶ୍ମୀ ମହାପାତ୍ର ଆଦି ଅନୁପସ୍ଥିତ ରହିଥିଲେ।ଟାଙ୍ଗିରେ ଯେଉଁ ଧରଣର କାର୍ଯ୍ୟକ୍ରମ ହୋଇଥିଲା ଏବଂ ପରେ ଖୋର୍ଦ୍ଧାରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ନେଇ ବିରୋଧୀ ବିଚଳିତ ହୋଇ ପଡ଼ିଥିଲେ।କିନ୍ତୁ,ଖୋର୍ଦ୍ଧା କାର୍ଯ୍ୟକ୍ରମ ପରେ ବିଜେପି ଭିତରେ ଥିବା ଫାଟ ପୁଣି ପଦାକୁ ଆସିଗଲା।ବିରୋଧୀ ଆଶ୍ୱସ୍ତ ହେଲେ ଏବଂ ବିଜେପିର ମୂଳ କାର୍ଯ୍ୟକର୍ତ୍ତା ଏପରି ଗୋଷ୍ଠୀ କନ୍ଦଳ ଦେଖି ନିରୁତ୍ସାହିତ ହେଲେ।

ତେବେ,ଏପରି ବିଶୃଙ୍ଖଳା ପାଇଁ ଦାୟୀ କିଏ?ନାଁ ଜିତୁ ନାଁ କାଳୁ, ଏମାନେ କେହି ମୂଳ ବିଜେପି ସଙ୍ଗଠନର ନୁହଁନ୍ତି।ଟିକେଟ ଆଶାରେ ବିଜେପିରେ ଅଛନ୍ତି।ଟିକେଟ ନମିଳିଲେ ଏମାନେ ସମ୍ଭବତଃ ଅନ୍ୟ ବାଟ ଦେଖିପାରନ୍ତି।ତେଣୁ ଏମାନଙ୍କର ଏପରି ଆଚରଣ ସ୍ୱାଭାବିକ।କିନ୍ତୁ ସଙ୍ଗଠନ ଦାୟିତ୍ୱରେ ଥିବା ନେତା କରୁଛନ୍ତି ଅବା କ’ଣ?ବିଧାନସଭା କ୍ଷେତ୍ର ସମ୍ଭାଳିବା ପାଇଁ ଜଣେ ପ୍ରଭାରୀଙ୍କୁ ଦାୟିତ୍ୱ ଦିଆଯାଇଛି।କିନ୍ତୁ ସଂସଦୀୟ କ୍ଷେତ୍ରର ପାଳକ କରୁଛନ୍ତି କ’ଣ?ସୂଚନାଯୋଗ୍ୟ ଯେ ଏଠାକାର (ଭୁବନେଶ୍ୱର)ସଂସଦୀୟ କ୍ଷେତ୍ରର ପାଳକ ଦାୟିତ୍ୱରେ ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି।ଯଦି ଧର୍ମେନ୍ଦ୍ର ନିଜେ ପାଳକ ଥିବା ସଂସଦୀୟ କ୍ଷେତ୍ରର ବିଶୃଙ୍ଖଳାକୁ ଆୟତ୍ତ କରି ପାରୁନାହାଁନ୍ତି,ରାଜ୍ୟ ନେତୃତ୍ୱ ନେବା କଥା କିପରି ଆଶା କରୁଛନ୍ତି?

ଖୋର୍ଦ୍ଧାରେ ଚାଲିଥିବା ଏପରି ଗୋଷ୍ଠୀ କନ୍ଦଳ,ବିଶୃଙ୍ଖଳା ପାଇଁ ଅନେକ ମୁଖ୍ୟତଃ ରାଜ୍ୟ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଦାୟୀ କରୁଛନ୍ତି।ପୃଥ୍ବୀରାଜ ଟାଙ୍ଗି କାର୍ଯ୍ୟକ୍ରମରେ ନିଜେ ଉପସ୍ଥିତ ଥିଲେ।କିନ୍ତୁ ଖୋର୍ଦ୍ଧା କାର୍ଯ୍ୟକ୍ରମ ବେଳେ ସେ ନିଜେ ସିନା ଉପସ୍ଥିତ ନଥିଲେ,କିନ୍ତୁ ବ୍ୟାନରରେ ତାଙ୍କର ଫଟୋ ଥିଲା।କୁହାଯାଉଛି ପୃଥ୍ବୀରାଜ ଜାଣିଶୁଣି ଏପରି ବିବାଦ ସୃଷ୍ଟି କରାଉଛନ୍ତି।କାରଣ ଦୀର୍ଘଦିନ ହେଲା ଭୁବନେଶ୍ୱରଠାରୁ ଆରମ୍ଭ କରି ଚିଲିକା ପର୍ଯ୍ୟନ୍ତ ହରିଚନ୍ଦନ ପରିବାରର ବିଜେପି ଉପରେ ଏକଚାଟିଆ ଅଧିକାର ରହି ଆସିଥିଲା।ପୂର୍ବରୁ ବିଶ୍ୱ ଭୂଷଣ ଭୁବନେଶ୍ୱରରୁ ବିଧାୟକ,ମନ୍ତ୍ରୀ ରହି ଆସିଥିବା ବେଳେ ଚିଲିକାରୁ ତାଙ୍କ ଭାଇ ବିଭୁତି ଭୂଷଣ ବିଧାୟକ।ଭୁବନେଶ୍ୱରରୁ ମଧ୍ୟ ତାଙ୍କରି ପୁଅ ପୃଥ୍ବୀରାଜ ଗତ ଥର ଏମପି ପାର୍ଥି ଥିଲେ।ତେବେ ଆଉ ଏବେ ସେ ସବୁ ସମ୍ଭବ ପରି ଲାଗୁନି।ଧୀରେଧୀରେ ହରିଚନ୍ଦନ ପରିବାର ହାତରୁ ପ୍ରଭାବ ଖସି ସଙ୍ଗଠନ ହାତକୁ ଚାଲିଯାଉଛି।ବୋଧହୁଏ ଏଥିପାଇଁ ଏପରି ବିଶୃଙ୍ଖଳା ଜାଣିଶୁଣି ସୃଷ୍ଟି କରାଯାଉଛି ବୋଲି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଆଲୋଚନା ହେଉଛି।

କେବଳ ଯେ ଖୋର୍ଦ୍ଧାରେ ଏପରି ଘଟଣା ହେଉଛି ତାହା ନୁହେଁ।ରାଜ୍ୟର ଅନେକ ସ୍ଥାନରେ ସମାନ ସ୍ଥିତି।ଏପରି ବିଶୃଙ୍ଖଳା ମଧ୍ୟରେ ପୂର୍ବତନ ରାଜ୍ୟ ସଙ୍ଗଠନ ସମ୍ପାଦକ ମଧ୍ୟ ଜଡିତ ରହୁଛନ୍ତି।ଭଦ୍ରକ ଜିଲ୍ଲାର ଭଣ୍ଡାରପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ବ୍ଲକରେ ପାରାଲାଲ ଭାବରେ ଦୁଇଦୁଇ ଥର ହେଲା ଘେରାଉ।ଥରେ ପୂର୍ବତନ ରାଜ୍ୟ ସଙ୍ଗଠନ ସମ୍ପାଦକ ପଞ୍ଚାନନ ରାଉତଙ୍କ ନେତୃତ୍ୱରେ ଏବଂ ଆଉ ଦିନେ ହେଲା ଜିଲ୍ଲା ସଭାପତି ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ।ଗୋଷ୍ଠୀ କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲା।ଏହିପରି ବିବାଦ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଜଗତସିଂହପୁର ହେଉ କି ପୁରୀ ଜିଲ୍ଲା ସତ୍ୟବାଦୀ କିମ୍ବା ବାଲେଶ୍ଵରର ଜଳେଶ୍ୱର ସବୁ ସ୍ଥାନରେ ନୂଆ ପୁରୁଣା ତଥା ଟିକେଟ ଆଶାକୁ ନେଇ ଏହି ବିବାଦ।ବିଜେଡିକୁ ବିରୋଧ କରିବା ଭିତରେ ନିଜ ନିଜ ଭିତରେ ବିରୋଧାଭାଷ ରହୁଛି।ଭୁବନେଶ୍ୱର ପରି ସ୍ଥାନରେ ଜିଲ୍ଲା ସଭାପତିଙ୍କ ମନମାନି କାରଣରୁ ଘେରାଉ କାର୍ଯ୍ୟକ୍ରମ ପ୍ରଭାବୀ ଢଙ୍ଗରେ ହୋଇପାରୁନି।

ରାଜ୍ୟ ନେତୃତ୍ୱ ସଙ୍ଗଠନ ଭିତରେ ଯେଉଁ ବିଷ ମଞ୍ଜି ପୋତିଛନ୍ତି, ସେଥିରେ ଯେତେ ପ୍ରଭାରୀ ନିଯୁକ୍ କଲେ,ଗଛରେ ଯେତେ ପାଣି ଦେଲେ କ’ଣ ହେବ?ଗଛ ସିନା ହୃଷ୍ଟପୃଷ୍ଟ ହେବ,କିନ୍ତୁ ମଞ୍ଜି ତ’ ବିଷ,ବିଷ ଗଛରୁ ବିଷ ଫଳ ହିଁ ବାହାରିବ।

ଏମାନଙ୍କର ଉଦ୍ଦେଶ୍ୟ ହିଁ ନାହିଁ ବିଜେଡି ବିରୋଧରେ ବା ବିଜେପି ସପକ୍ଷରେ ଜନମତ ସୃଷ୍ଟି କରିବା।ଏମାନେ କେବଳ ନିଜ ନିଜ ଟିକେଟ ଆଶାରେ ନିଜର ପ୍ରଚାର କରାଉଛନ୍ତି।ବ୍ଲକରେ ହେଉଥିବା ଦୁର୍ନୀତି କିମ୍ବା ସ୍ଥାନୀୟ ବିଧାୟକଙ୍କୁ ଘେରିବା ପରିବର୍ତ୍ତେ ବେକରେ ଫୁଲ ମାଳ ପକାଇ ନିଜକୁ ନେତା ପ୍ରତିପାଦନ କରିବାକୁ ଚାହୁଁଛନ୍ତି।/ଦେବଦତ୍ତ

ସମ୍ବଦ୍ଧିତ ଖବର –

ବିଜେପିର ବ୍ଲକ ଘେରାଉ ଓ ତାଲାପକା କାର୍ଯ୍ୟକ୍ରମ:ଶେଷ ଘେରାଉ ଏବଂ ତାଲା ପକା ଏବେ ବାକି ଅଛି!

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.