Home ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା Vs ବିଜେଡି ମହିଳା ଦଳ

ବିଜେପି ମହିଳା ମୋର୍ଚ୍ଚା Vs ବିଜେଡି ମହିଳା ଦଳ

843

ଭୁବନେଶ୍ୱର:ନବୀନ ପଟ୍ଟନାୟକଙ୍କୁ ଯଦି ବିଜେପି ପକ୍ଷରୁ ବେଶୀ କେହି ଘେରୁଥିଲା,ସିଏ ହେଲା ବିଜେପି ମହିଳା ମୋର୍ଚ୍ଚା।ବିଜେପିର ମହିଳା ମୋର୍ଚ୍ଚା ସତେ ଯେପରି ନବୀନଙ୍କ ପଛରେ ପଡ଼ି ଯାଇଥିଲା।ନାରୀ ନିର୍ଯ୍ୟାତନା,ଦୁଷ୍କର୍ମ ଏବଂ ନାରୀ ସୁରକ୍ଷାକୁ ନେଇ ବାରମ୍ବାର ବିଜେଡି ତଥା ନବୀନ ପଟ୍ଟନାୟକଙ୍କୁ ଘେରୁଥିଲା ବିଜେପି ମହିଳା ମୋର୍ଚ୍ଚା।ଏନେଇ ବାରମ୍ବାର କୋକେଇ ଯାତ୍ରା,କ୍ୟାଣ୍ଡେଲ ଯାତ୍ରା,ଦୀପଦାନ,ନାରୀ ସୁରକ୍ଷା ଯାତ୍ରା,ନବୀନ ନିବାସ ଘେରାଉ,କୁଶ ପୁତ୍ତଳିକା ଦାହ,ବନ୍ଦ ଆଦି ଆୟୋଜନ କରୁଥିଲା।ବୋଧହୁଏ ନବୀନଙ୍କୁ ଅଧିକ ଟେନସନରେ ପକାଇ ଦେଇଥିଲା ଏହି ବିଜେପି ମହିଳା ମୋର୍ଚ୍ଚା।ବୋଧେ ଏଥିରେ ଅଙ୍କୁଶ ଲଗାଇବାକୁ ନବୀନ ଏବେ କରିଛନ୍ତି ବିଜେଡି ମହିଳା ବିଭାଗରେ ଏକ ବଡ଼ ଧରଣର ପରିବର୍ତ୍ତନ।

ନବୀନ ପଟ୍ଟନାୟକ ତୃଣମୂଳ ସ୍ତରରେ ମହିଳା ସଂଗଠନକୁ ସୁଦୃଢ଼ ଓ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜୁ ମହିଳା ଜନତା ଦଳକୁ ପୁନର୍ଗଠନ କରି ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି।ବିଜୁ ମହିଳା ଜନତା ଦଳର ପୂର୍ବତନ ସଭାନେତ୍ରୀ ତଥା ବିଧାୟିକା ଶ୍ରୀମତୀ ପ୍ରମିଳା ମଲିକଙ୍କୁ ବିଜୁ ଜନତା ଦଳର ଉପସଭାପତି ଏବଂ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇ ଥିବା ବେଳେ ସହଉପଦେଷ୍ଟା ଭାବେ ଜ୍ୟୋତି ପାଣିଗ୍ରାହୀ ଏବଂ କସ୍ତୁରୀ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।ଏବଂ ବିଜୁ ମହିଳା ଜନତା ଦଳର ନୂତନ ସଭାନେତ୍ରୀ ଭାବେ ଡା: ମୀନତି ବେହେରାଙ୍କୁ ନିଯୁକ୍ତ କରାଯାଇଛି।ଏହା ସହ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ର,ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ,ଗୀତାଞ୍ଜଳି ବସ୍ତିଆଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସାଧାରଣ ସମ୍ପାଦିକା ଭାବେ ସୁଲତା ଦେଓ ଏବଂ ସମ୍ପାଦିକା ଭାବେ ଏଲିନା ଦାସଙ୍କୁ ନିଯୁକ୍ତି ଦିଆଯାଇଛି।ବିଜେଡିର ମହିଳା ବିଭାଗକୁ ଅଧିକ ଶକ୍ତିଶାଳୀ ଏବଂ କ୍ରିୟାଶୀଳ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଥିବା ଦଳ ପକ୍ଷରୁ କୁହାଯାଉଥିବା ବେଳେ ବିଜେପି ମହିଳା ମୋର୍ଚ୍ଚାର ଆକ୍ରମଣାତ୍ମକ ଅଭିମୁଖ୍ୟକୁ ପ୍ରତିହତ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଥିବା ପରି ଲାଗୁଛି।

ତେଣୁ ଏବେ ବିଜେପି ମହିଳା ମୋର୍ଚ୍ଚା ଏବଂ ବିଜେଡି ମହିଳା ଦଳ ମଧ୍ୟରେ ଲଢେ଼ଇ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି।ଏଣିକି ବିଜେପି ମହିଳା ମୋର୍ଚ୍ଚାର ନବୀନଙ୍କୁ ଆକ୍ରମଣାତ୍ମକ ପଦକ୍ଷେପ ବେଳେ ବିଜେଡି ମହିଳା ଦଳ ପ୍ରତିରୋଧ କରିବା ପାଇଁ ଦୃଢ଼ତାର ସହ ଠିଆ ହେବ ଆଗରେ।ଏହା ସହ ଏଣିକି ବୋଧେ ବିଜେଡି ମହିଳା ଦଳ ନିଜ ଆଡୁ ମଧ୍ୟ ବିଜେପି ପ୍ରତି ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରିବ।

ତେବେ ଏଠି କିଏ ଜିତିବ,କିଏ ହାରିବ?କାହାର ପଲା ଭାରି ରହିବ?ଦେଖିବାକୁ ଗଲେ ନବୀନ ପଟ୍ଟନାୟକ ଯୋଜନାବଦ୍ଧ ଭାବରେ ମହିଳା ବିଭାଗକୁ ଶକ୍ତିଶାଳୀ କରାଇବା ପାଇଁ ଏହି ପରିବର୍ତ୍ତନ ଆଣିଛନ୍ତି।କ୍ଷମତା ବିକେନ୍ଦ୍ରିକରଣ କରି ସାଂପ୍ରତିକ ରାଜନୀତି କ୍ଷେତ୍ରରେ ଦଳ ଭିତରେ ଥିବା ଦକ୍ଷ ମହିଳାମାନଙ୍କୁ ଦାୟିତ୍ୱ ଦେଇ ଏକ ମହିଳା ସୈନିକ ଦଳ ଭଳି ଠିଆ କରିଛନ୍ତି ନବୀନ।ନୂତନ ଭାବରେ ଦାୟିତ୍ୱ ପାଇଥିବା ଏହି ମହିଳା ମାନେ ଓଡ଼ିଶା ରାଜନୀତିରେ ପରିଚିତ ଏବଂ ଯିଏ ଯାହା ବାଟରେ ପାରଙ୍ଗମ।ଏମାନଙ୍କର ଏକ ଏବଂ ଅଦୂତୀୟ ନେତା ନବୀନ ପଟ୍ଟନାୟକ।ସେମାନେ ପ୍ରତିଟି କଥାରେ କେବଳ ନବୀନଙ୍କ ଜୟଗାନ କରିବେ ଏବଂ ନବୀନଙ୍କ ପାଇଁ ହିଁ ପ୍ରତିପକ୍ଷ ବିରୋଧରେ ଲଢ଼ିବେ।କିନ୍ତୁ ବିଜେପି ମହିଳା ମୋର୍ଚ୍ଚା କ୍ଷେତ୍ରରେ ସ୍ଥିତି ଭିର୍ଣ୍ଣ।ଏଠି କ୍ଷମତା କେନ୍ଦ୍ରୀଭୂତ।ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଅଲ ଇନ ଅଲ।ମୋର୍ଚ୍ଚାରେ ଥିବା ଅନ୍ୟ ପଦାଧିକାରୀ କେବଳ ନାମକୁ ମାତ୍ର।ସବୁ ନିଷ୍ପତି କେବଳ ପ୍ରଭାତୀ ନେବେ।ସାମ୍ନାକୁ କେବଳ ସେ ହିଁ ଆସିବେ।ଅନ୍ୟ ସମସ୍ତେ ତାଙ୍କ ପଛରେ କେବଳ ଠିଆ ହେବେ।ଅନ୍ୟ ପଦାଧିକାରୀମାନେ ପ୍ରଭାବହିନ ଅଥବା ତାଙ୍କ ପ୍ରଭାବ ବା ପ୍ରତିଭା ଉପରେ ଅଙ୍କୁଶ।ଏଠି ପ୍ରତିଭାକୁ ଦେଖି ନୁହେଁ,ମୂଳ ବିଜେପି ପରି ଯିଏ ଭଲ ଖୋସାମତି,ଚାଟୁକାରୀ କରିପାରେ ସେମାନଙ୍କୁ ବିଭିର୍ଣ୍ଣ ଦାୟିତ୍ୱ ଦିଆଯାଏ।ପୁଣି ଏମାନଙ୍କର ଏକାଧିକ ନେତା।ମୋଦୀ,ଶାହାଙ୍କ ବାଦେ ଧର୍ମେନ୍ଦ୍ର।ସେମାନେ କେବଳ ନବୀନଙ୍କ ଜୟ ଗାନ କରିବା ବେଳେ ଏମାନେ ମୋଦୀ,ଶାହାଙ୍କ ବାଦେ ପୁଣି ଧର୍ମେନ୍ଦ୍ର ପ୍ରଧାନଙ୍କ ଜୟଗାନ କରିବାର ଅଛି।କଥା ପାଣିଚିଆ ହେଇଯିବ।ଶ୍ରେୟ ଭାଗ ବାଣ୍ଟି ହେଇଯିବ।ତଥାପି ଦେଖିବାକୁ ବାକି ରହିଲା ଆଗାମୀ ଦିନରେ କାହାର ପଲା କେତେ ଭାରି ରହୁଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.