ବିଜେପିର ଟାର୍ଗେଟ ଯାଜପୁର, ତଥାପି ସହଜ ରାସ୍ତା ନୁହେଁ

ଯାଜପୁର-୪/୬ (ଓଡ଼ିଆ ପୁଅ/ଏ.ରାଉତ) ରାଜ୍ୟ ଯାକ ବିଜେପି ନିଜ ସଂଗଠନ ବଢାଇ ଆଗାମି ୨୦୧୯ ନିର୍ବାଚନରେ ବିଜେଡିକୁ ସମ୍ମୁଖିନ ହେବାକୁ ବେଶ ତତ୍ପର ଥିଲାବେଳେ ଦଳ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ରହିଛି ଯାଜପୁର ଜିଲା ଉପରେ। ଫଳରେ ଏହି ଜିଲା ବର୍ତ୍ତମାନ ବିଜେପି ନିଶାଣରେ ରହିଛି। ଦଳ ଜିଲା ପରିଷଦ ନିର୍ବାଚନରେ ୬ଟି ଜୋନକୁ ଦଖଲ କରି ଆଗାମି ସାଧାରଣ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସଫଳହେବାକୁ ଯୋଜନା କରୁଥିଲାବେଳେ ବିଜେପି ପାଇଁ ଏହି ଜିଲାରେ ପଥ ତଥାପି କଂଟକିତ। ରାଜ୍ୟରେ ଦଳର ନେତୃତ୍ୱ ନେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ସମୟରେ ଓ ପରେ ଜିଲାକୁ ବାରମ୍ବାର ଗସ୍ତ କରିଛନ୍ତି। ଗସ୍ତ ସମୟରେ ବିଭିନ୍ନ ନେତାଙ୍କ ସହିତ ମନ୍ତ୍ରଣା ପରେ ମନ୍ତ୍ରଣା କରି କିଭଳି ଯାଜପୁର ଜିଲାରେ ଦଳକୁ ବଳଶାଳୀ କରାଯାଇ ପାରିବ ତା ଉପରେ ବହୁଦିନ ପୂର୍ବରୁ ଯୋଜନା ଆଙ୍କିଥିଲେ ଧର୍ମେନ୍ଦ୍ର। ଏହି ଯୋଜନାର ପ୍ରଥମ ପାହାଚରେ ଜିଲା ବିଜେପି ସଭାପତିଙ୍କୁ ଏକ ପ୍ରକାର କୋଣଠେସା କରି ଗୈାତମଙ୍କ ହାତରେ ଜିଲାର ସବୁ ନିଷ୍ପତିକୁ ଛାଡିଛନ୍ତି। ଏହା ପରେ ଦଳର ବଳକୁ ଆହୁରି ବଢାଇବାକୁ ଅନ୍ୟ ଦଳ କିମ୍ବା ଦଳ ବିରୋଧିଙ୍କୁ ନିଜ ଶିବିରରେ ସାମିଲ କରିବାର ଖସଡା ପ୍ରସ୍ତୁତ କରି ପ୍ରଥମେ ବଡଚଣାର ଟାଣୁଆ ନେତା ଅମର ନାୟକଙ୍କୁ ଦଳରେ ସାମିଲ କରିସାରିଥିଲାବେଳେ ପର୍ଯ୍ୟାୟକ୍ରମେ ସୁକିନ୍ଦାର ଟୁଟୁ ବଳ ଓ ବରୀର ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ମଧ୍ୟ ସାମିଲ କରିବାର ସମସ୍ତ ପ୍ରସ୍ତୁତି ସରିଛି। ଏହା ସହିତ ଆଗାମି ୨୨ ତାରିଖ ଦିନ ଜିଲାକୁ ଗସ୍ତ କରୁଛନ୍ତି ବିଜେପିର ରାଷ୍ଟ୍ରିୟ ସଭାପତି ଅମିତ ଶାହ। ଅମିତଙ୍କ ଗସ୍ତ ସମୟରେ ବିଜେପି ଆଖିଦୃଷିଆ ରୋଡ ଶୋ କରି ଜିଲାର ଭୋଟରଙ୍କୁ ପ୍ରଭାବିତ କରିବାକୁ ଯୋଜନା କରୁଥିଲାବେଳେ ଅମିତ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ଏକ ପ୍ରକାର ସ୍ଥିର ହୋଇଛି। ଯାହା ଜିଲା ବିଜେପି ନେତା ଓ କର୍ମୀଙ୍କ ଉତ୍ସାାହକୁ ଦ୍ୱିଗୁଣିତ କରୁଛି।

ଦଳର ଏତେ ସବୁ ଯୋଜନାଯେ ଜିଲାରେ ବିଜେପିକୁ ଆଗକୁ ନେବାକୁ ଏହା ସତ୍ୟ। ହେଲେ ଏହି ଯୋଜନା ଗୁଡିକ ମଧ୍ୟରେ ଥିବା ଦଳୀୟ କେଁ ଦଳର ରାସ୍ତାକୁ ବେଶ କଂଟକିତ କରି ପକାଇଛି। ଦଳ ଜିଲାରେ ବସ୍ତୁତ ଦୁଇଭାଗ ହୋଇଛି। ଗୋଟିଏ ଗୋଷ୍ଠି ଗୈାତମଙ୍କ ନେତୃତ୍ୱକୁ ସମର୍ଥନ ଅଜାଡୁଥିଲାବେଳେ ଜିଲା ସଭାପତି ଆଶୁତୋଷଙ୍କ ଗୋଷ୍ଠି ଏହାକୁ ହଜମ କରିବା ସ୍ଥିତିରେ ନାହାଁନ୍ତି। କେନ୍ଦ୍ରମନ୍ତ୍ରୀ ନିକଟରେ ବରୀ ଗସ୍ତ କରିଥିଲାବେଳେ ଏହି ବିବାଦ ପଦାକୁ ଜଳଜଳ ହୋଇ ଦେଖାଯାଇଥିଲା। ଯାହା ଧିରେଧିରେ ଜିଲାକୁ ବ୍ୟାପି ଚାଲିଛି।

ଦଳ ନିଜର ଶକ୍ତି ବଢାଇବା ସହିତ ଜିଲାର ଅନ୍ୟତମ ପ୍ରଭାବୀ ବିଜେଡି ନେତା ତଥା ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ସତପଥୀଙ୍କ ଗତିରୋଧ କରିବାକୁ ତାଙ୍କ ପ୍ରତିଦ୍ୱନ୍ଦି ଅମର ନାୟକଙ୍କୁ ଦଳରେ ସାମିଲ କରିବାକୁ ନେଇ ବଡଚଣା ବିଜେପିରେ ଅସନ୍ତୋଷ କୁହୁଳୁଥିବା ଶୁଣିବାକୁ ମିଳିଛି। ଦଳର ପ୍ରଭାବ ନଥିବା ସମୟରୁ ବିଜେପିରେ ରହି ସାଂଗଠନିକ କାର୍ଯ୍ୟ କରୁଥିବା କର୍ମୀ ଓ ନେତା ଆଗାମି ଦିନରେ ସେମାନଙ୍କୁ ଛାଡି ଅମରଙ୍କୁ ଦଳ ଅଧିକ ଗୁରୁତ୍ୱ ଦେବ ବୋଲି ନିଶ୍ଚିତ ଥିଲାବେଳେ ସେମାନଙ୍କ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇ ପଡିଛନ୍ତି। ଯାହା ଦ୍ୱାରା ଏଠାରେ ଦଳକୁ ଆଗାମି ଦିନରେ କ୍ଷତି ସହିବାକୁ ପଡିବ ବୋଲି ରାଜନୈତିକ ବିଶାରଦ ମତ ଦେଲେଣି।

ଦ୍ୱିତୀୟ ନେତା ହେଲେ ବରୀର ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକ। ନିଜ ପାରିବା ପଣିଆର ପରିଚୟ ଦେଇ ବିଜେଡିକୁ ଚଳିତ ପଂଚାୟତ ନିର୍ବାଚନରେ ମାତ ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିଶ୍ୱରଞ୍ଜନ। ଯାହା ତାଙ୍କୁ ବିଜେପିକୁ ନେବା ପାଇଁ ଧର୍ମେନ୍ଦ୍ର ଓ ତାଙ୍କ ଟିମକୁ ଏକ ପ୍ରକାର ବାଧ୍ୟ କରିଛି। ଦଳର ଏହି ବାଧ୍ୟ ବାଧକତା ବାଟରେ କିନ୍ତୁ ଛିଡା ହୋଇଛନ୍ତି ଜିଲା ବିଜେପି ସଭାପତି ଆଶୁତୋଷ ପରିଡା। ବିଶ୍ୱଙ୍କ ସାମିଲ ପରେ ବରୀରେ ନିଜର ପ୍ରଭାବକୁ ସଂପୂର୍ଣ୍ଣ ହରାଇବାର ଆଶଂକାରେ ଉବୁଟୁବୁ ଆଶୁତୋଷ ପ୍ରକାରାନ୍ତରେ ଏହାକୁ ବିରୋଧ ଜାରି ରଖିଥିବା ଜଣାଯାଇଛି। ଅନ୍ୟ ପକ୍ଷରେ ବିଶ୍ୱଙ୍କ ସ୍ୱାଧିନ ସଂଗଠନରେ ବିଜେଡି ଓ କଂଗ୍ରେସର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲାବେଳେ ବିଶ୍ୱ ବିଜେପିରେ ମିଶିବାକୁ କିଛି ନେତା ଓ କର୍ମୀ ସମର୍ଥନ କରିପାରୁ ନଥିବା ଖବର ରହିଛି।

ବିଶେଷ କରି ବିଜେଡି ବିଦ୍ରୋହୀ ନେତାମାନଙ୍କ ଉକ୍ତି ହେଲା ଦେବାଶିଷ ନାୟକଙ୍କ ପ୍ରତିନିଧିଙ୍କ ମନୋମୁଖି ଶାସନକୁ ବିରୋଧ କରି ଆମେ ସ୍ୱାଧିନ ସଂଗଠନରେ ସାମିଲ ହୋଇଥିଲେ ମଧ୍ୟ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହେବା ଆମ୍ଭମାନଙ୍କ ପାଇଁ ସହଜ ନୁହେଁ। ଯାହା ଆଗାମି ଦିନରେ ବିଶ୍ୱଙ୍କ ପାଇଁ ତଥା ବିଜେପି ପାଇଁ ଚିନ୍ତାର କାରଣ ପାଲଟିବାକୁ ଯାଉଛି।

ଦଳ ଏଠାରେ ଦୁଇଟି ପ୍ରତିରୋଧର ସମ୍ମୁଖିନ ହେବାକୁ ଯାଉଥିଲାବେଳେ ଜନମତକୁ ସମ୍ମାନ ଦେଇ ଚତୁର ରାଜନେତା ଦେବାଶିଷ ନାୟକ ଶେଷ ମୁହୁର୍ତରେ ନିଜ ଗୋଟି ଚାଳନାରେ ପରିବର୍ତନ କଲେ ବିଜେପି ପାଇଁ ଅଡୁଆ ବଢିବା ନିଶ୍ଚିତ।

ଅନ୍ୟ ଏକ ନିର୍ବାଚନ ମଣ୍ଡଳୀ ହେଲା ସୁକିନ୍ଦା। ଏଠାରେ ବିଜେପି ଜଣାଶୁଣା ବ୍ୟବସାୟୀ ତଥା ଏକଦା ରାଜ୍ୟର ଅନ୍ୟତମ ବରିଷ୍ଠ ରାଜନେତା ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ଅନ୍ୟତମ ସହଯୋଗି ପ୍ରଦୀପ ବଳସାମନ୍ତ (ଟୁଟୁ ବଳ)ଙ୍କୁ ସାମିଲ କରିବା ସ୍ଥିର କରିଛି। ଦଳର ଯୋଜନା ଅନୁଯାୟୀ ଟୁଟୁ ବଳଙ୍କ ମାଧ୍ୟମରେ ଘଡାଇ ପରିବାରକୁ ମାତ ଦେବା। ଯାହା ଦଳ ପାଇଁ ବର୍ତମାନ ପରିସ୍ଥିତିରେ ଆଦୌ ସହଜ ନୁହେଁ। ଗତ ନିର୍ବାଚନରେ ପ୍ରଫୁଲ୍ଲଙ୍କ ସ୍ଥାନରେ ତାଙ୍କ ବିଧାୟକ ପୁତ୍ର ଇଂ ପ୍ରୀତିରଞ୍ଜନ ଘଡାଇ ଏହି ଆସନରୁ ବିଜୟୀ ହୋଇଥିଲେ ୫ ହଜାରରୁ ଅଧିକ ଭୋଟରେ। ହେଲେ ନିଜ କାର୍ଯ୍ୟଦକ୍ଷତା ବଳରେ ପ୍ରୀତିରଞ୍ଜନ ଚଳିତ ପଂଚାୟତ ନିର୍ବାଚନରେ ଜିଲାର ସର୍ବାଧିକ ସଫଳ ନିର୍ବାଚନ ମଣ୍ଡଳୀ କରିପାରିଥିଲେ ସୁକିନ୍ଦାକୁ। ସାଧାରଣ ରୁ ଅତିସାଧାରଣ ଲୋକଙ୍କ ସହିତ ମିଶି ସେମାନଙ୍କ ସମସ୍ୟାକୁ ସମାଧାନ କରିବା ସହିତ ଯୁବ ଗୋଷ୍ଠିକୁ ସୁ ପରିଚାଳିତ କରି ବିଧାୟକ ଏହି ନିର୍ବାଚନ ମଣ୍ଡଳୀରେ ଦଳର ଭୋଟ ବ୍ୟବଧାନକୁ ୧୮ ହଜାର ଅତିକ୍ରମ କରିଛନ୍ତି। ଏହା ସହିତ ପଂଚାୟତ ନିର୍ବାଚନରେ ତାଙ୍କୁ ଓ ତାଙ୍କ ପରିବାରକୁ ଧୁଳି ଚଟାଇବାକୁ ଉଦ୍ୟମ କରିଥିବା ପଂଚ ମହାମେଂଟକୁ ଓଲଟି ଧୁଳି ଚଟାଇ ଦେଇଛନ୍ତି।

ତେଣୁ ସେଠାରେ ବିଜେପିର ସ୍ଥିତି କ’ଣ ହେବ ତାହା ମଧ୍ୟ ସଂଦେହ ସୃଷ୍ଟି କରିଛି। ଏହା ଛଡା ବିଜେପିର ବଢୁଥିବା ଲୋକପ୍ରିୟତାକୁ ଆଧାର କରି ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ଦୃତ ବୃଦ୍ଧି ଘଟୁଛି। ଯାହା ଦଳରେ ବିବାଦର କାରଣ ହେବାକୁ ଯାଉଛି।

ଅନ୍ୟ ପକ୍ଷରେ ଏବେବି ଜିଲାରେ ବିଜେଡିର ଦବଦବା ଥିଲାବେଳେ ବିଜେଡିର ସପ୍ତରଥୀଙ୍କ ଆଗାମି ରଣନୀତିକୁ ବିଜେପି କିଭଳି ସମ୍ମୁଖିନ ହେବ ତାକୁ ନେଇ ଜିଲା ରାଜନୀତି ବେଶ ସରଗରମ ହୋଇ ଉଠିଛି। ବିଜେପି ନିଜ କଳ୍ପନାର କଂଟକିତ ରାସ୍ତାରୁ କିଭଳି କଂଟାକୁ ହଟାଇ ତାକୁ କୁସୁମିତ କରିବ ତାହା ଉପରେ ଜିଲାବାସୀଙ୍କ ନଜର କେନ୍ଦ୍ରିଭୂତ ହୋଇଛି।

Leave a Reply

Your email address will not be published. Required fields are marked *