Home ଓଡ଼ିଶା ରାଜଧାନୀ ଅକ୍ତିଆର ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି ବିଜେପି

ରାଜଧାନୀ ଅକ୍ତିଆର ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି ବିଜେପି

1110

ଭୁବନେଶ୍ୱର ୧୭-୩ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ପୁରାଣ କାଳରେ ଗୋଟିଏ ରାଜ୍ୟକୁ ଅକ୍ତିଆର କରିବା ପାଇଁ ରାଜାଧାନୀକୁ ଆକ୍ରମଣ କରୁଥିଲେ ରାଜା ମହାରାଜାମାନେ। ରାଜାରାଜୁଡ଼ା ଶାସନର ଯୁଦ୍ଧ ପ୍ରଣାଳୀର ପରମ୍ପରା ଥିଲା ରାଜ୍ୟ ଦଖଲ କରିବାକୁ ହେଲେ ପ୍ରଥମେ ଏହାର ରାଜଧାନୀକୁ ଦଖଲକୁ ଆଣିବା। ବର୍ତ୍ତମାନ ଯୁଗରେ ଚାଲିଥିବା ରାଜନୈତିକ ଯୁଦ୍ଧର ସେହି ପୂର୍ବ ପରଂପରାକୁ ଆପଣାଇବାକୁ ଆପଣାଇବାକୁ ଯାଉଛି ଭାରତୀୟ ଜନତା ପାର୍ଟୀ। ରାଜ୍ୟ ଦଖଲ କରିବାକୁ ହେଲେ ପ୍ରଥମେ ରାଜଧାନୀ ଉପରେ ଫୋକସ କରାଯାଉ ଏହି ରାଜନୈତିକ କୌଶଳକୁ ଆପଣାଇ ବିଜେପି ଆସନ୍ତା ନିର୍ବାଚନରେ ଫୋକସରେ ରଖିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଲୋକସଭା ଆସନ। ଏଥି ସକାଶେ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା ବିଜେପି। କଳେ ବଳେ କୌଶଳେ ଭୁବନେଶ୍ୱର ଲୋକସଭା ଆସନକୁ ଅକ୍ତିଆର କରିଦେଲେ ଏହା ହେବ ବିଜେପି ପାଇଁ ବଡ଼ ସଫଳତା। ଅପରାଜିତା ଷଢ଼ଙ୍ଗୀଙ୍କ ପରି ବରିଷ୍ଠ ପ୍ରଶାସିକାଙ୍କୁ ଚାକିରିରୁ ଅବସର କରାଇ ରାଜନୀତି ରଣକ୍ଷେତ୍ରକୁ ଓହ୍ଲାଇଥିଲା ବିଜେପି। ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଭୁବନେଶ୍ୱର ଲୋକସଭା ଆସନ ବିଜୁ ଜନତା ଦଳ କବଜାରେ ଥିଲା। ଦାର୍ଘ ବର୍ଷ ଧରି ଏଠାରୁ ପ୍ରତିନିଧିତ୍ୱ କରୁଥିବା ବିଜେଡ଼ି ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀଙ୍କର ଲୋକପ୍ରିୟତା ଏବେ ନିମ୍ନଗାମୀ। ଏହି ମୌକାର ଫାଇଦା ନେବାପାଇଁ ବିଜେପି ଓଡ଼ିଶା କ୍ୟାଡ଼ରର ଜଣେ ଦକ୍ଷ ପ୍ରଶାସିକାଙ୍କୁ ମଇଦାନକୁ ଓହ୍ଲାଇଛି।

ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ବିଜେଡ଼ି କବଜାରେ। ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ଜିତିବାକୁ ହେଲେ ସାତୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ମାତ୍ର ଏହି ଆଧାରରେ ଦୀର୍ଘ ବର୍ଷ ଧରି ଭୁବନେଶ୍ୱର ଲୋକସଭା ଆସନକୁ ନିଜ ଅକ୍ତିଆରରେ ରଖିବାକୁ ସକ୍ଷମ ହୋଇପାରିଥିଲା। ମାତ୍ର ଏବେ ଏହି ସାତୋଟି ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟୀର ଉତ୍ଥାନ ଚିନ୍ତାର କାରଣ ପାଲଚିଛି ବିଜୁ ଜନତା ଦଳ ପାଇଁ।

ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟୀ ଧିରେଧିରେ ଉପରକୁ ଉଠୁଛି। ଏହି ନିର୍ବାଚନ ମଣ୍ଡଳୀରେ ବିଜେପିର ମଙ୍ଗ ଧରିଥିଲେ ପୂର୍ବତନ ବିଧାୟକ ଜିତୁ ମିତ୍ର। ମାତ୍ର ଅକସ୍ମାତ ସେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଲେ। ଆସନ୍ତା ନିର୍ବାଚନରେ ସେ ଖୋର୍ଦ୍ଧାରୁ ବିଜେଡ଼ି ଟିକେଟ ପାଇବା ନିଶ୍ଟିତ ମାତ୍ର ବିଜେଡ଼ିର ଏହି ରଣନୀତି ସମ୍ପୂର୍ଣ୍ଣ ଫେଲ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ସେମାନଙ୍କ ମତରେ ଜିତୁ ମିତ୍ରଙ୍କର ଖୋର୍ଦ୍ଧାରେ ସେଭଳି ଲୋକପ୍ରିୟତା ନଥିଲା। ତାଙ୍କର ଦଳ ବଦଳକୁ ସହିପାରୁ ନାହାଁନ୍ତି ବିଜେପି କର୍ମୀ ଓ ସାଧାରଣ ଭୋଟର। ଆସନ୍ତା ନିର୍ବାଚନରେ ଏହା ବିଜେଡ଼ି ପାଇଁ ବ୍ୟୁମେରାଂ ହେବ ବୋଲି ଆଶା କରାଯାଉଛି।

ଖୋର୍ଦ୍ଧାରୁ ଗତ ଦୁଇଥର ବିଜେଡ଼ି ବିଧାୟକ ରାଜୁ ସାହୁଙ୍କୁ ଦଳ ଚିନ୍ତା କରୁଛି ବେଗୁନିଆଁ ବୋଲଗଡ଼ରୁ ପ୍ରାର୍ଥୀ କରିବ। ବେଗୁନିଆରୁ ବିଜେଡ଼ି ବିଧାୟକ ଥିବା ପ୍ରଶାନ୍ତ ଜଗଦେବଙ୍କୁ ଦଳ ଆଉ ପ୍ରାର୍ଥୀ କରିବ ନାହିଁ। ଏହି ଖବର ଜଣାପଡ଼ିବା ପରେ ପ୍ରଶାନ୍ତ ଜଗଦେବ ଦଳ ବିରୋଧରେ ଯାଇ ସ୍ୱାଧିନ ପ୍ରାର୍ଥୀ ଭାବରେ ଲଢ଼ିବେ ବୋଲି ଜଣା ପଡ଼ିଛି। ଏହି ରାଜନୈତିକ ହଟଚମଟର ପୂର୍ଣ୍ଣ ଫାଇଦା ନେବା ପାଇଁ ଅଣ୍ଟା ବିଡ଼ିଛି ବିଜେପି। ଜଟଣୀ ନିର୍ବାଚନ ମଣ୍ଡଳୀ ମଧ୍ୟ ଅନୁରୂପ ଭାବରେ ଲଗାତାର ଦୁଇ ପର୍ଯ୍ୟାୟ ହେଲା ବିଜେଡ଼ି ହାତରେ ରହିଛି। ୨୦୦୯ ମସିହାରେ ଏଠାରୁ ବିଜେଡ଼ି ଟିକେଟରେ ନିର୍ବାଚନ ଜିତିଥିଲେ ବିଭୂତି ବଳବନ୍ତରାୟ। ୨୦୧୪ ମସିହାରେ ଦଳ ତାଙ୍କୁ ଟିକେଟ ନଦେଇ ଭାଗିରଥି ବଡ଼ଜେନାଙ୍କୁ ଟିକେଟ ପ୍ରଦାନ କରିଥିଲା ଏବଂ ସେ ନିର୍ବାଚନ ଜିତିଥିଲେ ମଧ୍ୟ ଏବେ ପୁଣି ବିଜେଡ଼ି ବିଭୂତି ବଳବନ୍ତ ରାୟଙ୍କୁ ଟିକେଟ ଦେବ ବୋଲି ସ୍ପଷ୍ଟ ଚିତ୍ର ସାମନାକୁ ଆସିଛି। ଏହି ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେପିର ଉତ୍ଥାନ ବିଜେଡ଼ିପାଇଁ ଚିନ୍ତାର କାରଣ ହୋଇଛି। ଦୀର୍ଘ ବର୍ଷ ଧରି ଜଟଣୀ କଂଗ୍ରେସର ମଙ୍ଗ ଧରିଥିବା ସୁରେଶ ରାଉତରାୟଙ୍କର ଉପରେ ବୟସାଧିକ କାରଣରୁ ଜନସାଧାରଣ ଭରସା କରିପାରୁ ନାହାଁନ୍ତି। ଯଦି ବିଜେପି ଉପଯୁକ୍ତ ପ୍ରାର୍ଥୀ ଦିଏ ତେବେ କଂଗ୍ରେସ ଓ ବିଜେଡ଼ିର ଅର୍ଦ୍ଧାଧିକ ଭୋଟ ଭାରତୀୟ ଜନତା ପାର୍ଟୀ ଅକ୍ତିଆର କରିନେବ ଏଥିରେ ସନ୍ଦେହ ନାହିଁ। ଏବେ ଦେଖିବା ବାଲିପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ। ଏଠାରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ତଥା ରାଜ୍ୟ ସରକାରଙ୍କର ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଲୋକ ପ୍ରିୟତା ନିମ୍ନଗାମୀ। ତାଙ୍କୁ ପୁଣିଥରେ ପ୍ରାର୍ଥୀ କରାଇବା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଆନ୍ତରିକ ଇଚ୍ଛା। ମାତ୍ର ଗୁଇନ୍ଦା ତଥ୍ୟ ଓ ଘରୋଇ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେକ୍ଷଣରୁ ସ୍ପଷ୍ଟ ଚିତ୍ର ମିଳିଛିଯେ, ଶଶୀ ବେହେରା ଟିକେଟ ପାଇଲେ ଅମାନତ ହରାଇବେ। ତେଣୁ ସେହି ଆସନରେ ପୂର୍ବରୁ ବିଧାୟକ ଥିବା ଅରବିନ୍ଦ ଢ଼ାଲିଙ୍କ ନାମକୁ ଦଳ ଚିନ୍ତା କରୁଛି। ବିଜେପିର ଗତିପଥକୁ ଶ୍ରୀଯୁକ୍ତ ଢ଼ାଲି କିପରି ରୋକ ଦେଇପାରିବେ ସେଥିପାଇଁ ଚାଲିଛି ରାଜନୈତିକ କସରତ।

ଭୁବନେଶ୍ୱର ସହର ଅନ୍ତର୍ଗତ ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକାମ୍ର, ଭୁବନେଶ୍ୱର ମଧ୍ୟ ଏବଂ ଭୁବନେଶ୍ୱର ଉତ୍ତରରେ ବିଜେପି, ବିଜେଡ଼ିକୁ କଡ଼ା ଟକ୍କର ଦେବାକୁ ଯାଉଛି। ଭୁବନେଶ୍ୱର ମଧ୍ୟକୁ ଛାଡ଼ିଦେଲେ ଅନ୍ୟ ଦୁଇଟି ନିର୍ବାଚନ ମଣ୍ଡଳୀ ବିଜେଡ଼ି ହାତରୁ ଚାଲିଯିବ ବୋଲି ସର୍ଭେକ୍ଷଣରୁ ଜଣାପଡ଼ିଛି। ଏହାର ମୁଖ୍ୟ କାରଣ ହେଲା ବିଜେଡ଼ିର ଗୋଷ୍ଠି କନ୍ଦଳ। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଏବଂ ଭୁନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ମଧ୍ୟରେ ଗୋଷ୍ଠି କନ୍ଦଳ ତୀବ୍ର ଆକାର ଧାରଣ କରିଛି। ଅନନ୍ତ ଚାହୁଁଥିଲେ ଭୁବନେଶ୍ୱର ମଧ୍ୟ କିମ୍ବା ଉତ୍ତରରୁ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହେବାପାଇଁ। ମାତ୍ର ତାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆସିବା ପରେ ବିଜେଡ଼ି ସୁପ୍ରିମୋ ତାଙ୍କୁ ଅଣଦେଖା କରୁଛନ୍ତି। ଭୁବନେଶ୍ୱରରେ ଅନନ୍ତ ନାରାୟଣ ଜେନାଙ୍କର ବହୁ ସଂଖ୍ୟାରେ ପକେଟ ଭୋଟ ରହିଛି। ଅନନ୍ତ ଜେନା ଅସନ୍ତୁଷ୍ଟ ହେଲେ ଏହା ଦଳ ଉପରେ ପ୍ରଭାବ ପଡ଼ିବ। ଭୁବନେଶ୍ୱର ମଧ୍ୟରୁ ବିଧାୟକଥିବା ବିଜୟ ମହାନ୍ତିଙ୍କୁ ସୁପ୍ରିମୋ ଆଉ ଟିକେଟ ଦେବାକୁ ଚାହୁଁନାହାନ୍ତି। ଉତ୍ତର ବିଧାୟକ ଥିବା ପ୍ରୀୟଦର୍ଶୀ ମିଶ୍ରଙ୍କୁ ମଧ୍ୟ ଦଳ ହଟାଇବାକୁ ଚାହୁଁଛି।

ଏ ସମସ୍ତ ରାଜନୈତିକ ଗଣିତକୁ ଆକଳନ କରି ବିଜେପି ବହୁ ପୂର୍ବରୁ ଆରମ୍ଭ କରିଦେଇଛି ତା’ର ମାଷ୍ଟର ପ୍ଲାନ୍। ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀଙ୍କର ବିଭିନ୍ନ ବିଧାନସବା ନିର୍ବାଚନ ମଣ୍ଡଳୀକୁ ତୋଫାନୀ ଗସ୍ତ, ବିଜେପି କର୍ମୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ବଢ଼ାଇ ଦେଇଛି। ଅପର ପକ୍ଷରେ ବ୍ୟାକଫୁଟରେ ରହିଯାଇଛି ବିଜେଡ଼ି। ଡ.ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବିଜେଡ଼ି ଏଥର ସାଂସଦ ଟିକେଟ ନଦେଇ ବରିଷ୍ଟ ପୋଲିସ୍ ପ୍ରଶାସକ ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେବ ବୋଲି ଚିନ୍ତା କରୁଛି। ଜଣେ ଦକ୍ଷ ପ୍ରଶାସକ ହିସାବରେ ତାଙ୍କର ଛାତି ରହିଥିଲେ ମଧ୍ୟ ଅପରାଜୀତାଙ୍କ ପରି ସେ ରାଜନୈତିକ ଆକ୍ରମଣାତ୍ମକ ଶୈଳୀ ଆପଣାଇପାରୁନାହାଁନ୍ତି। ପ୍ରସନ୍ନ ପାଟ୍ଟଶାଣୀଙ୍କ ପରି ରାଜନୈତିକ ଭିଷ୍ମ ପିତାମହଙ୍କ ବଦଳରେ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବା ବିଜେଡ଼ି କର୍ମୀ ଏବଂ ସାଧାରଣ ଜନତା ସହଜରେ ଗ୍ରହଣ କରିପାରୁନାହାଁନ୍ତି। କର୍ମୀ ଚାହୁଁଛନ୍ତି, ପ୍ରସନ୍ନ ପାଟ୍ଟଶାଣୀଙ୍କଠାରୁ ମଧ୍ୟ, ଦଳ, ଆହୁରି ଯୋଗ୍ୟ ପ୍ରାର୍ଥୀ ଦେଉ କାରଣ ଭୁବନେଶ୍ୱର ହେଉଛି ଓଡ଼ିଶାର ରାଜଧାନୀ। ଏହି ପ୍ରକାର ଗୋଳମାଳିଆ ରାଜନୈତିକ ପରିସ୍ଥିତିର ପୂର୍ଣ୍ଣ ଫାଇଦା ନେବାକୁ ବସିଛି ବିଜେପି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.