Home ଓଡ଼ିଶା ନିଜ ଗୋଡ଼କୁ ନିଜେ କୁରାଢ଼ି ମାରୁଛି ବିଜେପି;ପ୍ରଶିକ୍ଷଣ ଶିବିର ଶେଷ ବେଳକୁ ପଦାଧିକାରୀଙ୍କୁ ଅବ୍ୟାହତି

ନିଜ ଗୋଡ଼କୁ ନିଜେ କୁରାଢ଼ି ମାରୁଛି ବିଜେପି;ପ୍ରଶିକ୍ଷଣ ଶିବିର ଶେଷ ବେଳକୁ ପଦାଧିକାରୀଙ୍କୁ ଅବ୍ୟାହତି

984

ବିଷ ମଞ୍ଜି ବୁଣୁଛନ୍ତି ରାଜ୍ୟ ନେତୃତ୍ୱ!
ଭୁବନେଶ୍ୱର:କଟକଠାରେ ଚାଲିଥାଏ ବିଜେପି କୃଷକ ମୋର୍ଚ୍ଚାର ପ୍ରଶିକ୍ଷଣ ବର୍ଗ।ପ୍ରଶିକ୍ଷଣ ବର୍ଗ ସମାପ୍ତ ହେଲା।କାର୍ଯ୍ୟକ୍ରମ ସାରି କାର୍ଯ୍ୟକର୍ତ୍ତା, ପଦାଧିକାରୀମାନେ ବାହାରିଲେ ନିଜ ନିଜ ଘରକୁ।ସେହି ଅନୁଯାୟୀ ବାଲେଶ୍ୱର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିପିନ ବିହାରୀ ଦାସ କଟକରୁ ଫେରୁଥାଆନ୍ତି ବାଲେଶ୍ୱର।ହଠାତ ଖବର ପହଁଚିଲା ଯେ ସେ ଆଉ ତାଙ୍କ ଦାୟିତ୍ୱରେ ନାହାଁନ୍ତି।ବାଲେଶ୍ୱର ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ ଏବଂ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ମିଳିତ ନିଷ୍ପତି ନେଇ ବିପିନ ବିହାରୀ ଦାସଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେବା ସହ ମହେନ୍ଦ୍ର ଦାସଙ୍କୁ ନୂତନ ଭାବରେ ନିଯୁକ୍ତି ଦେଇଛନ୍ତି।ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟକ୍ରମ ସାରି ଘରକୁ ଫେରିଲା ବେଳକୁ,ହୁଏତ ନିଜ ଜିଲ୍ଲାରେ ଆଗାମୀ କାର୍ଯ୍ୟକ୍ରମ ପାଇଁ ମନରେ କୌଣସି ଯୋଜନା ଭିତରେ ଥିବା ବେଳେ ଅଧିକାରୀ ଜଣଙ୍କ ପାଇଲେ ଏପରି ସୂଚନା।ତାହା ପୁଣି ଦଳୀୟ ସୂତ୍ରରୁ ନୁହେଁ,କୌଣସି ମିଡିଆ ସୂତ୍ରରୁ।ବାଲେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏପରି ବିଜ୍ଞପ୍ତି ସିଧାସଳଖ ପ୍ରେସ ମାଧ୍ୟମରେ ପ୍ରକାଶ କରାଯିବା ସହ ବିଜେପି ରାଜ୍ୟ ସଭାପତି ଏବଂ ସଙ୍ଗଠନ ସମ୍ପାଦକ ଏହାକୁ ସ୍ୱୀକୃତି ଦେବା କଥା ଉଲ୍ଲେଖ ରହିଛି।ରାଜ୍ୟ ଉପସଭାପତି ତଥା ବାଲେଶ୍ୱର ପ୍ରଭାରୀ ସମୀର ମହାନ୍ତି ଏବଂ ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ ଏହି ନିଷ୍ପତି ନେଇଛନ୍ତି।

ଦୀର୍ଘ ଦିନ ହେଲା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଦାୟିତ୍ୱ ତୁଲେଇ ଆସୁଥିବା ବିପିନ ବିହାରୀ ଦାସଙ୍କ ସହ ଆଲୋଚନା ନକରି ତାଙ୍କୁ ଏନେଇ କିଛି ସୂଚିତ କରାନଯାଇ,ସେ ଏକ ସାଙ୍ଗଠନିକ କାର୍ଯ୍ୟକ୍ରମ ସାରି ଫେରିଲା ବେଳକୁ ହଠାତ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏପରି ଘୋଷଣା କେତେଦୂର ସମୀଚିନ ବୋଲି ଆଲୋଚନା ହେଉଛି।ଏଠାରେ ଆଶ୍ଚର୍ଯ୍ୟ କଥା କୃଷକ ମୋର୍ଚ୍ଚାର ଜଣେ ଜିଲ୍ଲା ସଭାପତିଙ୍କୁ ଅବ୍ୟାହତି ଦିଆଯାଉଛି,କିନ୍ତୁ ଏନେଇ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ପାଖରେ କିଛି ସୂଚନା ନାହିଁ?କାର୍ଯ୍ୟକ୍ରମ ସାରି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତିଙ୍କ ପାଖରୁ ଫେରୁଥିବା ସମୟରେ ହିଁ ବିପିନ ଦାସ ଏପରି ସୂଚନା ପାଇଛନ୍ତି।ଏବଂ ଏଠାରେ ଆଉ ଏକ କଥା ଶୁଣିବାକୁ ମିଳିଛି ଯେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ସ୍ୱୀକୃତିରେ ଯେଉଁ ଏହି ପରିବର୍ତ୍ତନ କଥା କୁହାଯାଇଛି,ତାହା ମିଥ୍ୟା।ରାଜ୍ୟ ସଭାପତି,ସଙ୍ଗଠନ ସମ୍ପାଦକ,କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତିନି ଜଣଙ୍କ ଅଗୋଚରରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ ଏହି ନିଷ୍ପତି ନେଇଛନ୍ତି।ତେବେ ଏଠି ପ୍ରଶ୍ନ ଉଠୁଛି ବାଲେଶ୍ୱର ପ୍ରଭାରୀ ଥିବା ସମୀର ମହାନ୍ତି ସେଠାକୁ ସଙ୍ଗଠନ ସଜାଡ଼ିବାକୁ ଯାଉଛନ୍ତି ନାଁ ସଙ୍ଗଠନ ଭାଙ୍ଗିବାକୁ?

ଏଇ କିଛି ଦିନ ତଳେ ବାଲେଶ୍ୱର ସିମୁଳିଆରେ ହେଲା ମିଶ୍ରଣ ପର୍ବ।ପଦ୍ମଲୋଚନଙ୍କୁ ପଦ୍ମ ଧରିଆ ଗଲା।କିନ୍ତୁ ଗତଥର ବିଜେପିର ବିଧାୟକ ପାର୍ଥି ଥିବା ଶଶୀ କୁମାର ସାହୁଙ୍କ ବିନା ସହମତିରେ ପଦ୍ମଲୋଚନଙ୍କୁ ପଦ୍ମରେ ସାମିଲ କରାଗଲା।ଶଶୀ ଅସନ୍ତୋଷ ଥିବା କଥା ନେତୃତ୍ୱ ଜାଣିଲେ,କିନ୍ତୁ କୁହାଗଲା ଯେ ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ।ଯିଏ ଦଳକୁ ଆସିବ ତାକୁ ଗ୍ରହଣ କରାଯିବ।କିନ୍ତୁ,ଏବେ ତାର ପ୍ରତିକ୍ରିୟା ଘଟିବାକୁ ଯାଉଛି।ଶଶୀ କୁମାର ଆଗାମୀ ସପ୍ତାହରେ ତାଙ୍କର ବହୁ ସଂଖ୍ୟକ ସମର୍ଥକଙ୍କ ସହ ବିଜେଡିର ସାମିଲ ହେବାକୁ ଯାଉଥିବା କଥା ଶୁଣାଯାଉଛି।ପଦ୍ମଲୋଚନ ଯେତିକି ସଂଖ୍ୟକ ସମର୍ଥକଙ୍କ ସହ ଆସି ବିଜେପିରେ ମିଶିଲେ,ଶଶୀ କୁମାର ତା’ ଠାରୁ କେତେଗୁଣା ଅଧିକ ସମର୍ଥକଙ୍କ ସହ ବିଜେପି ଛାଡ଼ି ଯାଇ ବିଜେଡିରେ ମିଶିବେ ବୋଲି ଆଲୋଚନା ହେଉଛି।କେବଳ ଯେ ଶଶୀଙ୍କ ସମର୍ଥକ ନୁହେଁ,ବିଜେପି ନେତୃତ୍ୱଙ୍କ ଏପରି ପଦକ୍ଷେପକୁ ହଜମ କରି ପାରିନାହାଁନ୍ତି ଅନେକ ବିଜେପି କାର୍ଯ୍ୟକର୍ତ୍ତା।ତେଣୁ ଶଶୀଙ୍କ ପ୍ରତି ସମର୍ଥନ ବଢ଼ିଯାଇଛି।ଏବେ ପୁଣି ବିପିନ ବିହାରୀ ଦାସଙ୍କୁ ଅପ୍ରୟାସିତ ଭାବରେ ଅବ୍ୟାହତି ଦେବାର ପ୍ରସଙ୍ଗ।ଏହାକୁ ନେଇ ବାଲେଶ୍ୱର ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନରେ ଏକ ହତୋତ୍ସାହ ତଥା ଅସୁରକ୍ଷିତ ମନୋଭାବ ସୃଷ୍ଟି ହୋଇ ଅସନ୍ତୋଷର ଦାନା ବାନ୍ଧୁଛି।ବାଲେଶ୍ୱର ଜିଲ୍ଲା ସଭାପତି ସେଠାରେ ନିଜର ମନୋମୁଖୀ କାର୍ଯ୍ୟକ୍ରମ କରୁଥିବା ଏବଂ ବାଲେଶ୍ୱର ସଙ୍ଗଠନ ବାବଦରେ ଅନଭିଜ୍ଞ ରାଜ୍ୟ ନେତୃତ୍ୱ ସେଠାରେ ଅଯଥାରେ ହସ୍ତକ୍ଷେପ କରି ବିଷ ମଞ୍ଜି ବୁଣୁଛନ୍ତି ବୋଲି ଆଲୋଚନା ହେଉଛି।

ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଲା।ଏଇ ନିକଟରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା।ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀଙ୍କୁ ହଠାତ ଅପସାରିତ କରି ଦିଆଗଲା।ଠିକ୍ ବାଲେଶ୍ଵର ଘଟଣା ପରି ମିନାକ୍ଷୀ ଏହି ସୂଚନା ଦଳୀୟ ସୂତ୍ରରୁ ନୁହେଁ,ମିଡିଆ ସୂତ୍ରରୁ ପାଇଲେ।ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏହି ନିଷ୍ପତି ମିଡିଆ ମାଧ୍ୟମରେ ଅପମାନଜନକ ଭାବରେ ଅପସାରିତ ସଭାନେତ୍ରୀଙ୍କୁ ସୂଚିତ କରାଇଲେ।ରାଜ୍ୟରେ କିଛି ସ୍ଥାନରେ ଜିଲ୍ଲା ସଭାପତି ଏପରି ମନମାନି ନିଷ୍ପତି ନେଉଥିଲେ ମଧ୍ୟ ଏବଂ କାର୍ଯ୍ୟକର୍ତ୍ତାଙ୍କ ମନରେ ଅସନ୍ତୋଷ ଥିଲେ ସୁଦ୍ଧା କେନ୍ଦ୍ରମନ୍ତ୍ରୀଙ୍କ ସେମାନେ ପାଖ ଲୋକ କହି ଅନେକ ନିରବ ରହୁଛନ୍ତି।ଏବଂ ବାଲେଶ୍ୱର ପରି ନିଷ୍ପତି ଘଟଣାରେ ରାଜ୍ୟ ପଦାଧିକାରୀଙ୍କ ସଂପୃକ୍ତିକୁ ନେଇ ବିଜେପି ନିଜ ଗୋଡ଼କୁ ନିଜେ କୁରାଢ଼ୀ ମାରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।/ଦେବଦତ୍ତ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.