ଓଡ଼ିଶା

ରାଜନୈତିକ ଅସ୍ଥିରତା ଆଡକୁ ମୁହାଁଉଛି ବିଜେଡି

ଭୁବନେଶ୍ୱର ୧୧-୪ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳ ତରଫରୁ ପ୍ରସ୍ତୁତି ଜୋର୍ସୋରରେ ଚାଲିଛି। ଦେଖିବାକୁ ଗଲେ ସବୁଠାରୁ ଆଗରେ ରହିଛି ବିଜେଡି। ମାତ୍ର ବିଜେଡି ଆପଣାଉଥିବା ରଣନିତୀକୁ ନେଇ ଦଳ ଭିତରେ ମାତ୍ରାଧିକ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି। ଦଳର ତୁଙ୍ଗ ନେତାମାନଙ୍କୁ କେବଳ ବିକ୍ଷୋବ ପ୍ରଦର୍ଶନରେ ନିୟୋଜିତ କରାଯାଉଛି। ତାହା ମହାନଦୀ ଟ୍ରିବ୍ୟୁନାଲ ଗଠନ ହେଉ ବା ପେଟ୍ରୋଲ ଦର ବୃଦ୍ଧି ବିରୁଦ୍ଧରେ ହେଉ। ମାତ୍ର ପ୍ରକୃତ ରଣନିତୀ ତୃତୀୟ ମହଲାର ଅଫିସରମାନେ କରୁଛନ୍ତି। ତୃତୀୟ ମହଲାର ମାତ୍ରାଧିକ ଦଳୀୟ ହସ୍ତକ୍ଷେପକୁ ଦଳୀୟ ନେତାମାନେ ଆଉ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଯାହା ନିର୍ଦ୍ଦେଶ ଆସୁଛି ତାକୁ କାର୍ଯ୍ୟକାରୀ କରିବାକୁ କରିବାକୁ ବାଧ୍ୟ। ଏକ ପ୍ରକାର ଧମକ। କାମ କର ନଚେତ ଆସନ୍ତା ନିର୍ବାଚନରେ ଟିକେଟ୍ ଗୋଲ୍। ଏ ପ୍ରକାର ଆଭିମୁଖ୍ୟକୁ ନେଇ ଅସନ୍ତୋଷ ଚରମ ସୀମାରେ। ବିଶେଷକରି ଦଳର ବରିଷ୍ଠ ନେତାମାନେ ଆଉ ସହିବା ଅବସ୍ଥାରେ ନାହାଁନ୍ତି।

୨୦୦୬ ମସିହାରେ ସେହି ଏକା ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ୟାରୀମୋହନ ମହାପାତ୍ରଙ୍କ ମାତ୍ରାଧିକ ହସ୍ତକ୍ଷେପରେ ଅସ୍ତବ୍ୟସ୍ତ ହୋଇ ରାମକୃଷ୍ଣ ପଟ୍ଟନାୟକ, କୁମୁଦିନୀ ପଟ୍ଟନାୟକ, ଜଗନ୍ନାଥ ମଲ୍ଲିକ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ବରିଷ୍ଠ ନେତାମାନେ ବିରୋଧ କରିଥିଲେ। ଏମାନଙ୍କୁ ସହଯୋଗ କରିଥିଲେ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର। ପରିସ୍ଥିତି ଅଣାୟତ ହୋଇ ପଡିଥିଲା। ଶେଷକୁ ବାଧ୍ୟ ହୋଇ ବିଜେଡି ସୁପ୍ରିମୋ ମୁଣ୍ଡ ନୁଆଁଇ ଥିଲେ। ଗୋଟେ ବଡ ବିଭାଜନରୁ ଟଳି ଯାଇଥିଲା ବିଜେଡି। ଏବେ ପୁଣି ସେହି ପରିସ୍ଥିତି ଆସି ଉପୁଜିଛି। ତୃତୀୟ ମହଲାର ମେରୀ ରାୟ ମର୍ଜ୍ଜିରେ ଅତିଷ୍ଠ ଦଳୀୟ ନେତା। କଂଗ୍ରେସରୁ ନେତା ଆମଦାନୀ କରିବା ପଲିସିକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ବିଜେଡି ପାଇଁ ରକ୍ତର ଝାଳ ବୁହାଇ ଥିବା ନେତାମାନେ। ସେମାନଙ୍କ ମତରେ ଯେଉଁ କଂଗ୍ରେସ ନେତାଙ୍କୁ ତାଙ୍କୁ ନିଜ ନିର୍ବାଚନମଣ୍ଡଳୀର ଲୋକମାନେ ଫୋପାଡି ଦେଇଛନ୍ତି, ସେମାନଙ୍କୁ ବିଜେଡିରେ ଆଣି ଟିକେଟ୍ ଦେଲେ ସେହି ଜନସାଧାରଣ ଭୋଟ୍ ଦେବେ କିପରି ? ଏହା ପୂର୍ବରୁ ସମ୍ଭବ ହୋଇ ପାରୁଥିଲା। ଏବେ କିନ୍ତୁ ସେ ପରିସ୍ଥିତି ନାହିଁ। ଦୀର୍ଘ ୧୮ ବର୍ଷ ଶାସନ କରିବା ପରେ ସରକାରର ଆଉ ସେହି ଲୋକପ୍ରିୟତା ନାହିଁ। ତାଛଡା ରାଜ୍ୟରେ ବିଜେପି ହୁ ହୁ ହୋଇ ବଢିବାରେ ଲାଗିଛି। ଏ ପରିସ୍ଥିତିରେ ଆସନ୍ତା ନିର୍ବାଚନରେ କିପରି ଲଢିବେ ତାହା ବିଜେଡି ନେତାଙ୍କ ଚିନ୍ତାର କାରଣ ହୋଇଛି। ନିର୍ବାଚନକୁ ଆଖିରେ ରଖି ବିଜେପି ତାର ରଣନିତୀ ପରିବର୍ତ୍ତନ କରିବାରେ ଲାଗିଛି। ପ୍ରତାପ ଷଡଙ୍ଗୀ ରାଜ୍ୟ ସଭାପତି ହେବା ଏକ ପ୍ରକାର ନିଶ୍ଚିତ। ଜଣେ ବାଗୀ ଓ ସଚ୍ଚୋଟ ନେତା ହିସାବରେ ତାଙ୍କର ଖ୍ୟାତି ରାଜ୍ୟରେ ରହିଛି। ଉତ୍ତରପ୍ରଦେଶ ଢାଞ୍ଚାରେ ଓଡିଶାରେ ରଣନୀତି ତିଆରି କରୁଛି ବିଜେପି। ତାଛଡା ଦଳ ଭିତରେ ବିଭିନ୍ନ ପଦପଦବୀର ଆମୂଳଚୂଳ ପରିବର୍ତ୍ତନ ହେବାର ଆଭାସ ମିଳୁଛି। ସମାନୁପାତରେ କଂଗ୍ରେସ ମଧ୍ୟ ଆସନ୍ତା ନିର୍ବାଚନ ପାଇଁ ଦଳୀୟ ସଂଗଠନକୁ ବଦଳାଇବା ପାଇଁ ଗୁରୁତର ସହିତ ଚିନ୍ତା କରୁଛି। ନିରଞ୍ଜନ ପଟ୍ଟନାୟକ ମଙ୍ଗ ଧରିବା ସୁନିଶ୍ଚିତ। ଆସନ୍ତା ଅକ୍ଷୟ ତୃତୀୟା ବେଳକୁ କଂଗ୍ରେସର ଚିତ୍ର ସ୍ପଷ୍ଟ ହୋଇ ଯିବାର ସମ୍ଭାବନା ରହିଛି।

ତେଣୁ ଏପରି ରାଜନୈତିକ ଘଣ୍ଟାଚକଟା ଭିତରେ ବିଜେଡି ରଣନୀତିକୁ ଦଳୀୟ ନେତାମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ପ୍ରାୟ ସମସ୍ତ ନେତା ନିଜ ନିଜ ନିର୍ବାଚନମଣ୍ଡଳୀରେ ଅଳ୍ପ ବହୁତ ଲୋକପ୍ରିୟତା ହରାଇ ସାରିଛନ୍ତି। ତେଣୁ ଲୋକମାନଙ୍କୁ ବଶୀଭୁତ କରି ଆସନ୍ତା ନିର୍ବାଚନ ବୈତରଣୀ ପାର୍ ହେବା ପରିବର୍ତ୍ତେ ଆସ୍ଥା ହରାଇଥିବା କଂଗ୍ରେସ ନେତାଙ୍କୁ ଦଳକୁ ଭିଡିବା ଉଭୟ ନେତା ଓ କର୍ମୀଙ୍କୁ ହତାଶ କରିଛି। ଦିନକୁ ଦିନ ଏହି ଅସନ୍ତୋଷର ମାତ୍ରା କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଯଦି ଏବେ ଠାରୁ ଏହାର କୌଣସି ସମାଧାନ ନ ବାହାରେ ତେବେ ନିର୍ବାଚନ ପୂର୍ବରୁ ବିଜେଡି ଭିତରେ ଏକ ବଡ ରାଜନୈତିକ ଅସ୍ଥିରତା ଦେଖା ଦେବ ଏଥିରେ ସନ୍ଦେହ ନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top