ଓଡ଼ିଶା

ବିଜେପୁର ଉପନିର୍ବାଚନ: ଖୁବଶୀଘ୍ର “ବିଜେପି ସଂସଦୀୟ ବୋର୍ଡ” ବିଜେପୁର ପାର୍ଥୀଙ୍କ ନାମ ଚୟନ କରି ଘୋଷଣା କରିବେ : ବିଜେପି

– ଜିଲ୍ଲା ସ୍ତରରୁ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କ ନାମ ଓ ଯୋଗ୍ୟତା ଅନୁଯାୟୀ ତାଲିକା କେନ୍ଦ୍ରକୁ ପଠାଯାଇଛି
– ବିଜେପୁରବାସୀ ନବୀନ ସରକାରଙ୍କ ଭ୍ରଷ୍ଟାଚାର ବିରୁଦ୍ଧରେ ଏକାଠୀ ହୋଇ ବିଜେପିକୁ ବିଜୟୀ କରିବେ ବୋଲି ନିଷ୍ଫତି ନେଇସାରିଛନ୍ତି
– ବିଜେପୁର ନିର୍ବାଚନରୁ ବିଜେପି ଓଡିଶାରେ ବିଜୟର ବିଗୁଲ ବଜାଇବ

ଭୁବନେଶ୍ୱର, ତା.୨୮/୦୧(ଓଡ଼ିଆ ପୁଅ) : ଆଗାମୀ ବିଜେପୁର ଉପ ନିର୍ବାଚନ ପାଇଁ ବିଜେପି ତରଫରୁ ପ୍ରାର୍ଥୀଙ୍କ ନାମ ଖୁବଶୀଘ୍ର ଘୋଷଣା କରାଯିବ। ଜିଲ୍ଲା ସ୍ତରରୁ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କ ନାମ ଓ ଯୋଗ୍ୟତା ଅନୁଯାୟୀ ତାଲିକା କେନ୍ଦ୍ରକୁ ପଠାଯାଇଛି। ବିଜେପି ଏକ ଗଣତାନ୍ତ୍ରିକ ଦଳ ହୋଇଥିବାରୁ ପ୍ରାର୍ଥୀଙ୍କ ନାମ ଆଗାମୀ ୨ରୁ ୩ଦିନ ମଧ୍ୟରେ ବିଜେପି ସଂସଦୀୟ ବୋର୍ଡ ଘୋଷଣା କରିବେ ବୋଲି ଆଜି ରାଜ୍ୟ ବିଜେପି କୋର କମିଟିର ବୈଠକ ପରେ ରାଜ୍ୟ ବିଜେପିର ବରିଷ୍ଠ ନେତା ଶ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି।

ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ, ଜିଲା ସ୍ତରରୁ ଆସିଥିବା ସମସ୍ତ ପ୍ରାର୍ଥୀଙ୍କ ତାଲିକାକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଛି। ଏଥି ସହ ଜିଲ୍ଲା ସମିତିମାନଙ୍କର ବି ମତାମତ ନେଇ ପ୍ରାର୍ଥଙ୍କ ନାମ ତାଲିକା ସୁପାରିଶ କରାଯାଇଛି। ରାଜ୍ୟ କାର୍ଯ୍ୟାଳୟରେ କୋର କମିଟି ବୈଠକରେ ପ୍ରାର୍ଥୀତ୍ୱ ପାଇଁ ଆସିଥିବା ସମସ୍ତ ନାମଗୁଡିକ ସମ୍ବନ୍ଧରେ ଚର୍ଚ୍ଚା ହେବା ପରେ କେନ୍ଦ୍ରର ମୋହର ପାଇଁ ପଠାଇ ଦିଆଯାଇଛି। ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ନୀତି ଆନୁସାରେ ବିଜେପି ପ୍ରାର୍ଥୀ ଚୟନରେ ତିନୋଟି ମାପଦଣ୍ଡ ବ୍ୟବହାର କରିଆସୁଛି। ସେହି ମାପଦଣ୍ଡ ଅନୁସାରେ ବିଜେପୁର ଉପନିର୍ବାଚନ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯିବ। ଯେଉଁ ବ୍ୟକ୍ତି ଦଳର ବିଚାରଧାରକୁ ବିଧାନସଭାରେ ସଠିକ୍ ଭାବରେ ପ୍ରତିନିଧୀତ୍ୱ କରିପାରିବ, ସମସ୍ତଙ୍କ ସହ ବନ୍ଧୁଭଳି ବ୍ୟବହାର କରୁଥିବ ଏବଂ ଜନସମର୍ଥନ ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

ନବୀନ ସରକାରଙ୍କ ଦୀର୍ଘ ୧୮ ବର୍ଷର ସ୍ଥାଣୁତା, ଅପାରଗତା, ଭଷ୍ଟ୍ରାଚାର ଶାସନ ଯୋଗୁଁ ରାଜ୍ୟବାସୀ ଅଣନିଶ୍ୱାସୀ ହୋଇପଡିଲେଣି। ମା’ ଙ୍କୁ ସମ୍ମାନ ଏଠି କେବଳ ଘୋଷଣା ସର୍ବସ୍ୱ। ରାଜ୍ୟରେ ଇତିଶ୍ରୀ, ବେବିନା, ମାଧବୀଲତା ଭଳି ନାରୀମାନଙ୍କୁ ନବୀନ ସରକାର ହତ୍ୟା କରିବା ପାଇଁ ଅପରାଧିକ ଷଡଯନ୍ତ୍ର ରଚନା କରିଛନ୍ତି। ଏବେ କୁନ୍ଦୁଲି ପୀଡିତା ଏବଂ ବାଣପୁର ପୀଡିତାଙ୍କ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ପଛରେ ବି ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ରହିଛି। ରାଜ୍ୟରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସରକାର ପୂରାପୂରି ଚୁପ ବସିଛନ୍ତି। ନିଜ ଦଳୀୟ କାର୍ଯ୍ୟାଳୟରେ ବିଜେଡି ନେତା ଏକ ଅସହାୟନାରୀକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇଦେବାର ଲୋଭ ଦେଖାଇ ଦୁଷ୍କର୍ମ କରିବା ରାଜ୍ୟ ପାଇଁ ସବୁଠୁ ବଡ ଲଜ୍ଜାର ଘଟଣା। ରାଜ୍ୟରେ ଖଣି ମାଫିଆମାନଙ୍କୁ ସୁରକ୍ଷା ଦେବା, ଚିଟଫଣ୍ଡରେ ସଂପୃକ୍ତ ଥିବା ବିଧାୟକ ଓ ସାଂସଦମାନଙ୍କୁ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

ରାଜ୍ୟ ବିଜେପି ବିଜେପୁର ଉପନିର୍ବାଚନକୁ ଗମ୍ବୀରତାର ସହ ନେଇଛି। ଅନ୍ୟପଟେ ବିଜେପୁରବାସୀ ନବୀନ ସରକାରଙ୍କ ଭ୍ରଷ୍ଟଚାର ବିରୁଦ୍ଧରେ ଏକାଠୀ ହେଇ ବିଜେପିକୁ ବିଜୟୀ କରିବେ ବୋଲି ନିଷ୍ଫତି ନେଇସାରିଛନ୍ତି। ବିଜେପୁର ନିର୍ବାଚନରୁ ବିଜେପି ବିଜୟର ବିଗୁଲ ବଜାଇବା ସହ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟବାସୀ ବିଜେଡିକୁ ଧରାଶାୟୀ କରି ବିଜେପିକୁ ବହୁମତ ଦେବେ ବୋଲି ଶ୍ରୀ ଷଡଙ୍ଗୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ମନମୋହନ ସାମଲ, ପ୍ରତାପ ଷଡଙ୍ଗୀ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ (ସଂଗଠନ) ଶାରଦା ପ୍ରସାଦ ଶତପଥୀ, ସହ ସାଧାରଣ ସଂପାଦକ (ସଂଗଠନ) ଅମିତାଭ ଚକ୍ରବର୍ତ୍ତୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top