ବିଜେପି ଜିଲ୍ଳା କାର୍ଯ୍ୟକାରିଣୀ- ୱାର୍ଡ ସ୍ତରରୁ ଦଳକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ

ଭଦ୍ରକ, ୧୩/୫ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଆଜି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ତୃତୀୟ କାର୍ଯ୍ୟକାରିଣୀ ବୈଠକ ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ହୋଇ ଯାଇଛି। ଜଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକକୁ ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ୱାର୍ଡ ଠାରୁ ଆରମ୍ଭ କରି ପ୍ରତ୍ୟେକ ସ୍ତରରେ ଥିବା ବିଜେପିର କାର୍ଯ୍ୟକର୍ତ୍ତାମାନେ ନିଷ୍ଠାର ସହ କାର୍ଯ୍ୟ କରି ଦଳକୁ ଶକ୍ତିଶାଳୀ ଓ କ୍ରୀୟାଶୀଳ କରିବା ପାଇଁ ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ। ସେହିପରି ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ ଓଡିଶାର ସାମ୍ପ୍ରତିକ ରାଜନୀତି ଓ ବିଜେପିର ଖସଡା ପ୍ରସ୍ତୁତି ଶୀର୍ଷକ ଉପରେ ଆଲୋଚନା କରି ରାଜ୍ୟର ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ଆକଳନ କରି ରାଜ୍ୟବାସୀ ଗତ ପଞ୍ଚାୟତ ନିର୍ବାଚନରେ ଏହାକୁ ପ୍ରମାଣିତ କରିଛନ୍ତି ବୋଲି କହିଥିଲେ। ଜିଲ୍ଳା ପ୍ରଭାରୀ ତଥା ପୂର୍ବତନ ଉପମୁଖ୍ୟ ସଚେତକ ମୋହନ ମାଝୀ ଯୋଗ ଦେଇ ଦଳର ଆଗାମୀ କାର୍ଯ୍ୟପନ୍ଥା ସମ୍ବନ୍ଧରେ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ। ଏହି ଅବସରରେ ଭଣ୍ଡାରିପୋଖରୀ ବ୍ଳକର ନବ ନିର୍ବାଚିତ ଉପାଧ୍ୟକ୍ଷ ସୁବ୍ରତ ଦାସ ଓ ଧାମନଗର ପଞ୍ଚାୟତ ସମିତର ଉପାଧ୍ୟକ୍ଷା ବିଳାସିନୀ ଘୋଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଜିଲ୍ଳା ଉପସଭାପତି ଦୁର୍ଗାଚରଣ ନାୟକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିବା ବେଳେ ସାଧାରଣ ସମ୍ପାଦକ ବାମଦେବ ଦାସ ଉକ୍ତ ପ୍ରସ୍ତାବକୁ ସମର୍ଥନ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରାଇ ଜିଲ୍ଳାର ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀନବନ୍ଧୁ ପତି ଓ ଜାତୀୟ ପରିଷଦ ସଦସ୍ୟ ଶରତ ଦାସ ଏଥିରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଳାର ଅନ୍ୟତମ ଉପସଭାପତି ଅମ୍ବିକା ପ୍ରସନ୍ନ ଦାସ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକ ପାଳନ ଅବସରରେ ଜିଲ୍ଳା କମିଟି ଘୋଷଣା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ଅଶୋକ ପୁହାଣ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ସାଧାରଣ ସମ୍ପାଦକ ପ୍ରଭାତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ଉପସଭାପତି ତପନ ମହାନ୍ତି, ତପନ ବାରିକ, ବାପୁ ଧଳ, ରବିନାରାୟଣ ସାହୁ, ମନସ୍ମିତା ଖୁଣ୍ଟିଆ, ରଞ୍ଜନ ସ୍ୱାଇଁ, ପ୍ରଭାତ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଏହି ବୈଠକରେ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ଓ ସେଲ୍ର ମୁଖ୍ୟ, ଜିଲ୍ଳା ପରିଷଦ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ସମସ୍ତ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବା ସହ ଏହି ବୈଠକରେ ରାଜ୍ୟ ତରଫରୁ ନିଯୁକ୍ତ ଜଣେ ଜଣେ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବେ ବୋଲି ଜିଲ୍ଳା ସଭାପତି ଶ୍ରୀ ଧଳ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *