କେନ୍ଦୁଝରରେ ଭାଲୁ ଆତଙ୍କ : ଭାଲୁ ଆକ୍ରମଣରେ ୩ ମୃତ ୬ ଗୁରୁତର : ଶେଷରେ ମଲା ରକ୍ତମୁଖା ଭାଲୁ

କେନ୍ଦୁଝର ୨-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ସଦର ରେଞ୍ଜ ଖାଡିଆଡିହା ଗ୍ରାମରେ ଆଜି ବଡି ଭୋରରୁ ରକ୍ତମୁଖା ହୋଇପଡିଥିଲା ଏକ ଜଙ୍ଗଲି ଭାଲୁ। ଆଉ ଏହି ରକ୍ତମୁଖା ଭାଲୁ ଆତଙ୍କରେ ସାରା ଅଞ୍ଚଳ ଆତଙ୍କିତ ହୋଇପଡିଥିଲା। ଭାଲୁ ହାବୁଡ଼ରେ ପଡି ବନବିଭାଗ କର୍ମଚାରୀଙ୍କ (ଓ୍ୟାଚର) ସମେତ ୩ଜଣ ମୃତ୍ୟୁ ବରଣ କରିଥିବାବେଳେ ୬ ଜଣ ଗୁରୁତର ଭାବେ ଆହାତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ଓ ପରେ ୩ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

ସୂଚନାଯୋଗ୍ୟଯେ, ଗତକାଲି ବିଳମ୍ବିତ ରାତିରେ ଗ୍ରାମର କିଛି ଲୋକ ନିକଟସ୍ଥ ଗ୍ରାମରେ ପାଲା ଦେଖି ଫେରୁଥିବା ସମୟରେ ଭାଲୁ ହାବୁଡରେ ପଡିଥିଲେ ଓ ଭାଲୁ ଆକ୍ରମଣରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ସେହିପରି ଆଜି ସକାଳୁ ସକାଳୁ ନିଜ ବଗିଚାରେ କାମ କରିବାକୁ ଯାଉଥିବା ସମୟରେ ଗ୍ରାମର ନବ ନାଏକକୁ ଭାଲୁ ଟାଣି ନେଇ ତାର ମୁଣ୍ଡ, ଜଙ୍ଘ ଓ ଅଣ୍ଡକୋଶକୁ ଅତି ବିଭତ୍ସ ଭାବେ କାମୁଡି କାମୁଡି ଖାଇ ଚାଲିଥିଲା। ଭାଲୁ କବଜାରୁ ନବଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ବନବିଭାଗ କର୍ମଚାରୀ ବିଦେଶୀ ମହାକୁଡ ମଧ୍ୟ ଭାଲୁ ହାବୁଡରେ ପଡି ଯାଇଥିଲେ। ଏହି ଦୁଇ ଜଣଙ୍କୁ ଭାଲୁ ମଧ୍ୟ କିଛି ସମୟ ଧରି ଜଗିରହିଥିଲା। ଏମାନଙ୍କୁ ଭାଲୁ କବଳରୁ ରକ୍ଷା କିରିବାକୁ ଯାଇ ଆଉ କିଛି ଲୋକ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିଲେ। ପ୍ରଥମେ ଭାଲୁ ଆକ୍ରମଣରେ ୮ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ ଏବଂ ନବଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବନ ବିଭାଗର ଓ୍ୟାଚର ବିଦେଶୀ ମହାକୁଡ ଓ ନିଳାଦ୍ରି ନାଏକଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ଓ ତିନି ଜଣଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନନ୍ତରିତ କରାଯାଇଛି। ଏହା ପରେ ପରେ ବନବିଭାଗ ଭାଲୁଟିକୁ ଘଉଡାକୁକୁ ଉଦ୍ୟମକରି ବିଫଳ ହେବାପରେ ୪ ରାଉଣ୍ଡ ଗୁଳି ଚାଳନା କରିବାକୁ ବାଧ୍ୟ ହୋଇଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବନବିଭାଗ ଗୁଳିରେ ଭାଲୁଟି ମୃତ୍ୟୁ ବରଣ କରିଛି। ଭାଲୁଟି ମରିବାପରେ ଆତଙ୍କ ହଟିଥିବାବେଳେ ଲୋକ ଆଶ୍ୱସ୍ଥ ହୋଇଥିଲେ। ପରେ ବନବିଭାଗ ଘଟଣା ସ୍ଥଳରୁ ଉଭୟ ମୃତ ଭାଲୁ ଏବଂ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ପରେ କ୍ଷତିପୁରଣ ଦାବିରେ ଘଟଣାସ୍ଥଳରେ ଚାପା ଉତେଜନା ପ୍ରକାଶ ପାଇଥିଲା।

ବନବିଭାଗ ଗୁଳିରେ ଭାଲୁଟି ମୃତ୍ୟବରଣ କରିଥିବାକୁ ବନବିଭାଗ ଅସ୍ୱୀକାର କରିଥିବାବେଳେ ୪ ରାଉଣ୍ଡ ଗୁଳି ଚାଳନା କରିଥିବା ସ୍ୱୀକାର କରିଥିଲେ ମଧ୍ୟ ତାହା ଭାଲୁକୁ ମାରିବା ଉଦ୍ଦେଶ୍ୟରେ ନୁହେଁ ବରଂ ଆକ୍ରମଣ କରୁଥିବା ଲୋକଙ୍କୁ ଛଡାଇବାକୁ ବ୍ଲାଙ୍କ ଫାୟାରିଂ କରାଯାଇଥଇବା କହିଛନ୍ତି ସଦର ରେଞ୍ଜର ଅନ୍ତର୍ଯ୍ୟାମୀ ବେହେରା।

Leave a Reply

Your email address will not be published. Required fields are marked *