ବନ୍ଧା ପଡିଲା ସୌମ୍ୟଙ୍କ ସ୍ୱାଭିମାନ

ଭୁବନେଶ୍ୱର ୧୬-୧୦ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଗତ କାଲି ଅର୍ଥାତ୍ ୧୬ ସେପ୍ଟେମ୍ବର ଥିଲା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଥିଲା ଜନ୍ମଦିନ। ଏଥି ସକାଶେ ଦଳ ତରଫରୁ ବ୍ୟାପକ ଆୟୋଜନ କରାଯାଇଥିଲା। ନବୀନ ନିବାସ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ଥିଲା ଉତ୍ସବମୁଖର। ବିଜେଡି କାର୍ଯ୍ୟାଳୟରେ ମଧ୍ୟ ଆୟୋଜନ କରାଯାଇଥିଲା ରକ୍ତଦାନ ଶିବିର। ଆଗକୁ ଅଛି ବିଜେପୁର ଉପ ନିର୍ବାଚନ। ସେଥିପାଇଁ ଜନ୍ମଦିନ ଅବସରରେ ନବୀନ ପଟ୍ଟନାୟକ ବିଜେପୁର ପାଇଁ ଏକ ନୂତନ ଜଳସେଚନ ପ୍ରକଳ୍ପର ଘୋଷଣା ମଧ୍ୟ କରିଥିଲେ। ଏ ସବୁ ଭିତରେ ଥିଲା ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡିଆରେ ସରକାର ଓ ନବୀନ ପଟ୍ଟନାୟକଙ୍କ ପ୍ରଚାର ଓ ପ୍ରସାର। ଏହି ପ୍ରଚାର ଓ ପ୍ରସାର ଭିତରେ ଗୋଟିଏ ସାଂଘାତିକ ଷଡଯଂତ୍ର ସାମନାକୁ ଆସିଛି। କେବଳ ତିନୋଟି ଖବର କାଗଜରେ କରାଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଓ ପ୍ରସାର। ତାହା ହେଉଛି ସମ୍ବାଦ, ପ୍ରମେୟ ଓ ଇଣ୍ଡିୟାନ୍ ଏକ୍ସପ୍ରେସ। ଦୁଇଟି ଓଡିଆ ଓ ଗୋଟିଏ ହେଉଛି ଇଂରାଜୀ। ଦେଖିବାକୁ ଗଲେ ସମ୍ବାଦ ଗୋଟିଏ ପ୍ରମୁଖ ସମ୍ବାଦପତ୍ରର ମାନ୍ୟତା ପାଇଛି। ଓଡିଶାର ପାଠକଙ୍କ ଦ୍ୱାରା ଏହା ବହୁଳ ଭାବରେ ଆଦୃତ। ମାତ୍ର କାଲି ଏହି ଖବରକାଗଜ ଯେଉଁଭଳି ଭାବରେ ନବୀନ ପଟ୍ଟନାୟକଙ୍କର ପ୍ରଚାର ଓ ପ୍ରସାର କଲା ତାହା ପଢି ଓଡିଶା ଲୋକେ ତାଜୁବ। ଦୀର୍ଘ ୧୭ ବର୍ଷ ଧରି ସମ୍ବାଦ ସରକାର ତଥା ବିଜେଡିର ମୁଖ୍ୟ ବିରୋଧି ଖବର କାଗଜ ଭାବରେ ପରିଗଣିତ ହେଉଥିଲା। ପାଠକ ମଧ୍ୟ ଏହାକୁ ଗ୍ରହଣ କରୁଥିଲେ। କାରଣ ବିଜେଡି ସରକାରଙ୍କ ବିଭିନ୍ନ ଦୋଷ ଦୁର୍ବଳତାକୁ ନିର୍ଭୀକ ଭାବରେ ଏଥିରେ ପ୍ରକାଶ କରାଯାଉଥିଲା। ଏହାର ସମସ୍ତ ଶ୍ରେୟ ଏହି ମିଡିଆ ହାଉସ୍ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଯାଉଥିଲା। ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଓଡିଶାର ଆଧୁନିକ ସମ୍ବାଦପତ୍ରର ପ୍ରତିଷ୍ଠାତା କହିଲେ ଅତ୍ୟୁକ୍ତି ହେବ ନାହିଁ। ମାତ୍ର କାଲିର ଖବର ପରେ ଏହାର ପାଠକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। କାଲି ସମ୍ବାଦ ଖବରକାଗଜରେ ନବୀନ ପଟ୍ଟନାୟକଙ୍କ ବାବଦରେ ଯେଉଁ ୫ ପୃଷ୍ଟାର ପ୍ରଚାର ଓ ପ୍ରସାର କରାଯାଇଛି ଏଥିରେ ଏକ ବିରାଟ ଷଡଯଂତ୍ରର ସୁରାକ୍ ହସ୍ତଗତ ହୋଇଛି। ଗତ ପଞ୍ଚାୟତ ନିର୍ବାଚନ ପରେ ଶାସକ ବିଜେଡିର ଲୋକପ୍ରିୟତା ଓଡିଶାରେ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଦଳ ଭିତରେ ଅସନ୍ତୋଷର ମାତ୍ରା ଚରମ ସୀମାରେ। ଅନେକ ସାଂସଦ ଓ ବିଧାୟକ ବିଜେପି ସହିତ ଭିତିରିଆ ସଂପର୍କରେ ଅଛନ୍ତି। ସାଂସଦ ମାନଙ୍କ ଭିତରୁ ବୈଜୟନ୍ତ ପଣ୍ଡା, ତଥାଗତ ଶତପଥି, ଭର୍ତ୍ତୁହରି ମହତାବ ଗୋଟିଏ ଗୋଟିଏ ମିଡିଆ ହାଉସ୍ର ମାଲିକ। ଏମାନେ ସମସ୍ତେ ବିଜେଡି ଓ ଏହାର ଶାସନ ବ୍ୟବସ୍ଥା ଉପରେ ବୀତସ୍ପୃହ। ତେଣୁ ବଡ ମିଡିଆ ହାଉସ୍ ମାଲିକ ଭିତରେ ରହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କୁ କରାୟତ କରିବା ପାଇଁ ବିଜେଡି ବହୁ ଦିନରୁ ଚେଷ୍ଟା କରି ଆସୁଛି। ମାତ୍ର ସୌମ୍ୟ ବାବୁଙ୍କ ମୂଲଚାଲ ଆଗରେ ବିଜେଡି ହାର୍ ମାନି ପଛଘୁଞ୍ଚା ଦେଉଥିଲା। ଏବେ କିନ୍ତୁ ବିଜେଡି ମୁଣ୍ଡ ନୁଆଁଇଛି। ଏଥିପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ। ତୃତୀୟ ମହଲାର ନିର୍ଦ୍ଦେଶରେ ଏହାର ଦାୟିତ୍ୱ ନେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା। ପ୍ରଛଦପଟ୍ଟରେ ରହିଥିଲେ ବିଧାୟକ ଅତନ୍ୁ ସବ୍ୟସାଚୀ ନାୟକ ଓ ପ୍ରଣବ ପ୍ରକାଶ ଦାସ। ପୂର୍ବରୁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କର ଦୁଇଗୋଟି ଡିମାଣ୍ଡ ଥିଲା। ତାହା ହେଲା ତାଙ୍କ ପାଇଁ ଦଳ ତରଫରୁ ଗୋଟିଏ ଲୋକସଭା ଆସନ ଓ ତାଙ୍କ ଝିଅ ପାଇଁ ଖଣ୍ଡପଡା ବିଧାନସଭା ଆସନ। ଏ ଦୁଇଟିରେ ଏବେ ବିଜେଡି ରାଜି। ସୌମ୍ୟଙ୍କ ପାଇଁ ଲୋକସଭା ଆସନ ଭିତରେ କନ୍ଧମାଳ, କଟକ ଓ ଭୁବନେଶ୍ୱର କଥା ଚିନ୍ତା କରାଗଲା। କଟକ ଲୋକସଭା ପାଇଁ ଆଉ ଭର୍ତ୍ତୁହରିଙ୍କୁ ଟିକେଟ୍ ଦେବା ସପକ୍ଷରେ ନାହିଁ ବିଜେଡି। ଏଠି ସୌମ୍ୟଙ୍କ ଦେଲେ କେବଳ ଖଣ୍ଡପଡା ଛାଡିଦେଲେ ଆଉ କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତାଙ୍କର ପ୍ରଭାବ ନାହିଁ। ତା ଛଡା ଏହି ସବୁ ଅଞ୍ଚଳରେ ବିଜେପି ଦୃତ ଗତିରେ ଉନ୍ନତି କରୁଛି। ଭିତରିଆ ଖବରରୁ ଜଣା ପଡିଛି ଏଥର ଏଠାରୁ ବିଜେପି ଟିକେଟ୍ରେ ପୂର୍ବତନ ଓଡିଶା ଓ ସିଆର୍ପିଏଫ ଡିଜି ପ୍ରକାଶ ମିଶ୍ର ଲଢିବାର ସମ୍ଭାବନା ରହିଛି। ତାଙ୍କ ଆଗରେ ସୌମ୍ୟଙ୍କ ପ୍ରାର୍ଥôତ୍ୱ ଫିକା ପଡିଯିବ ବୋଲି ବିଜେଡି ଅନୁଭବ କରିଛି। ଭୁବନେଶ୍ୱର ଲୋକସଭା ଆସନରେ ବିଜେଡି ସାଂସଦ ଅଛନ୍ତି ପ୍ରସନ୍ନ ପାଟ୍ଟଶାଣୀ। ଏଥର ତାଙ୍କୁ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟରେ ରହିଛି ବିଜେଡି। ମାତ୍ର ତାଙ୍କ ବଦଳରେ ସୌମ୍ୟଙ୍କୁ ଦେଲେ ଅସୁବିଧା ହୋଇଯିବ। କାରଣ ଏଠାରେୁ ପାଟ୍ଟଶାଣୀଙ୍କ ଠାରୁ ଦୁଇ ଥର ନିର୍ବାଚନ ହାରିଛନ୍ତି ସୌମ୍ୟ ପଟ୍ଟନାୟକ। ତୃତୀୟଟି ହେଲା କନ୍ଧମାଳ। ଏଠାରେ ବିଜେଡି ସବୁଠାରୁ ସୁବିଧା ଜନକ ସ୍ଥିତିରେ ଅଛି। ସୌମ୍ୟଙ୍କ ଇଚ୍ଛା ମଧ୍ୟ କନ୍ଧମାଳ। ତା ଛଡା ଏଠାରୁ ବିଜେଡି ସାଂସଦ ଥିବା ପ୍ରତ୍ୟୁଶା ଦେବୀ ଏବେ ଆଉ ସାଂସଦ ହେବା ପାଇଁ ଇଚ୍ଛୁକ ନୁହଁନ୍ତି। ସେ ନୟାଗଡ ବିଧାନସଭା ଉପରେ ନଜର ରଖିଛନ୍ତି। ଏକଥା ମଧ୍ୟ ଦଳର ସୁପ୍ରିମୋଙ୍କୁ ବହୁବାର ଜଣାଇ ସାରିଛନ୍ତି। ଏଥର ଗ୍ରୀନ ସିଗ୍ନାଲ୍ ମିଳିଛି। ଏଠାରୁ ତିନି ତିନି ଥର ବିଧାୟକ ଓ ମନ୍ତ୍ରୀ ଥିବା ଅରୁଣ ସାହୁଙ୍କ ସ୍ଥିତି ଆଉ ପୂର୍ବଭଳି ଭଲ ନାହିଁ ବୋଲି ଦଳ ଅନୁଭବ କରୁଛି। ତା ଛଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୟାଗଡ ବିଧାନସଭା ଉପରେ ବେଶୀ ଫୋକସ୍ କରୁଛନ୍ତି। ଏଠାରୁ ଅରୁଣଙ୍କୁ ହରାଇବା ପାଇଁ ପ୍ରସ୍ତୁତ ହେଉଛି ବିଜେପିର ସ୍ୱତନ୍ତ୍ର ରଣନୀତି। ଦ୍ୱିତୀୟରେ ଅରୁଣଙ୍କ ବିରୋଧି ଭାବରେ ଜଣାଶୁଣା ବିଜେଡିର କିଛି ଯୁବ ନେତା ଦଳର ସୁପ୍ରିମୋଙ୍କୁ ଏ ବାବଦରେ ବୁଝାଇବାରେ ସକ୍ଷମ ହୋଇ ପାରିଛନ୍ତି।

ରାଜନୈତିକ ସମୀକରଣ ଯାହା ହେଉ ନାଁ କାହିଁକି, ସୌମ୍ୟଙ୍କର ଏପରି ପଟ୍ଟପରିବର୍ତ୍ତନକୁ ବୁଦ୍ଧିଜୀବୀମାନେ ସହଜରେ ହଜମ କରି ପାରୁ ନାହାଁନ୍ତି। ତାଙ୍କ ପରି ଜଣେ ଉଚ୍ଚ ଚିନ୍ତାଧାରାର ବ୍ୟକ୍ତିତ୍ୱଙ୍କ ପକ୍ଷେ ଏହା ଶୋଭା ପାଏ ନା ବୋଲି ଖୋଲାଖୋଲି ମତବ୍ୟକ୍ତ କରୁଛନ୍ତି ଏମାନେ। ତା ଛଡା ଏହି ପ୍ରଚାର ଓ ପ୍ରସାର ପାଇଁ ବିଜେଡି ଦଳ ତରଫରୁ ବିଜ୍ଞାପନ ବାବଦରେ ଟଙ୍କାଟିଏ ବି ଦିଆଯାଇ ନାହିଁ। ଖବର ମାଧ୍ୟମରେ ଏହାକୁ ଛପା ଯାଇଛି। ତେଣୁ ଏତେ ବଡ ସମଝୌତା କେଉଁ ଉଦେ୍ଧ୍ୟଶରେ କରିଛନ୍ତି ସୌମ୍ୟ ବାବୁ ତାହାର ଗୁମର ଫିଟି ସାରିଲାଣି। ଆଗକୁ ଏହାର ମୋଡ କେଉଁ ଆଡକୁ ଯାଉଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *