କେନ୍ଦ୍ର ସରକାରଙ୍କ ଓକିଲ କ୍ଷମତା ସଂକୋଚନ ଉଦ୍ୟମ! ଜିଲ୍ଲା ବାର ଆସୋସିଏସନର ବିକ୍ଷୋଭ

ବାଲେଶ୍ୱର, ୨୧/୪ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଶ୍ରମ ଓ ଭୂ-ଅଧିଗ୍ରହଣ ଆଇନ୍ ସଂଶୋଧନ ପରେ ଏବେ କେନ୍ଦ୍ର ସରକାରଙ୍କ ଆଡଭୋକେଟ୍ ଆକ୍ଟ ସଂଶୋଧନ ଆଳରେ ଓକିଲଙ୍କ କ୍ଷମତା ସଂକୁଚିତ ଉଦ୍ୟମକୁ ସମଗ୍ର ଦେଶରେ ଆରମ୍ଭ ହୋଇଛି ବିରୋଧ। ସଂଶୋଧନ ଆଧାରରେ ଆଇନଜୀବୀଙ୍କ କ୍ଷମତା ଅପସାରଣ ପାଇଁ କେନ୍ଦ୍ର ଆଇନ୍ ଆୟୁକ୍ତ କରିଥିବା ସୁପାରିଶର ପ୍ରତିବାଦରେ ଆଜି ସାରା ରାଜ୍ୟର ଓକିଲମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ବାର ଆସୋସିଏସନ ପକ୍ଷରୁ କୋର୍ଟ ବର୍ଜନ ସହିତ ବିକ୍ଷୋଭ ପ୍ରଦର୍ଶିର୍ତ ହୋଇଥିଲା।। ଜିଲ୍ଲା ଓକିଲ ସଂଘର ସଭାପତି ନିରଂଜନ ପଣ୍ଡା ଓ ସମ୍ପାଦକ ମନୋଜ ନାୟକଙ୍କ ନେତୃତ୍ୱରେ ଶତାଧିକ ଓକିଲ ସଦର ମହକୁମାର ବିଭିନ୍ନ କୋର୍ଟ ସମ୍ମୁଖରେ ପିକେଟିଂ କରିଥିଲେ। ପରବର୍ତ୍ତୀ ସମୟରେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଆଇନଜୀବୀଙ୍କ କ୍ଷମତା ସଂକୁଚିତ ପାଇଁ କେନ୍ଦ୍ର ସରକାରଙ୍କ ଦୂରଭିସନ୍ଧିମୂଳକ ପ୍ରୟାସକୁ ତୀବ୍ର ସମାଲୋଚନା କରିଥିଲେ। ବିଶେଷ କରି ରାଜ୍ୟ ବାର କାଉନସିଲ ଓ ବାର କାଉନସିଲ ଅଫ୍ ଇଣ୍ଡିଆର କ୍ଷମତାକୁ ହ୍ରାସ ପାଇଁ ଅଧାରୁ ଅଧିକ ସଦସ୍ୟ ମନୋନୀତ ବ୍ୟବସ୍ଥା ରଖିବା, ଆଇନଜୀବୀମାନେ ନିଜର ହକ୍ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ବି ଆନ୍ଦୋଳନ କରି ନ ପାରିବା ପ୍ରଭୃତି କ୍ଲଚ୍ କୁ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। ତୁରନ୍ତ ଏହି ଆଇନ୍ ସଂଶୋଧନ ସୁପାରିଶକୁ ପ୍ରତ୍ୟାହାର ପାଇଁ ସଂଘର ପକ୍ଷରୁ ଦାବି ହୋଇଥିଲା। ଆଇନଜୀବୀମାନେ କେନ୍ଦ୍ର ଆଇନ ଆୟୁକ୍ତଙ୍କ ସୁପାରିଶ ସମ୍ବଳିତ କାଗଜକୁ ପୋଡ଼ିଥିବା ଲକ୍ଷ୍ୟ କରାଯାଇଥିଲା। କେନ୍ଦ୍ର ସରକାର ଏହି ସୁପାରିସ ପ୍ରତ୍ୟାହାର ନେଇ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଥିଲେ। ଏହି ଅବସରରେ ସଂଘ ପକ୍ଷରୁ କେନ୍ଦ୍ର ଆଇନ୍ ଆୟୁକ୍ତଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ରଘୁନାଥ ପ୍ରଧାନ, ପର୍ଶୁରାମ ପ୍ରଧାନ, ନଟଗୋପାଳ ପଣ୍ଡା, ହରେକୃଷ୍ଣ ଦାଶ, ସୁଧୀର କୁମାର ଦାସ, ରାଧାକାନ୍ତ ମହାପାତ୍ର, ପ୍ରଶାନ୍ତ କୁମାର ନାୟକ, ବୈଲୋଚନ ଦାଶ, ବିପ୍ଳବ କିଶୋର ଦେଓ, ରାମନାରାୟଣ ଦେ, ଭାରତ ଲେଙ୍କାଙ୍କ ସମେତ ବହୁ ଆଇନଜୀବୀ ଏଥିରେ ସାମିଲ ହୋଇଥିଲେ। ଦୁଇଦିନ ଧରି ଏହି ଆନ୍ଦୋଳନ ଚାଲିବା ସହିତ ଆସନ୍ତାକାଲି ସର୍ବଭାରତସ୍ତରୀୟ ଏକ ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜନ ହେବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *