ad
ଓଡ଼ିଶା

ସ୍ପାଇସ ଜେଟ ପୂର୍ବରୁ ଝାରସୁଗୁଡ଼ାରୁ ଉଡ଼ିବ ଆଲାଏନ୍ସ ଏୟାର

ଝାରସୁଗୁଡ଼ା, ୧୯/୨ (ଓଡ଼ିଆ ପୁଅ) – ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆସନ୍ତା ମାର୍ଚ୍ଚ ୩୧ ଆଡ଼କୁ ସ୍ଫାଇସ ଜେଟ ବିମାନ ତା’ର ବିମାନ ସେବା ଆରମ୍ଭ କରିବାକୁ ଥିବାବେଳେ ତା’ ପୂର୍ବରୁ ଆଲାଏନ୍ସ ଏୟାର ଇଣ୍ଡିଆ ଏହି ବିମାନ ବନ୍ଦରରୁ ତା’ର ବିମାନ ସେବା ଆରମ୍ଭ କରିପାରେ। ସ୍ପାଇସ ଜେଟ୍ର ପ୍ରାୟ ମାସକ ପୂର୍ବରୁ ମାର୍ଚ୍ଚ ୧ ତାରିଖରୁ ଆଲାଏନ୍ସ ଝାରସୁଗୁଡ଼ା ବିମାନ ବନ୍ଦରରୁ ତା’ର ସେବା ଆରମ୍ଭ କରିବ ବୋଲି ଆପାତତଃ ଜଣାପଡ଼ୁଛି। ତେବେ ଆସନ୍ତା ୧୦ ଦିନ ମଧ୍ୟରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଆଲାଏନ୍ସ ଏୟାର ପକ୍ଷରୁ ଟି.କେ.ସହାୟଙ୍କ ନେତୃତ୍ୱରେ ଏକ ୪ ଜଣିଆ ପ୍ରତିନିଧି ଦଳ ଆଜି ପୂର୍ବାହ୍ନରେ ଏଠାରେ ପହଞ୍ଚି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ଓ ଯାତ୍ରୀଙ୍କ ନିମନ୍ତେ ଥିବା ସୁବିଧା ସଂକ୍ରାନ୍ତରେ ଅନୁଧ୍ୟାନ କରିଛନ୍ତି। ବିମାନ ବନ୍ଦର ନିର୍ଦ୍ଦେଶକ ଅନୁପସ୍ଥିତ ଥବାରୁ ସହକାରୀ ଅଧିକାରୀମାନେ ପ୍ରତିନିଧି ଦଳଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ବିମାନ ବନ୍ଦରର ସମସ୍ତ ବ୍ୟବସ୍ଥା ବିଷୟରେ ଅବଗତ କରାଇଛନ୍ତି। ବିମାନ ସେବା ନିମନ୍ତେ ଆସନ୍ତା ୧୦ ଦିନ ମଧ୍ୟରେ ଯାହାକିଛି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବିମାନ ବନ୍ଦର ପରିଦର୍ଶନ କରି ସାରିବା ପରେ ପ୍ରତିନିଧି ଦଳରେ ଅନ୍ତର୍ଭୁକ୍ତ ପଦାଧିକାରୀମାନେ କହିଛନ୍ତି।

ଝାରସୁଗୁଡ଼ାରୁ କୋଲକାତା, ଭୁବନେଶ୍ୱର ଓ ରାୟପୁର ମଧ୍ୟରେ ବିମାନ ଚଳାଚଳ ସେବା ଯୋଗାଇ ଦେବା ନିମନ୍ତେ ଆଲାଏନ୍ସ ଏୟାର କେନ୍ଦ୍ର ବିମାନ ମନ୍ତ୍ରାଳୟ ଠାରୁ ଅନୁମତି ପାଇ ସାରିଛି। ଏୟାର ଇଣ୍ଡିଆର ଏକ ସହାୟକ କମ୍ପାନୀ ଭାବରେ ଆଲାଏନ୍ସ ଏୟାର ସରକାରଙ୍କ ଛୋଟ ଛୋଟ ଆଞ୍ଚଳିକ କେନ୍ଦ୍ରକୁ ବିମାନ ସେବାର ସମ୍ପ୍ରସାରଣ ନୀତିକୁ ସାକାର କରିବା ପାଇଁ ୧୯୯୬ରେ ପ୍ରତିଷ୍ଠା କରାଯାଇଥିଲା। ୭୦ ଆସନ ବିଶିଷ୍ଟ ୧୬ଟି ଏଟିଆର-୬୦୦ ଏବଂ ୪୮ ଆସନ ବିଶିଷ୍ଟ ୨ଟି ଏଟିଆର-୪୨-୩୨୦ ବିମାନ ଉପଯୋଗ କରୁଥିବା ଆଲାଏନ୍ସ ଏୟାର ଏବେ ୫୩ଟି ସ୍ଥାନକୁ ଦିନକୁ ୧୧୪ଟି ଉଡ଼ାଣର ସୁବିଧା ଦେଉଛି। ୫୩ଟି ସ୍ଥାନ ହେଉଛି ଅଗଟ୍ଟି, ଆଗ୍ରା, ଏଲାହାବାଦ, ଭଟିଣ୍ଡା, ବେଙ୍ଗାଲୁରୁ, ବେଲଗାଭି, ଭାବନଗର, ଭୋପାଳ, ଭୂଜ, ଭୁବନେଶ୍ୱର, ବିକାନିର, କୋଏମ୍ବାଟୁର, ଚଣ୍ଡୀଗଡ଼, ଚେନ୍ନାଇ, ଦେହେରାଦୁନ, ଦିଲ୍ଲୀ, ଡିଉ, ଧର୍ମଶାଳା, ଗୋରଖପୁର, ଗୁଆହାଟୀ, ଗୋଆଲିୟର, ଗୋଆ, ହାଇଦ୍ରାବାଦ, ହୁବଲି, ଇନ୍ଦୋର, ଜବଲପୁର, ଜୟପୁର, ଜାମ୍ମୁ, କୋଚି, କଲିକତା, କୁଲ୍ଲୁ, ଲୀଲାବାରୀ, ଲକ୍ଷ୍ନୌ, ଲୁଧିଆନା, ମୁମ୍ବାଇ, ମଦୁରାଇ, ପାଟନା, ପନ୍ଥନଗର, ପଠାନକୋଟ, ପୁନେ, ରାଞ୍ଚି, ରାୟପୁର, ସିଲଂ, ସିମଲା, ସୁରଟ, ସିରିଡ଼ି, ତିରୁଚିରାପଲ୍ଲୀ, ତେଜପୁର, ତିରୁପତି, ଉଦୟପୁର, ବିଜୟୱାଡ଼ା ଏବଂ ଭାଇଜାଗ୍। ୫୪ତମ ସ୍ଥାନ ଭାବରେ ଝରସୁଗୁଡ଼ା ସାମିଲ ହେବାକୁ ଯାଉଛି। ଉଳ୍ଲେଖଯୋଗ୍ୟ ଯେ, ପୂର୍ବରୁ ଚଳିତ ମାସର ଗତ ୯ ତାରିଖରେ ସ୍ପାଇସ ଜେଟ ବିମାନ କମ୍ପାନୀର ଅଧିକାରୀମାନେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିଦର୍ଶନ କରି ଏହାର ଭିତ୍ତିଭୂମି, ସୁରକ୍ଷା ବ୍ୟବସ୍ଥା ଏବଂ ଯାତ୍ରୀଙ୍କ ପାଇଁ ଥିବା ବ୍ୟବସ୍ଥା ଆଦି ଅନୁଧ୍ୟାନ କରି ମାର୍ଚ୍ଚ ୩୧ ସୁଦ୍ଧା ଦିଲ୍ଲୀ, ହାଇଦ୍ରାବାଦ ଏବଂ କଲିକତାକୁ ଏଠାରୁ ବିମାନ ଉଡ଼ାଣ ଆରମ୍ଭ କରିବେ ବୋଲି ସୂଚନା ଦେଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top