ଓଡ଼ିଶା

ବମିଖାଲ ଓଭର ବ୍ରିଜ୍‌ରେ ପୁଣି ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର ଆହତ

ଭୁବନେଶ୍ୱର ୩ ମଇ (ଓଡ଼ିଆ ପୁଅ) : ଭୁବନେଶ୍ୱରସ୍ଥିତ ବମିଖାଲ ଓଭର ବ୍ରିଜ୍‌ରେ ଘଟିଛି ପୁଣି ଦୁର୍ଘଟଣା। ନିର୍ମାଣାଧିନ ବ୍ରିଜର ସେଣ୍ଟ୍ରିଙ୍ଗ ଭୁଷୁଡ଼ିଯାଇଛି। ଏହାଫଳରେ ଲୁହା ରଡ୍‌ରେ ଚାପି ହୋଇ ୨ ଶ୍ରମିକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ମୃତ ଶ୍ରମିକ ହେଲେ ସୁନ୍ଦରଗଡ଼ର ଅଜୟ ଗୁମିଚ। ଅଜୟ ଭୂମିଚଙ୍କ ଘର ସୁନ୍ଦରଗଡ଼ର ଲାଠିକଟା ଏବଂ ତାଙ୍କ ବୟସ ୩୮ ବର୍ଷ ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ହୋଇଥିବା ଶ୍ରମିକଙ୍କ ନାମ ହେଲା ଆନନ୍ଦ କୁମାର ନାୟକ । ଘର ସୁନ୍ଦରଗଡ଼ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ଲୁହା ଛଡ଼ ବନ୍ଧା ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଠାରେ ୮ ଜଣ ଶ୍ରମିକ କାମ କରୁଥିବାବେଳେ ୨ ଜଣ ଶ୍ରମିକ ଲୁହା ରଡରେ ଚାପି ହୋଇ ରହିଯାଇଯାଇଥିଲେ। ପ୍ରାୟ ୨୦ ମିନିଟ୍ କାଳ ଫସିରହିଥିଲେ ଏହି ଶ୍ରମିକ ଦ୍ୱୟ। ଏହାପରେ ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ୨ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଥିଲା।

ସୂଟନାଯୋଗ୍ୟଯେ, ଗତ ବର୍ଷ ସେମ୍ବେର ୧୦ ତାରିଖରେ ମଧ୍ୟ ଏହି ଓଭର ବ୍ରିଜ ଭୁଷୁଡି ପଡିଥିଲା। ଏହାଫଳରେ ଏହି ଅଘଟଣରେ ଝାରପଡ଼ାର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା। ସେ ତାଙ୍କ ଝିଅ ଶୀତଲକୁ ଡ୍ୟାନ୍ସ ସ୍କୁଲରୁ ଘରକୁ ଆଣୁଥିବା ବେଳେ ତାଙ୍କ ଉପରେ ଲୁହା ରଡ୍ ଓ କଂକ୍ରିଟ୍ ଓଡାଡ଼ି ହୋଇପଡ଼ିଥିଲା। ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ ଏବଂ ଏହି ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ପରେ ବ୍ରିଜ୍ ନିର୍ମାଣ କରୁଥିବା ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡକୁ କଳା ତାଲିକାଭୁକ୍ତ କରାଯାଇଥିଲା।

ବମିଖାଲ ଫ୍ଲାଏ ଓଭରବ୍ରିଜ ୨୦୧୨ରୁ ଆରମ୍ଭ ହୋଇଥିଲେ ହେଁ ୬ ବର୍ଷ ପରେ ବି ଏହାର ନିର୍ମାଣ କାର୍ଯ୍ୟ ସରିଲାନି। ବରଂ ଏହି ଓଭରବ୍ରିଜ୍‌ ରାଜଧାନୀବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି।

ବମିଖାଳ ଓଭରବ୍ରିଜରେ ଆଜି ପୁଣି ଥରେ ଦୁର୍ଘଟଣା ହେବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି, ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଘଟଣା ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା ହେବ। ନିର୍ମାଣ କାମରେ ଅବହେଳା କରାଯାଇଥିବା ସନ୍ଦେହ ହୋଇଛି।

ବମିଖାଲ ଓଭରବ୍ରିଜ୍ ଭୁଷୁଡ଼ିବା ଘଟଣାରେ ବଡବଡିଙ୍କୁ ମିଳିଥିଲା କ୍ଲିନ ଚିଟ୍। ଏହି ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ଚିଫ୍ ଇଂଜିନିୟର ରୋଡସ ଆଣ୍ଡ ଡିଜାଇନ ଗତ ସେପ୍ଟେମ୍ବର 26 ତାରିଖରେ ପୂର୍ତ୍ତ ସଚିବଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ୧୩୨ ପୃଷ୍ଠାର ଏହି ତଦନ୍ତ ରିପୋର୍ଟରେ କାର୍ଯ୍ୟାଦେଶ ପାଇଥିବା ପଣ୍ଡା ଇନଫ୍ରାକୁ ପରୋକ୍ଷ ପ୍ରୋତ୍ସାହନ ଦେଉଥିବା ବଡବଡିଆ ଛାଡ ପାଇଯାଇଥିବା ବେଳେ ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ଅବହେଳା ଏବଂ ଦାୟିତ୍ବହୀନତାରୁ ଦାୟୀ କରାଯାଇଥିଲା।

ବ୍ରିଜ୍ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡ୍‌କୁ କଳା ତାଲିକାଭୁକ୍ତ କରାଯିବ ବୋଲି କୁହାଯାଇଥିଲା। ବ୍ରିଜ୍‌ ନିର୍ମାଣ ହେବା ପୂର୍ବରୁ ପଣ୍ଡା ଇନଫ୍ରା ଡିଜାଇନ୍ ପୂର୍ତ୍ତ ବିଭାଗ ନିକଟରେ ଦାଖଲ କରିନଥିଲା। ଏପରିକି କାମ କଲାବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇନଥିଲା। ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା, ଉପନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର କିଶୋର କୁମାର ରାଉତ ଦାୟିତ୍ବ ଠିକ ଭାବେ ତୁଲାଇନଥିବା ରିପୋର୍ଟରେ ଦର୍ଶାଯାଇଛି। ଏଥିପାଇଁ ସେମାନଙ୍କ ବିରୋଧରେ ଚାର୍ଜସିଟ୍ କରାଯାଇଥିଲା।

ତେବେ କାର୍ଯ୍ୟରତ ଶ୍ରମିକ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଏହି ଘଟଣା ପରେ ଓଭରବ୍ରିଜ କାମ କିଛିଦିନ ବନ୍ଦ ଥିଲା। ତେବେ ଦୁର୍ଘଟଣା ପରେ ପଣ୍ଡା ଇନଫ୍ରାକୁ ରାଜନୈତିକ ପ୍ରୋତ୍ସାହନ ମିଳୁଥିବା ବେଳେ ବଡବଡିଆଙ୍କ ପରୋକ୍ଷ ସହାୟତା ମିଳୁଥିଲା। ଯେଉଁଥିପାଇଁ କମ୍ପାନୀ ନିର୍ଦ୍ଧାରିତ ସମୟରେ କାମ ସାରିନଥିଲେ ବି ସରକାର ଚୁପ ବସିଥିଲେ। ଖୋଲତାଡରୁ ଜଣାପଡିଥିଲା ଯେ, ସରକାରୀ ଦଳର କିଛି ବରିଷ୍ଠ ନେତା ମନ୍ତ୍ରୀଙ୍କ ପ୍ରୋତ୍ସାହନ ମିଳୁଥିଲା ପଣ୍ଡା ଇନଫ୍ରାକୁ। କାମ ବିଳମ୍ବର କାରଣ ଏବଂ ବିଭାଗୀୟ ଉଦାସିନତାକୁ ଦାୟୀ କରିଥିଲା ବିରୋଧିଦଳ।

ଏହି ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତିଯେ,  “ଭୁବନେଶ୍ୱରରେ ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍‌ରେ ଦୁର୍ଘଟଣା ଘଟି ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଖବର ଶୁଣି ମୁଁ ଦୁଃଖିତ। ପୂର୍ବରୁ ଭୁଶୁଡି ଜଣେ ବ୍ୟକ୍ତିଙ୍କ ମୂର୍ତ୍ୟୁ ଘଟିଥିଲା। ଆଜିର ଘଟଣା ଦୁଃଖଦାୟକ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।”

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top