ଅଭାବରେ ପୀଡିତ ରାଉରକେଲା ସରକାରୀ ହସ୍ପିଟାଲ

ରାଉରକେଲା ୨୪/୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସରକାର କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ରାଜ୍ୟରେ ଡାକ୍ତର ଅଭାବ ରହିଥିବା ସରକାର ଉପଲବ୍ଧି କରୁଥିବା ବେଳେ ଆଜି ଯାଏଁ ଏ ଦିଗରେ ସେମିତି କୌଣସି ଆଖିଦୃଶିୟା ପଦକ୍ଷେପ ନିଆଯାଇ ନାହିଁ। ଗୋଟିଏ ପଟେ ଡାକ୍ତରଙ୍କ ଅଭାବ ଅନ୍ୟ ପଟେ ଯୋଗଦେଉ ନ ଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ନିରୀହ ରୋଗୀଙ୍କୁ ଏହାର ଫଳ ଭୋଗିବାକୁ ପଡ଼ୁଛି। ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ)ରେ ଏମିତି ଚିତ୍ର ଦେଖିବାକୁ ମିଳୁଛି। ଗୋଟିଏ ପଟେ ଡାକ୍ତରଙ୍କ ଅଭାବ ଅନ୍ୟପଟେ ନିରାମୟ କେନ୍ଦ୍ରରୁ ମିଳୁଥିବା ଔଷଧ ରୋଗୀଙ୍କ ଦୁଃଖ ବଢ଼ାଇ ଦେଇଛି। ମାସେ କି ଦୁଇମାସ ନୁହେଁ ବର୍ଷବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଆରଜିଏଚ କେବଳ ରାଉରକେଲା ସହର, ଉପାନ୍ତ ବ୍ଳକ ନୁହେଁ, ପଡେ଼ାଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ର ରୋଗୀମାନଙ୍କ ଏକମାତ୍ର ଭରସା କେନ୍ଦ୍ର ପାଲଟିଥିବା ବେଳେ ଏହାର ବିକାଶ ପ୍ରତି ସମସ୍ତେ ଆଖିବୁଜି ଦେଇଛନ୍ତି। ଅନେକ ସମୟରେ ବିଭିନ୍ନ ସମସ୍ୟାକୁ ନେଇ ରାଜନୈତିକ ଦଳର ନେତା, କର୍ମଚାରୀମାନେ କେବଳ ଲୋକ ଦେଖାଣିଆ ଭାବେ ଆନ୍ଦୋଳନ କରୁଛନ୍ତି, ଧାରଣା ଦେଉଛନ୍ତି। ହେଲେ ସେମାନଙ୍କ ପ୍ରତିବାଦର ସ୍ୱର ଜିଲ୍ଲା ପ୍ରଶାସନ, ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ। ଫଳରେ ଦିନକୁ ଦିନ ସହରର ଏହି ଗୁରୁତ୍ୱପୂର୍ଣ୍ଣ ହସ୍ପିଟାଲର ସ୍ଥିତି ଦୟନୀୟ ଅବସ୍ଥା ଆଡ଼କୁ ଠେଲି ହୋଇଯାଉଛି। ଆରଜିଏଚରେ ସିନିୟର ଏବଂ ଜୁନିୟର ୬୬ଜଣ ଡାକ୍ତରର ଆବଶ୍ୟକତା ଥିଲାବେଳେ ଏବେ ମାତ୍ର ଅଛନ୍ତି ୩୬ ଜଣ। ଏ ନେଇ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ବିଭାଗୀୟ ଉଚ୍ଚାଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ଫଳ ଶୂନ୍। ଦୁଇଜଣ ଶିଶୁ ରୋଗ, ଆନେସ୍ଥେସିଆ ଡାକ୍ତର, ସର୍ଜରୀ, ସ୍ୱାସ୍ଥ୍ୟ ଅଧିକାରୀ ଏମିତି ଅନେକ ବିଭାଗରେ ଡାକ୍ତର ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଥିଲେ ମଧ୍ୟ ପୂରଣ ହେଉନି। କେବଳ ଏତିକି ନୁହେଁ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଜିଲ୍ଲାର ବିଶ୍ରା, ନୂଆଗାଁ, ଲାଠିକଟା, କୁଅାଁରମୁଣ୍ଡା, ଗୁରୁଣ୍ଡିଆ, ଲହୁଣିପଡ଼ା, ବଡ଼ଗାଁ, ବାଲିଶଙ୍କରା, ହେମଗିରି ଏମିତି ୧୭ଟି ବ୍ଳକ ରହିଛି। ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନା ସମେତ ୧୭ଟି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ ୨୧୨ ଡାକ୍ତର ଆବଶ୍ୟକ ହେଉଥିବାବେଳେ ଅଛନ୍ତି ମାତ୍ର ୧୩୦ଜଣ। ପ୍ରତ୍ୟେକ ଦିନ ହଜାରରୁ ଉର୍ଦ୍ଧ୍ୱ ରୋଗୀ ଆଉଟ୍ ଡୋରରେ ଚିକିତ୍ସିତ ହେଉଥିବାବେଳେ ୩୦୦ରୁ ଉର୍ଦ୍ଧ୍ୱ ରୋଗୀ ଉନ୍ ଡୋରରେ ଭର୍ତ୍ତି ହେଉଛନ୍ତି। ସେହିପରି ନିରାମୟ କେନ୍ଦ୍ରରେ ୩୫୦ ପ୍ରକାରରୁ ଅଧିକ ଔଷଧ ଉପଲବ୍ଧ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ମାତ୍ର ଏବେ ଆରଜିଏଚରେ ପ୍ରାୟ ୨୭୦ ପ୍ରକାରର ଔଷଧ ଉପଲବ୍ଧ ରହିଛି। ବହୁ ପରିମାଣରେ ଆବଶ୍ୟକ ହେଉଥିବା ଔଷଧ ଅଧିକାଂଶ ସମୟରେ ଉପଲବ୍ଧ ହେଉ ନ ଥିବାରୁ ରୋଗୀମାନଙ୍କୁ ନିରାଶ ହୋଇ ବାହାରୁ କିଣିବାକୁ ପଡ଼ୁଛି। ଆବଶ୍ୟକ ଔଷଧ ମିଳୁ ନ ଥିବାରୁ ନିରାମୟ କେନ୍ଦ୍ରକୁ ହାତଗଣତି ଲୋକ ଯାଉଥିବା ଦେଖବବାକୁ ମିଳୁଛି। ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସମସ୍ତ ସରକାରୀ ଡାକ୍ତରଖାନାର ଡାକ୍ତରଙ୍କୁ ନିରାମୟ କେନ୍ଦ୍ରରେ ଔଷଧ ଲେଖିବାକୁ ବାଧ୍ୟ କରାଯାଉଛି। ହେଲେ ରୋଗୀମାନେ ପ୍ରେସକିପ୍ ସନ ଧରି ନିରାମୟ କେନ୍ଦ୍ରରେ ପହଞ୍ଚିଲା ବେଳକୁ ଔଷଧ ନାହିଁ ବୋଲି ଉତ୍ତର ମିଳୁଛି। ଯାହାକୁ ନେଇ ରୋଗୀ ଏବଂ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଝାଡ଼ଖଣ୍ଡ ସିମ୍ ଡେଗାର ଜଗୁ ମହାତୋ କୁହନ୍ତି, ମୋର ସମ୍ପର୍କୀୟ ଭାଇ ଗତ ୩ ଦିନ ହେବ ଭର୍ତ୍ତି ହୋଇଛନ୍ତି। ଡାକ୍ତରଙ୍କ ପକ୍ଷରୁ ଯେଉଁ ପ୍ରେସ୍ କିପ୍ ସନ କରାଯାଉଛି, ସେଥିରୁ ଅର୍ଦ୍ଧାଧିକ ନିରାମୟ କେନ୍ଦ୍ରରେ ମିଳି ନ ଥିବାରୁ ବାହାରୁ କିଣିବାକୁ ବାଧ୍ୟ ହେଉଛି। ସରକାର ଏ ଦିଗ ପ୍ରତି ପ୍ରାଥମିକତା ଦେବା ଆବଶ୍ୟକ। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳର ସୋମା ମୁଣ୍ଡା ମଧ୍ୟ ସେହି ସମାନ ଅଭିଯୋଗ କରିଛନ୍ତି। ଏ ନେଇ ସିଏମଓଆର ପ୍ରଧାନ କୁହନ୍ତି, ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ଆମେ ପ୍ରତିମାସରେ ବିଭାଗୀୟ ଉଚ୍ଚାଧିକାରୀଙ୍କୁ ରିପୋର୍ଟ ଦେଉଛୁ। ନିରାମୟ କେନ୍ଦ୍ର ପାଇଁ ଧୀରେ ଧୀରେ ଔଷଧ ସଂଖ୍ୟା ବଢ଼ୁଛି। ଆଗାମୀ ଦିନରେ ରୋଗୀମାନେ ବିଶେଷ ଅସୁବିଧାରେ ପଡ଼ିବେ ନାହିଁ।

Leave a Reply

Your email address will not be published. Required fields are marked *