ଯୋଡ଼ା ଠାରେ ବିଶ୍ୱ ତମାଖୁ ନିରୋଧ ଦିବସ ପାଳିତ

ଯୋଡ଼ା, ୩୧/୦୫/୨୦୧୮: (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲ ତରଫରୁ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଇଛି। ଏହି ଅବସରରେ ପୃଥକ ପୃଥକ ଜାଗାରେ ରାଲି ଓ ସଚେତନତା ସଭା କରାଯାଇ ସମାଜକୁ ତମାଖୁର ଖରାପ ପ୍ରଭାବ ବିଷୟରେ ଏକ ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଥିଲା। ପ୍ରତି ବର୍ଷ ମେ ୩୧ ତାରିଖକୁ ସାରା ପୃଥିବୀରେ ବିଶ୍ୱ ତମାଖୁ ନିରୋଧ ଦିବସ ଭାବେ ପାଳନ କରାଯାଇଥାଏ। ସ୍ୱାସ୍ଥ୍ୟ ଉପରେ ତମାଖୁର କିପରି ଭାବେ ଖରାପ ପ୍ରଭାବ ପଡିଥାଏ, ସେ ନେଇ ଏହି ଜନ ସଚେତନତା ସୃଷ୍ଟି କରାଯାଇଥିଲା। ଚଳିତ ବର୍ଷର ଥିମ ଥିଲା, ତମାଖୁ ହୃଦୟକୁ ନଷ୍ଟ କରିଥାଏ, ତମାଖୁ ଛାଡି ସ୍ୱାସ୍ଥ୍ୟକୁ ଚୟନ କରନ୍ତୁ।

ଯୋଡ଼ାର କେନ୍ଦ୍ରୀୟ ଖେଳ ପଡିଆଠାରୁ ଜେସିଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲି କରାଯାଇଥିଲା, ଯାହାର ଶୁଭ ଉଦଘାଟନ ଟାଟା ଷ୍ଟିଲର ଚିଫ ଯୋଡ଼ା ଶ୍ରୀ ଦେବାଶିଷ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ କରିଥିଲେ। ଏଥିରେ ଟାଟା ଷ୍ଟିଲ ଡାକ୍ତରଖାନାର ମାଟ୍ରନ ରେଖା ଗୋଗୋଇ ଚେତିଆ ଏବଂ ସି ଏମ ଓ ଡ. ଏ କେ ରାୟ ନେତୃତ୍ୱ ନେଇଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଡାକ୍ତର, ନର୍ସ, ଟାଟା ଷ୍ଟିଲର କର୍ମଚାରୀ ତଥା ଯୋଡ଼ାର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।

ସେହିପରି ଯୋଡ଼ା ଗାୟତ୍ରୀ ପରିବାରର ସଦସ୍ୟ, ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥାର କର୍ମଚାରୀ, ଯୋଡ଼ା ମ୍ୟୁନିସିପାଲିଟିର ଅଧିକାରୀ ମାନଙ୍କ ମିଳିତ ପ୍ରଚେଷ୍ଟାରେ ଅନ୍ୟ ଏକ ରାଲି ଆୟୋଜନ କରାଯାଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଡ଼ା ମ୍ୟୁନିସିପାଲିଟିର ଇ.ଓ ଶ୍ରୀ ସୂର୍ଯ୍ୟମଣି ପାଟ୍ଟଜୋଶୀ ଯୋଗ ଦେଇଥିଲେ। ଏହି ରାଲିଟି ଯୋଡ଼ା ପଶ୍ଚିମ ଟାଉନଶିପ ଠାରୁ ଆରମ୍ବ ହୋଇ ସେଣ୍ଟ ଟେରେସା ବିଦ୍ୟାଳୟ ଓ ବନେଇକଳା ଅତିକ୍ରମ କରି ଯୋଡ଼ାର କେନ୍ଦ୍ରୀୟ ଖେଳ ପଡିଆ ଠାରେ ସମାପ୍ତ ହୋଇଥିଲା। ଏହି ଦୁଇଟି ରାଲିରେ ୫୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *