ବିପଦ ସଂଙ୍କୁଳ ଅବସ୍ଥାରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ, ନୂତନ ଗୃହ ଭୂତ କୋଠି ପାଲଟିଛି

ହରିଚନ୍ଦନପୁର, ତା ୧୨.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ ଥିବା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ଗୃହଟି ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ କାର୍ଯ୍ୟ ଚାଲିଥିବା ଅଫିସ ଗୃହଟିର କାନ୍ଥଗୁଡିକ ଫାଟି ଆଁ କରିଥିବା ବେଳେ ଛାତରୁ ସିମେଣ୍ଟ ଖସୁଥିବାର ଜାଣିବାକୁ ମିଳିଛି। କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଭୟରେ କାର୍ଯ୍ୟ କରୁଥିବା ସହ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବାର ଜଣାପଡିଛି।ଏହି କାର୍ଯ୍ୟାଳୟକୁ ପ୍ରତ୍ୟେକ ଦିନ ଅନେକ ଲୋକ ନାନା ପ୍ରକାରର କାମ ପାଇଁ ଆସିଥାନ୍ତି।ସେ ମାନେ ଭୟରେ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରୁଥିବାର ଜଣାଯାଇଛି। ଶିଶୁମାନଙ୍କ ବିକାଶ ନିମନ୍ତେ ସରକାରଙ୍କ ତରଫରୁ ଏହି କାର୍ଯ୍ୟାଳୟ ମାଧ୍ୟମରେ କୋଟି କୋଟି ଟଙ୍କା ଅନୁଦାନ ରାଶି ଖର୍ଚ୍ଚ ହୋଇଥାଏ। କିନ୍ତୁ ଦୁଃଖର ବିଷୟ ବ୍ଲକ ମଧ୍ୟରେ ଥିବା କାର୍ଯ୍ୟାଳୟଟିର ଅବସ୍ଥା ଦେଖିଲେ ଜଣା ଯାଉଛି, ଶିଶୁ ମାନଙ୍କ ବିକାଶ କେତେ ଆଗରେ ରହିଛି। ଖବର ନେବାରୁ ଜଣାପଡିଛି କି ହରିଚନ୍ଦନପୁର ଠାରେ ଏହି କାର୍ଯ୍ୟାଳୟଟି ସରକାରଙ୍କ ଅନୁଦାନ ରାଶିରୁ ଖର୍ଚ୍ଚ ହୋଇ ୧୯୮୨ ମସିହାରେ ନିର୍ମିତ କରାଯାଇଥିଲା। ସେହି ଗୃହଟିର ଅବସ୍ଥା ଅତି ସୋଚନୀୟ ହୋଇପଡିବାରୁ ନୂତନ ଗୃହ ନିର୍ମାଣ କରାଯାଇଥିଲା ଓ ସେଠାରେ କାର୍ଯ୍ୟାଳୟଟି ଚାଲିଥିଲା। ସେହି କାର୍ଯ୍ୟାଳୟଟିର ସୋଚନୀୟ ଅବସ୍ଥା ହୋଇପଡିଥିବା ବେଳେ ପୁଣି ପ୍ରଥମରୁ ଥିବା ପୁରୁଣା ଗୃହଟିକୁ ଭାଙ୍ଗି ସେହିଠାରେ ସରକାରଙ୍କର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନୂତନ ଗୃହ ନିର୍ମାଣ କରାଯାଇଥିଲା। ନୂତନ ଗୃହଟି ଆଜକୁ ପ୍ରାୟତଃ ୬ବର୍ଷରୁ ଉର୍ଦ୍ଧ୍ୱ ହେବ ପଡି ପଡି ଭୂତ କୋଠି ପାଲଟିବାକୁ ବସିଥିଲେ ମଧ୍ୟ ଆଜି ପ୍ରର୍ଯ୍ୟନ୍ତ କୌଣସି ଉଚ୍ଚକର୍ତ୍ତୃପକ୍ଷ କିମ୍ବା ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନାହିଁ।ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଯଥାଶିଘ୍ର ନୂତନ ଗୃହଟିକୁ କାର୍ଯ୍ୟାଳୟଟି ସ୍ଥାନାନ୍ତର କରାଇବାକୁ ଜନସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *