ସି-ସୋର ଚିଟ ଫଣ୍ଡ ଲିଙ୍କ ଅଭିଯୋଗରେ ଗିରଫ ପ୍ରଭାତ ବିଶ୍ୱାଳଙ୍କୁ ୫ ଦିନ ରିମାଣ୍ଡ

ଭୁବନେଶ୍ୱର ୧୯-୯ (ଓଡ଼ିଆ ପୁଅ): ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସି-ସୋର ଚିଟ ଫଣ୍ଡ ଲିଙ୍କ ଅଭିଯୋଗରେ ସିବିଆଇ ମଙ୍ଗଳବାରଦିନ ଗିରଫ କରିଥିଲା। ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଭାତଙ୍କୁ ଅପରାହ୍ନରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ ଅଦାଲତରେ ପ୍ରଭାତଙ୍କୁ ସିବିଆଇ ପକ୍ଷରୁ ହାଜର କରାଯାଇଥିଲା। ପ୍ରଭାତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା ଦର୍ଶାଇ ତାଙ୍କର ଓକିଲ ଜାମିନ ଆବେଦନ କରିଥିଲେ କିନ୍ତୁ ଦୁଇ ପକ୍ଷଙ୍କୁ ଶୁଣିବାପରେ ପ୍ରଭାତଙ୍କୁ ୫ ଦିନ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଛନ୍ତି।

ଅପର ପକ୍ଷରେ ରାଜନୈତିକ ଆକ୍ରୋଶଯୋଗୁଁ ନେଇ ପ୍ରଭାତଙ୍କୁ ଗିରଫ କରାଯାଇଥିବା ତାଙ୍କର ସମର୍ଥକମାନେ ଅଭିଯୋଗ କରିଛନ୍ତି। ଗତ କିଛି ବର୍ଷ ଧରି ସିବିଆଇ ତାଙ୍କୁ ଜେରା କରିଥିଲେ ମଧ୍ୟ  କାହିଁକି ଗିରଫ କରୁ ନ ଥିଲା, ବିଜେଡି ତୈଳଦର ବୃଦ୍ଧି ପ୍ରତିବାଦ କରିବା ଦିନ ହିଁ ତାଙ୍କୁ ଗିରଫ କରାଯାଇଥିବା ଏକ ଚକ୍ରାନ୍ତ ବୋଲି ପ୍ରଭାତଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି।

ସେହିପରି ବିଜେଡ଼ି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ପାର୍ଟିର ଆଭିମୁଖ୍ୟ ରଖାଯାଇଛି। ଏହି ସାମ୍ୱାଦିକ ସମ୍ମିଳନୀରେ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ମୁଖପାତ୍ର ପ୍ରତାପ ଦେବ, ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ଶଶୀଭୂଷଣ ବେହେରା ଉପସ୍ଥିତ ଥିଲେ। ବିଜେଡ଼ି ପକ୍ଷରୁ କୁହାଯାଇଛିଯେ, ପ୍ରତିଶୋଧ ପାଇଁ ସିବିଆଇକୁ ବ୍ୟବହାର କରାଯାଉଛି। ବିଜେଡି କେବେ ନିରପକ୍ଷ ତଦନ୍ତରେ ବାଧକ ସାଜିନି। ପ୍ରଭାତ ବିଶ୍ୱାଳଙ୍କ କ୍ଷେତ୍ରରେ ସିବିଆଇ ୩ ବର୍ଷ ଧରି ତଦନ୍ତ କରୁଥିବା ବେଳେ ଗତକାଲି ହଠାତ ରାତି ଅଧିଆ କାହିଁକି ଗିରଫ କଲା ବୋଲି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ। ସିବିଆଇ କେତେବେଳେ ଶୋଇ ପଡୁଛି ତ କେତେବେଳେ ଉଠିପଡୁଛି। ତଦନ୍ତ ବେଳେ ସିବିଆଇ ଟାଳଟୁଳ ନୀତି ଅବଲମ୍ବନ କରୁଛି। ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)କୁ କେନ୍ଦ୍ରରେ ଶାସନ ଭାରରେ ଥିବା ବିଜେପି, ବିରୋଧିୀ ଦଳମାନଙ୍କ ପାଇଁ ଅସ୍ତ୍ରଭାବେ ବ୍ୟବହାର କରୁଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। କେବଳ ଓଡିଶା ନୁହେଁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବିଜେପିକୁ ବିରୋଧ କରୁଥିବାରୁ ବିଜେପି ପ୍ରତିଶୋଧ ପରାୟଣ ହୋଇ ତାଙ୍କ ଦଳର ନେତାଙ୍କ ବିରୋଧରେ ସିବିଆଇକୁ ବ୍ୟବହାର କରୁଛି ବୋଲି ବିଜେଡି କହିଛି। ସେହିପରି ବିଜେପି ଏବେ ବିରୋଧୀ ଦଳମାନଙ୍କର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛି ବୋଲି ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି। ବିଜେଡି ସାଂସଦ ତଥା ମୁଖପାତ୍ର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିବା ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି ପ୍ରତାପ ଦେବ କହିଛନ୍ତି। ଫଟୋ – ରୂପା ମହାନ୍ତି

 

Leave a Reply

Your email address will not be published. Required fields are marked *