ଅନୁଗୋଳ ହସ୍ତଶିଳ୍ପ ମହୋତ୍ସବ ଉଦଯାପିତ

ଅନୁଗୋଳ, ୩/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ୧୦ଦିନ ଧରି ଚାଲିଥିବା ଅନୁଗୋଳ ହସ୍ତଶିଳ୍ପ ମହୋତ୍ସବ ଗତ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି। ପ୍ରାରମ୍ଭରେ ବେଦପାଠ ପରେ ଡାକ୍ତର ସତ୍ୟନାରାୟଣ ସିଂସାମନ୍ତଙ୍କ ସଭାପତିତ୍ୱରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଡୋଭ, ଅନୁଗୋଳର ସମ୍ପାଦକ ଅନିଲ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ଅନୁଗୋଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସ ବେହେରା ନିଜ ବକ୍ତବ୍ୟରେ ବନବାସୀ ମାନଙ୍କର ସରଳ ଜୀବନଯାପନ ଓ ଅଧିକାଂଶ ଙ୍କର ଶିକ୍ଷାଦୀକ୍ଷା ନଥିଲେ ମଧ୍ୟ ସେମାନେ ନିଜର ପାରମ୍ପରିକ ବ୍ୟବସାୟ ଦ୍ୱାରା ଜୀବିକା ନିର୍ବାହ କରି ପାରୁଛନ୍ତି ବୋଲି କହିଥିଲେ। ୧୬ଗୋଟି ରାଜ୍ୟର ହସ୍ତଶିଳ୍ପୀମାନଙ୍କ ହାତ ତିଆରି ସାମଗ୍ରୀ ଆଧୁନିକ ଯୁଗରେ ଅଧିକ ଆବଶ୍ୟକତା ଥିବାର ଏହି ହସ୍ତଶିଳ୍ପ ମହୋତ୍ସବର ପ୍ରଦର୍ଶନୀ ଓ କାରବାର ପ୍ରମାଣିତ କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତାଭାବେ ନାଲକୋ ଇଡି (ଏସ୍ ଆଣ୍ଡ ପି) ରାଜ କିଶୋର ମିଶ୍ର ଏଥିରେ ଯୋଗ ଦେଇ ମହୋତ୍ସବକୁ ସୁନ୍ଦରଭାବେ ଆୟୋଜନ କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। ଏଭଳି ମଂଚ ଅଧିକରୁ ଅଧିକ ଆୟୋଜନ ହେଲେ ଓ କୁଷଳୀ କାରିଗରମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳି ପାରିଲେ ଭିତିଭୂମି ଥିବା ମଂଚ ମାଧ୍ୟମରେ ସେମାନେ ନିଜର କଳା କୈାଶଳ ପ୍ରଦର୍ଶନ କରିବାସହ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇ ପାରିବେ ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ ନାଟ୍ୟକାର ବିଜୟ କୁମାର ଦାସ ଏକକ ଅଭିନୟ ମାଧ୍ୟମରେ କାରିଗରମାନଙ୍କୁ ଉତ୍ସାହିତ କରିଥିଲେ। ହସ୍ତଶିଳ୍ପ ବସ୍ତ୍ର ମନ୍ତ୍ରଣାଳୟ, ନୂଆ ଦିଲ୍ଲୀର ସହକାରୀ ନିର୍ଦ୍ଦେଶକ ଅଶୋକ କୁମାର ହୋତା ତାଙ୍କ ବକ୍ତବ୍ୟରେ କୁଟୀର ଶିଳ୍ପ ଦ୍ୱାରା ମୃର୍ତ୍ତୀକା ଆଦି ସାମଗ୍ରୀ ଦ୍ୱାରା ପ୍ରସ୍ତୁତ କରାଗଲେ କଳା ବଂଚିରହିବ। ନିର୍ଜୀବକୁ ସଜୀବ କରି ଗଢ଼ି ତୋଳିବାପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ନୃତ୍ୟ, ସଙ୍ଗୀତ, ସୈାଖୀନ ପୋଷାକ, ରଙ୍ଗୋଲୀ, ଝୋଟି, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବାସହ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଡୋଭର ସଭାପତି ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *